Unknown

 

 

 

 

 

 

 

 

 

୩୪ତମ ସଂଖ୍ୟା କୋଣାର୍କ ୧୯୭୭

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

୩୪ଶ ସଂଖ୍ୟା କୋଣାର୍କ ୧୯୭୭

 

ସମ୍ପାଦକ

ମନୋରଞ୍ଜନ ଦାସ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର

 

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ, କଟକ-୭୫୩୦୦୨

ମୂଲ୍ୟ : ଚାରିଟଙ୍କା ମାତ୍ର

 

ସୂଚୀପତ୍ର

ଉପେନ୍ଦ୍ରଭଞ୍ଜଙ୍କ ପ୍ରକୃତି-ଚିତ୍ର ଏକ ଅଧ୍ୟୟନ

ଡକ୍ଟର କୃଷ୍ଣଚରଣ ବେହେରା

କବି ବଳରାମ ଦାସଙ୍କ ଅପ୍ରକାଶିତ ରଚନା

‘ଶ୍ରୀରୋଢ଼ା’-ଏକ ବିଶ୍ଳେଷଣ

ମନୀନ୍ଦ୍ର ମହାନ୍ତି

‘କୀଚକ ବଧ’-ଏକ କ୍ଳାସିକ କାବ୍ୟ

କେଶବ ଚନ୍ଦ୍ର ମେହେର

ସଂସ୍କୃତ ପୁରାଣ ସାହିତ୍ୟ

ଭଗବାନ ପଣ୍ଡା

କୃପାସିନ୍ଧୁ ରଚିତ କୃଷ୍ଣବିଳାସ

ନବ କିଶୋର ପଣ୍ଡା

 

 

ଉପେନ୍ଦ୍ରଭଞ୍ଜଙ୍କ ପ୍ରକୃତି-ଚିତ୍ର ଏକ ଅଧ୍ୟୟନ

ଡକ୍‌ଟର କୃଷ୍ଣଚରଣ ବେହେରା

 

କବି ଉପେନ୍ଦ୍ର ଭଞ୍ଜ ଆମ ସାହିତ୍ୟ-ଇତିହାସରେ ରୀତି ଯୁଗୀୟ କବି ଭାବରେ ପରିଗଣିତ ହୋଇ ଥାଆନ୍ତି । ରୀତି ଯୁଗ-ସୁଲଭ ମାତୃଭାଷାର ସକଳ ପ୍ରକାର କାରୁକାର୍ଯ୍ୟର ଐଶ୍ୱର୍ଯ୍ୟ ଘେନି ସେ ଆଜି ଆମ ଆଗରେ ଏକ ବିସ୍ମୟ । ଆମର ପ୍ରାୟ ଏକ ହଜାର ବର୍ଷର ପ୍ରାଚୀନ ସାହିତ୍ୟରେ ଭଞ୍ଜଙ୍କ ପରି କୌଣସି କବି ସାରସ୍ୱତ କାର୍ଯ୍ୟକ୍ରମରେ ଏତେ ଉଚ୍ଛ୍ୱସିତ ଉତ୍ସାହ-ଉଦ୍ଦୀପନା ପ୍ରକାଶ କରି ନାହାନ୍ତି, କିମ୍ବା ସାହିତ୍ୟ ସୃଷ୍ଟିର ଆଙ୍ଗିକ ସଂପଦ ସଂପାଦନାରେ ଏତେ କୃତିତ୍ୱ ପ୍ରଦର୍ଶନ କରି ନାହାନ୍ତି । ନିଃସନ୍ଦେହରେ, କବି ଉପେନ୍ଦ୍ର ଶୈଳୀର ଜଣେ ଶକ୍ତିଶାଳୀ ସନ୍ଧିବିଗ୍ରହ, ଆଙ୍ଗିକର ଜଣେ ଆତ୍ମଭୋଳା ଆଭିଜାତିକ ଏବଂ ଭାଷାର ଜଣେ ଭାବଗ୍ରାହୀ ଭାସ୍କର !

 

ଭଞ୍ଜୀୟ କାବ୍ୟ-କୋଣାର୍କର ବହୁ ବିଚିତ୍ର ବିଭାବ ମଧ୍ୟରେ ପ୍ରକୃତି-ଚିତ୍ର ଅନ୍ୟତମ । ପ୍ରକୃତି-କ୍ଷେତ୍ର, ଜୀବ ଜଗତ୍ ଏବଂ ଆଧ୍ୟାତ୍ମିକ ରାଜ୍ୟ-ଯୁଗେ ଯୁଗେ ଏଇ ତିନିଟି ହୋଇଛି କବିମାନଙ୍କର ଚାରଣ-ଭୂମି । କେଉଁ କବି ଏହି ତିନିଟି ମଧ୍ୟରୁ କୌଣସି ଗୋଟି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ତ, ଆଉ କେଉଁ କବି ଏମାନଙ୍କ ମଧ୍ୟରେ ସମବାୟ ଓ ସମନ୍ୱୟ ସ୍ଥାପନ କରିଛନ୍ତି । ବୈଚିତ୍ର୍ୟମୟୀ ପ୍ରକୃତି ସବୁ ଯୁଗରେ ଊଣାଧିକେ ସବୁ କବିଙ୍କ ଲେଖନୀରେ ସ୍ଥାନ ଲାଭ କରିଛି । ବୈଦିକ ଯୁଗରେ ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଅଗ୍ନି ପ୍ରଭୃତି ବିଭିନ୍ନ ପ୍ରାକୃତିକ ବସ୍ତୁ ବା ଶକ୍ତିକୁ ଋଷି-କବି ମୁଖ୍ୟତଃ ଦେଖିଥିଲେ ଭୟରେ-ବିସ୍ମୟରେ । ସେଇଥି ପାଇଁ ବୋଧହୁଏ ଅଗ୍ନି; ବାୟୁ, ଚନ୍ଦ୍ର, ସୂର୍ଯ୍ୟ, ନଦୀ, ପର୍ବତ ପ୍ରଭୃତିରେ ସେ ଦେବତ୍ୱ ଆରୋପ କରିଥିଲେ । ମଣିଷ-ହୃଦୟରେ ଯେଉଁ ସୌନ୍ଦର୍ଯ୍ୟ-ପ୍ରେମର ପ୍ରବୃତ୍ତି ନିହିତ, ତାହା ସେ ଯୁଗର ପ୍ରକୃତି-ଦର୍ଶନରେ ବିଶେଷ ପ୍ରକଟିତ ହୋଇଥିଲା ବୋଲି କହି ହେବ ନାହିଁ । କିନ୍ତୁ ପୁରାଣ ଯୁଗ ଓ କାବ୍ୟ-ନାଟକ ଯୁଗରେ କବିମାନେ ସାଧାରଣତଃ ପ୍ରକୃତିର ରୂପପାୟୀ ବା ସୌନ୍ଦର୍ଯ୍ୟ ପ୍ରେମୀ ହୋଇଥିବାର ଦେଖାଯାଏ । ପ୍ରକୃତି ସେମାନଙ୍କ ପକ୍ଷରେ ଆଉ ଭୟ ଓ ବିସ୍ମୟର କାରଣ ନହୋଇ, ହୋଇଛି ସୁଖ ଓ ଆନନ୍ଦର ଉତ୍ସ । ବିଭିନ୍ନ ଋତୁର ବର୍ଣ୍ଣ ବିଭବରେ ମୁଗ୍‌ଧ ହୋଇ କବି ଲେଖିଛନ୍ତି-ଋତୁ ସଂହାର । ଭାସମାନ ଘନକୃଷ୍ଣ ମେଘମାଳା କିମ୍ବା ଶୁଭ୍ର ସୁନ୍ଦର ହଂସରାଜିକୁ କାବ୍ୟ ମଧ୍ୟରେ ପ୍ରଣୟ ଦୂତ ରୂପେ ଅବତାରଣା କରିଛନ୍ତି କବି । ପୁଣି କେଉଁଠି ପ୍ରକୃତି ଭିତରେ କବି କରିଛନ୍ତି ଆପଣା ଜୀବନ-ଦର୍ଶନର ଅନୁସନ୍ଧାନ-। ଆଉ ନାୟକ-ନାୟିକାଙ୍କର ରୂପ-ବର୍ଣ୍ଣନା ବେଳେ ବିପୁଳା ପ୍ରକୃତିକୁ କବିମାନେ କାମଧେନୁ ଭଳି ଦୋହନ କରିଥିବା ତ ସାଧାରଣ କଥା ! ଆମର ସଂସ୍କୃତ ତଥା ପ୍ରାକୃତ ସାହିତ୍ୟର ଏହି ପ୍ରକୃତି-ଚିତ୍ରଣର ଧାରା ଚମତ୍କାର ଭାବରେ ଆନୁସୃତ ହୋଇଛି ଭଞ୍ଜ-ସାହିତ୍ୟରେ ।

 

ଏହି ପ୍ରସଙ୍ଗରେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ-ସାଧାରଣ ପ୍ରକୃତି ଏବଂ ସାହିତ୍ୟରେ ସେହି ପ୍ରକୃତିର ଚିତ୍ର ମଧ୍ୟରେ ଗୋଟିଏ ବଡ଼ ପାର୍ଥକ୍ୟ ରହିଛି । ସାଧାରଣ ପରିଦୃଶ୍ୟମନ୍ ପ୍ରକୃତି ସ୍ଥଳବିଶେଷରେ ଆମକୁ ଖରାପ ଲାଗିପାରେ-ବିଭତ୍ସ ବା ଭୟଙ୍କର ବୋଧ ହୋଇପାରେ । କିନ୍ତୁ ସାହିତ୍ୟରେ ଯେତେବେଳେ ତାହାର ଚିତ୍ର ଅଙ୍କିତ ହୁଏ, ତାହା ସର୍ବଦା ହୋଇଥାଏ ସୁନ୍ଦର ଓ ପ୍ରୀତିପ୍ରଦ । ସାଧାରଣ ବିଶ୍ୱ ପ୍ରକୃତି ସମକ୍ଷରେ ଆମେ ସାଧାରଣତଃ ନିଜର କାର୍ଯ୍ୟକାରୀ ବୁଦ୍ଧି ଅଥବା ବ୍ୟାବହାରିକ ଦୃଷ୍ଟିକୋଣ ପ୍ରକାଶ କରିଥାଉଁ-ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ, ବର୍ଷା-ପବନରୁ ନିଜକୁ ରକ୍ଷା କରିବା ପାଇଁ ଆଶ୍ରୟ ଅନୁସନ୍ଧାନ କରୁ-ସୁନ୍ଦର ସୁରଭିଯୁକ୍ତ ଫୁଲଟିଏ ଦେଖିଲେ, ତୋଳିଆଣି ଘର=ଟେବୁଲ ସଜାଇବା ପାଇଁ କିମ୍ବା ନିଜର ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଇଚ୍ଛା ପ୍ରକାଶ କରୁ । କିନ୍ତୁ ସାହିତ୍ୟରେ ନୂତନ ମେଘ ବା ସୁନ୍ଦର ଫୁଲର ବର୍ଣ୍ଣନା ପାଠ କଲେ, ଆମ ମଧ୍ୟରେ ଅନୁରୂପ କାର୍ଯ୍ୟକାରୀ ବୁଦ୍ଧି ଅଥବା ବ୍ୟାବହାରିକ ଦୃଷ୍ଟିକୋଣ ପ୍ରକାଶ ପାଏ କି ? ବରଂ ଆମେ ସେହି ବର୍ଣ୍ଣନା-ପାଠରୁ ଆନନ୍ଦ ଲାଭ କରିଥାଉଁ, କିମ୍ବା ଅନ୍ୟ ଭାଷାରେ କହିଲେ, ଆମ ମଧ୍ୟରେ ରସର ଉଦ୍‌ବୋଧନ ହୋଇଥାଏ । ଏପରି କି ସାହିତ୍ୟର ବିଭତ୍ସ ଓ ଭୟଙ୍କର ପ୍ରକୃତିଚିତ୍ର ଆମ ନିକଟରେ ସୁନ୍ଦର ଓ ପ୍ରୀତିପଦ ହୋଇଉଠେ । ଗୋଟିଏ ଉଦାହରଣ ସାହାଯ୍ୟରେ କଥାଟିକୁ ସୁସ୍ପଷ୍ଟ କରାଯାଇ ପାରେ । ସ୍ୱଚକ୍ଷୁରେ ଚିଲିକା ଦେଖିଲେ, ଆମକୁ ବୋଧହୁଏ ସେତେ ଭଲ ଲାଗେ ନାହିଁ । ଚିଲିକା କୂଳର ଆଇଁଷିଆ ଗନ୍ଧ, ଦଳୁଆପଙ୍କ, ତାହାର ଲୁଣି ପାଣି ଏବଂ କାଳିଜାଇ ଗଣ୍ଡ ଅନେକଙ୍କ ପକ୍ଷରେ ପ୍ରୀତିପ୍ରଦ ନ ହୋଇ ବରଂ ଭୀତିପ୍ରଦ ହୋଇଥାଏ । କିନ୍ତୁ କବି ରାଧାନାଥଙ୍କ ଲେଖନୀରେ ସେହି ଚିଲିକାର ବର୍ଣ୍ଣନା କାହାକୁ ଭଲ ନ ଲାଗେ ?

 

ସୁତରାଂ ସାହିତ୍ୟ ସ୍ରଷ୍ଟା ଗୋଲାପ ଉଦ୍ୟାନର ଆଲେଖ୍ୟ ଅଙ୍କନ କରିପାରେ, ଅଥବା ଭୟଙ୍କର ଜଙ୍ଗଲ, ପଚା ନର୍ଦ୍ଦମାର ଚିତ୍ର ଦେଇପାରେ । ସାହିତ୍ୟର ବଡ଼ଦାଣ୍ଡରେ ସବୁ ଗ୍ରହଣୀୟ ସମସ୍ତ ସ୍ୱାଗତ ଯୋଗ୍ୟ । ସେଠାରେ କଦର୍ଯ୍ୟ, କୁତ୍ସିତ ବା ଅସୁନ୍ଦର ବୋଲି କିଛି ନାହିଁ । କବିଙ୍କର ପ୍ରକାଶ କରିବାର ଅପାରଗତାହିଁ କେବଳ ଅସୁନ୍ଦର-ସ୍ରଷ୍ଟାଙ୍କର ସର୍ଜନା କରିବାର ଅକ୍ଷମତାହିଁ କେବଳ ଅଶୋଭନୀୟ । କହି ଜାଣିଲେ, ସାହିତ୍ୟର ସବୁ କଥା ସୁନ୍ଦର-ତାହା ଭଲ କଥା ହେଉ ବା ମନ୍ଦ କଥା ହେଉ ! ଏହି ମାନଦଣ୍ଡରୁ ଉପେନ୍ଦ୍ରଭଞ୍ଜଙ୍କର ପ୍ରକୃତି-ଚିତ୍ର ଆଲୋଚନା କଲେ, ଆମେ ଦେଖି ପାରିବା-କି ଋତୁ ବର୍ଣ୍ଣନା, କି ରୂପ ବର୍ଣ୍ଣନା, କି ବନପର୍ବତ, ନଦୀ ସମୁଦ୍ର ବର୍ଣ୍ଣନା-ସବୁଥିର ଭଲ ତଥା ଭେଲ ଦିଗକୁ କବି ସ୍ପର୍ଶ କରିଛନ୍ତି ଏବଂ ତତ୍‌କାଳୀନ ରୀତି ଅନୁଯାୟୀ ସେ ସମସ୍ତଙ୍କୁ କଳାମଣ୍ଡିତ କରି ଆମ ଆଗରେ ଥୋଇଛନ୍ତି । ମଧ୍ୟଯୁଗୀୟ ସାହିତ୍ୟାଦର୍ଶ ଅନୁସାରେ ତାଙ୍କର ପ୍ରକୃତି-ଚିତ୍ର ଜୀବନ୍ତ ଓ ମର୍ମସ୍ପର୍ଶୀ ହୋଇଛି । ଆଧୁନିକ ଦୃଷ୍ଟିକୋଣରୁ ଭଞ୍ଜ ସାହିତ୍ୟରେ ପ୍ରକୃତି ଚିତ୍ରଣର ଅନୁସନ୍ଧାନ କରିବା ଭ୍ରମାତ୍ମକ ହେବ । କବି ରାଧାନାଥ, ଗଙ୍ଗାଧର ମେହର ପ୍ରମୁଖଙ୍କ କାବ୍ୟ କବିତାରେ ପ୍ରକୃତି ଯେପରି ସ୍ୱତନ୍ତ୍ର ଓ ସମ୍ମାନଜନକ ଆସନରେ ସମାସୀନ ହୋଇଛି, କିମ୍ବା ପ୍ରକୃତି-ଚିତ୍ରଣରେ ଯେପରି ଉତ୍କଳୀୟତା ଆରୋପିତ ହୋଇଛି, ଭଞ୍ଜଙ୍କ ରଚନାବଳୀରୁ ସେପରି ଆଶା କରିବା ଉଚିତ ହେବନାହିଁ । ମଧ୍ୟଯୁଗୀୟ ସାହିତ୍ୟାଦର୍ଶ ଅନୁସାରେହିଁ ଭଞ୍ଜକବିଙ୍କର ପ୍ରକୃତି ଚିତ୍ରଣ ବିଚାର କରିବାକୁ ହେବ ।

 

ମାତୃଭୂମିର ଏକ ଚମତ୍କାର ପ୍ରାକୃତିକ ସୌନ୍ଦର୍ଯ୍ୟ-ପରିପୂର୍ଣ୍ଣ ଅଞ୍ଚଳରେ ଭଞ୍ଜକବିଙ୍କର ଆବିର୍ଭାବ ଏବଂ ଲୀଳା ଖେଳା । ଗୁମୁସର-ବାଣପୁର-ନୟାଗଡ଼ର ଆରଣ୍ୟକ ଐଶ୍ୱର୍ଯ୍ୟ ଓ ଜାଙ୍ଗଲିକ ସୁଷମା ତାଙ୍କର କବି ମାନସକୁ ସ୍ପନ୍ଦନାୟିତ କରି ଥିବାର ଯଥେଷ୍ଟ ସମ୍ଭାବନା । ବୈଦେହୀଶ ବିଳାସ, ଲାବଣ୍ୟବତୀ, ସୁଭଦ୍ରା ପରିଣୟ ପ୍ରଭୃତି କାବ୍ୟରେ ବନପର୍ବତର ଯେଉଁ ମନୋଜ୍ଞ ବର୍ଣ୍ଣନା ସ୍ଥାନ ପାଇଛି, ତାହାହିଁ ଏପରି ସମ୍ଭାବନାର ହେତୁ । ବିଶେଷତଃ ଲାବଣ୍ୟବତୀ କାବ୍ୟରେ ଚତୁର୍ବିଂଶ ଛାନ୍ଦରେ ଚନ୍ଦ୍ରଭାନୁର ମୃଗୟା କାଳରେ ‘ରମ୍ୟ ବିପିନର ଅଦ୍ଭୁତ ଶୋଭା’’ କବିଙ୍କ ଲେଖନୀରେ ଏହିପରି ଫୁଟି ଉଠିଛି-

 

କୁଞ୍ଜ-କୁଟୀରମାନ ରୁଚିର            ଯୂଥିକା ମୋତି ବିତାନ ଚୀର

ପତନ ପୁଷ୍ପଶଯ୍ୟା ପ୍ରକାର ଶେଫାଳିକାର ଯେ

ଭାଷନ୍ତି ଭାଷ ଶାରୀ କପୋତ                  ସୁମନ ରତିରସରେ ମତ୍ତ

ପାନ ଖଦିର ଲବଙ୍ଗସ୍ଥିତ କି ମନୋହର ଯେ ।

 

ଦୀକ୍ଷା ବିହୀନ ଶିକ୍ଷା କନ୍ଦର୍ପ କେଳି ଯେ

ପରା ବସନ୍ତି ପାରାବତ ହିଁ ଖେଳି ଯେ

ପକ୍ୱଣ ବାସ ଅଶୋକ ଡାଳି            ସ୍ତବକ ରବିଦ୍ୟୋତରେ ଝଳି

ଭ୍ରମ କରିଣ ଶଶ ହରିଣ ଶମ୍ବର ମିଳି ଯେ ।।

 

ଚନ୍ଦ୍ରକ ଟେକି ନାଚନ୍ତି କେକୀ            ଊର୍ଦ୍ଧ୍ୱରୁ ଖସୁଛନ୍ତି ଚାତକୀ

ଯହିଁ ତମାଳ ତରୁକୁ ତର୍କି ଜଳଦ କରି ଯେ

ଅମ୍ଳାନ ଗୁଳ୍ମ ବଲ୍ମୀକ ବତ            କୁସୁମ ପୀତ ରଙ୍ଗ ଅସିତ

ଶ୍ରେଣୀଭୂତରେ ସେ ପୁରୁହୁତ କୋଦଣ୍ଡ ପରି ଯେ ।

 

ମତ୍ତ ଦ୍ୱିରଦ ନାଦ ଉଚ୍ଚରେ ଶୁଭି ଯେ

ଚଂପା ସଂପାକ ଶମ୍ପାକୁ ସମ ଲଭି ଯେ

ବକୁଳ ମକରନ୍ଦ ବରଷେ            ଦାତ୍ୟୂହ କେବା ବାଣୀକି ଘୋଷେ

ବକାଳି ଗତ ଆଗତବଶେ ସ୍ୱଭାବେ ଶୋଭି ଯେ ।।

 

ପ୍ରଫୁଲ୍ଲ ମଲ୍ଲୀ ବଲ୍ଲିକାମାନ            ତାରା ସହିତେ ନୀଳ ଗଗନ

ଛିଡ଼ି ପଡ଼ିଲା ପରା ଶୋଭନ ଛନ୍ନ ବର୍ତ୍ତିକେ ଯେ

ଅନାଇ ତାହା ଅତସୀ ନୀଳ            ଦାସୀ ପ୍ରକାଶ ରଥାଙ୍ଗ କୁଳ

ପ୍ରବେଶ ହୋଇ ମହାବ୍ୟାକୁଳ ପକ୍ଷ ବିବେକେ ଯେ ।

 

ଚାହିଁ ଚକୋର ଚାଣ୍ଡେ ଚକ୍ଷୁ ଯୁଗ୍ମକୁ ଯେ

ରଖେ ଚତୁରପଣେ କାନ୍ତା ଯୋଗକୁ ଯେ

ବାରୁଣୀ ପୁଷ୍ପବନ୍ତ ମନ୍ଦାର            ଦେଖି ଆନନ୍ଦ ଦିବାନ୍ଧବାର

ତରୁ ଦୋଳିକା ଆଦି ବିଚାର କରେ ରଙ୍ଗକୁ ଯେ ।।

 

ଏହା ଅରଣ୍ୟ-ପର୍ବତ ଘେରା ଗୁମୁସର-ବାଣପୁର-ନୟାଗଡ଼ ଅଞ୍ଚଳ ପ୍ରାକୃତିକ ଦୃଶ୍ୟ ରାଜିକୁ ହିଁ ସ୍ମରଣ କରାଇ ଦିଏ । ଆପଣା ଜନ୍ମଭୂମିର ଏହି ସ୍ୱାଭାବିକ ପ୍ରଭାବ ଓ ପ୍ରେରଣା ବ୍ୟତୀତ ପ୍ରକୃତି-ଚିତ୍ରଣରେ ଭଞ୍ଜ କବି ସଂସ୍କୃତ କାବ୍ୟ ଓ କବିତାର ଅନୁସୃତ ରୀତିଦ୍ୱାରା ମଧ୍ୟ ଅନୁପ୍ରାଣିତ ହୋଇଛନ୍ତି । ଆମର ବିଖ୍ୟାତ ଆଳଙ୍କାରିକ ବିଶ୍ୱନାଥ କବିରାଜ ଆପଣା ‘ସାହିତ୍ୟ ଦର୍ପଣ’ ଗ୍ରନ୍ଥର ଷଷ୍ଠ ପରିଚ୍ଛେଦରେ କାବ୍ୟର ଲକ୍ଷଣ ନିରୂପଣ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ଯେ, ସୂର୍ଯ୍ୟ ଚନ୍ଦ୍ର ସନ୍ଧ୍ୟା ରାତ୍ରି ଦିବସ ଅନ୍ଧକାର ପ୍ରାତଃକାଳ ମଧ୍ୟାହ୍‌ଣ ବନ ପର୍ବତ ୠତୁ ପ୍ରଭୃତିର ସଂକ୍ଷିପ୍ତ ବା ବିସ୍ତୃତ ବର୍ଣ୍ଣନା କାବ୍ୟ ମଧ୍ୟରେ ସ୍ଥାନ ପାଇବ । ଏହି ଆଳଙ୍କାରିକ ଅନୁଶାସନ ଅନୁଯାୟୀ କବି ଉପେନ୍ଦ୍ର ଭଞ୍ଜ ଆପଣା କାବ୍ୟ କବିତାରେ ପ୍ରକୃତି ବର୍ଣ୍ଣନା କରିଛନ୍ତି । ତାଙ୍କର ରଚନାବଳୀରେ ପ୍ରକୃତି-ଚିତ୍ରଣ ଯେପରି ଏକ ସାହିତ୍ୟିକ ଆବଶ୍ୟକତାରେ ପରିଣତ ହୋଇଛି ! ନାୟକ-ନାୟିକାଙ୍କ ପ୍ରଣୟ-ବ୍ୟାପାରର ପୃଷ୍ଠଭୂମି ରୂପେ ବିଭିନ୍ନ ଋତୁ ଚିତ୍ର ଏବଂ ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା କରା ଯାଇଛି । ସେମାନଙ୍କର ବିରହ ମିଳନରେ ପ୍ରକୃତି ହୋଇଛି ଏକ ଉତ୍କୃଷ୍ଟ ଉଦ୍ଦୀପନ ବିଭାବ । ଉଦ୍ଦୀପନ ବିଭାବ ବିଷୟରେ ଆଳଙ୍କାରିକ ବିଶ୍ୱନାଥ କବିରାଜ ଆପଣା ‘ସାହିତ୍ୟ ଦର୍ପଣ’ର ତୃତୀୟ ପରିଚ୍ଛେଦରେ ଉଲ୍ଲେଖ କରିଛନ୍ତି ଯେ-ଏହା ‘‘ଆଲମ୍ବନସ୍ୟ ଚେଷ୍ଟାଦ୍ୟା ଦେଶକାଳାଦୟସ୍ତଥା’’; ଅର୍ଥାତ୍ ଦେଶକାଳର ସୌନ୍ଦର୍ଯ୍ୟ, ଅଳଙ୍କରଣ, ଚନ୍ଦ୍ର, ଚନ୍ଦନ, କୋକିଳର କୂଜନ ଓ ଭ୍ରମରର ଗୁଞ୍ଜନ ପ୍ରଭୃତି । ଭଞ୍ଜଙ୍କର ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି କାବ୍ୟର ବସନ୍ତ ବର୍ଣ୍ଣନାକୁ ଏହାର ଊତ୍କୃଷ୍ଟ ଉଦାହରଣ ରୂପେ ଗ୍ରହଣ କରାଯାଇ ପାରେ । ନମୁନା ହିସାବରେ ଲାବଣ୍ୟବତୀ କାବ୍ୟର ପଞ୍ଚମ ଛାନ୍ଦରୁ କିୟଦଂଶ ଏଠାରେ ଉଦ୍ଧାର କରା ଯାଉଛି-

 

ମଳୟ ଶିଖରୀ ଶିରୀ ଚୋରି କରି ବହିଲାନି ମନ୍ଦ ସମୀର

ସୁମନାଙ୍କ ବାସ ଚୋରାଇ ନେବଟି ବୋଲି କହିଲାନି ଭ୍ରମର

କେଶର, କେଶରେ ହେଲେନି ମଞ୍ଜୁଳ

କେଶରେ ମଣ୍ଡନ କରିବା ଭଳିରେ ଫୁଟିଲେନି କେତେ ବଞ୍ଜୁଳ ।।

 

ମଲ୍ଲୀ ମାଧବୀ ମକରନ୍ଦ-ସାଧବୀ ହେଲେନି ବାନ୍ଧବୀ କାନନେ

ତୁଷାର ନାଶ ଚାହିଁ ହାସ ପ୍ରକାଶ କଲେନି ପଙ୍କଜ-ଆନନେ

ହେଲାନି, ଚର୍ଚ୍ଚରୀ ପ୍ରକଟ-କଟକେ

ଅତନୁ ଫୁଲର ବିଶିଖ କାର୍ମୁକେ ଘେନି ତର୍ଜିଲାନି କାର୍ମୁକେ ।।

 

ଉପେନ୍ଦ୍ର ଭଞ୍ଜ କେବଳ ବସନ୍ତର କବି ନୁହନ୍ତି, ସେ ମଧ୍ୟ ବର୍ଷାର କବି । ଆମର ବିଖ୍ୟାତ ପ୍ରତିଭାଶାଳୀ କବିମାନେ ଋତୁଚକ୍ରର ଦୁଇଟି ଦିଗରେ ଅନୁପ୍ରାଣିତ ହୋଇଛନ୍ତି ବିଶେଷ-ବର୍ଷା ଓ ବସନ୍ତ ସେମାନଙ୍କ ହୃଦୟ ତନ୍ତ୍ରୀରେ ମଧୁର ମୂର୍ଚ୍ଛନା ସୃଷ୍ଟି କରିଛି ଅତ୍ୟଧିକ । କାଳିଦାସ ଓ ରବୀନ୍ଦ୍ରନାଥଙ୍କ କାବ୍ୟ ସୃଷ୍ଟିରୁ ଏହାର ପ୍ରମାଣ ମିଳିଥାଏ । ଭଞ୍ଜ କବି ସେହିପରି ଷଡ଼ଋତୁର ଆଲେଖ୍ୟ ଅଙ୍କନ କରିବା ସଙ୍ଗେ ସଙ୍ଗେ ବସନ୍ତ ଓ ବର୍ଷା ବର୍ଣ୍ଣନା ଉପରେ ଗୁରୁତ୍ୱ ପ୍ରଦାନ କରି ଥିବାର ମନେ ହୁଏ । ଲାବଣ୍ୟବତୀର ବିରହ-ବର୍ଣ୍ଣନା ପୃଷ୍ଠଭୂମିରେ ତାଙ୍କର ସେହି ସୁପରିଚିତ ବର୍ଷାଚିତ୍ର ‘‘ଦେଖି ନବକାଳିକା ବକାଳିକା ମାଳିକା-ଆଳୀ କାଳିକା କାନ୍ତ ସ୍ମରି’’ ଅତ୍ୟନ୍ତ ଜନପ୍ରିୟ । ଲାବଣ୍ୟବତୀ କାବ୍ୟର ଏକଚତ୍ୱାରିଂଶ ଛାନ୍ଦରେ ବର୍ଷା ବର୍ଣ୍ଣନା ସେହିପରି ଜୀବନ୍ତ ହୋଇଛି-

 

ପ୍ରବେଶ ହୋଇଲା ବରଷା କାଳ            ପ୍ରମାଦମାନଙ୍କ ଜନମ ସ୍ଥଳ

ଜଳଦ କଜ୍ଜ୍ୱଳ କାନ୍ତି ଶାର୍ଦ୍ଦୁଳ            ସୁଖେ ବିହରିଲେ ଶିଖରୀ ଚୂଳ

ଗର୍ଜିତା ସନ୍ତତ, ପ୍ରକାଶି ଝଳି ବକାବଳୀ ଦନ୍ତ ।।

x            x            x

ବିଧାତା ବିଧାନ ଚିତା ବିଜୁଳି      କାଷ୍ଠାବଳୀ ଯୋଗେ ଉଠିଲା ଜଳି

ଝଞ୍ଝା ନିଳ ଲାଗି ପ୍ରଭା ପ୍ରକାଶି            ସଜୀବରେ ବହି ଦିଏ ବିଦେଶୀ ।

ତହୁଁ ଅଗ୍ନିକଣ, ଉଡ଼ି ବୋଲାଇଲେ ଜ୍ୟୋତିରିଙ୍ଗଣ ।।

 

କରକାଲୋଷ୍ଟ୍ର ପତନ ବହୁତ            ଯୁବାଙ୍କୁ ଲାଗିଲା ଅନଙ୍ଗ ଭୁତ

ଇନ୍ଦ୍ର କୋଦଣ୍ଡ ଦଣ୍ଡ ନଭେ ରାଜି      ମାନିନୀ ମାନ ଦମ୍ଭ କୁମ୍ଭ ଭାଜି ।

ସେ ବିନା ପ୍ରହାରେ, ଏହା ଦେଖିଲା ନ ଥିଲା ସଂସାରେ ।।

 

ନଦୀ ନାଗ କଲେ ବେଗ ଗମନ      ଲହରୀ ରସନା ଫୁତ୍କାର ସ୍ୱନ

ଫେନ କଞ୍ଚୁକ ଭ୍ରମ ଚକ୍ରେ ଶୋହି      ସାଗର ବିଳେ ରହିବାକୁ ଯାଇ

ତା ଚାହିଁ ଚପଳେ; ପଳାଇ ଗଲେ ମେରୁକୁ ମରାଳେ ।

 

ଏହା ବ୍ୟତୀତ ପ୍ରଭାତ ଓ ସନ୍ଧ୍ୟା, ଅରଣ୍ୟ ଓ ପର୍ବତ, ନଦୀ ଓ ସମୁଦ୍ର ପ୍ରଭୃତି ପ୍ରାକୃତିକ ଦୃଶ୍ୟର ଚମତ୍କାର ବର୍ଣ୍ଣନା ଭଞ୍ଜଙ୍କର ପ୍ରସିଦ୍ଧ କାବ୍ୟ-କବିତାମାନଙ୍କରେ ପରିଲକ୍ଷିତ ହୁଏ । ବାହୁଲ୍ୟ ଆଶଙ୍କାରେ ଏଠାରେ ତହିଁରୁ ଗୋଟିଏ ମାତ୍ର ଉଦାହରଣ ଦେଇ ଆଲୋଚନାର ଅନ୍ୟ ପ୍ରସଙ୍ଗକୁ ଯିବାପାଇଁ ପଡ଼ିବ । ଲାବଣ୍ୟବତୀ କାବ୍ୟର ଦ୍ୱାତ୍ରିଂଶ ଛନ୍ଦରେ ଚନ୍ଦ୍ରିକାସ୍ନାତ ବାସନ୍ତୀ ରଜନୀର ବର୍ଣ୍ଣନାରେ କବି ରୂପର ଏକ ବିଚିତ୍ର ଅମରାବତୀ ସୃଷ୍ଟି କରିଛନ୍ତି-

 

ଏ ସମୟେ ଉଦୟ ହୋଇଲେ ସୁଧାକର

      କିରଣରେ ପ୍ରତି ଦିଶ ଦିଶିଲା ସୁନ୍ଦର ଯେ ।।

ତ୍ରିଯାମା ଆଲିଙ୍ଗନରୁ ଏହି ଅନୁମାନ

      କଳ ଦେହେ ଯେମନ୍ତ ଚନ୍ଦନ ବିଲେପନ ଯେ ।।

 

କାଚ ଭିତ୍ତି ସ୍ଫଟିକ ସୋପାନ ବିମ୍ବାଧରେ

      କ୍ଷୀରାର୍ଣ୍ଣବ ମିଶିଲା କି ଭାନୁସୁତାନୀରେ ଯେ ।।

ରବିତାପ ଶାନ୍ତି ଅର୍ଥେ କିବା ପରମେଷ୍ଟି

      ଘନସାର ଚୂର୍ଣ୍ଣରେ ପୂରିତ କଲା ସୃଷ୍ଟି ଯେ ।।

x            x            x

ପୁଣି ନିର୍ମଳ ତାରକା ଘେନି ସେ ଗଗନ

      ପ୍ରଫୁଲ୍ଲିତ ମଲ୍ଲୀବାଟୀ ପରାୟ ରଞ୍ଜନ ଯେ ।।

ଯାମିନୀ ନବ କାମିନୀ ମୁଖ କଳାକର

      ଚାରୁ ଲୋଚନାରେ ହୋଇଅଛି ମନୋହର ଯେ ।।

 

ପ୍ରକୃତି ଚିତ୍ରଣରେ କବି ଉପେନ୍ଦ୍ର ଭଞ୍ଜଙ୍କର ପାଣ୍ଡିତ୍ୟ ଓ ବିଦଗ୍‌ଧ ଭଙ୍ଗୀ ସର୍ବତ୍ର ପ୍ରକଟିତ ହୋଇଛି । ଶବ୍ଦ ଯୋଜନା ପାଟବରେ ଏବଂ ବିଭିନ୍ନ ଶବ୍ଦାଳଙ୍କାର, ଅର୍ଥାଳଙ୍କାର ପ୍ରୟୋଗରେ କବିଙ୍କର ପ୍ରାୟ ସମସ୍ତ ପ୍ରକୃତି-ଚିତ୍ର ଏକ ସ୍ୱତନ୍ତ୍ର ଐଶ୍ୱର୍ଯ୍ୟ ଆହରଣ କରିଛି । ଏହାର ବହୁ ବିଭିନ୍ନ ଉଦାହରଣ ମଧ୍ୟରେ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ପଞ୍ଚଦଶ ଛାନ୍ଦରେ ପ୍ରଦତ୍ତ ସେହି ବିଖ୍ୟାତ ପ୍ରକୃତି ବର୍ଣ୍ଣନାଟି ଅନ୍ୟତମ । ଅଳଙ୍କାର ତଥା ଭାଷାର ଅପୂର୍ବ କାରିଗରୀ ମଧ୍ୟରେ ଗୋଟିଏ ଗୋଟିଏ ପଦରେ ଏକାବେଳକେ ବର୍ଷା, ଶୀତ ଓ ଗ୍ରୀଷ୍ମ-ତିନି ତିନିଟି ଋତୁର ବର୍ଣ୍ଣନା-

 

ଆସାର ସଘନ କାଳ ହୋଇ ଉଦୟ

ଅସିତ ପରବଳରୁ ଦରଶମୟ ।।

ସ୍ତନିତ ହିଁ ସ୍ଫୁଟ କଳକଣ୍ଠ ମରୁତ

ଅଚିର ପ୍ରଭା ହିଁ ତାର ଦିଶେ ଦିଶେତ ।। ଇତ୍ୟାଦି ।

 

ଅବଶ୍ୟ ଆମକୁ ସ୍ୱୀକାର କରିବାକୁ ହେବ ଯେ-ଏହା ଫଳରେ ଭଞ୍ଜଙ୍କର ସେହି ଉଚ୍ଚକୋଟୀର ପ୍ରକୃତି ଚିତ୍ର କେତେକାଂଶରେ ଦୁର୍ବୋଧ୍ୟ ହୋଇ ପଡ଼ିଛି । ଶାଦ୍ଦୀକତା ତଥା ବହୁଳ ଅଳଙ୍କରଣ ମଧ୍ୟରେ କାବ୍ୟ-ସୌନ୍ଦର୍ଯ୍ୟ ପ୍ରଚ୍ଛନ୍ନ ହୋଇ ପଡ଼ିଛି । କିନ୍ତୁ ଭଞ୍ଜ କବି ଯୁଗରୁଚିସମ୍ମତ ଏକ ଅଭିନବ ଉପାୟରେ ସେହି ଦୁର୍ବୋଧ୍ୟତାର ଯଥେଷ୍ଟ କ୍ଷତିପୂରଣ କରି ପାରିଛନ୍ତି । ତାହା ହେଉଛି-ଯାଦୁକରି ସାଙ୍ଗିତ୍ୟିକ ଛନ୍ଦ-ବିନ୍ୟାସ । ଭାବୋପଯୋଗୀ ସଙ୍ଗୀତମୟୀ ଛନ୍ଦରେ ହିଁ ଉପେନ୍ଦ୍ର ଭଞ୍ଜଙ୍କର ସମସ୍ତ ପ୍ରକୃତି ବର୍ଣ୍ଣନା ପରିବେଷିତ ହୋଇଛି । ‘‘ଦେଖି ନବ କାଳିକା ବକାଳିକା ମାଳିକା-ଆଳୀ କାଳିକା କାନ୍ତ ସ୍ମରୀ’’ ପଦାବଳୀର ଅର୍ଥ ବୁଝିବା ପାଇଁ ଟୀକା-ଟିପ୍‌ପଣୀ ଲୋଡ଼ା ହୋଇ ପାରେ । କିନ୍ତୁ କାମୋଦୀ ରାଗରେ ଏବଂ ହଂସଦୂତ ଚଉତିଶା ବାଣୀରେ ଏହା ଗାନ କରାଗଲେ, ଏହାର ଏକ ସାମୂହିକ ଭାବଗତ ପ୍ରଭାବ କାନ ଭିତର ଦେଇ ମର୍ମକୁ ସ୍ପର୍ଶ କରେ । ଏହାହିଁ ସକଳ ଉତ୍କୃଷ୍ଟ କାବ୍ୟ କବିତାର ଲକ୍ଷଣ-ବୋଧଗମ୍ୟ ହେବା ପୂର୍ବରୁ ପ୍ରତ୍ୟେକ ସାର୍ଥକ କବିତା ହୃଦୟକୁ ସ୍ପନ୍ଦନାୟିତ କରିଥାଏ-ଅନ୍ତରକୁ ଆଲୋଡ଼ିତ କରିଥାଏ ।

***

 

କବି ବଳରାମ ଦାସଙ୍କ ଅପ୍ରକାଶିତ ରଚନା

‘ଶ୍ରୀରୋଢ଼ା’ ଏକ ବିଶ୍ଳେଷଣ

ମନୀନ୍ଦ୍ର ମହାନ୍ତି

 

ସଂଗ୍ରହ :

ସମ୍ବଲପୁର ସହରସ୍ଥ ମହାନ୍ତି ପଡ଼ାର ଶ୍ରୀ କୈଳାସଚନ୍ଦ୍ର ପଟ୍ଟନାୟକ ବାସଗୃହରୁ ବୟୋବୃଦ୍ଧ କବି ଶ୍ରୀ ସତ୍ୟନାରାୟଣ ବହିଦାର ବଳରାମ ଦାସଙ୍କ ରଚିତ ଅପ୍ରକାଶିତ ରଚନା ‘ଶ୍ରୀରୋଢ଼ା’କୁ ଉଦ୍ଧାର କରିଛନ୍ତି, ବର୍ତ୍ତମାନ ଏହି ଅପ୍ରକାଶିତ କୃତିଟି ଉପରେ ଆଲୋଚନା କରାଯାଉଛି ।

 

‘ଶ୍ରୀରୋଢ଼ା’ :

ଏହି ପାଣ୍ଡୁଲିପିଟିର ନାମ ‘ଶ୍ରୀରୋଢ଼ା’ ବା ରୁକ୍ମିଣୀ (ରୁକ୍ୱଣୀ) ବିବାହ ଲେଖନ’ ଶ୍ରୀକୃଷ୍ଣଙ୍କର ଅଷ୍ଟପାଟବଂଶୀ ମଧ୍ୟରେ ଯେଉଁ ଋକ୍ମିଣୀ, ତାଙ୍କର ଅପହରଣ ଓ ଶ୍ରୀକୃଷ୍ଣଙ୍କ ସହିତ ବିବାହ ଏହାର ବିଷୟବସ୍ତୁ । ଋକ୍ମିଣୀଙ୍କ ବିବାହ ବିଷୟକୁ କେନ୍ଦ୍ରକରି ଏହି ‘ଶ୍ରୀରୋଢ଼ା’ ନାମକରଣ କରିବାର ତାତ୍ପର୍ଯ୍ୟ କଅଣ ? ଅନୁମାନ କରାଯାଏ-‘ରୂଢ଼ି’ ଶବ୍ଦରୁ ଏହାର ସୃଷ୍ଟି ହୋଇଛି । ଏହି ‘ରୂଢ଼ି’ ଶବ୍ଦର ଅର୍ଥ ‘ପ୍ରସିଦ୍ଧ’ । ଅର୍ଥାତ୍, ବୋଧହୁଏ, ପୂର୍ବେ ଏହି ଅଞ୍ଚଳରେ ଏହି ଋକ୍ମିଣୀ ବିବାହ ଉପାଖ୍ୟାନ ସମ୍ବଳିତ ପୁରାଣ ଅନ୍ୟ ଅପେକ୍ଷା ଅଧିକ ପ୍ରସିଦ୍ଧି ଲାଭ କରିଥିଲା । ପଶ୍ଚିମ ଓଡ଼ିଶାରେ ବିବାହ ପୂର୍ବଦିନ ମଙ୍ଗଳକୃତ୍ୟ ବା ଚତୁର୍ଥୀ ଦିନ ଆରଣ୍ୟକ କରଣମାନେ ଏହାକୁ ବୋଲି ଥାଆନ୍ତି । ଏହା ବିବାହ ପଦ୍ଧତିର ଏକ ଅଂଶ ବିଶେଷ । ତେଣୁ ଏହାର ପ୍ରସିଦ୍ଧି ଅଧିକ । ସୁତରାଂ, ଏହା ଏହି ଅଞ୍ଚଳରେ ଅଧିକ ପ୍ରସିଦ୍ଧି ଲାଭ କରିଥିବାରୁ ଏହା କ୍ରମେ ଅପଭ୍ରଂଶ ହୋଇ ‘ରୋଢ଼ା’ ନାମରେ ପରିଣତ ହୋଇଛି । ଯେକୌଣସି ଦେବତା ବା ପବିତ୍ର ନାମର ପ୍ରାରମ୍ଭରେ ‘ଶ୍ରୀ’ ସଂଯୋଗ କରାଯାଇ ଥାଏ । ତେଣୁ ଏହାର ଆରମ୍ଭରେ ‘ଶ୍ରୀ’ ସଂଯୁକ୍ତ ହୋଇ ‘ଶ୍ରୀରୋଢ଼ା’ ରେ ପରିଣତ ହୋଇଛି ।

 

ବିବାହ ଉପଚାର :

ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ରାୟଗଡ଼ା, ବାମଣ୍ଡା, କଳାହାଣ୍ଡି ଓ ବୌଦ ଆଦି ଅଞ୍ଚଳରେ ଆରଣ୍ୟକ କରଣଙ୍କର ବିବାହ ଉତ୍ସବରେ ଏହି ‘ଶ୍ରୀରୋଢ଼ା’ ବା ‘ଋକ୍ମିଣୀ ବିବାହ ଲେଖନ’ ଏକ ପଦ୍ଧତି ବା ଉପଚାର ମଧ୍ୟରେ ଗ୍ରହଣୀୟ । ଏହା ବଂଶାନୁକ୍ରମେ କେଉଁ ଯୁଗରୁ ଏପର୍ଯ୍ୟନ୍ତ ଚଳିଆସୁଛି, ତାହା ଏବେ କୁହାଯାଇ ପାରିବନାହିଁ । ଏହା ଏକ ବିଧିବଦ୍ଧ ପଦ୍ଧତି ।

 

ଏହି ଅଞ୍ଚଳର କରଣମାନଙ୍କୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା-‘ଉତ୍କଳୀୟ’ ଓ ‘ଆରଣ୍ୟକ’ । ଯେଉଁ କରଣମାନେ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଆସି ଏହି ଅଞ୍ଚଳରେ ବସବାସ କରିଛନ୍ତି ସେମାନଙ୍କୁ ‘ଉତ୍କଳୀୟ କରଣ’ ଏବଂ ଯେଉଁ କରଣମାନେ ଏହି ଅଞ୍ଚଳରେ ଆହୁରି ପୂର୍ବରୁ ମୂଳରୁ ରହିଛନ୍ତି; ସେମାନେ ‘ଆରଣ୍ୟକ କରଣ’ ନାମରେ ପରିଚିତ-। ଏହି ‘ଉତ୍କଳୀୟକରଣ’ ମାନେ ବିବାହ ଉତ୍ସବରେ ‘ରାମବିଭା’ ଗାନ କରିଥାନ୍ତି ଏବଂ ‘ଆରଣ୍ୟକକରଣ’ ମାନେ ‘ଋକ୍ମିଣୀ ବିଭା’ ବା ରୁକ୍ମିଣୀ ବିବାହ ଲେଖନ’ (‘ଶ୍ରୀରୋଢ଼ା’) ପାଠ କରିଥାଆନ୍ତି । ଏହି ଶେଷୋକ୍ତ ରଚନାଟି ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ପୂର୍ବେ ତାଳପତ୍ର ପୋଥିରେ ଏହା ଲେଖା ହୋଇଥିଲା ଏବଂ ଏବେ କାଗଜରେ ଲେଖି ଆରଣ୍ୟକ କରଣମାନେ ଏହା ଘରେ ଘରେ ରଖିଛନ୍ତି ।

 

କନ୍ୟାଘରେ ‘ଗଣସନ୍’ (ମଙ୍ଗଳକୃତ୍ୟ) ବନ ଦେବୀ ଉପରେ ବସି ଏହା ପଢ଼ାଯାଏ । ସାଧାରଣତଃ ସ୍ତ୍ରୀମାନଙ୍କ ଗହଣରେ କୌଣସି ବୟସ୍କା ସଧବା ସ୍ତ୍ରୀ ଏହା ପାଠ କରିବାପାଇଁ ବ୍ରାହ୍ମଣର ଆବଶ୍ୟକତା ପଡ଼େ ନାହିଁ । ଏହି ବେଦୀର ପାଉଛ ଉପରେ କନ୍ୟାର ମାଆ ଗୋଟିଏ ପାଦ ପକାଇଥାନ୍ତି ବେଦୀ ଉପରେ ସାତକୁଣ୍ଢୀ ପାଣି ସିଞ୍ଚନ କରାଯାଏ । ଏହି ସାତକୁଣ୍ଢୀ ହେଲେ ସାତଜଣ ବିବାହିତ ପୁରୁଷ, ମାଆ ଏବଂ କନ୍ୟା ମଝିରେ ଏକ ପର୍ଦ୍ଦା ଦିଆଯାଏ ଏବଂ ‘ଶ୍ରୀରୋଢ଼ା’ ପାଠ ଆରମ୍ଭ ହୁଏ । ‘ଶ୍ରୀରୋଢ଼ା’ ପାଠକଲାପରେ ସଧବା ସ୍ତ୍ରୀମାନେ ଅମୃତ ଭାତ ଓ ଖିରୀ ଅଢ଼େଇ ଗୁଣ୍ଡା କନ୍ୟାକୁ ଖୁଆଇ ଦିଅନ୍ତି ।

 

ଚତୁର୍ଥୀ ଦିନ ବରଘରେ ଏହି ‘ଶ୍ରୀରୋଢ଼ା’ ପାଠ କରାଯାଏ । ସକାଳେ ପଞ୍ଚମୁଖୀ ଓ ନାନ୍ଦିମୁଖୀ ଶ୍ରାଦ୍ଧପରେ ଜଣେ ବୟସ୍କ ଲୋକ ଏହାକୁ ପାଠ କରିଥାଏ ।

 

ଏହି ପରିପ୍ରେକ୍ଷୀରେ ବିଚାରକଲେ-‘ଶ୍ରୀରୋଢ଼ା’ ଏହି ଅଞ୍ଚଳରେ କେବଳ ଏକ ପୁରାଣର ଆଖ୍ୟାନ ନୁହେଁ, ସାହିତ୍ୟର ଅଂଶବିଶେଷ ନୁହେଁ, ଅଧିକନ୍ତୁ, ଏହା ଜୀବନ ଯାପନ ପ୍ରଣାଳୀ, ସାମାଜିକ ପରମ୍ପରା, ରୀତିନୀତି ସହିତ ଓତପ୍ରୋତ ଭାବରେ ଜଡ଼ିତ । ଅତଏବ, ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁମେୟ ।

 

ରୁକ୍ମିଣୀ କଳସା :

ଆଲୋଚ୍ୟ ‘ଶ୍ରୀରୋଢ଼ା’ ବା ‘ରୁକ୍ମିଣୀ’ ବିବାହ ଲେଖନ’ର ଅନ୍ୟ ଏକ ନାମ ଥିବାର ସୂଚନା ମଧ୍ୟ ମିଳେ । ଏହାକୁ ‘ରୁକ୍ମିଣୀ କଳସା’ ବୋଲି ରଚୟିତା ବଳରାମ ଦାସ ପଦ ମଧ୍ୟରେ ସରସ୍ୱତୀଙ୍କୁ ସ୍ତୁତିକରି ସପ୍ତମପଦରେ ଲେଖିଛନ୍ତି-

 

‘‘ତୁ ଦେବୀ ଅନୁଗ୍ରହ କରସି ଗୋ ମୋତେ,

ରୁକ୍ମିଣୀ କଳସା ଯେ ସ୍ମରୁ ମୋର ଚିତ୍ତେ ।’’ (୧)

 

ଶ୍ରୀଯୁକ୍ତ ଗୌରୀକୁମାର ବ୍ରହ୍ମା ବଚ୍ଛାଦାସଙ୍କ ‘କଳସା ଚଉତିଶା’ର କାଳନିରୂପଣ ବେଳେ ‘କଳସା’ର ଅର୍ଥ ଏକ ‘ମଙ୍ଗଳସ୍ତୋତ୍ର’ ବା ‘ମାଙ୍ଗଳିକ ସ୍ତୁତି’ ବୋଲି କହିଥିଲେ । ସେ ଦୃଷ୍ଟିରୁ ବିଚାରକଲେ ‘ଶ୍ରୀରୋଢ଼ା’କୁ ‘କଳସା’ କହିବାରେ କୌଣସି ଆପତ୍ତି ନାହିଁ । କାରଣ ଏଥିରେ ଭଗବାନ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ବିବାହପର୍ବ ବର୍ଣ୍ଣନା କରାଯାଇ ସେହି ଈଶ୍ୱର ବର ଓ କନ୍ୟାଙ୍କୁ ଆଶୀର୍ବାଦ କରି ସର୍ବମଙ୍ଗଳ କରାନ୍ତୁ ବୋଲି କୁହାଯାଇଛି-

 

‘‘ବର କନ୍ୟାଙ୍କର ଯେ ଶୁଭେଦିନ ଯାଉ,

ଲକ୍ଷ୍ମୀ ନାରାୟଣଙ୍କର ଯେ ପରମ ଆୟୁ ପାଉ ।୧୩୬।

 

କେବଳ ସେତିକି ନୁହେଁ, ନିଜେ ପାଠିକା ବା ଗୁରୁଜନ ସଧବା ସ୍ତ୍ରୀ ଲୋକମାନେ ମଧ୍ୟ ନିଜର ମଙ୍ଗଳ କାମନା କରିଛନ୍ତି ବରକନ୍ୟା ପ୍ରତି-

 

‘‘ମୁଖ ପୂରେଇ ଗୁଆ ତାମ୍ବୁଲ ଖାଉଛୁଁ

ବରକନ୍ୟାଙ୍କୁ ଯେ ଆଶିଷ ଦେଉଛୁଁ ।୧୩୫। (୨)

 

(୧)

ମୂଳପାଠ -

‘‘ତୁଦେବୀ ଅନୁଗ୍ରହ କରସି ଗୋ ମୋତେ

 

 

ରୁକ୍ମିଣୀ କଳସା ଯେ ସ୍ମରୁ ମୋର ଚିତ୍ତେ ।’’

(୨)

ମୂଳପାଠ-

‘‘ମୁଖ ପୁରେଇ ଗୁଆ ତାମ୍ବୁଳ ଖାଉଛୁଁ,

 

 

ବରକନ୍ୟାଙ୍କୁ ଯେ ଆସିଶ୍ୟ ଦେଉଛୁଁ ।’’

 

ଅତଏବ, ପ୍ରୋକ୍ତ ‘ଶ୍ରୀରୋଢ଼ା’ ରଚନାକୁ ‘କଳସା’ ନାମରେ ନାମିତ କରିବାରେ କୌଣସି ଅସୁବିଧା ଉପୁଜିବ ନାହିଁ ।

 

ଡକ୍ଟର ବଂଶୀଧର ମହାନ୍ତିଙ୍କ ମତରେ ‘କଳସା’ ଏକ ରାଗ । ଏହାର ବିସ୍ତୃତ ଆଲୋଚନା କରି ପଣ୍ଡିତ ନୀଳକଣ୍ଠ ଦାସ ‘କଳସା’ ପ୍ରସଙ୍ଗରେ ମତ ପ୍ରକାଶ କରି କହିଥିଲେ ଯେ-ଦାଣ୍ଡିବୃତ୍ତିକୁ ମାର୍ଜିତ କରି ଚଉଦ ଅକ୍ଷରୀ ବୃତ୍ତରେ ପକାଇବାହିଁ କଳସା । ଏହି ଦୃଷ୍ଟିରୁ ପର୍ଯ୍ୟାଲୋଚନା କଲେ ଏହାକୁ କଳସା ଆଖ୍ୟା ଦିଆଯାଇ ନପାରେ । କାରଣ, ଏହାର ବିଭିନ୍ନ ପଦରେ ଅକ୍ଷର ସଂଖ୍ୟା ଚଉଦ ଅକ୍ଷରୀ ନୁହେଁ । କେଉଁ ପଦରେ ଅକ୍ଷର ସଂଖ୍ୟା ଚଉଦ ତ ପୁଣି କେଉଁ ପଦରେ ଅକ୍ଷର ସଂଖ୍ୟା ୧୩, ୧୨ ଅଥବା ୧୫ ଇତ୍ୟାଦି । କେବଳ ସେତିକି ନୁହେଁ, ଗୋଟିଏ ପଦରେ ପ୍ରଥମ ପାଦର ସଂଖ୍ୟା ଯେତେ, ତା’ ତଳପାଦର ଅକ୍ଷର ସଂଖ୍ୟା ଅଳ୍ପ ବା ଅଧିକ ମଧ୍ୟ ହୋଇଛି । ଅତଏବ୍, ‘କଳସା’କୁ ଏକ ରାଗ ବୋଲି (୧୪ ଅକ୍ଷରୀ ବୃତ୍ତ) ବିଚାର କଲେ ଏହା କଳସା ମଧ୍ୟରେ ଗଣନା କରାଯାଇ ନପାରେ । ଅପର ପକ୍ଷରେ, ଏହାକୁ ଦାଣ୍ଡି ବୃତ୍ତ’ ମଧ୍ୟରେ ଗଣନା କରାଯିବ । କାରଣ ଏହାର ପ୍ରତ୍ୟେକ ପଦ ଓ ପାଦରେ ଅକ୍ଷର ସଂଖ୍ୟା ସମାନ ନୁହେଁ ଏବଂ ଶେଷବର୍ଣ୍ଣର ଅକ୍ଷର ମିଳନ ବି ଘଟୁଛି । ଏହା ‘ଦାଣ୍ଡିବୃତ୍ତ’ର ଲକ୍ଷଣ ।
 

ଏହି ପ୍ରସଙ୍ଗରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଶ୍ରୀ ରୋଢ଼ାକୁ ଏକ ‘କଳସା’ ବୋଲି ଗ୍ରହଣ କରାଯିବ । ଯଦି ‘କଳସା’ର ଅର୍ଥ ‘ମଙ୍ଗଳ ସ୍ତୋତ୍ର’ ବା ‘ମାଙ୍ଗଳିକ ସ୍ତୁତି’ ରୂପେ ବିବେଚିତ ହୁଏ । ମାତ୍ର ‘ରାଗ’ ଦୃଷ୍ଟିରୁ ବିଚାର କଲେ ଏହା କଳସା ପଦବାଚ୍ୟ ନୁହେଁ ।

 

ଅଙ୍ଗସଜ୍ଜା :

‘ଶ୍ରୀ ରୋଢ଼ା’ର ପଦସଂଖ୍ୟା-ଏକଶତ ଏକଚାଳିଶ । ଏହାର ପ୍ରଥମାଂଶରେ ପ୍ରଥମତଃ ବିଶ୍ୱନାଶନ ଗଣେଶ, ଦ୍ୱିତୀୟରେ ହରିହର ଏବଂ ତୃତୀୟରେ ସରସ୍ୱତୀଙ୍କୁ ବନ୍ଦନା କରାଯାଇଛି । ଗଣେଶଙ୍କୁ କବି ବଳରାମ ଦାସ ତିନିପଦରେ ବନ୍ଦନା କରିଛନ୍ତି ।

 

‘‘ବନ୍ଦଇ ଗଣବାଇ ଯେ ଗଉରୀର ବାଳ,

ଶିରରେ ସିନ୍ଦୂର ଶୋଭା କପୋଳେ ଯାହାର ।୧।

 

ଅମୃତ ଲଡ଼ୁ ଯେ କରଇ ଆହାର,

ପୟରେ ପୂଜା ମୁଁ ଯେ କରଇ ତାହାର ।୨।

 

ସପତ ସିନ୍ଧୁ ତୋଳି ଧରଇ କରସ୍ଥଳ,

ଜୟତୁ ଗଜମୁଖ ପେଟ ତୋ ଥନ୍ତଳ ।୩। (୩)

 

(୩)

ମୂଳପାଠ-

‘‘ସପତସିନ୍ଧୁ ତୋଳି ଧରଇ କରସ୍ଥଳ,

 

 

ଜୟତୁ ଗଜମୁଖ ପେଟ ତୋ ଥୋଥଳ ।’’

 

ଦ୍ୱିତୀୟରେ ହରିହରଙ୍କୁ ଦୁଇଟି ପଦରେ ବନ୍ଦନା କରିଛନ୍ତି କବି-

 

‘‘ଜୟ ତୁ ହରିହର ହୋ ତ୍ରିଦିଶ ମୋହନ,

ବୃଷଭ ବାହାନ ଯେ ଗରୁଡ଼ ଆସନ ।୪।

 

ଶଙ୍ଖ ଚକ୍ର ଶୋଭିତ ଯାର ହସ୍ତ,

ବିରାଜଇ ଡମ୍ବରୁ ତ୍ରିଶୂଳ ତିନିନେତ୍ର ।୫।

 

ତୃତୀୟରେ ସେ ସରସ୍ୱତୀଙ୍କୁ ବନ୍ଦାପନା କରି ଲେଖିଛନ୍ତି-

 

‘‘ବନ୍ଦଇ ସରସ୍ୱତୀ ଗୋ ବ୍ରହ୍ମାର ଦୋହିତା

ସୁସ୍ୱର କଣ୍ଠେ ମାଗୋ ମୋହିଲୁ ଶିରିପତି ।୬।

 

ତୁ ଦେବୀ ଅନୁଗ୍ରହ କରସି ଗୋ ମୋତେ,

ରୁକ୍ମିଣୀ କଳସା ଯେ ସ୍ମରୁ ମୋର ଚିତ୍ତେ ।୭।

 

କାଶୀନଗ୍ରପୁରେ ଯେ ଜନମ ତୋର ସ୍ଥିତି,

ଦେଶୀ ପୁରାଣ ମାଗୋ କରଇ ଭକତି ।୮।

 

ଅର୍ଥାତ ସର୍ବମୋଟ ପ୍ରଥମ ଆଠପଦ (ଗଣେଶ ବନ୍ଦନା-୩ପଦ + ହରିହର ବନ୍ଦନା-୨ପଦ + ସରସ୍ୱତୀ ବନ୍ଦନା- ୩ ପଦ= ୮ ପଦ) ‘ଶ୍ରୀରୋଢ଼ା’ର ‘ନମସ୍କ୍ରିୟା’ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରାଯାଇପାରେ । ନବମ ପଦଠାରୁ ‘ରୁକ୍ମିଣୀ ବିବାହ’ ବିଷୟବସ୍ତୁ ଆରମ୍ଭ ହୋଇଛି ।

 

ପୂର୍ବରୁ ବର୍ଣ୍ଣିତ ହୋଇଛି ଯେ, ଏହା ଦାଣ୍ଡିବୃତ୍ତରେ ରଚିତ । କାରଣ ଏହାର ଅକ୍ଷର ସଂଖ୍ୟା ଓ ପାଦର ଅକ୍ଷର ସଂଖ୍ୟାରେ ଭିନ୍ନତା ପରିଦୃଷ୍ଟ ହୁଏ । ବର୍ତ୍ତମାନ ‘ଶ୍ରୀରୋଢ଼ା’ର ଏହି ଅକ୍ଷର ସଂଖ୍ୟାର ଏକ ତାଲିକା ଦିଆଗଲା ନିମ୍ନରେ-

 

(୧)

ପ୍ରଥମ ପାଦ ଓ ଦ୍ୱିତୀୟପାଦ ଉଭୟ ୧୪ ଅକ୍ଷର ବିଶିଷ୍ଟ ପଦସଂଖ୍ୟା ୨୮ଟି ।

(୨)

ପ୍ରଥମ ପାଦ ୧୪ ଅକ୍ଷର ଏବଂ ଦ୍ୱିତୀୟ ପାଦ ୧୩ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୨୧ଟି

(୩)

୧ମ ଓ ୨ୟ ଉଭୟ ପାଦ ୧୩ ଅକ୍ଷର ବିଶିଷ୍ଟ ପଦସଂଖ୍ୟା ୨୭ଟି ।

(୪)

ପ୍ରଥମ ପାଦ ୧୩ ଅକ୍ଷର ଓ ୨ୟ ପାଦ ୧୪ ଅକ୍ଷର ବିଶିଷ୍ଟ ପଦ ସଂଖ୍ୟା-୨୫ ଟି

(୫)

୧ମ ପାଦ ୧୨ ଅକ୍ଷର ଓ ୨ୟ ପାଦ ୧୪ ଅକ୍ଷର ବିଶିଷ୍ଟ ପଦ ସଂଖ୍ୟା-୬ଟି

(୬)

୧ମ ପାଦ ୧୫ ଓ ୨ୟ ପାଦ ୧୩ ଅକ୍ଷର ବିଶିଷ୍ଟ ପଦ ସଂଖ୍ୟା-୬ଟି ।

(୭)

୧ମ ପାଦ ୧୫ ଓ ୨ୟ ପାଦ ୧୪ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୫ଟି ।

(୮)

୧ମ ପାଦ ୧୩ ଓ ଦ୍ୱିତୀୟପାଦ ୧୫ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୩ଟି ।

(୯)

୧ମ ପାଦ ୧୨ ଓ ୨ୟ ପାଦ ୧୩ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୩ଟି ।

(୧୦)

ପ୍ରଥମ ପାଦ ୧୪ ଓ ୨ୟ ପାଦ ୧୫ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୩ଟି ।

(୧୧)

୧ମପାଦ ୧୩ ଓ ଦ୍ୱିତୀୟ ପାଦ ୧୨ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୩ଟି ।

(୧୨)

ପ୍ରଥମ ପାଦ ୧୨ ଓ ଦ୍ୱିତୀୟ ପାଦ ୧୫ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୨ଟି ।

(୧୩)

ପ୍ରଥମ ପାଦ ୧୩ ଓ ଦ୍ୱିତୀୟ ପାଦ ୧୬ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୨ଟି ।

(୧୪)

ପ୍ରଥମ ପାଦ ୧୪ ଓ ଦ୍ୱିତୀୟ ପାଦ ୧୨ ଅକ୍ଷର ବିଶିଷ୍ଟ ପଦସଂଖ୍ୟା ହେଲା-୨ଟି ।

(୧୫)

ପ୍ରଥମ ପାଦ ୧୧ ଓ ଦ୍ୱିତୀୟ ପାଦ ୧୪ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୧ଟି ।

(୧୬)

ପ୍ରଥମ ଓ ଦ୍ୱିତୀୟ ପାଦ ୧୫ ଅକ୍ଷର ବିଶିଷ୍ଟ ପଦସଂଖ୍ୟା-୧ଟି ।

(୧୭)

ପ୍ରଥମ ପାଦ ୧୬ ଓ ଦ୍ୱିତୀୟ ପାଦ ୧୪ ଅକ୍ଷର ବିଶିଷ୍ଟ ପଦସଂଖ୍ୟା ହେଲା-୧ଟି ।

(୧୮)

ପ୍ରଥମ ପାଦ ୧୩ ଓ ଦ୍ୱିତୀୟ ପାଦ ୧୭ ଅକ୍ଷର ବିଶିଷ୍ଟ ପଦ ସଂଖ୍ୟା ହେଲା-୧ଟି ।

(୧୯)

ପ୍ରଥମ ପାଦ ୧୬ ଓ ଦ୍ୱିତୀୟ ପାଦ ୧୩ ଅକ୍ଷର ବିଶିଷ୍ଟ ପଦସଂଖ୍ୟା ହେଲା-୧ଟି ।

 

ଅର୍ଥାତ୍‌, ସର୍ବମୋଟ ପଦସଂଖ୍ୟା ହେଲା-୧୪୧ ପଦ ।

 

କଥାବସ୍ତୁ

ଭକ୍ତକବି ଜଗନ୍ନାଥ ଦାସଙ୍କ ‘ଭାଗବତ’ ଏବଂ ଭକ୍ତକବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ (ସପ୍ତଖଣ୍ଡ ହରିବଂଶ)ର ‘ରୁକ୍ମିଣୀ ବିବାହ’ ପ୍ରସଙ୍ଗ ଏହି ‘ଶ୍ରୀରୋଢ଼ା’ର କଥାବସ୍ତୁ ।

 

ସ୍ଥୂଳତଃ, ‘ଶ୍ରୀରୋଢ଼ାର’ କଥାବସ୍ତୁ ହେଲା-କଳିଙ୍ଗ ଦେଶର ରାଜବଂଶରେ ରାଜକୁମାରୀ ରୁକ୍ମିଣୀଙ୍କର ଜନ୍ମ; ରୂପ ଯୌବନରେ ସେ ମଦନଙ୍କ ଅରି ସଦୃଶ । ରାଜକୁମାରୀ ରୁକ୍ମିଣୀଙ୍କ ସହିତ ଚେଦୀ ଦେଶର ରାଜା ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କର ବିବାହ ପାଇଁ ପିତା ଓ ଭ୍ରାତା ସ୍ଥିର କଲେ-। ମାତ୍ର ଏଥିରେ ରୁକ୍ମିଣୀ ଅସମ୍ମତ ହେଲେ । ମା’ଙ୍କ ସମ୍ମୁଖରେ କାନ୍ଦି କାନ୍ଦି ଅତି ବିକଳ ହୋଇ ସେ ଏହାର ପ୍ରତିବାଦ କରି କହିଲେ ଯଦି ଦମଘୋଷ ପୁତ୍ରଙ୍କ ସହିତ ମୋର ବିବାହ କରି ଦିଆଯାଏ, ତେବେ କେଉଁଆଡ଼େ ପଳାଇବି, ନଚେତ ଅଗ୍ନିରେ ଝାସ ଦେଇ ମରିବି । ଏକଥା ଶୁଣି ତାଙ୍କ ମାତା ସାନ୍ତ୍ଵନା ଦେଇ କହିଲେ-“ତୋର ମନସ୍କାମନା ପୂର୍ଣ୍ଣ ହେବ ।”

 

“ତାହା ଶୁଣି ମାୟେ ଯେ ବୋଇଲେ ଉତ୍ତର;

ମନବାଞ୍ଛା ସିଦ୍ଧ ଗୋ ହେଉସି ତୋହର । ୧୯ ।

 

ରୁକ୍ମିଣୀ ଦ୍ଵାରକାଧିପତି ଶ୍ରୀକୃଷ୍ଣଙ୍କୁ ପତିରୂପେ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ମାତାଙ୍କ ସମ୍ମୁଖରେ-

 

“ରୁକ୍ମିଣୀ (ରୁକ୍ମିଣୀ) ବୋଇଲେ ମୋର ଅନ୍ୟରେ କାର୍ଯ୍ୟନାହିଁ

ଦ୍ଵାରକା ପତି କୃଷ୍ଣଙ୍କୁ ଗୋ ବରିଆସ ଯାଇ । ୨୦ ।

 

ସେ ନିଜର ବେଦନା ସଖୀମାନଙ୍କୁ ଜଣାଇଲେ । ସଖୀମାନେ ‘‘ଚିତ୍ତରେ ଭାଳି ମାଗୋ ନୁହସି କାତର’’ କହି ପ୍ରବୋଧନା ଦେଲେ । ସଖୀମାନେ ଏକ ପ୍ରସ୍ତାବ ଦେଇ କହିଲେ ଯେ ଶ୍ରୀକୃଷ୍ଣଙ୍କ ନିକଟକୁ ଏକ ଦୂତ ପଠାଇବା ଆବଶ୍ୟକ । ତେଣୁ ରୁକ୍ମିଣୀ ଏକ ବୃଦ୍ଧ ବ୍ରାହ୍ମଣଙ୍କୁ (ଶୀଘ୍ର ଡାକିବାକୁ କହିଲେ । ସଖୀମାନେ ଜଣେ ବୃଦ୍ଧ ବ୍ରାହ୍ମଣଙ୍କୁ ଡାକି ଆଣିଲେ, ରୁକ୍ମିଣୀ ବ୍ରାହ୍ମଣକୁ କହିଲେ-

 

‘‘ଏ ମୋହର ବଚନ ଶୁଣ ହୋ ଦ୍ୱିଜବର

ଲେଖାନେବୁ ମୋର ଯେ ଦ୍ଵାରିକା ନବର ।୨୮।

 

ରୁକ୍ମିଣୀଙ୍କ ଲେଖା ନେଇ ବ୍ରାହ୍ମଣ ଦ୍ଵାରକାପୁରରେ ପ୍ରବେଶ କଲେ । ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କ ପ୍ରାସାଦରେ ପହଞ୍ଚିଲା ଉତ୍ତାରେ ଭଗବାନ୍ ଶ୍ରୀକୃଷ୍ଣ ଜାଣି ପାରିଲେ ଯେ ସେ ରୁକ୍ମିଣୀଙ୍କ ଦୂତ । ବ୍ରାହ୍ମଣର ଯଥାରୀତି ଅତିଥି ସତ୍କାର କରି ଆଗମନର ଅଭିପ୍ରାୟ ପ୍ରଶ୍ନକଲେ । ବିପ୍ର ରୁକ୍ମିଣୀଙ୍କ ପରିଚୟ ଦେଇ ସମସ୍ତ ବୃତ୍ତାନ୍ତ ପ୍ରକାଶ କଲେ । ବ୍ରାହ୍ମଣର ବାଣୀ ଶୁଣି ଏବଂ ରୁକ୍ମିଣୀଙ୍କ ଲେଖନ ପାଠକରି ଶ୍ରୀକୃଷ୍ଣ ଦୃଢ଼ ପ୍ରତିଶ୍ରୁତି ଦେଇ କହିଲେ-

 

‘‘ବଳେ ଆମ୍ଭେ ତାହାଙ୍କୁ ହରି ଯେ ଆଣିବୁଁ,

ଏ ମୋହର ସତ୍ୟ ବିପ୍ର ବେଗେ ତୁ କହିବୁ ।୪୩।

 

ଏହା ଶୁଣି ବୃଦ୍ଧ ବ୍ରାହ୍ମଣ ଆନନ୍ଦ ଚିତ୍ତରେ ପ୍ରତ୍ୟାବର୍ତ୍ତନ କଲେ ।

 

ବ୍ରାହ୍ମଣଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବଦେଖି ରୁକ୍ମିଣୀ କାତର ହୋଇ ପଡ଼ିଲେ । ମନ ଦୁଃଖରେ ଚିନ୍ତାକରି ସେ କାନ୍ଦୁଥିଲାବେଳେ ତାଙ୍କର ବାମଚକ୍ଷୁ ସ୍ଫୁରିଲା । ଏହା ଶୁଭ ସଂକେତ ବୋଲି ସେ ଭାବିଲେ । ବ୍ରାହ୍ମଣ ଆସି ରୁକ୍ମିଣୀଙ୍କୁ ସମସ୍ତ କଥା ଜଣାଇଲେ ଓ ସମସ୍ତେ ଆନନ୍ଦିତ ହେଲେ । ବ୍ରାହ୍ମଣ କହିଲେ-

 

‘‘ନେବି ବୋଲିଣ ମା ଗୋ ବୋଇଲେକ ତୋତେ,

କିଛିହିଁ ଆନ ମା ଗୋ ନ ବିଚାର ଚିତ୍ତେ ।୫୨।

 

ଆସୁଛନ୍ତି ମୋତେ ଯେ ପେଷିଲେକ ଆଗ,

ବିଭା ଲଗ୍ନ ଜାଣି ମାଗୋ ନେବେ ତୋତେ ବେଗ । ୫୩ ।

 

ରୁକ୍ମିଣୀଙ୍କଠାରୁ କୌଣସି ପାରିଶ୍ରମିକ ନ ପାଇ ବ୍ରାହ୍ମଣ ଫେରିଲା । ରୁକ୍ମିଣୀ କୁବେରକୁ ଡାକି ବ୍ରାହ୍ମଣର ଦୁଃଖ ହରଣ କରିବାକୁ କହିଲେ । ତେଣୁ ବିଶ୍ୱକର୍ମା ବ୍ରାହ୍ମଣର ପ୍ରାସାଦ ନିର୍ମାଣ କରିଦେଲେ । ବ୍ରାହ୍ମଣ ବିରସ ମନରେ ଫେରି ନିଜ ଘର ସ୍ଥାନରେ ପହଞ୍ଚିଲାରୁ ପ୍ରାସାଦ ମଧ୍ୟରୁ ଦାସୀମାନେ ଆସି ତାଙ୍କୁ ସମ୍ବର୍ଦ୍ଧନା ଜଣାଇ ଭିତରେ ବ୍ରାହ୍ମଣୀଙ୍କ ପାଖକୁ ନେଇଗଲେ । ତା’ପରେ ବ୍ରାହ୍ମଣ ଜାଣିଲେ ଯେ ଏ ସମସ୍ତ ରୁକ୍ମିଣୀଙ୍କ ଦାନ ।

 

ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଆଣିବାର ଜାଣି ବଳରାମ କହିଲେ ଅନ୍ୟ ରାଜ୍ୟରେ ଅନେକ କନ୍ୟା ମିଳିବେ ବିବାହପାଇଁ, ମାତ୍ର ସେ ରାଜ୍ୟକୁ ନ ଯାଅ । କାରଣ ଜରାସନ୍ଧ (ଜାରାଷଣ୍ଢ) ବଡ଼ ଦୃଷ୍ଟ ପ୍ରକୃତିର ଲୋକ ।

 

‘‘ବହୁତ ରାଜ୍ୟରେ ଯେ ଅଛଇ ନନ୍ଦିନୀ (ନନ୍ଦିନୀ)

ବାଛି ବିଭା ତୋତେ ଯେ କରାଇବା ପୁଣି ।୬୪।

 

ହେ ହରି ମନେ ତୁହି ନ ବିଚାର ଆନ,

ଜରାସନ୍ଧ (ଜାରାଷଣ୍ଢ) ଦୁଷ୍ଟ ଯେ ନୁହଇଟି ସାନ ।୬୫।

 

ମାତ୍ର ଶ୍ରୀକୃଷ୍ଣ ଦୃଢ଼ ପ୍ରତିଜ୍ଞ ଯେ ସେ ରୁକ୍ମିଣୀଙ୍କୁ ଏପରି ବିପଦରୁ ଉଦ୍ଧାରକରି ନିଜର କରିବେ-

 

‘‘ହରି ବୋଇଲେ ଦେବ ନିଶ୍ଚୟେ ଯିବିମୁହିଁ

ଭକତ କାରଣେ ଜାତ ହୋଇଛି ମୋର ଦେହି ।୬୬।

 

ସର୍ବଦା କାଳରେ ସେ ରମଣୀ ମୋହର,

ପଦ୍ମନ ଜାତ ହେବେ ଗର୍ଭରେ ତାହାଙ୍କର ।୬୭।

 

ତା’ପରେ ଶ୍ରୀକୃଷ୍ଣ ସାରଥିଙ୍କୁ ରଥ ସଜାଇବାପାଇଁ ଆଜ୍ଞା ଦେଲେ ଓ ଯାତ୍ରାପାଇଁ ପ୍ରସ୍ତୁତି ଚାଲିଲା ।

କୁଣ୍ଡୀ ନଗରରେ ଏମାନେ ପ୍ରବେଶ କଲେ ଏବଂ ରାଜା ଭୀଷ୍ମକ (ରୁକ୍ମିଣୀଙ୍କ ପିତା) ଏ ବାର୍ତ୍ତା ପାଇ ନିଜେ ଆସି ସେମାନଙ୍କୁ ସସମ୍ମାନେ ସ୍ୱାଗତ ଜଣାଇ ନଗରରେ ବାସ କରିବାପାଇଁ ସୁବନ୍ଦୋବସ୍ତ କରିଦେଲେ ।

 

ଦାସୀ ପରିବେଷ୍ଟିତ ରୁକ୍ମିଣୀ ବିବାହ ତିଥିର ସକାଳେ ବସନ ଭୂଷଣ ଆଦି ପରିଧାନକରି ରତ୍ନ ହାନ୍ଦୋଳରେ ଉପବେଶନକରି ଦେବୀ ମନ୍ଦିରକୁ ଗମନ କଲେ । ରୁକ୍ମିଣୀ ଦେବୀ ମାତାଙ୍କୁ ଦର୍ଶନକରି ନାନାବିଧ ବନ୍ଦାପନାକରି ଭୂମିଷ୍ଟ ପ୍ରଣାମ ଜଣାଇ ସ୍ତୁତିକଲେ-‘‘ନନ୍ଦର ନନ୍ଦନ ମାଗୋ, ଦେବୁ ମୋତେ ପତି’’ । ଏହା କହି ରୁକ୍ମିଣୀ ହାତରେ ବିଷଧରି ପାନ କରିବାକୁ ବସିଲାବେଳେ ଦେବୀ ସ୍ୱଶରୀରେ ଏପରି କାର୍ଯ୍ୟରୁ ନିବର୍ତ୍ତାଇ କହିଲେ-

 

‘‘ନକର ଚିନ୍ତା ମାଗୋ ଅଇଲେ ଦେବ ହରି,

ଦେଉଳ ଦୁଆରୁ ମାଗୋ ନେବେ କର ଧରି । ୯୨ ।

 

ଏବେ ଯାଅ ମାଗୋ ନାରାୟଣଙ୍କର ପାଶ,

ଏତେ ବୋଲି ଦେବୀ ଯେ ରହିଲେ ନିଜ ବାସ । ୯୩ ।

 

ରୁକ୍ମିଣୀଦେବୀ ମନ୍ଦିରରୁ ବାହାରିଲାବେଳେ ହଠାତ୍ ଆକାଶ ପଥରେ ଶ୍ରୀକୃଷ୍ଣ ରଥ ନେଇ ଆସିଲେ । ସେଠାରେ ଚାରିଚକ୍ଷୁର ମିଳନ ଘଟିଲା ଏବଂ ରୁକ୍ମିଣୀଙ୍କ ବାମ ହସ୍ତଧରି ଶ୍ରୀକୃଷ୍ଣ ନନ୍ଦିଘୋଷ ରଥ ଉପରକୁ ତାଙ୍କୁ ଉଠାଇ ନେଲେ । ସଖି ସୁମେଧାର ହସ୍ତଧରି ମଧ୍ୟ ଉଠାଇ ଆଣିଲେ ସ୍ୱରଥକୁ । ଆନନ୍ଦ ମନରେ ଆକାଶ ମାର୍ଗରେ ରଥ ଚଳାଇ ନେଲେ ।

 

ହଠାତ୍ ଏ ସମ୍ବାଦ ଚତୁର୍ଦ୍ଦିଗରେ ଖେଳିଗଲା । ରୁକ୍ମିଣୀର ହରଣ ଶୁଣି ଭ୍ରାତା ରୁକ୍ମଣ ରେ ରେକାର ଶବ୍ଦକରି ଧାଇଁଲା । ଏଣେ ଶିଶୁପାଳ ବାହାରେ ବେଦୀ ଉପରେ ବସିଥାଆନ୍ତି । ତାପରେ ଶ୍ରୀକୃଷ୍ଣ ଓ ରୁକ୍ମଣର ଯୁଦ୍ଧ ଲାଗିଲା ଏବଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଚକ୍ରରେ ଶିରଚ୍ଛେଦପାଇଁ ଉଦ୍ୟତ ହୋଇଛନ୍ତି; ସେତେବେଳେ ରୁକ୍ମିଣୀ ତାଙ୍କ ପାଦତଳେ ପଡ଼ି ଭ୍ରାତା ରୁକ୍ମଣଙ୍କ ଜୀବନ ଭିକ୍ଷା କରିଛନ୍ତି । ତେଣୁ ସେ ରୁକ୍ମଣକୁ ସାତଗଣ୍ଠି ପକାଇ ରଥ ସ୍ତମ୍ଭରେ ବାନ୍ଧିଦେଲେ ।

 

ଏଣେ ବଳରାମ ଓ ଜରାସନ୍ଧ ମଧ୍ୟରେ ଯୁଦ୍ଧ ଲାଗିଲା ଏବଂ ଶେଷରେ ବଳରାମ ଜରାସନ୍ଧର ବାଳଧରି ଶତଯୋଜନ ଦୂରକୁ ଉଠାଇ କଚାଡ଼ି ଦେଲେ । ବଳଦେବ ସେଠାରୁ ଫେରି ଶ୍ରୀକୃଷ୍ଣଙ୍କୁ ଭେଟି ଦେଖିଲେ ଯେ ନିଜର ରଥରେ ଶ୍ରୀକୃଷ୍ଣ ରୁକ୍ମଣଙ୍କୁ ବାନ୍ଧିଛନ୍ତି । ତେଣୁ, ବନ୍ଧୁଙ୍କୁ ଶାସ୍ତି ଦେବାକୁ ଶ୍ରୀକୃଷ୍ଣଙ୍କୁ କହିଲେ । ଲଜ୍ଜାପାଇ ରୁକ୍ମଣ ଆଉ କୁଣ୍ଡି ନଗରକୁ ନ ଫେରି ବନରେ ପ୍ରବେଶ କଲେ । ଶିଶୁପାଳ ବେଦୀ ଉପରୁ ଲଜ୍ଜାର ସହିତ ଉଠି ଆସିଲେ । ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ନେଇ ଦ୍ୱାରକାରେ ପ୍ରବେଶ କଲେ । ବିବାହବାସରେ ପିତା ରୀଷ୍ମକ ଆସି ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ହସ୍ତରେ ସମର୍ପଣ କଲେ । ଚତୁର୍ଥୀ ଦିନ ଦ୍ୱାରକାପୁର ସୁସଜ୍ଜିତ ହେଲା, ସୁବର୍ଣ୍ଣର ସାତକଳସ ପୂଜା କରାଗଲା ଓ ଖିରି, ପିଠା ଭୋଜନ ଆଦି ପରେ ସମସ୍ତେ ମଙ୍ଗଳରେ ରହିଲେ ।

 

ତୁଳନାତ୍ମକ ଅଧ୍ୟୟନ :

ହରିବଂଶ, ଭାଗବତ ଏବଂ ରୁକ୍ମିଣୀ ବିଭାର କଥାଭାଗ ସହିତ ଏହାର କଥାଭାଗର ଯେଉଁ କେତୋଟି ସାଦୃଶ୍ୟ ଓ ବୈସାଦୃଶ୍ୟ ପରିଦୃଷ୍ଟ ହୁଏ, ତାହା ଏଠାରେ ସମ୍ୟକ ଆଲୋଚନାକଲେ ଅସମୀଚୀନ ହେବନାହିଁ ।

 

ଆଲୋଚ୍ୟ ‘ଶ୍ରୀରୋଢ଼ା’ର ପ୍ରାରମ୍ଭ ଯେପରି ସଂକ୍ଷିପ୍ତ, ସେହିପରି ନାଟକୀୟ ହୋଇଛି । ରୁକ୍ମିଣୀଙ୍କ ପିତାମାତା ଏବଂ ଜନ୍ମ ଆଦି ବୃତ୍ତାନ୍ତ ଏଥିରେ ସ୍ଥାନ ପାଇନାହିଁ । ଦମ ଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହିତ ରୁକ୍ମିଣୀଙ୍କର ବିବାହ ଭ୍ରାତା ରୁକ୍ମଣ ଯେତେବେଳେ ପିତା ଭୀଷ୍ମଙ୍କ ଓ ମାତାଙ୍କ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଦମ ଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହିତ ରୁକ୍ମିଣୀଙ୍କର ବିବାହ କରିବା ପାଇଁ ଉତ୍ସବ ଆୟୋଜନ କଲେ ସେତେବେଳେ ବିକଳ ମନରେ ରୁକ୍ମିଣୀ ମାତାଙ୍କ ନିକଟରେ ଏହାର ପ୍ରତିବାଦ ଜଣାଇଛନ୍ତି-

 

‘‘ଶୁଣସି ଆଗୋ ମାତ ଏ ମୋର ବଚନ,

ପିତା ବରିଲେ ମୋତେ ଦମ ଘୋଷ ରାଣ’’ । ୧୭ ।

 

କେଣିକି ମୁହଁ ଯେ ଯିବଇଁ ପଳାଇ,

ନୋହିଲେ ମରିବି ମାଗୋ ଅଗ୍ନିରେ ଝାସ ଦେଇ । ୧୮ ।

 

ଠିକ୍ ଏହିପରି, ଏକ ଗୁରୁତର ପରିବେଶ ମଧ୍ୟରେ ଶ୍ରୀ ରୋଢ଼ାର କଥାବସ୍ତୁ ଆରମ୍ଭ ହୋଇଛି । ମାତ୍ର ଭାଗବତରେ ପ୍ରଥମେ ରୁକ୍ମିଣୀ ଓ ତାଙ୍କର ପାଞ୍ଚ ଭ୍ରାତାଙ୍କ ଜନ୍ମ ଆଦି କଥା ବର୍ଣ୍ଣନା କରାଯାଇଛି ।

 

‘‘ଭୀଷ୍ମକ ନାମେ ମହୀନାଥ

ବିଦର୍ଭ ନଗରେ ସମ୍ଭୁତ ।

 

ତାହାର ପତ୍ନୀ ଗର୍ଭୁଜାତ,

ଏକ ଦୂହିତା ପାଞ୍ଚସୁତ

ରୁକ୍ମ ଅଗ୍ରଜ ରୁକ୍ମରଥ

ଏ ବେନି ବଳ ଅପ୍ରମିତ ।

 

ପୁଣି ହୋଇଲା ରୁକ୍ମ ବାହୁ

ତା’ର ପ୍ରତାପ କେବା କହୁ ।

 

ଚତୁର୍ଥ ପୁତ୍ର ରୁକ୍ମ କେଶ,

ପଞ୍ଚମ ରୁକ୍ମ ମାନ୍ଦ୍ୟ ଶେଷ ।

 

ଏହାଙ୍କ ଶେଷେ କନ୍ୟାଜାତ

ସୁ ସାଧ୍ୱୀ କମଳା ସମ୍ଭୁତ ।

 

ଋକ୍ମିଣୀ ନାମେ ବିଦ୍ୟମାନ,

ତା’ର ମହିମା ଏବେ ଶୁଣ ।” (୪)

 

‘‘ସପ୍ତଖଣ୍ଡ ହରିବଂଶ’ରେ ପ୍ରଥମେ କୁଣ୍ଡୀ ନଗର ଓ କୁଣ୍ଡୀ ନଗରର ଜନଜୀବନର ବର୍ଣ୍ଣନା ରହିଛି, ଏବଂ ପରେ ରୁକ୍ମିଣୀ ଓ ପାଞ୍ଚଭ୍ରାତାଙ୍କ ପରିଚୟ ଦେଇ ରୁକ୍ମିଣୀଙ୍କର ଯୌବନପ୍ରାପ୍ତି ଓ ସଖୀମାନଙ୍କ ସହିତ ପରିହାସ ଏବଂ ତା’ପରେ ବିବାହ ପ୍ରସ୍ତାବ ଇତ୍ୟାଦି ବର୍ଣ୍ଣନା କରାଯାଇଛି (୫) ।

 

(୪)

ଶ୍ରୀ ମଦ୍ ଭାଗବତ-ଦଶମ ସ୍କନ୍ଧ-ଦ୍ୱାରକା ଲୀଳା-୰ ରାଜକିଶୋର ଦାସଙ୍କଦ୍ୱାରା ସଂକଳିତ-୫୬ଶ ଅଧ୍ୟାୟ-୨ୟ ସଂସ୍କରଣ-୧୯୫୧-ପୃ: ୨୯୨ ।

 

(୫)

ସପ୍ତମ ଖଣ୍ଡ ହରିବଂଶ-୬ଷ୍ଠ ଖଣ୍ଡ-୧ମ ମୁଦ୍ରଣ-୧୯୨୯-ଋକ୍ମିଣୀର ବିବାହ ନିମନ୍ତେ ଅନ୍ୱେଷଣ-ପୃ: ୨-୩ ।

(୬)

ଖଣ୍ଡିକିଆ ହରିବଂଶ-ଶ୍ରୀ ଜଗନ୍ନାଥ ସିଂହଙ୍କଦ୍ୱାରା ପ୍ରକାଶିତ-୧୯୫୭-ନୂତନ ସଂସ୍କରଣ-ପୃ: ୨୭୪ ।

(୭)

ଋକ୍ମିଣୀ ବିଭା-କାର୍ତ୍ତିକ ଦାସ-୨ୟ ପ୍ରକାଶ-୧୯୬୧-୩ୟ ଛାନ୍ଦ-ପୃ: ୮-୧୩ ।

 

ନାରାୟଣ ଦାସଙ୍କ ରଚିତ ‘ଖଣ୍ଡିକିଆ ହରିବଂଶ’ରେ ଗୋଟିଏ ଅଧ୍ୟାୟରେ ରୁକ୍ମିଣୀ ବିବାହ ବିଷୟ ବର୍ଣ୍ଣିତ ହୋଇଥିଲେ ମଧ୍ୟ ସେଥିରେ ରୁକ୍ମିଣୀ ଏବଂ ତାଙ୍କ ଭ୍ରାତାଙ୍କ ଜନ୍ମ ଓ ପରିଚୟ ଆଦି ବିଷୟ ବର୍ଣ୍ଣିତ ହୋଇଛି (୬) ।। ତଥାପି ବହୁ ସଂକ୍ଷିପ୍ତ ପରିସର ମଧ୍ୟରେ ଏଥିରେ ବର୍ଣ୍ଣନା କରାଯାଇଛି ।

 

‘ରୁକ୍ମିଣୀ ବିଭା’ରେ ରୁକ୍ମିଣୀଙ୍କର ଏବଂ ତାଙ୍କ ଭ୍ରାତାଙ୍କର ଖୁବ ସଂକ୍ଷିପ୍ତ ପରିଚୟ ପ୍ରଦାନ କରାଯାଇଛି । ଶ୍ରୀକୃଷ୍ଣଙ୍କଚାର ମୁଖରୁ ରୁକ୍ମିଣୀଙ୍କର ରୂପ ଓ ବିଳାସ ଆଦି ବିଷୟରେ ଶୁଣିଛନ୍ତି । ପ୍ରାଚୀନ କବିଙ୍କର କାବ୍ୟ ସୁଲଭ ଶୈଶବ । କୈଶୋର ଓ ଯୌବନ ବର୍ଣ୍ଣନା କରାଯାଇଛି (୭) ।

 

‘ଶ୍ରୀ ରୋଢ଼ା’ରେ ପ୍ରଥମେ ‘କଳିଙ୍ଗ’ (୮) ଦେଶ କୁହାଯାଇ ପାରେ ‘କୁଣ୍ଡନଗ୍ର’ (୯) ବା କୁଣ୍ଡୀନଗର ବୋଲି ଭୀଷ୍ମକଙ୍କ ରାଜ୍ୟକୁ କୁହାଯାଇଛି । ‘ଭାଗବତ’ରେ ଏକାଧିକବାର ରୁକ୍ମିଣୀକଙ୍କ ଜନ୍ମପୀଠକୁ ବିଦର୍ଭ ବୋଲି କୁହାଯାଇଛି । (୧୦) । ତଥାପି, ‘ରୁକ୍ମିଣୀ ବିବାହ’ ଆଖ୍ୟାନ ମଧ୍ୟରେ (୩ଟି ଅଧ୍ୟାୟ ଯଥା-୫୬ଶ, ୫୭ଶ ଓ ୫୮ଶ ଅଧ୍ୟାୟ) ‘କୁଣ୍ଡିନଗର’ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି (୧୧) ।

 

(୮)

‘‘କଳିଙ୍ଗ ଦେଶର ଯେ ଅଟଇ ରାଜହଂସ (ରାଜହଂଶ)

 

ରୁକ୍ମିଣୀ (ରୁକ୍ୱଣି)ର ବିଭାଯେ ଶୁଣସି ହରିବଂଶ’’ । ୧୯ ।

(୯)

‘‘କୁଣ୍ଡନଗ୍ର ପୁରେ ଯାଇ ହୋଇଲେ ପରବେଶ,

 

ବାରତା ପାଇଲା ଯେ ଭିଷ୍ମେଙ୍କ ରାଜହଂସ ।’’ । ୭୨ ।

(୧୦)

‘‘ଭୀଷ୍ମକ ନାମେ ମହୀନାଥ,            ବିଦର୍ଭ ନଗରେ ସମ୍ଭୁତ ।’’

(୫୬ ଅଧ୍ୟାୟ-ପୃ: ୨୯୨)

x      x      x

‘‘ବିଦର୍ଭ ନନ୍ଦିନୀର ବାଣୀ,            ଗୋବିନ୍ଦ ବିପ୍ର ମୁଖୁଁ ଶୁଣି ।’’

(୫୭ ଅଧ୍ୟାୟ-ପୃ: ୨୯୬)

x      x      x

‘‘କୃଷ୍ଣ ଆଗମନ କଥା ଶୁଣି,            ବିଦର୍ଭ ପୁରେ ଯେତେ ପ୍ରାଣୀ ।’’

(୫୭ ଅଧ୍ୟାୟ-ପୃ: ୨୯୯)

 

(୧୧)

‘‘ସଂକଳ୍ପ ଭଂଗେ ପଳାଇଲା, କୁଣ୍ଡି ନଗରରେ ନ ପଶିଲା ।

x      x      x

କୁଣ୍ଡି ନଗରରେ ନ ପଶିବି,            ଜୀବନ୍ତେ ଯେତେକାଳ ଥିବି ।’’

(୫୮ଶ ଅଧ୍ୟାୟ)

 

‘ସପ୍ତଖଣ୍ଡ ହରିବଂଶ’ରେ ‘କୁଣ୍ଡୀ’, ‘କଟକ’ ବୋଲି କୁହାଯାଇଛି (୧୨) ଖଣ୍ଡକିଆ ହରିବଂଶରେ ମଧ୍ୟ ସେହି ‘କୁଣ୍ଡି କଟକ’ର କଥା ଲେଖା ଅଛି (୧୩) । ‘ରୁକ୍ମିଣୀ ବିଭା’ରେ କିନ୍ତୁ ‘ବିଦର୍ଭ’ ଦେଶ କଥା ଲେଖା ଅଛି (୧୪) ।

 

(୧୨)

‘‘କୁଣ୍ଡୀ କଟକରେ      ମଧୁବନ ନାମେଦେଶ

କୁଣ୍ଡଳୀ ପର୍ବତ ତଳେ ବେଣୀନଦୀ ପାଶ ।’’

(ରୁକ୍ମିଣୀଙ୍କ ବିବାହ ନିମନ୍ତେ ବର ଅନ୍ୱେଷଣ-୬ଷ୍ଠ ଖଣ୍ଡ-ପୃ: ୨)

 

(୧୩)

‘‘କୁଣ୍ଡୀ କଟକର ରାଜା ଭୀଷ୍ମଙ୍କ ନୃପତି,

ଅପୂର୍ବ ଦୁହିତା ତାର ଋକ୍ମିଣୀ ଅଟନ୍ତି ।’’

(ଋକ୍ମିଣୀ ହରଣ-ପୃ: ୨୭୪)

 

(୧୪)

‘‘ଏଥୁ ଅନନ୍ତରେ ଶୁଣ ଅପୂର୍ବ ରସ,

ପ୍ରତିଦିନ ଚାରଥାଇ ବିଦର୍ଭ ଦେଶ ।’’

(୩ୟ ଛାନ୍ଦ-ପୃ: ୮)

 

ସପ୍ତଖଣ୍ଡ ହରିବଂଶରେ ଏହାର ପରିସର ବିସ୍ତୃତ ହୋଇଥିବାରୁ ରାଜକୁମାରୀ ଯୁବତୀ ରୁକ୍ମିଣୀଙ୍କ ସହିତ ସୁମେଧା ଆଦି ସହଚରୀଙ୍କର ହାସ ପରିହାସ, ଉପବନରେ ଭ୍ରମଣ ଏବଂ ଦାସୀ ସୁମେଧାର ଦୁର୍ଯ୍ୟୋଧନ, ଶ୍ରୀକୃଷ୍ଣ ଆଦିଙ୍କ ଗୁଣ କୀର୍ତ୍ତନ ଆଦି ସ୍ଥାନ ପାଇଛି । ରୁକ୍ମିଣୀଙ୍କ କଥା ଶୁଣିବା ପାଇଁ ମନ ବଳାଇଛନ୍ତି-

 

‘‘ଶୁଣିଣ ରୁକ୍ମିଣୀ ଦେବୀ ସନ୍ତୁଷ୍ଟ ହୋଇଲେ

ଭୋ ସଖୀ କରିଣ କୁହସି ବୋଇଲେ ।

କେବଳ କୂଳରେ ଜନ୍ମତାର କିସ

ରୂପଗୁଣ ଚାହିଁ ମୋତେ କହତୁ ଭବିଷ୍ୟ ।’’

(ପୃ: ୬)

 

କୃଷ୍ଣ ଚରିତ ଶୁଣି ତାଙ୍କ ପ୍ରତି ରୁକ୍ମିଣୀ ଆକର୍ଷିତ ହୋଇଛନ୍ତି ଏବଂ ପରେ ବିବାହ ପ୍ରସ୍ତୁତି ସମୟରେ ସେ ନିଜର ମନକଥା ମା’ଙ୍କ ସମ୍ମୁଖରେ କହିଛନ୍ତି ।

 

‘ଭାଗବତ’ରେ କିନ୍ତୁ ଏ ସବୁର ବିସ୍ତୃତ ବର୍ଣ୍ଣନା ନାହିଁ । ଦ୍ୱାରକାପୁରର ଲୋକଙ୍କ ମୁଖରୁ କୃଷ୍ଣ ଚରିତ ଶୁଣି ସେ ମନେ ମନେ ଶ୍ରୀକୃଷ୍ଣଙ୍କୁ ବରଣ କରିଛନ୍ତି (୧୫) । ‘ଖଣ୍ଡିକିଆ ହରିବଂଶ’ରେ ରୁକ୍ମିଣୀ ପୂର୍ବରୁ କୃଷ୍ଣଚରିତ ଜାଣିଥିବା କଥା ଉଲ୍ଲେଖ ଅଛି । ତେଣୁ ବିହାରର ଚାରିଦିନ ପୂର୍ବରୁ ଶିଶୁପାଳଙ୍କ ସହିତ ତାଙ୍କର ବିବାହ ହେଉଛି, ଜାଣି ‘ହା କୃଷ୍ଣ, ହା କୃଷ୍ଣ’ ! କରି ବାହୁନି ଉଠିଛନ୍ତି । ‘ଶ୍ରୀ ରୋଢ଼ା’ରେ ମଧ୍ୟ ଠିକ୍ ସେହିପରି ରୁକ୍ମିଣୀ ପୂର୍ବରୁ ଶ୍ରୀକୃଷ୍ଣ କଥା ଶୁଣିଛନ୍ତି, ଯାହାକି ଏଥିରେ ବର୍ଣ୍ଣିତ ହୋଇନାହିଁ । ତେଣୁ ମା’ଙ୍କ ନିକଟରେ କାନ୍ଦି କାନ୍ଦି ‘‘ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କୁ ଗୋ ବରି ଆସ ଯାଇ’’ ବୋଲି କହିଛନ୍ତି ।

 

(୧୫)

‘‘ଦ୍ୱାରକାପୁର ଲୋକ ଆସି,

କହନ୍ତି ତାର ଆଗେ ବସି ।

।।

 

ନିରତେ କୃଷ୍ଣ କଥାଶୁଣି,

ସେ କନ୍ୟା ମନେ ମନେ ଗୁଣି ।

।।

 

ଆତ୍ମା ସଦୃଶେ ଶୁଣିବର,

ମନେ ବରିଲା ଚକ୍ରଧର ।’’

।।

(୫୬ଶ ଅଧ୍ୟାୟ-ପୃ: ୧୯୨)

 

‘ରୁକ୍ମିଣୀ ବିଭା’ରେ କିନ୍ତୁ ଶ୍ରୀକୃଷ୍ଣଙ୍କ ପୂର୍ବରୁ ରୁକ୍ମିଣୀଙ୍କ ଖବର ରଖୁଛନ୍ତି ଚାରଙ୍କ ନିକଟରୁ (୧୬) । କେବଳ ସେତିକି ନୁହେଁ, ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ କଥା ପିଲାଦିନେ ପିତାଙ୍କ ସହିତ ରାଜସଭାରେ ଏକ ଚାର ମୁଖରୁ ଶୁଣି ମୋହିତ ହୋଇ ଉଠିଥିଲେ (୧୭) ।

 

(୧୬)

‘‘ଚାର ମୁଖୁଁ ଶୁଣିଲେ ଅନେକ ରୂପଗୁଣ,

 

ଶରଧା କଲେକ ଶୁଣି ପ୍ରଭୁ ନାରାୟଣ ।’’

 

(୧୭)

‘‘ବାଳକାଳେ ଥିଲି ପିତା ସଭାର

ଦିନ ପ୍ରବେଶ ହୋଇ ଏକଚାର,

 

 

କୃଷ୍ଣର ଗୁଣ ମହିମା କହିଲା

 

ସେଦିନୁ ମୋର ମନେ ରହିଲା ।’’

 

(୫ମ ଛାନ୍ଦ-ପୃ:୨୦)

 

ରୁକ୍ମିଣୀଙ୍କ ଇଚ୍ଛା ଜାଣି ରାଣୀ ସତ୍ୟବତୀ ରାଜା ଭୀଷ୍ମଙ୍କୁ କହିଲେ, ଏବଂ ଭୀଷ୍ମଙ୍କ ଜ୍ୟେଷ୍ଠ ପୁତ୍ର ରୁକ୍ମଣଙ୍କୁ ଡକାଇ ଶିଶୁପାଳ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କୁ ବର କରିବାକୁ କହିଲେ । ଏ ସମସ୍ତ କଥା ସପ୍ତଖଣ୍ଡ ହରିବଂଶରେ ଲେଖାଅଛି । ଏକଥା ଶୁଣି ରୁକ୍ମଣ କ୍ରୋଧପୂର୍ଣ୍ଣ କଣ୍ଠରେ କହିଲା-ଶ୍ରୀକୃଷ୍ଣ ମହାପାପୀ । ପାପ-ପୁଣ୍ୟ ଜ୍ଞାନ ତା’ର ନାହିଁ । ଷଣ୍ଢା, ଅଘା, ଜାମଳା ଆଦିଙ୍କୁ ମାରି ମହାପାପ ଅର୍ଜ୍ଜନ କରିଛି । ମାଉସୀ ପିଉସୀ ଖୁଡ଼ି ମାଇଁ ଆଦିଙ୍କୁ କୁଞ୍ଜବନରେ ହରଣ କରିଛି । ବିଶ୍ୱାସଘାତକତା କରି ଚାଣୁର ମୁଷ୍ଟିକ କୁବଳୟା ଆଦିଙ୍କୁ ମାରି, ଗୋପୀଙ୍କ ଘରୁ ଲବଣୀ, ଛେନା ଚୋରି କରି ଖାଇଲା ଇତ୍ୟାଦି-ତେଣୁ ଭୀଷ୍ମକଙ୍କ ଅନିଚ୍ଛାସତ୍ତ୍ୱେ ବିବାହ ଉତ୍ସବ ପ୍ରସ୍ତୁତି ଚାଲିଲା ମାତ୍ର ଏ ସମସ୍ତ କଥା ‘ଭାଗବତ’ ଖଣ୍ଡିକିଆ ହରିବଂଶ’ ଓ ‘ଶ୍ରୀରୋଢ଼ା’ରେ ନାହିଁ । ‘ରୁକ୍ମିଣୀ ବିଭା’ରେ ନାହିଁ-। ତେଣୁ ସପ୍ତଖଣ୍ଡ ହରିବଂଶରେ ଭୀଷ୍ମକ ଚରିତ୍ର ଏବଂ ଭାଗବତ, ଖଣ୍ଡକିଆ ହରିବଂଶ ଓ ଶ୍ରୀ ରୋଢ଼ାରେ ଭୀଷ୍ମକର ଚରିତ୍ର ଏକ ହୋଇ ପାରିନାହିଁ । ସପ୍ତଖଣ୍ଡ ହରିବଂଶରେ ଭୀଷ୍ମକଙ୍କ ହୃଦୟରେ ପିତୃତ୍ୱ ଯେପରି ଫୁଟି ଉଠିଛି, ଅନ୍ୟତ୍ର ତାହା ଦୁର୍ଲଭ । କିନ୍ତୁ ପ୍ରତ୍ୟେକ ରଚନାରେ ସେ ଶ୍ରୀକୃଷ୍ଣଙ୍କୁ ଆରାଧନା କରି ରୁକ୍ମିଣୀଙ୍କୁ ସମର୍ପଣ କରିଛନ୍ତି ।

 

‘ଭାଗବତ’ରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ପ୍ରତି ଚିଠାଉରେ ଶ୍ରୀକୃଷ୍ଣ କିପରି ତାଙ୍କୁ ହରଣ କରିବେ ସେ ବିଷୟରେ ନିଜେ ଯୋଜନା ପ୍ରସ୍ତୁତ କରିଛନ୍ତି-

 

‘‘ତହିଁକି କରିବି ଉପାୟ,

ଶୁଣିବା ପ୍ରଭୁ ଦେବରାୟ ।

ଆମ୍ଭର ଅଛି କୁଳାଚାର,

କନ୍ୟାକୁ କରନ୍ତି ବାହାର

 

ଭବାନୀ ପୂଜିବା ନିମନ୍ତେ,

ଅମ୍ବିକା ଗୃହ ଗ୍ରାମ ଅନ୍ତେ ।

ଯାତ୍ରା ଉତ୍ସବେ ମୁହିଁଯିବି,

ଭବାନୀ ଚରଣେ ପୂଜିବି ।

 

ପଥେ ଆସିବା ବେଳେ ମୋତେ,

ରାଜାଏ ଦେଖିବେ ସମସ୍ତେ ।

ଥିବି ମୁଁ ସ୍ତିରୀଙ୍କର ମେଳେ,

ସେଠାରୁ ନିଅ ମୋତେ ବଳେ ।’’

 

ମାତ୍ର ‘ସପ୍ତଖଣ୍ଡ ହରିବଂଶ’, ‘ଖଣ୍ଡିକିଆ ହରିବଂଶ’ ଏବଂ ‘ଶ୍ରୀ ରୋଢ଼ା’ରେ ରୁକ୍ମିଣୀଙ୍କର ଏପରି ପ୍ରସ୍ତାବର ଉଲ୍ଲେଖ ନାହିଁ । ପ୍ରତ୍ୟେକରେ ନିଜକୁ ଶିଶୁପାଳଙ୍କ ହସ୍ତରୁ ଉଦ୍ଧାର କରିବା ପାଇଁ କୁହାଯାଇଛି । କିନ୍ତୁ ଉପାୟ ବତାଇ ଦିଆଯାଇ ନାହିଁ । କେବଳ ସେତିକି ନୁହେଁ, ଦେବୀ ମନ୍ଦିରରୁ ନିଷ୍କ୍ରାନ୍ତ ହେଲାବେଳେ ଯେତେବେଳେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ରଥ ଆଣି ଉପସ୍ଥିତ ହୋଇଛନ୍ତି, ସେତେବେଳେ ‘ସପ୍ତଖଣ୍ଡ ହରିବଂଶ’ରେ ରୁକ୍ମିଣୀ ଲଜ୍ଜା ପାଇ ମୁଣ୍ଡ ପୋତିଛନ୍ତି ଓ ନମସ୍କାର ହୋଇଛନ୍ତି । ତା ପରେ ଶ୍ରୀକୃଷ୍ଣ ହାତ ବଢ଼ାଇବା ପରେ ତାହା ଦେଖି ରୁକ୍ମିଣୀ ନିଜ ହାତ ବଢ଼ାଇ ଦେଇଛନ୍ତି ଶ୍ରୀକୃଷ୍ଣଙ୍କ ହସ୍ତକୁ (୧୮) । ‘ଖଣ୍ଡିକିଆ ହରିବଂଶ’ରେ ମଧ୍ୟ ଏହା ତଦନୁରୂପେ ବର୍ଣ୍ଣିତ ହୋଇଅଛି (୧୯) । ଆଲୋଚ୍ୟ ‘ଶ୍ରୀରୋଢ଼ା’ରେ ମଧ୍ୟ ତଦ୍ରୁପ କବି ବର୍ଣ୍ଣନା କରିଛନ୍ତି-

 

‘‘ବେଗେ ଧରିଲେ ହରି ରୁକ୍ମିଣୀ (ରୁକ୍ଵଣୀ) ବାମକର,

ନେଇଣ ବସାଇଲେ ଯେ ରଥର ଉପର । ୯୬ ।

 

ମାତ୍ର ‘ଭାଗବତ’ରେ ସାମାନ୍ୟ ଭିନ୍ନ ଧରଣର ରହିଅଛି-

‘‘ଗଗନେ ଦେଖି କୃଷ୍ଣରଥ,

ବେଗେ ତୋଳିଲା ବେନି ହସ୍ତ ।

ରଥେ ଉଠିଲା ପ୍ରାୟ ମଣି,

କର ଧଇଲେ ଚକ୍ରପାଣି ।’’

(୫୭ ଅଧ୍ୟାୟ-ପୃ: ୩୦୧)

 

(୧୮)

‘‘ଜଗନ୍ନାଥ ଭାଳନ୍ତି କରିବା ନିଜକାର୍ଯ୍ୟ

ରଥେ ଥାଇ ଶ୍ରୀହସ୍ତ ବଢ଼ାନ୍ତି ଦେବରାଜ ।

ଦେଖିଣ ଦେବୀ ରୁକ୍ମିଣୀ ହସ୍ତ ଦେଲେ ତୋଳି,

ତତକ୍ଷଣେ ଶ୍ରୀହସ୍ତ ଧଇଲେ ବନମାଳୀ ।’’

(୬ଷ୍ଠ ଖଣ୍ଡ-ପୃ: ୩୫)

 

(୧୯)

‘‘ନନ୍ଦୀଘୋଷେ ଥାଇ କର ଦେଲେ ସେ ବଢ଼ାଇ,

ଶୂନ୍ୟେଥାଇ ହରି ନେଲେ ପ୍ରଭୁ ଭାବଗ୍ରାହୀ ।’’

(ପୃ: ୨୭୭)

 

ଭାଗବତରେ ପ୍ରଥମେ ନିଜେ ରୁକ୍ମିଣୀ ରଥ ଆସୁଥିବାର ଦେଖି ଦୁଇହାତ ତୋଳିଲେ । ତା’ପରେ ଶ୍ରୀକୃଷ୍ଣ ତାଙ୍କ ହସ୍ତଧରି ରଥ ଉପରକୁ ଉଠାଇ ଆଣିଲେ । ‘ଶ୍ରୀରୋଢ଼ା; ‘‘ସପ୍ତଖଣ୍ଡ ହରିବଂଶ’’, ‘ଖଣ୍ଡିକିଆ ହରିବଂଶ’ର ରୁକ୍ମିଣୀ ଚରିତ୍ରରେ ସ୍ୱାଭାବିକତା ଯେପରି ରଖାଯାଇଛି, ଭାଗବତରେ ସେପରି ନାହିଁ । ‘ରୁକ୍ମିଣୀ ବିଭା’ରେ ମଧ୍ୟ ସେହିପରି ସ୍ୱଭାବ ସୁଲଭ ବର୍ଣ୍ଣନା ରହିଛି-

 

‘‘ଅତିବେଗେ ରଥୁଁ ଓହ୍ଲାଇଲେ ଯଦୁସାଇଁ,

ରୁକ୍ମିଣୀର କରକରେ ଧଇଲେକ ଯାଇଁ । ୭୨ ।

ରଥ ଗଜ ଅଶ୍ୱ ତହିଁ ଅଛନ୍ତି ଅପାର,

ନେଇ ବସାଇଲେ ନନ୍ଦିଘୋଷର ଉପର । ୭୩ ।

 

ନାରୀର ଲଜ୍ଜାଶୀଳ ପ୍ରକୃତି ପୂର୍ବୋକ୍ତ ରଚନାମାନଙ୍କରେ ଯେପରି ସ୍ଥାନ ପାଇ ପାରିଛି, ଭାଗବତରେ ତାହା କ୍ଷୁଣ୍ଣ ହୋଇଥିବାର ପରିଦୃଷ୍ଟ ହୁଏ ।

 

‘ଶ୍ରୀ ରୋଢ଼ା’ (୨୦), ‘ଖଣ୍ଡିକିଆ ହରିବଂଶ’ (୨୧) ଏବଂ ଭାଗବତ (୨୨)ରେ ବର୍ଣ୍ଣିତ ହୋଇଛି-ଶ୍ରୀକୃଷ୍ଣ ନିଜର ନନ୍ଦିଘୋଷ ରଥକୁ ଆକାଶ ମାର୍ଗରେ ଆଣି ରୁକ୍ମିଣୀଙ୍କୁ ନେଇ ଚାଲିଗଲେ । ‘ରୁକ୍ମିଣୀ ବିଭା’ରେ ମଧ୍ୟ ତଦ୍ରୂପ ବର୍ଣ୍ଣିତ ହୋଇଛି । ମାତ୍ର ସପ୍ତଖଣ୍ଡ ହରିବଂଶରେ ସାମାନ୍ୟ ଭିନ୍ନ । ଏଥିରେ ଶ୍ରୀକୃଷ୍ଣ ନିଜେ ସ୍ଥଳ ମାର୍ଗରେ ରଥ ନେଇ ଆସି ରୁକ୍ମିଣୀଙ୍କୁ ନେଇ ଯିବାର ଉଲ୍ଲେଖ ଅଛି (୨୩) । ମାତ୍ର ଠିକ୍ ହରଣ ସମୟରେ ‘ଶୂନ୍ୟେମାର୍ଗେ’ ଚଳିଲେ ବୋଲି ମଧ୍ୟ ଲେଖା ଯାଇଛି (୨୪) । ‘ସପ୍ତଖଣ୍ଡ ହରିବଂଶ’ର ପରିସର ବିସ୍ତୀର୍ଣ୍ଣ । ତେଣୁ ଏଥିରେ ବ୍ରାହ୍ମଣର ପୂର୍ବଜନ୍ମର ଅଭିଶାପ କଥା ବର୍ଣ୍ଣିତ ହୋଇଛି । ମାତ୍ର ଅନ୍ୟତ୍ର ଏହାର ସୂଚନା ମିଳେ ନାହିଁ । ରୁକ୍ମିଣୀଙ୍କର ଏହି ଦ୍ରୁତ କାର୍ଯ୍ୟ କରିବା ପରେ ତା’ର ଅଭିଶାପ ମୋଚନ ହୋଇଯାଇଛି ।

 

(୨୦)

ଶ୍ରୀ ରୋଢ଼ା

‘‘ସପତସିନ୍ଧୁ ତୋଳି ଧରଇ କରସ୍ଥଳ,

 

 

 

‘‘ଦେଉଳୁ ବାହାର ଯେ ହୋଇଲେ ରୁକ୍ମିଣୀ (ଋକ୍ୱଣୀ)

 

 

 

ଆକାଶରେ ରଥ ଯେ ଟେକିଲେ ଚକ୍ରପାଣି’’ । ୯୪ ।

(୨୧)

ଖଣ୍ଡିକିଆ ହରିବଂଶ

‘‘ଗଗନରୁ ଖସିଲେ ସେ କମଳାର ସ୍ୱାଇଁ,

ନନ୍ଦିଘୋଷେ ଥାଇକର ଦେଲା ବଢ଼ାଇ ।’’

(ପୃ: ୨୭୭)

(୨୨)

ଭାଗବତ

‘‘ଶୂନ୍ୟକୁ ଚାହାନ୍ତେ ସଧିରେ, ରଥେ ଦେଖିଲା ଚକ୍ରଧରେ ।’’

(୫୭ ଅଧ୍ୟାୟ-ପୃ: ୩୦୧)

(୨୩)

ସପ୍ତଖଣ୍ଡ ହରିବଂଶ

‘‘ଉଦ୍ଧବ ବୋଇଲେ ଆଜ୍ଞା ହୋଇବ ଯଦ୍ୟପି,

ତୋର ଅନୁଗ୍ରହେ ଆକାଶକୁ ଯିବି କ୍ଷେପି,

ଶ୍ରୀ ଜଗନ୍ନାଥ ବୋଇଲେ ହେବ ଚୋରୀ କର୍ମ,

ବଳେ ନେବାର ଅଟଇ କ୍ଷତ୍ରିୟର ଧର୍ମ,

 

ଏହି ସୈନ୍ୟର ଭିତରେ ରଥ ବେଗେ ବାହା,

ଯେ ଆସିବ ସଂଗ୍ରାମକୁ ମାରିବି ମୁଁ ତାହା,

ଏତେ ବିଚାରି ରଥକୁ କଲେ ଭୂମିଗତ,

ଦେଖିଣ ଶଙ୍କା ପାଇଲେ ସବୁ ନରନାଥ ।’’

(୬ଷ୍ଠ ଖଣ୍ଡ-ପୃ: ୩୫)

 

(୨୪)

‘‘ରଥ ଘେନି ତ୍ୱରିତ ଚଳିଲେ ଶୂନ୍ୟ ମାର୍ଗେ

ଚମତ୍କାର ହୋଇ ଚାହିଁ ରହିଛନ୍ତି ସର୍ବେ ।’’

(୬ଷ୍ଠ ଖଣ୍ଡ-ପୃ: ୩୫)

 

ସାହିତ୍ୟିକ ମୂଲ୍ୟ :

‘ଶ୍ରୀରୋଢ଼ା’ ବୃତ୍ତାନ୍ତ ପ୍ରଧାନ, ତେଣୁ ବହୁସମୟରେ ରୂପ ବର୍ଣ୍ଣନା, ବିବାହ ଉତ୍ସବର ବର୍ଣ୍ଣନା ଓ ନଗର ବର୍ଣ୍ଣନାର ଅବକାଶ ରହିଥିଲେ ମଧ୍ୟ କବି ତା’ର ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଅଛନ୍ତି । ମାତ୍ର ‘ସପ୍ତଖଣ୍ଡ ହରିବଂଶ’, ‘ରୁକ୍ମିଣୀବିଭା’, ‘ଭାଗବତ’ରେ ରୂପବର୍ଣ୍ଣନା, ନଗର ବର୍ଣ୍ଣନା, ବିବାହୋତ୍ସବ ବର୍ଣ୍ଣନା ଆଦି ଯଥା ରୂପେ ସ୍ଥାନ ପାଇଛି । ‘ଶ୍ରୀରୋଢ଼ା’ର ଶେଷାଂଶରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ବିବାହବେଳେ ନଗରର ବିଭିନ୍ନ ପ୍ରାସାଦର କାନ୍ଥରେ କର୍ପୂର ଗୁଣ୍ଡରେ ବିଭିନ୍ନ ଚିତ୍ର ଅଙ୍କନ କରାଯିବାର କବି ବର୍ଣ୍ଣନା କରିଛନ୍ତି, ତା’ପରେ ସୁବର୍ଣ୍ଣକଳସର ବିଭିନ୍ନ ଅଧିଦେବତା କଥା ବର୍ଣ୍ଣନା ମଧ୍ୟ ଅନ୍ୟତ୍ର ଦୁର୍ଲଭ । କଳ୍ପନାର ମଧୁର ସ୍ପର୍ଶର ଏଥିରେ ପୂର୍ଣ୍ଣତଃ ଅଭାବ ପରିଲକ୍ଷିତ ହୁଏ । ଏଥିରେ ବହୁ ପ୍ରାଚୀନ ଶବ୍ଦ ପରିଦୃଷ୍ଟ ହୁଏ । ଯଥା-କରସି, ମାୟେ, ଶୁଣସି, ନୁହସି, ବଳିଲାକ, ହିଆଲି, କହସି, କଲୁସି, କଲେକ, ପଡ଼ିଲାକ, ଦେଲାକ ପ୍ରଭୃତି ଲେଖନୀ କାରଙ୍କ ଅଜ୍ଞାନତା ହେତୁ ଏଥିରେ ବହୁ ବନାନଗତ ପ୍ରମାଦ ରହିଛି । ଯଥା ରୁକ୍ମିଣୀ, ଗଉରି, ସରସ୍ୱତି, ଚିତେ, ଦୁତ, ବାହୁଡ଼ୀ, ବ୍ରାହ୍ମଣି, ଦାସି, ଦିପ, କଳସି, ଗିତ, ନନ୍ଦିନି, ସ୍ଥିତୀ, ତ୍ରିଶୁଳ, ଉକତୀ, ଆସିଶ୍ୟ, ବୃତାନ୍ତ, ପୀତା ପ୍ରଭୃତି । କେତେକ ଶବ୍ଦ ଦେଶଜ ବା ବିକୃତ ରୂପରେ ସ୍ଥାନ ପାଇଛି । ଯଥା-ଦ୍ରଶନ୍ନ (ଦର୍ଶନ), ଥୋଥଳ (ଥନ୍ତଲ) ତ୍ରିଦଶ (ତ୍ରିଦିଗ), ଷଷ୍ଠମ (ଷଷ୍ଠ,) ଯାରାଷଣ୍ଢ (ଜରାସନ୍ଧ), ଦ୍ୱନ୍ଦ୍ୱ (ଦ୍ଵନ୍ଦ) ଇତ୍ୟାଦି ।

 

ସାମାଜିକ ମୂଲ୍ୟ :

‘ଶ୍ରୀରୋଢ଼ା’ରେ ସାହିତ୍ୟିକ ମୂଲ୍ୟର ଅଭାବ ପରିଲକ୍ଷିତ ହେଲେହେଁ ସାମାଜିକ ମୂଲ୍ୟ ତା’ଠାରୁ ଅଧିକ ପରିମାଣରେ ପରିଲକ୍ଷିତ ହୁଏ । ଏହି ରଚନା ମଧ୍ୟରେ ସାମାଜିକ ଚିତ୍ରର ଯେଉଁ ବର୍ଣ୍ଣନା ରହିଛି, ତାହା ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ବର୍ତ୍ତମାନ ଏହି ଶ୍ରୀରୋଢ଼ା ରଚନାରେ ସ୍ଥାନ ପାଇଥିବା କେତୋଟି ସାମାଜିକ ଚିତ୍ରର ଆଲୋଚନା କରାଯାଉ ।

 

‘ଶ୍ରୀରୋଢ଼ା’ର କଥାବସ୍ତୁ ‘ରୁକ୍ମିଣୀ ବିବାହ’କୁ ଉପଜୀବ୍ୟ କରି ଗଢ଼ି ଉଠିଥିବାରୁ ଏହି ରଚନାରେ ସମାଜର ବିବାହ ଉତ୍ସବର ବିଭିନ୍ନ ପଦ୍ଧତିର ଚିତ୍ର ବିଶେଷ ଭାବରେ ପ୍ରତୀୟମାନ ହୁଏ ।

 

ବିବାହ ପୂର୍ବଦିନ ମଙ୍ଗଳକୃତ୍ୟ (ଗଣସନ) ଦିନ କନ୍ୟା ପ୍ରଭାତରେ ସ୍ନାନ ଆଦି ନିତ୍ୟକର୍ମ ଶେଷ କରି ନୂତନ ବସ୍ତ୍ର ପରିଧାନକରି, ଅଳଙ୍କାର ଭୂଷିତା ହୋଇ ଦେବୀ ମନ୍ଦିରକୁ ପୂଜା ଅର୍ଚ୍ଚନା ଆଦି କରିବାପାଇଁ ଯାଆନ୍ତି । ରୁକ୍ମିଣୀ ମଧ୍ୟ ସେହିପରି ଦେବୀଙ୍କୁ ବନ୍ଦାପନା କରିବାପାଇଁ ଯାଇଥିଲେ-। ଏହାକୁ ‘ଦିଅଁ ମଙ୍ଗୁଳା’ ବୋଲି କୁହାଯାଇଥାଏ । ଶୁଣାଯାଏ, ଏବେ କନ୍ୟା ମାଙ୍ଗଳିକ ଉତ୍ସବ ବା ମଙ୍ଗଳକୃତ୍ୟ ଦିନ ଦେବୀ ମନ୍ଦିରକୁ ଯାଇ ପୂଜା କରନ୍ତି ନାହିଁ । ତାଙ୍କ ପରିବର୍ତ୍ତେ ବାରିକ, ବାରିକାଣୀ ଯାଇ ପୂଜାକରି ଆସନ୍ତି, କାରଣ ରୁକ୍ମିଣୀହରଣ ପରେ ସମସ୍ତଙ୍କର ଏକ ବିଶ୍ୱାସ ରହିଛି ଯେ ଶ୍ରୀକୃଷ୍ଣ ଆସି କନ୍ୟାକୁ ହରଣକରି ନେଇଯିବେ । ବିବାହ ବେଦୀ ଉପରେ ପିତା ତା’ର କନ୍ୟାକୁ ବରହସ୍ତରେ ସମର୍ପଣ କରିଥାଆନ୍ତି । ତେଣୁ ଭୀଷ୍ମକ ଯୁଦ୍ଧପରେ ମଧ୍ୟ ଆସି ରୁକ୍ମିଣୀଙ୍କୁ ନେଇ ଶ୍ରୀକୃଷ୍ଣଙ୍କ ହସ୍ତରେ ଅର୍ପଣକରି କନ୍ୟାଦାନ କରିଥିଲେ । ବିବାହ ଉତ୍ସବ ଉପଲକ୍ଷେ ନଗର ସାରା ପ୍ରାସାଦ କାନ୍ଥରେ କର୍ପୂରର ବିଭିନ୍ନ ଚିତ୍ର ଅଙ୍କନ କରି ସୁସଜିତ କରିବାର ପ୍ରଥା ପ୍ରଚଳିତ ଥିଲା । ସେତେବେଳେ କାନ୍ଥରେ ମତ୍ସ୍ୟ, କଚ୍ଛପ, ମହାଭାରତ ଯୁଦ୍ଧ, ପୂରବୃକ୍ଷ, ଖର୍ଜ୍ଜୁର, କଦଳୀ, ଆମ୍ବ, ପଣସ, ଜାମ୍ବ ଏବଂ ଗରୁଡ଼, ମୃଗ, ଗଣ୍ଡା, ଗୟଳ ଆଦି ଜୀବଜନ୍ତୁର ଚିତ୍ର ଚିତ୍ରଣ କରାଯାଏ । ସାତ କଳସ ସ୍ଥାପନ କରାଯାଇଥାଏ । ପ୍ରଥମ କଳସ ବିଘ୍ନନାଶକ ଗଣେଶ, ଦ୍ୱିତୀୟ କଳସ ବ୍ରାହ୍ମ, ତୃତୀୟ କଳସ ବାସୁକୀ, ଚତୁର୍ଥ କଳସ ପୁରନ୍ଦର, ପଞ୍ଚମ କଳସ ପୁରୁଷୋତ୍ତମ, ଷଷ୍ଠ କଳସ ହଳଧର ଓ ସପ୍ତମ କଳସ ବରୁଣଙ୍କର ପ୍ରତିନିଧି ସ୍ୱରୂପ ପୂଜା କରାଯାଏ । ଅନ୍ୟ ଏକ କଳସ ଅହିଅ ସ୍ତ୍ରୀମାନେ ନିଅନ୍ତି । କନ୍ୟାଦାନ ପରେ ଯୌତୁକ ଦେବାର ପ୍ରଥା ମଧ୍ୟ ସମାଜରେ ସେତେବେଳେ ପ୍ରଚଳିତ ଥିଲା । ତେଣୁ ଭୀଷ୍ମକ ଅନେକ ଧନସମ୍ପତ୍ତି ଯୌତୁକ ସ୍ୱରୂପ ଶ୍ରୀକୃଷ୍ଣଙ୍କୁ ପ୍ରଦାନ କରିଛନ୍ତି (୨୫) । ବରଘରେ ବିବାହର ଚତୁର୍ଥୀ ଦିବସରେ ଉତ୍ସବ ପାଳନ କରିବା ପ୍ରଥା ପ୍ରଚଳିତ ଥିଲା ।

 

ଅତିଥି ସତ୍କାର କରିବା ଭଗବାନଙ୍କ ସତ୍କାର ସମାନ । ତେଣୁ, ନିଜେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅତି ବୃଦ୍ଧ ବ୍ରାହ୍ମଣଙ୍କର ସମ୍ମାନର ସହିତ ସେବା କରିଛନ୍ତି (୨୬) । ବର ନିର୍ବାଚନ କରିବା ସେତେବେଳେ ପିତା, ମାତା, ଭ୍ରାତା, ବା ଗୁରୁଜନମାନଙ୍କ ଉପରେ ନ୍ୟସ୍ତଥିଲା । କନ୍ୟାପିତା, ମାତାଙ୍କ ନିର୍ବାଚିତ ବରକୁ ନିର୍ବିଘ୍ନରେ ଗ୍ରହଣ କରିନେଉଥିଲା । ଅପର ପକ୍ଷରେ ସ୍ୱୟମ୍ବର ପଦ୍ଧତି ମଧ୍ୟ ପ୍ରଚଳିତ ଥିଲା । ରୁକ୍ମିଣୀଙ୍କ ପ୍ରଥମ ସ୍ୱୟମ୍ବରରୁ ଏହାର ସୂଚନା ମିଳେ ।

 

(୨୫)

‘‘ବିଭାଦିନ ଜାଣିଣ ଯେ ଭୀଷ୍ମେକ ଅଇଲେ,

 

ଋକ୍ମଣୀଙ୍କୁ ସମର୍ପି ଅନେକ ଧନ ଦେଲେ ।’’ ୧୧୮ ।

(୨୬)

‘‘ତକ୍ଷଣେ ବ୍ରାହ୍ମଣକୁ ମାନ୍ୟ ଧର୍ମକରି,

ଆସନ ଭୋଜନ ଦେଇ ଯେ ବଚନ ପଚାରି ।’’ ୩୫ ।

 

ରଚୟିତା :

‘ଶ୍ରୀରୋଢ଼ା’ର ରଚୟିତା ପ୍ରସଙ୍ଗରେ ବିଚାର କରିବାକୁଗଲେ ଏହାର ଶେଷାଂଶରେ ଥିବା ପଦଟି ପାଠକର ଦୃଷ୍ଟି ଆକର୍ଷଣ କରେ ।

 

‘‘ବର କନ୍ୟା ଏ ଯେ ସୁଖେ ଦିନ ନେଲେ

ବଳରାମ ଦାସ ଯେ ଗିତ (ଗୀତ)ରେ ଭଣିଲେ । ୧୪୦ ।

 

ବଳରାମ ଦାସ ଏହାର ରଚୟିତା । କିନ୍ତୁ ଏହି ବଳରାମ ଦାସ କେଉଁ ବଳରାମ ଦାସ ? ସମ୍ବଲପୁରର କେତେଜଣ ପଣ୍ଡିତ ବିଶ୍ୱାସ କରନ୍ତି ଯେ ଏହି ବଳରାମ ଦାସ ହେଉଛନ୍ତି ପଞ୍ଚସଖା ଯୁଗର ସେହି ଭକ୍ତକବି । ଏହା କେତେଦୂର ସତ୍ୟ, ତାହା ବିଚାର କରିବାର କଥା । କିନ୍ତୁ ଅନୁମାନ କରାଯାଏ ବୋଧହୁଏ କୌଣସି ଭକ୍ତ ବା କବି ପରବର୍ତ୍ତୀ କାଳରେ ବଳରାମ ଦାସଙ୍କ ନାମରେ ଭଣିତ କରି ଯାଇଛନ୍ତି । ଏହି ବଳରାମ ଦାସ ପଞ୍ଚସଖା ଯୁଗୀୟ ସେହି ବଳରାମ ଦାସ ନୁହନ୍ତି । ହୁଏତ ଅନ୍ୟ ବ୍ୟକ୍ତି । କେତୋଟି ଦୃଷ୍ଟିକୋଣରୁ ଏହାର ରଚୟିତା ପଞ୍ଚସଖା ଯୁଗୀୟ କବି ବଳରାମ ଦାସ ନୁହନ୍ତି ବୋଲି ଅନୁମାନ କରାଯାଏ । ପ୍ରଥମତଃ ବଳରାମ ଦାସଙ୍କ କବି କଳ୍ପନା ବା କବିତ୍ୱ ବର୍ଣ୍ଣନା ଏଥିରେ ପୂର୍ଣ୍ଣତଃ ଦୂର୍ଲଭ । ଏକଥା ପୂର୍ବରୁ ଉଲ୍ଲେଖ କରାଯାଇଛି । କାବ୍ୟିକ ସ୍ପର୍ଶର ଅଭାବରୁ ଏହା ବର୍ଣ୍ଣନାତ୍ମକ ରଚନା ହୋଇ କେବଳ ରହିଛି ସିନା, ମାତ୍ର ସାହିତ୍ୟିକ ମୂଲ୍ୟ ହରାଇ ବସିଛି । ଦ୍ୱିତୀୟତଃ, ପଞ୍ଚସଖା ଯୁଗର ବିଭିନ୍ନ କବିମାନଙ୍କ ରଚନା ଗୁଡ଼ିକ ପୁରାଣ ଧର୍ମାବଲମ୍ବୀ । ତେଣୁ ପୌରାଣିକ ଚରିତ୍ର ଶ୍ରୀ ଶୁକଦେବ, ପରିକ୍ଷିତ, ଶିବ, ପାର୍ବତୀ, ଶ୍ରୀକୃଷ୍ଣ, ଅର୍ଜୁନ ଇତ୍ୟାଦିଙ୍କ ପ୍ରଶ୍ନୋତ୍ତର ଛଳରେ ଲିଖିତ ହୋଇଥାଏ । ମାତ୍ର ଏଥିରେ ସେପରି କିଛି କଥୋପକଥନ ରୀତି ଅନୁସରଣ କରାଯାଇ ନାହିଁ । ‘ରୁକ୍ମିଣୀ ବିଭା’ କଥୋପକଥନ ରୀତି ଅବଲମ୍ବନ କରାନଗଲେ ମଧ୍ୟ ପଦ୍ମପୁରାଣରୁ ଏହା ଉଦ୍ଧୃତ ବା କାହାଣୀ ବୋଲି କୁହାଯାଇଛି । ତୃତୀୟତଃ, ପରବର୍ତ୍ତୀ କାଳରେ ବିବାହ ବେଦୀରେ କୃଷ୍ଣ ଚରିତ ଗାନ କରି ଶୁଭାଶୀର୍ବାଦ ଗ୍ରହଣ କରିବା ଏକ ପରମ୍ପରାରେ ପରିଣତ ହୋଇଯିବାରୁ ଖୁବ ସମ୍ଭବ କୌଣସି ଶ୍ରୀକୃଷ୍ଣ ଭକ୍ତ ଏହାକୁ ରଚନା କରିଛନ୍ତି ବିବାହର ବିଭିନ୍ନ ପଦ୍ଧତି ବା କର୍ମାଙ୍ଗୀ ପାଇଁ; ତେଣୁ ଲେଖା ଅଛି-

 

‘‘ଧନ୍ୟ ସେ ଦେଶ ରୁକ୍ମିଣୀ ଗୋ ଉପୁଜିଲେ ତୁମ୍ଭେ,

ହୁଳହୁଳି ଦିଅ ଗୋ କହୁଅଛୁଁ ଆମ୍ଭେ । ୧୧ ।

x      x      x      x

 

ସେଦିନ ନଗ୍ର ବାହାରେ ରହିଲେ ମୁରାରୀ

ହୁଳହୁଳି ଦିଅଗୋ ଅହିଅ ଯେତେ ନାରୀ । ୭୭ ।

x      x      x      x

ହୁଳହୁଳି ଦିଅ ଗୋ ଅହିଅ ଯେତେ ନାରୀ,

ବରକନ୍ୟାଙ୍କର ଯେ ଶୁଭ ସେ ବିଚାରୀ । ୧୩୩ ।

 

ଏଥିରୁ ସ୍ପଷ୍ଟ ଜଣା ଯାଉଅଛି ଯେ ବ୍ରତ ବା ଓଷା ପରି ବିବାହବେଦୀ ଉପରେ ଏହା ଗାନ କରାଯାଏ । ଏହାକୁ ଅଧିକ ସୁସ୍ପଷ୍ଟ କରିବା ପାଇଁ ‘ଶ୍ରୀରୋଢ଼ା’ର ଶେଷ ପଦଟିକୁ ଗ୍ରହଣ କରାଯାଇପାରେ-

 

‘‘ଚଉଠି ଗତାସନ ଏହୁ ବେନି ଦିନ

ଏ ଗୀତ (ଗିତ) ପଢ଼ି ଶୁଣାଇବ ଯେ ଶୁଭଲଗ୍ନ । ୧୪୧ ।

 

ମଙ୍ଗଳକୃତ୍ୟ ଓ ଚତୁର୍ଥୀଦିନ ଏହି ରଚନା ପାଠ କରି ଶୁଣାଇଲେ ନବଦମ୍ପତିଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କର ଶୁଭାଶୀର୍ବାଦ ଅଜାଡ଼ି ପଡ଼ି ଜୀବନ ମଧୁମୟ ବୋଲି କୁହାଯାଇଛି ଠିକ୍ ବିଭିନ୍ନ ବ୍ରତ ବା ଓଷା ସଦୃଶ । କେତୋଟି ପ୍ରାଚୀନ ଶବ୍ଦ ଗୁମ୍ପିତ କରିଦେଲେ ଯେ ତାର ପଞ୍ଚସଖା ଯୁଗର ବଳରାମ ଦାସଙ୍କ ରଚନା ହୋଇଯିବ ତାହା ନୁହେଁ ।

 

କୃଷ୍ଣ ଚରିତକୁ ନେଇ ରଚନା କରିଥିବା ଶ୍ରୀ ଜଗନ୍ନାଥ ଦାସ (ଭାଗବତ) ଶ୍ରୀ ଅଚ୍ୟୁତାନନ୍ଦ ଦାସ (ସପ୍ତଖଣ୍ଡ ହରିବଂଶ), ଶ୍ରୀ କାର୍ତ୍ତିକ ଦାସ (ରୁକ୍ମିଣୀ ବିଭା)ଙ୍କ ବିଭିନ୍ନ ରଚନା ସହିତ ଏହା ସେମାନଙ୍କର ସମସ୍କନ୍ଧ ନୁହେଁ, ଯେଉଁ ବଳରାମ ଦାସ ଦାଣ୍ଡିରାମାୟଣ, ବ୍ରହ୍ମାଣ୍ଡଭୂଗୋଳ, ବେଦାନ୍ତ ସାର, ଗୁପ୍ତଗୀତା, ବଟ ଅବକାଶ, ବେଢ଼ା ପରିକ୍ରମା, ସପ୍ତାଙ୍ଗ ଯୋଗସାର ଟୀକା ଓ ଭାବ ସମୁଦ୍ର ଆଦି ତତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ ରଚନା କରିଛନ୍ତି, ସେ ଏପରି ନିରସ ବିଷୟକୁ କେବଳ ବର୍ଣ୍ଣନାକରି ନ ପାରନ୍ତି-। ଯେତେବେଳେ ସମକାଳରେ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ ଓ କାର୍ତ୍ତିକ ଦାସ କୃଷ୍ଣ ଚରିତ ବିଶେଷତଃ ରୁକ୍ମିଣୀ ବିଭାକୁ ରୂପ ଦେଲେ, ସେତେବେଳେ ବଳରାମ ଦାସ ୧୪୧ ପଦ ବିଶିଷ୍ଟ ପଦ ମଧ୍ୟରେ ଏପରି କ୍ଷୀଣ ଅବୟବରେ ସଂକ୍ଷିପ୍ତ ପରିସର ମଧ୍ୟରେ ଚରିତକୁ କାହିଁକି ପ୍ରକାଶ କରିଥାନ୍ତେ ?

 

ବଳରାମ ଦାସଙ୍କ ରଚନାର ଏକ ବୈଶିଷ୍ଟ୍ୟ ହେଲା-ତାଙ୍କ ରଚନା ତତ୍ତ୍ୱଧର୍ମୀ । ମାତ୍ର ଏଥିରେ କୌଣସି ପାଣ୍ଡିତ୍ୟ ବା ତତ୍ତ୍ୱ ପରିବେଷଣ କରାଯାଇ ନାହିଁ । ଏଣୁ ଏହା ଭକ୍ତ କବି ବଳରାମଦାସଙ୍କ ନିଜସ୍ୱ ରଚନା ନୁହେଁ । ତାଙ୍କ ନାମରେ ଭଣତି ମାତ୍ର । ନତୁବା, ତାଙ୍କ ପରବର୍ତ୍ତୀ କାଳରେ ସେହି ନାମଧାରୀ ଅନ୍ୟ କୌଣସି ବ୍ୟକ୍ତିଙ୍କର ଏହା ରଚନା । ତଥାପି, ଏହା ଏହି ପ୍ରସଙ୍ଗରେ ଶେଷ କଥା ନୁହେଁ । ଏଥିପାଇଁ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ।

 

ପରିଶେଷରେ ଏତିକି ମାତ୍ର କହିଲେ ଯଥେଷ୍ଟ ହେବ ଯେ, ‘ଶ୍ରୀରୋଢ଼ା’ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ସଂସଦର ଏକ ମୂଲ୍ୟବାନ ବିଭବ । ଏହାର ନିଜ ରଚନାଶୈଳୀ ଓ ସାହିତ୍ୟିକ ମୂଲ୍ୟ ଉତ୍କୃଷ୍ଟ ଧରଣର ନହେଲେ ହେଁ ବିବାହ ଉତ୍ସବର ପରମ୍ପରା ମଧ୍ୟରେ ବଂଶାନୁକ୍ରମେ ଏହା ସଞ୍ଜିବିତ ହୋଇ ରହିଛି । ଅତଏବ, ଏହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଜୀବନର ଏକ ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ । *

 

*

ସମ୍ବଲପୁରର ବୟୋଜ୍ୟେଷ୍ଠ କବି ଶ୍ରୀଯୁକ୍ତ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଟ୍ଟନାୟକ ଏହି ଦିଗରେ ବିଭିନ୍ନ ତଥ୍ୟ ସଂଗ୍ରହରେ ସାହାଯ୍ୟ କରିଥିବାରୁ ଏହି ଆଲୋଚକ କୃତଜ୍ଞତା ଜଣାଉଛି ।– ମ: ମ:

 

***

 

Unknown

‘କୀଚକ ବଧ’-

ଏକ କ୍ଲାସିକ୍ କାବ୍ୟ

କେଶବ ଚନ୍ଦ୍ର ମେହେର

 

ମଧ୍ୟଯୁଗର ଊତ୍କଳୀୟ କାବ୍ୟ-ପ୍ରବାହ କ୍ଷୁଦ୍ର ପଲ୍ଲୀ-ତଟିନୀ ସଦୃଶ ଓଡ଼ିଆର ଜୀବନସଂସାରର ତଟପ୍ରାନ୍ତ ସ୍ପର୍ଶ କରି ପ୍ରସରିତ ହୋଇଛି । ତାହାର ତରଙ୍ଗ ବକ୍ଷ କେବେ କେବେ ପ୍ରେମର ମଦିର ବିହ୍ୱଳ କଳହାସ୍ୟରେ ଉଚ୍ଛ୍ୱସିତ, କେତେବେଳେ ସମାଜ-ଶାସକର ରୋଷ ହୁଙ୍କାରରେ ଆତଙ୍କ ପାଣ୍ଡୁର ଶୀର୍ଣ୍ଣଭାବ ଧାରଣପୂର୍ବକ ସଙ୍କୁଚିତ, କେବେ ବା ଅତୀତ ଇତିହାସର ଗୌରବମୟ କାହାଣୀ ଗାନ କରି ଉଦ୍‌ବେଳିତ ତରଙ୍ଗ ବାହୁ ତୋଳି, ନାଚି ନାଚି, ଖେଳି ଖେଳି ପ୍ରବାହିତ । ତଟଦେଶର ଜନପଦ ସମୂହର ହାସ୍ୟଅଶ୍ରୁ, ବିରହ-ମିଳନ, ସୁଖଦୁଃଖ, ଅଭାବ ସଭାବ ଶବଳିତ ଜୀବନ ପ୍ରତିବିମ୍ବିତ ଓଡ଼ିଆ କାବ୍ୟର ଏଇ ସଂକୀର୍ଣ୍ଣ ଧାରା କବି ଗଙ୍ଗାଧରଙ୍କ କ୍ଲାସିକ୍ କାବ୍ୟର ଅମୃତମୟ ସାଗରର ନିଃସୀମ ଅକୂଳତାର ମଧ୍ୟରେ ପ୍ରବିଷ୍ଟ ହୋଇ ନିଃଶେଷିତ ପ୍ରାୟ । ଉତ୍କଳୀୟ କାବ୍ୟ-ପ୍ରବାହର ନୂପୁର ଶିଞ୍ଜିତ ନୃତ୍ୟଚପଳ ମୃଦୁ ମଧୁର କୁଳୁଧ୍ୱନି ମହାସମୁଦ୍ରର ପ୍ରବଳ ଜଳକଲ୍ଲୋଳ ମଧ୍ୟରେ ସ୍ତବ୍‌ଧ ହୋଇଅଛି ।

 

ଗଙ୍ଗାଧର ହିଁ ସାହିତ୍ୟର ପ୍ରକୃତ ବିଚାରରେ ମଧ୍ୟଯୁଗୀୟ କାବ୍ୟଧାରାର ଏକମାତ୍ର କ୍ଲାସିକ୍ କବି । ‘କୀବକବଧ କାବ୍ୟର ସାତୋଟି ସର୍ଗ ମଧ୍ୟରେ କ୍ଲାସିକ୍ ସାହିତ୍ୟର ସେହି ଉଦାତ୍ତ ସ୍ୱର ଧ୍ୱନିତ, ଯାହା ମେଘମନ୍ଦ୍ର ସଦୃଶ, ବୀରର ହୁଙ୍କାର ପରି, ଅସ୍ତ୍ରର ଝନତ୍‌କାର ସଂକାଶ । କିନ୍ତୁ ଏ ଯାବତ୍ ଗଙ୍ଗାଧରଙ୍କ ଏଇ କ୍ଲାସିକ୍ କବି ଭାବନାର ଦିଗଟି ତାଙ୍କ ସାହିତ୍ୟ-ସମାଲୋଚନାରେ ଉପେକ୍ଷିତ ହୋଇ ଆସିଛିବୋଲି ମନେହୁଏ । ଗଙ୍ଗାଧରଙ୍କ କାବ୍ୟର ବର୍ଣ୍ଣନା-କଳ୍ପନାରେ ଉପମା-ଉତ୍‌ପ୍ରେକ୍ଷା ମଧ୍ୟରେ ଅସୀମ ନୀରଦମାଳା ବକ୍ଷରେ ବିଦ୍ୟୁତ୍‌ର ଚକିତ ସ୍ଫୁରଣ ଭଳି ଯେଉଁ ଅନ୍ତଃପ୍ରକୃତି ଓ ବହିଃପ୍ରକୃତିର ଚିତ୍ରଣ-ଆଲୋକ ବିଚ୍ଛୁରିତ ହୋଇଅଛି, ଅନନ୍ତ ରହସ୍ୟମୟୀ ପ୍ରକୃତିର ସେଇ ଶଂପାଲୋକ ସନ୍ଧାନରେ ତାଙ୍କ କାବ୍ୟ-ସମାଲୋଚକର ସମସ୍ତ ଶକ୍ତି ନିଃଶେଷିତ । ସୁତରାଂ, ତାହାର ଯେ ମୂଳ ଉତ୍ସ ଆଷାଢ଼ର ଜଳଭାର ମନ୍ଥର ମେଘରାଜିର ଗମ୍ଭୀର ଶୋଭା ସେମାନଙ୍କର ଦୃଷ୍ଟି ଅତିକ୍ରମ କରିଯାଇଛି । ଗଙ୍ଗାଧରଙ୍କ କବି ପ୍ରାଣର ଅନ୍ତରାଳରେ ତାହାଙ୍କର ସଂଗ୍ରାମମୟ ଓ ବୀରତ୍ୱମୟ ଜୀବନର ଆବିଷ୍କାର ଯେପରି ବହୁ ବିଳମ୍ବରେ ତାଙ୍କର ଜୀବନୀ ଲେଖକମାନଙ୍କଦ୍ୱାରା ସମ୍ଭବ ହୋଇଅଛି, ଠିକ୍ ସେହିପରି ତାଙ୍କର ସ୍ୱଭାବ କବିତ୍ୱର ଅନ୍ତରାଳରେ କ୍ଲାସିକ୍ କବିତ୍ୱର ପ୍ରାଣଧାରାଟି ବହୁଦିନ ପରେ ଆଜି ଧରାପଡ଼ିଛି ।

 

ଓଡ଼ିଆ ସାହିତ୍ୟରେ ଗଙ୍ଗାଧରଙ୍କ ଅନନ୍ୟସାଧାରଣ ସ୍ୱକୀୟତା କେବଳ ପ୍ରକୃତିଚିତ୍ରଣରେ ନୁହେଁ, କ୍ଲାସିକ କବି କଳ୍ପନାରେ । ସୁତରାଂ ମଧ୍ୟଯୁଗୀୟ ମୃଦୁ-କଳ ସଙ୍ଗୀତର ଐକ୍ୟତାନ ଭିତରେ ଯଦି କେହି ବଜ୍ରଗମ୍ଭୀର ସ୍ୱର ସୃଷ୍ଟି କରିପାରେ, କୌଶଲ୍ୟାର ଦୀନ ନିର୍ବେଦତା ଆଗରେ ଯଦି କେହି କୀଚକ ସଦୃଶ ମହାବୀରକୁ ଅକାତରେ ଉପେକ୍ଷା କରିବାର ଉପସ୍ଥିତ ବୁଦ୍ଧି ସମ୍ପନ୍ନା ସାହସିନୀ ସୈରିନ୍ଧ୍ରୀର ସୃଷ୍ଟି କରିପାରେ, ଘୃଣ୍ୟ ପରକୀୟା ପ୍ରେମ ପରିବର୍ତ୍ତରେ ଯଦି କେହି ଏକାନ୍ତ ପତି-ପତ୍ନୀ ନୈଷ୍ଠିକ ପ୍ରେମର ମହନୀୟ ଚିତ୍ର ଅଙ୍କନ କରିପାରେ; ଜଡ଼ ପ୍ରକୃତି ପ୍ରାଣରେ ଅନ୍ୟାୟ ବିରୁଦ୍ଧରେ ଯଦି କେହି ଆହବ-ବିପ୍ଳବର ଝଡ଼-ଝଙ୍କାର ତୋଳିପାରେ ତେବେ କବିର ସେଇ ଅଭିନବ ପ୍ରତିଭା ପ୍ରତି ଆଲୋଚକର ସଜାଗ ଦୃଷ୍ଟି ସର୍ବପ୍ରଥମେ ଆକୃଷ୍ଟ ହେବା ଉଚିତ ନୁହେଁକି ?

 

ଯୁଗର ବିବର୍ତ୍ତନ ସଙ୍ଗେ ସମାଜ ଓ ପାରିପାର୍ଶ୍ୱିକର ପରିବର୍ତ୍ତନରେ ମାନବର ଶକ୍ତି-ରୁଚି ରୂପାନ୍ତରରେ କ୍ଲାସିକ୍ କାବ୍ୟାଦର୍ଶର ବିବର୍ତ୍ତନ ଘଟିଅଛି । ମାନବ ସଭ୍ୟତାର କ୍ରମବିକାଶର ଇତିହାସ ବାହୁବଳରୁ ବୃଦ୍ଧି ବଳ, ବିଶାଳତାରୁ ସୂକ୍ଷ୍ମତା, ସରଳତାରୁ ଜଟିଳତାର ବିବର୍ତ୍ତନ ଇତିହାସ । ମନୁଷ୍ୟର ଦୃଷ୍ଟି ଯେତେବେଳେ ବହିର୍ଲୋକରୁ ଅନ୍ତର୍ଲୋକ, ସହଜ ସରଳ ନିସ୍ତରଙ୍ଗ ଜୀବନଯାତ୍ରା ଉପରେ ଯେତେବେଳେ ଚିନ୍ତାଶୀଳତାର ବହୁ-ବଙ୍କିମ କୁଟିଳ ରେଖାପାତ, ଜଗତ୍ ଓ ଜୀବନ ସଂପର୍କିତ ମୌଳିକ ଜିଜ୍ଞାସାଗୁଡ଼ିକ ଯେତେବେଳେ ବ୍ୟାପକତର ଓ ସୂକ୍ଷ୍ମତର ଜୀବନ ଜିଜ୍ଞାସାରେ ପରିଣତ, ସମାଜ-ଜୀବନର ଅଖଣ୍ଡତା ଯେତେବେଳେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଆବିଷ୍କାର ଫଳରେ ଖଣ୍ଡିତ, ସେଇ ସମୟରେ ସାହିତ୍ୟର ଇତିହାସରେ କଳ୍ପନାର ଭିନ୍ନ ରୂପତା ପରିଦୃଷ୍ଟ । କୀଚକ-ବଧ କାବ୍ୟରେ ଶମ୍ଭଳୀସୁଲଭ ନାରକୀୟ ଚାତୁରୀ-ସଂପନ୍ନା ଚପଳାର ଛଳୋକ୍ତିପୂର୍ଣ୍ଣ ବାକ୍‌ଜାଲ, ସୈରିନ୍ଧ୍ରୀଙ୍କର ଶ୍ଳେଷୋକ୍ତି, ଧର୍ମରଙ୍କ କଙ୍କଙ୍କର ‘ଦ୍ୱିତୀୟ ସ୍ୱାମୀ’ ପ୍ରୟୋଗ ଏବଂ ଭୀମର-

 

‘‘ସ୍ତବ୍‌ଧ ହୋଇ କ୍ଷଣେ ପୁଣି ସ୍ଥିର କଲା ମନେ

ଦୁଷ୍ଟର ନଧନ ଏକା ବିହିବି ବିଜନେ’’ ପ୍ରଭୃତିରୁ ତାହା ସ୍ପଷ୍ଟ ହୋଇ ଉଠେ । ସଂପ୍ରତି ବୀର ଶିବିରର ଅନ୍ତରାଳରେ ଥାଇ ଯୁଦ୍ଧ ପରିଚାଳନା କରିଥାଏ । ରଣକ୍ଷେତ୍ରର ଅନାବୃତ ମହିମା ନେଇ ତାହାର ଆତ୍ମ ପ୍ରକାଶର ପଥ ଆଜି ଅବରୁଦ୍ଧ । ସମୟ ସମୟରେ ଅଧିକନ୍ତୁ ସେ ଆତ୍ମ-ଗୋପନ ପୂର୍ବକ ଗାର୍ହସ୍ଥ ଓ ସାମାଜିକ ଜୀବନର ସାଧାରଣ ଭୂମିକୁ ଓହ୍ଲାଇ ଆସିଥାଏ, ଲୋକେ ତାକୁ ସହଜରେ ଚିହ୍ନିପାରି ନ ଥାନ୍ତି । କୀଚକ ବଧ କାବ୍ୟରେ ଭୀମ ଏହିପରି ଏକ ବୀର ।

 

ଯେ ପର୍ଯ୍ୟନ୍ତ କାବ୍ୟ ରଚନା ଗୋଷ୍ଠୀଭାବ-ନିୟନ୍ତ୍ରିତ, ସେ ପର୍ଯ୍ୟନ୍ତ ଗୋଷ୍ଠୀ ପରିଚୟରେହିଁ କବିର ସ୍ଥାନ-ନିର୍ଦ୍ଦେଶ ସୂଚିତ ହୋଇଥାଏ । କିନ୍ତୁ ଯେଉଁ ଯୁଗରେ କବିର ବ୍ୟକ୍ତି ସତ୍ତା ଗୋଷ୍ଠୀ-ଅନ୍ତର୍ଭୁକ୍ତକୁ ଅତିକ୍ରମକରି ଆତ୍ମ-ପ୍ରକାଶରେ ଉନ୍ମୁଖ, ସେହି ଯୁଗ ଓ କବି ସମ୍ବନ୍ଧରେ ଚୂଡ଼ାନ୍ତ ଅଭିମତ ପ୍ରକାଶ ସୂକ୍ଷ୍ମତର ବିଚାରବୁଦ୍ଧି ଏବଂ ସ୍ଥିରତର ରସବୋଧ ଉପରେ ନିର୍ଭରଶୀଳ ।

 

ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟରେ ତାଙ୍କର ନବ ନବ ଉନ୍ମେଷଶାଳିନୀ ସୃଷ୍ଟିଶକ୍ତିର ସ୍ଫୁରଣ ଲକ୍ଷ୍ୟ କରାଯାଏ । ଛନ୍ଦର ଅଭିନବତ୍ୱ, ଭାବର ଗାମ୍ଭୀର୍ଯ୍ୟ, ଚିତ୍ରର ଗଠନ ବୈଶିଷ୍ଟ୍ୟ, ବିଷୟବସ୍ତୁର ଅଭିନବ ବିନ୍ୟାସ, ପଦର ଲାଳିତ୍ୟ, ଭାବର ମାଧୁରୀ ପ୍ରଭୃତି କାବ୍ୟୋଚିତ ଗୁଣାବଳୀ ସର୍ବାଦୌ ପରିଦୃଷ୍ଟ ।

 

କୀଚକ ବଧ କାବ୍ୟକୁ ଏକ ଚରିତ୍ର ପ୍ରଧାନ କାବ୍ୟ ବୋଲି ଗ୍ରହଣ କରାଯାଇପାରେ । ଏହାର ପଶ୍ଚାତ୍‌ରେ, ‘man is the measure of all things’. ମାନବବାଦର ଏଇ ନୀତିର ସୁସ୍ପଷ୍ଟ ମୁଦ୍ରା ରହିଛି । ଏ କାବ୍ୟର ଚରିତ୍ର ପରିକଳ୍ପନାରେ ପ୍ରେମାନୁଭୂତି ପ୍ରକାଶରେ, ନିସର୍ଗ ବର୍ଣ୍ଣନାରେ, ଉପମା ପ୍ରୟୋଗରେ ଏବଂ ଚିତ୍ର-ଉପସ୍ଥାପନାରେ କ୍ଲାସିକ୍ କାବ୍ୟାଦର୍ଶର ଅନୁବର୍ତ୍ତନ ଦୃଷ୍ଟ ହୋଇଥାଏ ।

 

ଏ କାବ୍ୟର ପ୍ରଥମ ସର୍ଗରେ ବିରାଟ ନଗରର ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ ଓ ବୈଚିତ୍ର୍ୟ ବର୍ଣ୍ଣନା ପରେ ପଞ୍ଚଦେବତା ସଦୃଶ ତହିଁରେ ପଞ୍ଚ ପାଣ୍ଡବଙ୍କର ସ୍ଥିତି ବର୍ଣ୍ଣନା ଓ କବି ସେହି ପାଣ୍ଡବ-ହୃଦୟ-ପଦ୍ମବନ-ବିଳାସିନୀ, ଜଗତ-ଲକ୍ଷ୍ମୀଙ୍କର ଲୀଳା-କମଳା ରୂପିଣୀ, ଯାଜ୍ଞସେନୀଙ୍କର ସୈରିନ୍ଧ୍ରୀ ରୂପରେ ରାଜ ଅବରୋଧରେ ଅବସ୍ଥାନ ସୂଚନା ଦେଇଅଛନ୍ତି ।

 

ଦ୍ୱିତୀୟ ସର୍ଗରେ କବି ଆମକୁ ଶୁଣାଇଛନ୍ତି ବସନ୍ତର ବିଜୟ ବାର୍ତ୍ତା । ‘ବିଜୟ’ ଶବ୍ଦଟି ଏଠାରେ ଏକ ପ୍ରତୀକ ବା ସଂକେତ ଏବଂ ଏକ ଅଲକ୍ଷିତ ରଣାଙ୍ଗନର ସୂଚନାଦିଏ । ଏ ବିଜୟ ହୋଇପାରେ ପାପ ଉପରେ ଧର୍ମର, ଅନ୍ୟାୟ ଉପରେ ନ୍ୟାୟର କିମ୍ବା ଶିଶିର ଉପରେ ବସନ୍ତର । ଏହା ପୂର୍ବରୁ ଓଡ଼ିଆ ସାହିତ୍ୟରେ ବସନ୍ତ ଥିଲା ଏକ ଋତୁ ବିଶେଷ । ସେ କେବଳ ଶିଶିର ଅନ୍ତେ ପୃଥିବୀକୁ ଆସେ ଏବଂ ଧରଣୀକୁ ଶୋଭିତ କରେ ।

 

ଆସଇ ବସନ୍ତ ଶିଶିର ଅନ୍ତେ

ଦିଶଇ ଧରଣୀ ଚାରୁ କେମନ୍ତେ ।

(ମଧୁସୂଦନ)

 

କିମ୍ବା-

କରୁଛନ୍ତି ରାଜ୍ୟ ଧରା ଧାମେ ଆଜ

ରତି ସଙ୍ଗେ ରତିପତି,

ଟେକି ଅଛି ନାଗ କେଶର ବେନିଙ୍କ

ଶିରେ ହେମ-ପୁଷ୍ପ-ଛତି ।

(ପାର୍ବତୀ-ରାଧାନାଥ ।)

 

କିମ୍ବା-

ଅତି ମନୋହର କାଳ ଶୀତ ଋତୁ

ଧରା ଛାଡ଼ି ଛାଡ଼ି ନାହିଁ,

ପଲ୍ଲବ-ପାଟଳ-ମଧ ଋତୁରାଟ

ଧରା ମାଡ଼ି ମାଡ଼ି ନାହିଁ ।

ଇତ୍ୟାଦି (ଉର୍ବଶୀ-ରାଧାନାଥ ।)

 

କିନ୍ତୁ ପ୍ରଥମ କରି ଓଡ଼ିଆ ସାହିତ୍ୟରେ ଏହି ଗତାନୁଗତିକ ଋତୁବର୍ଣ୍ଣନା ପରିବର୍ତ୍ତରେ ଏକ ନୂତନ ଜୀବନ୍ତ ସ୍ୱର ଶୁଣାଗଲା ମେହେର ଲେଖନୀରେ-

 

ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ

ପାଦପ-ଆନୀତ ପତର ପରଭୃତ ପଠନେ ।

 

‘ପତର’ ଶବ୍ଦଟି ଏଠାରେ ଦ୍ୱୀର୍ଥ ବୋଧକ ।

ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ

ବିଷ୍ଣୁପଦ-ସ୍ରୁତ ଜଳରେ ଝାସି ଥିଲା ଝଟତି ।

ତପଫଳେ ଏବେ ସୁନ୍ଦରୀ ନବ-ଜନମ ଲଭି

ଧ୍ରୁବ-ସମ୍ମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ।

 

ଅଧିକନ୍ତୁ-

ବସନ୍ତ ଅତିଥି ପୀରତି ପାଇଁ ଅବନୀ-ରାଣୀ

ଯୋଗାଡ଼ି ରଖିଲା ଭଣ୍ଡାରେ ନାନା ପଦାର୍ଥ ଆଣି ।

ପ୍ରମୋଦ ନିମନ୍ତେ କାନନ ମଣ୍ଡାଗଲା ଯତନେ

ମଧୁକ ମୁକୁତା-ପୁଞ୍ଜରେ ଚାର-ନୀଳ-ରତନେ

x             x             x

ବିକଶିତ ନବମାଳିକା ଅର୍ଘ୍ୟ ଧରି ସମ୍ମୁଖେ

ଚନ୍ଦ୍ରିକା ସୁନ୍ଦରୀ ସ୍ୱାଗତ କଲା ଚକୋର ମୁଖେ ।

 

ଏ ବର୍ଣ୍ଣନାରେ ବସନ୍ତ, ପଦ୍ମିନୀ, ଧରଣୀ, ନବମାଳିକା ଜଡ଼ ପ୍ରକୃତି ବିଶେଷ ମାତ୍ର ନହୋଇ ପ୍ରାଣବନ୍ତ ଓ ମାନବାୟିତ ହୋଇ ଯାଇଛନ୍ତି । ଏହା ପୂର୍ବର ଓଡ଼ିଆ ସାହିତ୍ୟର ନିସର୍ଗ ଚିତ୍ର ଗୁଡ଼ିକ ଯେପରି ଅତି ସ୍ଥୂଳ ‘ବ୍ରସ’ଦ୍ୱାରା ଅଙ୍କିତ । ସେଇ ବ୍ରସର ଗୋଟିଏ ଗୋଟିଏ ଚାଳନାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପରି ଏକ ଏକ ବୃହତ ଚିତ୍ର ଅଙ୍କନ କରାଯାଏ । କିନ୍ତୁ ଗଙ୍ଗାଧରୀୟ ତୁଳି ଅତି ସୂକ୍ଷ୍ମ । ଏହି କବି ପ୍ରକୃତି ସହ ସହମର୍ମିତା ବୋଧ କରନ୍ତି, ପ୍ରକୃତିସହ ଭାବର ଆଦାନ-ପ୍ରଦାନ କରନ୍ତି, ପ୍ରକୃତିର ସୂକ୍ଷ୍ମଲୀଳା ପର୍ଯ୍ୟାୟ ପ୍ରତ୍ୟକ୍ଷ କରନ୍ତି ।

 

ମାନବର ଭିନ୍ନ ଭିନ୍ନ ପ୍ରବୃତ୍ତିକୁ ବିଚ୍ଛିନ୍ନ ବା ଖଣ୍ଡ ଖଣ୍ଡ ନକରି ପ୍ରକୃତି ଜଗତରୁ ଉପମା ଓ ଭାବସଂପଦ ଆଣି ମନୁଷ୍ୟ ଜୀବନ ସହିତ ପ୍ରକୃତିର ଯେଉଁ ଅପୂର୍ବ ସାମଞ୍ଜସ୍ୟ ସେ ଦେଖାଇ ଅଛନ୍ତି, ତାହା ଓଡ଼ିଆ ସାହିତ୍ୟରେ ଅତୁଳନୀୟ । ହୃଦୟୋଚ୍ଛ୍ୱାସ ପରିବର୍ତ୍ତରେ ସଂଯମ, ରୂପଜ, ପ୍ରଣୟ ଅପେକ୍ଷା ଆଦର୍ଶ, ତ୍ୟାଗପୂତ ପ୍ରେମ ଏବଂ ସର୍ବୋପରି ପ୍ରକୃତି ଓ ମାନବ ମଧ୍ୟରେ ଗଭୀର ଐକାନ୍ତିକତା ତଥା ମମତାବୋଧ ମେହେର ଲେଖନୀର ମହନୀୟ ବିଭବ ।

 

‘କୀଚକବଧ’ର ଉପଜୀବ୍ୟ ବିଷୟ ହେଉଛି କୀଚକର କାମନା-ବିକାର । ଏ କାବ୍ୟର ପୃଷ୍ଠଭୂମି ପ୍ରସ୍ତୁତ ହୋଇଛି ତୃତୀୟ ସର୍ଗରେ । କାମାନ୍ଧ କୀଚକର ଲାମ୍ପଟ୍ୟ କିପରି ଘୃଣ୍ୟ ଓ ଗର୍ହିତ, ତାହା ସମୁଦ୍ର, ନଦୀ ଓ ଚନ୍ଦ୍ରିକାର ପ୍ରଣୟ ଓ ପ୍ରଣୟାଭିମାନର ବର୍ଣ୍ଣନ ଦେଇ ଇଙ୍ଗିତ କରିଅଛନ୍ତି ।

 

‘ଚନ୍ଦ୍ରିକାଲିଙ୍ଗନ ସୁଖେ ପ୍ରଫୁଲ୍ଲିତ-ହୃଦୟ ସରିତପତି

ସରିତଙ୍କ ପ୍ରତି ଅନାଦର କରି ଠେଲି ଦେଲା ପଛକତି ।

ମୁହଁ ଫୁଲାଇଲେ ନଦୀଏ, ସାଗର-ରୀତିକି ଲୋକେ ଜୁହାର

ବୋଲିବାରୁ ତାର ଅପଭ୍ରଂଶେ ଏବେ ବୋଲନ୍ତି ତାକୁ ଜୁଆର ।

 

ଏଠାରେ କବି-କଳ୍ପନାର ଚମତ୍କାରିତାକୁ ଲକ୍ଷ୍ୟ କରିବା କଥା । ଲାଂପଟ୍ୟକୁ ରୁକ୍ଷ ଭାବରେ ନିନ୍ଦା ନକରି କବି ନଦୀ, ସମୁଦ୍ର ଓ କୌମୁଦୀର ପ୍ରେମ-ସଂପର୍କର ବର୍ଣ୍ଣନ ଦେଇ ବହିଃପ୍ରକୃତି ସହିତ ଆନ୍ତଃପ୍ରକୃତିର ସୁନ୍ଦର ସାମଞ୍ଜସ୍ୟ ସୂଚାଇ ଦେଇଅଛନ୍ତି । ପ୍ରକୃତିର ଏହି ଲାମ୍ପଟ୍ୟର ପରିଣାମ କାମାନ୍ଧ କୀଚକର ହୃଦୟ ମଧ୍ୟରେ ପ୍ରବେଶ କରି ନପାରିବାରୁ ତାର ପରିଣାମ ହୋଇଛି ଭୀମ ହସ୍ତରେ ତାର ଅକାଳ ଓ କରୁଣ ମୃତ୍ୟୁ ।

 

ଗଙ୍ଗାଧର ଭାବକୁ ସଂହତ କରିବାରେ ଅପୂର୍ବ ଦକ୍ଷତା ଲାଭ କରିଥିଲେ । ତେଣୁ, କୀଚକବଧ କାବ୍ୟ ଅକାରରେ କ୍ଷୁଦ୍ର; କିନ୍ତୁ ନିରନ୍ଧ୍ର । ଏ ଯୁଗର ଅନ୍ୟାନ୍ୟ କବି ଭାବକୁ ବାଷ୍ପପରି ବିସ୍ତୃତ କରନ୍ତି । ସୁତରାଂ, ସେମାନଙ୍କ କାବ୍ୟ ଆକାରରେ ସ୍ଫୀତ ହୋଇଉଠେ । କିନ୍ତୁ ଗଙ୍ଗାଧରଙ୍କ କାବ୍ୟର ଭାବ-ନିର୍ଯ୍ୟାସ ଲୌହସଦୃଶ ଶକ୍ତ ଓ କଠିନ । ଏପରି ଲୌହ କଠିନ ଭାବ-ନିର୍ଯ୍ୟାସ ନେଇ ଗଠିତ ହୁଏ କ୍ଲାସିକ୍ କାବ୍ୟର ସୌଧ । ଏଠାରେ ସ୍ଥୂଳ ଭାବାଳୁତା ଓ ଦୁର୍ବଳ ଅନୁଭୂତିର ସ୍ଥାନ ନାହି । ନିରନ୍ଧ୍ର ବସ୍ତୁ-ବିନ୍ୟାସ ଏବଂ ବଳିଷ୍ଠ ଭାବ-କଳ୍ପନା ମଧ୍ୟରେ ଅନିୟନ୍ତ୍ରିତ ଉଚ୍ଛ୍ୱସିତ ଭାବାବେଗ କାବ୍ୟର ଅପକର୍ଷହିଁ ଆଣିଥାଏ ।

 

ଗଙ୍ଗାଧର ଅତି କୌଶଳ ସହକାରେ ବୀରଭାବ ପ୍ରଧାନ ବସ୍ତୁମୂଳକ କାବ୍ୟ ମଧ୍ୟରେ ଏକ ଅନ୍ତର୍ଲୀନ କରୁଣରସ-ପ୍ରସ୍ରବଣର ଉତ୍ସମୁଖ ଅନାବୃତ ରଖି କାବ୍ୟର ବସ୍ତୁକାଠିନ୍ୟକୁ ହୃଦୟ ବେଦ୍ୟ କରି ଦେଇଛନ୍ତି । ପ୍ରଣୟମୂଳକ ଘଟଣା ଓ ବୀରରସୋଚିତ ଭୂମିକା ମଧ୍ୟରେ ଏପରି ଏକ ଭାବପ୍ରବାହ ସେ ସୃଷ୍ଟି କରିଅଛନ୍ତି, ଯଦ୍ଦ୍ୱାରା କାବ୍ୟର ବସ୍ତୁ ନୀରସତା ମାନବିକ ରସରେ ଜାରିତ ହୋଇ ଅନାୟାସରେ ରସିକ-ଗ୍ରାହକର ହୃଦୟ-ତୀର୍ଥରେ ଅଧିଷ୍ଠିତ ହୋଇପାରିଛି । ଘଟଣାଡ଼ମ୍ବର ଓ ବସ୍ତୁସମାରୋହ ଯେପରି ଉଚ୍ଚଗ୍ରାମରୁ ନିଆ ହୋଇଛି, ଠିକ୍ ସେହିପରି ଭାବ ଅନୁଭୂତିକୁ ସମାନ ସ୍ୱର ପର୍ଯ୍ୟାୟରେ ଉନ୍ନୀତ କରାଯାଇଛି ।

 

ପ୍ରକୃତି ମଧ୍ୟ ଦେଇ ମାନବିକ ପ୍ରକ୍ରିୟା ଏବଂ ମାନବ-ପ୍ରାଣରେ ପ୍ରକୃତିର ପ୍ରଭାବ ଲୀଳା ଯେପରି ସମତାଳରେ ଏ କାବ୍ୟରେ ଗତିଶୀଳ । ବସନ୍ତର ବିଜୟବାର୍ତ୍ତା ପ୍ରକୃତିରାଜ୍ୟରେ ଏକ ଉଲ୍ଲାସର ହିଲ୍ଲୋଳ ସଞ୍ଚାର କରିଦେଇଛି । ଚତୁର୍ଦ୍ଦିଗରେ ତାର ଅଭ୍ୟର୍ଥନା ପାଇଁ ବିପୁଳ ଆୟୋଜନ-। ତାର ଆତିଥ୍ୟ ସକାଶେ ଧରଣୀ ତତ୍ପରା, ନବମାଳିକା ଅର୍ଘ୍ୟ ହସ୍ତରେ ନୀରାଜନା କରେ, ଚନ୍ଦ୍ରିକା ଚକୋର ମୁଖରେ ସ୍ୱାଗତ ସମ୍ଭାଷଣ ଜଣାଏ । ପୃଥିବୀରେ ବସନ୍ତ ପାଦ ଦେବା ସଙ୍ଗେ ସଙ୍ଗେ ଧୀର ସମୀର, ଚନ୍ଦ୍ରିକା, ସୁକାନ୍ତି ଏବଂ ପୁଷ୍ପଶର ମଧ୍ୟ ଆସି ଉପସ୍ଥିତ । ଏହି ପାଞ୍ଚଜଣ ଆମୋଦରେ ତାଣ୍ଡବ ସୃଷ୍ଟିକଲେ ଧରଣୀରେ । ସମଗ୍ର ଜଗତ ଆଜି ସୁନ୍ଦର, ପ୍ରଭାବନ୍ତ, କାମାସକ୍ତ । ମାତ୍ର ଏହି ସୌନ୍ଦର୍ଯ୍ୟ, ଏହି ଆଲୋକ, ଏହି କାମନା-ବାସନା ମଧ୍ୟରେ କବି ଦେଖାଇଛନ୍ତି ଗୋଟିକର ସୁଖ ଅଭ୍ୟୁଦୟ ଏବଂ ଅନ୍ୟର ପତନ ବା ଦୁଃଖ । ସତେ ଯେମିତି ଏ ଜଗତ ଓ ପ୍ରକୃତି ମଧ୍ୟରେ ହର୍ଷ ଓ ବିଷାଦ ହାତ ଛନ୍ଦାଛନ୍ଦି ହୋଇ ଚାଲିଛନ୍ତି ଛାୟାଲୋକ ପରି ।

 

ସନ୍ତାପିତ ହେଲା ମଧ୍ୟାହ୍ନ ପିତୃପ୍ରସୂ ସୁନ୍ଦର

ପଲ୍ଲବିତ ହେଲେ ପାଦପେ, ଶୁଷ୍କ ନଦୀ-ଉଦର ।

କିଂଶୁକ-ରକତ-ବିଗ୍ରହ-ବନକାନ୍ତି ବଢ଼ିଲା,

ଚନ୍ଦ୍ରିକାର ନବ-ପ୍ରସୂତି ବିଭାବରୀ ସଢ଼ିଲା ।

ପ୍ରୀତି ପାରାବାରେ ଛାଡ଼ିଲେ ପ୍ରାଣ-ପୋତ ଯୋଗିଏ

ମଦନ ଅନଳ ତାପରେ ବିଚଳିତ ଯୋଗୀଏ ।

 

ଏପରି ଦୁଇଟି ବିପରୀତମୁଖୀନ ଚିତ୍ର ପରେ ପରେ ହିଁ ଯେପରି କାବ୍ୟର ପ୍ରକୃତ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଛି ।

 

ଏ ସମୟେ ମଧୁଶେଷରେ ହେଲା ମଙ୍ଗଳବାର,

ସମୟ ବିରାଟ ନାରୀଙ୍କ ବନଦୂର୍ଗା-ପୂଜାର ।

 

ଏଇଠୁଁ ଯେପରି ମଧୁ ବା ବସନ୍ତର ବିଜୟୋଲ୍ଲାସ ଏକ ପ୍ରତୀପ ଦିଗରେ ଗତି କରିବା ଆରମ୍ଭ କରୁଛି । ଗଙ୍ଗାଧରଙ୍କର ଏହି-ସଙ୍କେତ ମଧ୍ୟରେ ମନେପଡ଼େ ଇଂରାଜୀ କବି W. B. Auden ଙ୍କର-

 

In the hot night of summer

When the roses were red ପଂକ୍ତିଟି ମନେପଡ଼େ । ଗଙ୍ଗାଧରଙ୍କ ଉପର୍ଯ୍ୟୁକ୍ତ ବର୍ଣ୍ଣନା ମଧ୍ୟରେ କାବ୍ୟର ମୂଳରାଗିଣୀ ଯେପରି ପାଠକ-ପ୍ରାଣରେ ଧ୍ୱନିତ ହୋଇ ଉଠିଛି ।

 

କ୍ଲାସିକ୍ ଯୁଗ ଶକ୍ତିସଞ୍ଚୟର ଯୁଗ । ଏହା କାବ୍ୟର ସ୍ଥିତି ପର୍ବ । ଏ ଯୁଗର ଗମ୍ଭୀର ଭାବଜ୍ଞାପକ ଅଳଙ୍କାର ଶୃଙ୍ଖଳ ରୋମାଣ୍ଟିକ୍ ଯୁଗରେ ଲଘୁପକ୍ଷ ବିସ୍ତାର କରି କାବ୍ୟକୁ ଶୂନ୍ୟାଭିମୁଖୀ କରେ । ସୁତରାଂ, ପ୍ରତ୍ୟେକ ରୋମାଣ୍ଟିକ ଯୁଗର ପୂର୍ବରେ ଶକ୍ତି ସଞ୍ଚୟ ସକାଶେ କ୍ଲାସିକ୍‌ ଯୁଗର ଉପକ୍ରମଣିକା ରହିଥାଏ । ସେତେବେଳେ ଦୀର୍ଘ ଅବ୍ୟବହାର-ମାଳିନ୍ୟଦ୍ୱାରା କଳଙ୍କିଧରା ଦୁରୂହ ଶବ୍ଦପ୍ରୟୋଗରେ, ବିଦେଶୀଭାବ ସ୍ୱୀକରଣରେ ଗମ୍ଭୀର ପ୍ରକାଶ-ରୀତିରେ, ଘନ ପିନଦ୍ଧ ନାଟକୀୟ କାହାଣୀରେ; ବିଚିତ୍ର ପଟ୍ଟଭୂମି ବିସ୍ତାରଦ୍ୱାରା କାବ୍ୟଧାରାର ଭିତ୍ତିଭୂମିକୁ ଗ୍ରାନାଇଟ୍‌ ସ୍ତର ସଦୃଶ ଦୃଢ଼ କରି-ଗଢ଼ିବାର ପ୍ରୟାସ ହୋଇଥାଏ । ଦୁର୍ବଳ ଭାବାଳୁତା, ଚଟୁଳ ଲୌକିକଭାବ-ବିଳାସ, ଲଘୁ-ତରଳ ଘଟନାବିନ୍ୟାସ, ଆବେଗ ଉଚ୍ଛ୍ୱସିତ କାହାଣୀ ସେଥିପାଇଁ କ୍ଲାସିକ୍ ଯୁଗର କାବ୍ୟମାଳାରେ ସ୍ଥାନ ପାଏନା । କ୍ଲାସିକ୍‌ ଯୁଗର ଏଇ ସଂଯମ ରୋମାଣ୍ଟିକ୍ ଯୁଗର ଭାବୋଚ୍ଛ୍ୱାସକୁ ଗ୍ରାହ୍ୟଶକ୍ତି ଦାନ କରେ । ଅଧିକନ୍ତୁ ହିମାଳୟ ଶୃଙ୍ଗର ସଂହତ ତୁଷାରରାଜି ତୁଲ୍ୟ କ୍ଲାସିକ୍‌ ଯୁଗର ସଞ୍ଚିତ ଭାବଭଣ୍ଡାର ରୋମାଣ୍ଟିକ୍ କବି-କଳ୍ପନାର ଉତ୍ତାପରେ ବିଗଳିତ ହୋଇ ଗୀତି କବିତାର ଅସଂଖ୍ୟ ଝରଣାର ଧାରା ପ୍ରବାହ ପୂର୍ବକ ରୋମାଣ୍ଟିକ୍ ଯୁଗକୁ ସଜୀବ ଓ ରସସିକ୍ତ କରେ । ସୁତରାଂ, କ୍ଲାସିକ୍ ଯୁଗ ରୋମାଣ୍ଟିକ୍ ଯୁଗର ଭାବୋତ୍ସ ସ୍ଥଳ ।

 

ଗଙ୍ଗାଧର କ୍ଲାସିକ୍ କବି ହେଲେ ମଧ୍ୟ ରୋମାଣ୍ଟିକ୍ କବି-କଳ୍ପନାକୁ ସେ ସମ୍ପୂର୍ଣ୍ଣ ଉପେକ୍ଷା କରିପାରି ନାହାନ୍ତି । ସେ ଯୁଗପତ୍ କ୍ଲାସିକ୍ କାବ୍ୟାଦର୍ଶ-ଅନୁସରଣ କରିଅଛନ୍ତି ଏବଂ ‘ଗୋଟିଏ ଧାନ୍ୟ-ଶିଷାର ଶୀର୍ଷରେ ଝଲମଲ କରୁଥିବା ଶିଶିର ବିନ୍ଦୁ’ର ସୌନ୍ଦର୍ଯ୍ୟକୁ ସହଜ ଓ ଅକୃତ୍ରିମଭାବେ ପ୍ରକାଶ କରିଛନ୍ତି । କବିଙ୍କର ଏଇ ଗୀତିପ୍ରବଣତା ତାଙ୍କର କ୍ଲାସିକ କାବ୍ୟ ରଚନା ଉପରେ ପ୍ରଭାବ ବିସ୍ତାରପୂର୍ବକ ତା’ର ନିରନ୍ଧ୍ରତାର ଭିତରେ ବହିଃପ୍ରକୃତିର ମୁକ୍ତମଳୟର ପ୍ରବେଶ-ପଥ ସୁଗମ କରିଦେଇଛି । ‘କୀଚକ ବଧ’ର ତୃତୀୟ ସର୍ଗରେ ରୋମାଣ୍ଟିକ୍ କଳ୍ପନା-ସୁଲଭ ବହିଃପ୍ରକୃତିର ବର୍ଣ୍ଣନ ଚିତ୍ର ବିସ୍ତାର ଅସୁଲଭ ନୁହେ । ଏଥିରେ ପ୍ରକୃତି ବର୍ଣ୍ଣନା ମଧ୍ୟରେ ଚମତ୍କୃତି ଆନୟନ ଏକ ରମଣୀୟ ବିଭବ । ‘‘ରସେ ସାରଃ ଚମତ୍କାରଃ ସର୍ବତ୍ରାପ୍ୟନୁଭୂୟତେ” (ସା: ଦ:) । କିନ୍ତୁ ଏପରି ବହିଃପ୍ରକୃତିର ଚିତ୍ର-ଚମତ୍କୃତି କେବଳ ନୁହେ, ଅଧିକନ୍ତୁ ଅନ୍ତଃପ୍ରକୃତିର ମନୋଜ୍ଞ ରୂପ ବିଭବ ଅଙ୍କନ କରି ସେ ମାନବ ଓ ପ୍ରକୃତି ମଧ୍ୟରେ ଯେଉଁ ନିବିଡ଼ ସଂଯୋଗ ଓ ସହମର୍ମିତା ସ୍ଥାପନ କରିଅଛନ୍ତି, ତାହା ତାଙ୍କ ପୂର୍ବ ଓଡ଼ିଆ ସାହିତ୍ୟରେ ଏକ ସ୍ୱପ୍ନ ଥିଲା କହିଲେ ଚଳେ ।

 

ପାପ ଉପରେ ପୁଣ୍ୟର, ଅଧର୍ମ ଉପରେ ଧର୍ମର କିପରି ଅଭ୍ୟୁଦୟ ଘଟେ ଏବଂ ପାପର କୀଚକ କିପରି ଧର୍ମ-ପାଣ୍ଡବ ହସ୍ତରେ ନିହତ ହୁଏ, ତାହାର ଏକ ପ୍ରତୀକ ବା ସଂକେତଧର୍ମୀ ଚିତ୍ର ଆମେ ‘କୀଚକ ବଧ’ର ଆଉ ଏକ ପ୍ରକୃତି ବର୍ଣ୍ଣନାରୁ ପାଇଥାଉଁ । ମାନବର ସୁଖଦୁଃଖ, ପତନ-ଅଭ୍ୟୁଦୟ, ଜୟ ପରାଜୟ ସହିତ ଏ ପ୍ରକୃତି କିପରି ସହଧର୍ମିତା, ସହମର୍ମିତା ସ୍ଥାପନ କରିପାରେ ଦେଖନ୍ତୁ-

 

ବହୁ ବିଳମ୍ବରେ ସୁଧାକର ଚନ୍ଦ୍ର ପଡ଼ିଗଲେ କାଳବଳେ

ବାରଣ ଗ୍ରାସରେ କପିତଥ ପରାୟେ ବାରୁଣୀ ମହା କବଳେ ।

 

ଛିଣ୍ଡାଇ କୁସୁମ-ହାର ବିଭାବରୀ ବଲ୍ଲଭ-ବିରହ ଦୁଃଖେ,

କେତେ ବିଳପିଲା ବିକଳ ବାକ୍ୟରେ କଜ୍ଜଳପତ୍ରୀର ମୁଖେ ।

 

ଶେଷେ କାବ୍ୟ-ମଣି-କୁନ୍ତଳା ପଶିଲା ଅରୁଣ-ଚିତା-ଅନଳେ,

ଧୂମରାଶି ଯା’ର ବାଷ୍ପ ବ୍ୟପଦେଶେ ଉଠିଲା ଜଳଧି ଜଳେ । ଇତ୍ୟାଦି ।

 

ସୂର୍ଯ୍ୟଙ୍କ ପ୍ରଭା ବିଭବରେ ପ୍ରଭାବନ୍ତ ଚନ୍ଦ୍ରପରି ପାପାନ୍ଧ କାମୀ କୀଚକ ବିରାଟ ରାଜାଙ୍କ ବିଭବରେ ବିଭବବନ୍ତ । ପାପର ପରିଣାମ ସଂଘଠିତ ହେବାକୁ ଅବଶ୍ୟ ଟିକିଏ ବିଳମ୍ବ ଲାଗେ । ବାରୁଣୀ ଅସ୍ତ ବା ଲୟର ଦିଗ । ଏହାର କବଳରେ ଚନ୍ଦ୍ର କବଳିତ ହେଲାପରି କୀଚକର ଅଧର୍ମ ବା ପାପବୃକ୍ଷ ଫଳିତ ହୋଇ ଧର୍ମରାଜଙ୍କ କୁଠାରାଘାତରେ ତାର ଛେଦନ ହୋଇଛି । ଏହି ଇଙ୍ଗିତ, ଏହି ସତର୍କ-ସୂଚନା ଉପର୍ଯ୍ୟୁକ୍ତ ପ୍ରକୃତି ବର୍ଣ୍ଣନା ମଧ୍ୟରେ ସୂକ୍ଷ୍ମ-ସୂଚିତ ।

 

ପକ୍ଷାନ୍ତରେ ଧର୍ମର ଅଭ୍ୟୁଦୟ ବା ବିଜୟ ପାପ ଉପରେ କିପରି ସୂଚିତ ହୋଇଛି, ତାହା–

 

ଉଦୟ ପର୍ବତ ଉଚ୍ଚ ସିଂହାସନେ ପାରି ସ୍ୱର୍ଣ୍ଣ-ଆସ୍ତରଣ,

ମରୀଚି-ମୁକୁଟ ଶିରେ ଦିନରାଜ କଲେ ଶୁଭ ଆରୋହଣ ।

ଟେକିଲା ନଳିନୀ ପଦ୍ମ-ରାଜଛତ୍ର ରବି ପ୍ରତିବିମ୍ବ ଶିରେ

ମତ୍ସ୍ୟ ଦ୍ୱିଜଗଣ ଅଭିଷେକ କଲେ ଉତ୍‌କ୍ଷିପ୍ତ ବିମଳ ନୀରେ ।

ବେଦ ପ୍ରଚାରିଲେ ମଧୁର ବିରୁତ ଧବଳ ଗରୁଡ଼ମାନେ,

ଚକ୍ରବାକ ତହିଁ ବିସ-ଖଣ୍ଡ ବଲି ଦଣ୍ଡ ଧରି ଆସେ ସନ୍ନିଧାନେ ।

ନିଶାଚରଙ୍କର ଉପଦ୍ରବ ସୌର-ରାଜ୍ୟରେ ରହିଲା ନାହିଁ,

ଚୌରେ ହେଲେ ଭୀତ ତିମିର-ଅରାତି ଲୁଚିଗଲେ କାହିଁ କାହିଁ ।

 

ଅନ୍ଧକାର ବା ରାତ୍ରି ପାପ ବା ଅଧର୍ମର ପ୍ରତୀକ । ଏହାର ମୃତ୍ୟୁ ବା ତିରୋଧାନ ପରେ ପୂର୍ଣ୍ଣ ଓ ଧର୍ମର ପ୍ରତୀକ ସୂର୍ଯ୍ୟୋଦୟର ବର୍ଣ୍ଣନା ଅଧର୍ମ ଉପରେ ଧର୍ମ ପ୍ରସ୍ଥାପନର ସୂଚନା ଦିଏ । ଏହି ଧର୍ମ ପୁଣି ଉଦୟ ପର୍ବତରୂପକ ଉଚ୍ଚ ସିଂହାସନରେ ସ୍ୱର୍ଣ୍ଣ ଆସ୍ତରଣ ବିଛାଇ, କିରଣର ମୁକୁଟ ପିନ୍ଧି ଆରୋହଣ କରିଅଛନ୍ତି । କାରଣ ଏହି ଧର୍ମରାଜ ପୁଣି ଦିନରାଜ ମଧ୍ୟ । ‘‘ଟେକିଲା ନଳିନୀ ପଦ୍ମ-ରାଜଛତ୍ର ରବି ପ୍ରତିବିମ୍ବ ଶିରେ’’ ପାଦଟିର ଅର୍ଥ ତାତ୍ପର୍ଯ୍ୟପୂର୍ଣ୍ଣ । ଧର୍ମ ବା ସୂର୍ଯ୍ୟଙ୍କର ପ୍ରିୟବଲ୍ଲଭା ନଳିନୀ (ପଦ୍ମିନୀ) ଏବଂ ପଦ୍ମିନୀ ଜାତୀୟା ସ୍ତ୍ରୀ ଦୌପଦୀଙ୍କର ସ୍ୱାମୀ ମଧ୍ୟ ଧର୍ମରାଜ ଯୁଧିଷ୍ଠିର । ତେଣୁ ‘ପଦ୍ମିନୀ ପଦ୍ମ-ରାଜଛତ୍ର ରବି ପ୍ରତିବିମ୍ବ ଶିରେ ଟେକିବା’ ବର୍ଣ୍ଣନଚାତୁରୀ ମଧ୍ୟରେ ଧର୍ମର ଜୟ ଓ ପାପର କ୍ଷୟ ସୂଚିତ ହୁଏ । ‘ନଳିନୀ’ ବା ପଦ୍ମିନୀ ଦ୍ରୌପଦୀଙ୍କର ପ୍ରତୀକ ବା ଧ୍ୱନ୍ୟାର୍ଥ । ଏହି ଧର୍ମ ରାଜ୍ୟରେ ସୌରାଚାରୀ, ପାପୀ, ଅଧର୍ମୀ କୁଆଡ଼େ ଅନ୍ତର୍ହିତ ହୋଇଗଲେ । ଏହି ପୁଣ୍ୟ-ରାଜ୍ୟର ସମସ୍ତ ପ୍ରଜା ଏବେ ନିଃଶଙ୍କ, ନିରାପଦଭାବରେ ଜୀବନ ଯାପନ କଲେ ।

 

କାବ୍ୟର ଚତୁର୍ଥ ସର୍ଗରେ ଦୂତୀ ଚପଳା ଓ କାମୀ କୀଚକ ତଥା ଚପଳା ଓ ସୈରିନ୍ଧ୍ରୀଙ୍କର ବାର୍ତ୍ତାଳାପ ମଧ୍ୟରେ ସେମାନଙ୍କର ଚରିତ୍ର-ଚିତ୍ରଣ ତଥା କାବ୍ୟର ଚମତ୍କାରିତା ପାଠକ ଆଗରେ ସ୍ପଷ୍ଟ ହୋଇଉଠେ ।

 

ପଞ୍ଚମ ସର୍ଗର ପ୍ରାରମ୍ଭରେ-

‘‘ପୁରଶଙ୍ଗେ ଗରଜଇ କୀଚକ କେଶରୀ,

ବୀରପଣେ ବସୁଧାରେ ମୋ ତୁଲେ କେ ସରି ।

 

ମେଦିନୀ କମ୍ପଇ ମୋର ଭୁଜ ପରତାପେ,

ପରଗଣ ସନ୍ତପତ ସତତ ମୋ ତାପେ ।

 

ଜଗତରେ ଉଡ଼ୁଅଛି ମୋ ଯଶ କେତନ,

ଧନୁର୍ନାଦେ ଚମକଇ ଯମ ନିକେତନ ।

x      x      x

ଗନ୍ଧର୍ବେ ଅଛନ୍ତି ଯେବେ ତା’ର ପଞ୍ଚପତି,

ଗନ୍ଦର୍ବ କରିବ ତାଙ୍କୁ ମୋର ଶର ପଂକ୍ତି ।’’

 

କିନ୍ତୁ ଷଷ୍ଠ ସର୍ଗର ଉପସଂହାରରେ-

‘‘ନ ସହି ଭୀମର ବଜ୍ରମୁଷ୍ଟି ମହାଘାତ,

ଶେଷେ ହେଲା କୀଚକର ଶରୀର ନିପାତ ।

କରି ଏକ ଭୟଙ୍କର ଗଭୀର ଗର୍ଜ୍ଜନ,

ଓଲଟାଇ ଚକ୍ଷୁ କଲା ପ୍ରାଣ ବିସର୍ଜ୍ଜନ ।’’

 

ଏବଂ ସପ୍ତମ ସର୍ଗର ପ୍ରାନ୍ତରେ-

‘‘କୀଚକପୁର ବଧୂଗଣ-

ନୟନ କନ୍ଦରୁ ହେଲା ଅଶ୍ରୁ ଝରଣ ।

ମୁକ୍ତକେଶ ବ୍ୟସ୍ତ ବାସେ            ଊର୍ଦ୍ଧ୍ୱଦୀର୍ଘ ଉଷ୍ଣଶ୍ୱାସେ

ଶିରେ ଉରେ କର ମାରି ଦୀନ ନୟନେ

 

ପଙ୍କିଳକଲେ ଚତ୍ୱର                  ପଡ଼ି ଗଡ଼ି ଥରଥର

ଲୋତକ-ପଙ୍କିଳ-ଗଣ୍ଡ-ଉରଜାଗଣେ

ଗଭୀର କ୍ରନ୍ଦନ ନିଃସ୍ୱନ

ପୁର ପ୍ରତିଧ୍ୱନି ଘେନି ହେଲା ସୁଘନ ।’’

 

ଏ ସମସ୍ତ ବର୍ଣ୍ଣନାର ଅନ୍ତରାଳରେ ‘କୀଚକବଧ’ କାବ୍ୟର ଅନ୍ତଃସ୍ୱର ‘କାରୁଣ୍ୟ’ ପରିଶେଷରେ କୁହେଳିକାମୁକ୍ତ ସୂର୍ଯ୍ୟାଲୋକ ପରି ସ୍ପଷ୍ଟ ହୋଇ ଉଠେ । ‘କୀଚକ-ବଧ’ କାବ୍ୟର ଉପଜୀବ୍ୟ ହେଉଛି ବୀରରସ । ପାପ ପ୍ରଣୟକୁ ନେଇ ଏହି ବୀରରସ ସର୍ବୋଚ୍ଚ ଗ୍ରାମକୁ ଉନ୍ନୀତ ହୋଇ ଷଷ୍ଠ ଓ ସପ୍ତମ ସର୍ଗରେ କାରୁଣ୍ୟର ବେଳାଭୂମିକୁ ଓହ୍ଲାଇ ଆସିଛି । ଏ କାବ୍ୟରେ ବୀରରସର ପରିଣତି କ୍ରମେ କରୁଣରସରେ ନିମଜ୍ଜିତ ହୋଇ ଥିବା ଲକ୍ଷ୍ୟ କରି କେହି କେହି ଏହି ଉଭୟ ରସ ମଧ୍ୟରେ ଏକ ବିରୋଧ ଓ ବୈପରୀତ୍ୟର କଳ୍ପନା କରି ପାରନ୍ତି । କିନ୍ତୁ ପ୍ରକୃତ କ୍ଲାସିକ୍‌ କାବ୍ୟରେ ଏହି ଦୁଇ ଆପାତ ବିରୋଧୀ ଭାବ ଏକତ୍ର ସନ୍ନିବିଷ୍ଟ ଓ ପରସ୍ପରର ପରିପୂରକ । ‘ବୀରତ୍ୱ’ ଏହି ଶବ୍ଦଟି ଶୂନ୍ୟ ଆସ୍ଫାଳନ ମାତ୍ର ନୁହେଁ । ପ୍ରତିଯୋଦ୍ଧାର ପରାଜୟ ଓ ହନନର ଉପରେହିଁ ଏହାର ସିଂହାସନ ପ୍ରତିଷ୍ଠିତ ।

 

କରୁଣ ରସର ଅପରିହାର୍ଯ୍ୟ ସ୍ଫୁରଣ ବ୍ୟତୀତ ବୀରରକ୍ତର ଅଭିବ୍ୟକ୍ତି ଅସମ୍ଭବ । ମହାକାବ୍ୟୀୟ ବୀରରସ ଯେପରି ଶୋକ-ପାରାବାର ମଧ୍ୟରେ ଅର୍ଦ୍ଧ-ନିମଗ୍ନ, ଇନ୍ଦ୍ର ବଜ୍ରାହତ ମୈନାକ । କ୍ଷୀରୋଦ ସମୁଦ୍ରଶାୟୀ, ଅନନ୍ତ ଶଯ୍ୟାଶ୍ରୟୀ ନାରାୟଣ ସଦୃଶ ଏହାର ଅଙ୍ଗରୁ ଦିବ୍ୟଜ୍ୟୋତି ନିଃସୃତ, ମୃତ୍ୟୁର ଝଟିକାବିଧ୍ୱସ୍ତ, ଅଶ୍ରୁପ୍ଲାବିତ ଆକାଶରେ ଏହାର ବିଦ୍ୟୁତ ସ୍ଫୁରଣ । ଲୌହବର୍ମର ସଙ୍ଗେ ସଙ୍ଗେ କୋମଳ, ବେପଥୁମାନ ହୃଦୟ, ଅସ୍ତ୍ରର ଝନତକାର ସହିତ ଅଳଙ୍କାର ସିଞ୍ଜିତ, ନିର୍ମମ ଅନମନୀୟ ସଂକଳ୍ପସହ କରୁଣ, ଅଶ୍ରୁସିକ୍ତ ବିଳାପ-କ୍ଲାସିକ୍ କାବ୍ୟର ଉଦାର ପ୍ରାଙ୍ଗଣରେ ସଦା ବିଚରଣଶୀଳ, ନିତ୍ୟସହଚର ।

 

ସୁତରାଂ, ବୀର ଓ କରୁଣରସର ଅଙ୍ଗାଙ୍ଗୀ ସମନ୍ୱୟରେ ଉଚ୍ଚାଙ୍ଗ କାବ୍ୟର ଭାବ-ସଂଶ୍ଳେଷ ସଙ୍ଗଠିତ । ରଣାଙ୍ଗନର ଶରାକୀର୍ଣ୍ଣ ବିଭତ୍ସତାର ମଧ୍ୟରେ ବ୍ୟଥାଦୀର୍ଣ୍ଣ ଅନ୍ତରର ଶୋକୋଚ୍ଛ୍ୱାସ ସ୍ମୃତିଦୀପ ହସ୍ତରେ ହୃତ ପ୍ରିୟଜନଙ୍କୁ ଅନ୍ୱେଷଣ କରିଥାଏ । ଗଙ୍ଗାଧରଙ୍କ କ୍ଲାସିକ୍ କାବ୍ୟ ‘କୀଚକବଧ’ ତାର ଆମୂଳାନ୍ତ ବକ୍ତବ୍ୟ ଓ ଆଖ୍ୟାନ ମଧ୍ୟରେ ଆମକୁ ନିୟତିର ସେହି ପରମ ଓ ଚରମବାର୍ତ୍ତା ଶୁଣାଇ ଓଡ଼ିଆ କାବ୍ୟରେ ଅପ୍ରତିନ୍ଦ୍ୱନ୍ଦ୍ୱୀ କାବ୍ୟ ପ୍ରତିଷ୍ଠା ଲାଭ ସହିତ ତାର ମହନୀୟ କାବ୍ୟ-ଗୌରବ ଅକ୍ଷୁଣ୍ଣ ରଖିଛି ।

 

***

 

Unknown

ସଂସ୍କୃତ ପୁରାଣ ସାହିତ୍ୟ

ଶ୍ରୀ ଭଗବାନ ପଣ୍ଡା

 

ପୁରାଣର ପ୍ରତିପାଦ୍ୟ ବିଷୟ-

‘‘ଇତିହାସ ପୁରାଣାଭ୍ୟାଂ ବେଦଂ ସମୁପବୃଂହୟେତ୍’’-ମହାଭାରତାଦି ଇତିହାସ ଗ୍ରନ୍ଥ ଓ ପୁରାଣ ସାହିତ୍ୟ ହିଁ ବୈଦିକ ଜ୍ଞାନର ଗନ୍ତାଘର ରୂପେ ସ୍ୱୀକୃତ । ବୈଦିକୋତ୍ତର ଲୌକିକ ସଂସ୍କୃତ ସାହିତ୍ୟରେ ପୁରାଣ ହିଁ ବିପୁଳତମ ସୃଷ୍ଟି । ପ୍ରାକ୍ ପୁରାଣକାଳୀନ ବେଦ ବେଦାନ୍ତ ପ୍ରଚୋଦିତ ଜ୍ଞାନ ଓ କର୍ମର ପ୍ରକାଶ ତଥା ପରିପ୍ରସାର ସହିତ ଜନତାର ସହଜ ଅବଗତି ନିମିତ୍ତ ମନୋରମ ଦୈବିକ ଓ ଲୌକିକ ଉପାଖ୍ୟାନର ରଚନା ସଙ୍କଳନ ହିଁ ପୁରାଣ ସାହିତ୍ୟର ମୁଖ୍ୟ ଆଭିମୁଖ୍ୟ ।

 

‘‘ପୁରା ଭବଃ ବେଦଃ; ପୂରାଭବଂ ପୁରା ନୀୟତେ ବା ପୁରାଣମ୍’’-ଯାହା ଅତୀତ କାଳୀନ ଜ୍ଞାନ ବିଜ୍ଞାନର ଐତିହାସିକ ବିବରଣ ପ୍ରଦାନ କରେ ବା ଯାହାଦ୍ୱାରା ପ୍ରାକ୍ତନ ମାନବ ସମାଜର ଘଟଣାବହୁଳ ଜୀବନ ଯାତ୍ରାର ପରିଚୟ ମିଳେ ବା ଯାହା ଅଧ୍ୟୟନ କଲେ ଦୂର ଅତୀତର ବିସ୍ମୃତ ଇତିହାସ ଜୀବନ୍ତ ଭାବେ ଉପଲବ୍‌ଧି କରିହୁଏ ତାହା ପୁରାଣ ନାମରେ ଅଭିହିତ । ସଂକ୍ଷେପରେ କହିଲେ-ପୁରାଣର ଅର୍ଥ ଇତିହାସ । ପୁରାଣ ଓ ଇତିହାସର ବା ଇତିହାସ ଭୂତ ପୁରାଣର ପ୍ରତିପାଦ୍ୟ ବିଷୟ ହେଲା ବେଦ ବା ଜ୍ଞାନ । ଋଗ୍‌ବେଦର ଉପୋଦ୍‌ଘାତରେ ପୁରାଣର ଅର୍ଥ ନିମ୍ନପ୍ରକାରେ ଉଲ୍ଲିଖିତ ଅଛି-‘‘ଇଦଂ ବା ଅଗ୍ରେଣେବ କିଞ୍ଚିଦାସୀଦିତ୍ୟାଦିକଂ ଜଗତଃ ପ୍ରାଗବସ୍ଥାସୁପକ୍ରମ୍ୟ ସର୍ଗପ୍ରତିପାଦକଂ ବାକ୍ୟଜାତଂ ପୁରାଣମ୍’’-ଜଗତର ପ୍ରାରମ୍ଭାବସ୍ଥାଠାରୁ ସୃଷ୍ଟିର କ୍ରମବିବର୍ତ୍ତନ ବିଷୟକ ବର୍ଣ୍ଣନାକୁ ପୁରାଣ କହନ୍ତି । ବୃହଦାରଣ୍ୟକ ଉପନିଷଦ୍‌ର ଉଲ୍ଲେଖ ଅନୁସାରେ-‘‘ଅସ୍ୟ ମହତୋ ଭୂତସ୍ୟ ନିଃଶ୍ୱସିତ ମେତଦ୍ ଯଦୃଗ୍‌ବେଦୋ ଯଜୁର୍ବେଦଃ ସାମବେଦୋଽଥର୍ବାଙ୍ଗିରସଃ ଇତିହାସଃ ପୁରାଣମ୍’’ ଏହି ମହାଭୂତଙ୍କ (କ୍ଷିତ୍ୟପ୍‌ତେଜମରୁଦ୍‌ବ୍ୟୋମ) ଆଧାରଭୂତ ପରମେଶ୍ୱରଙ୍କ ନିଃଶ୍ୱାସ ହେଉଛି ଯେଉଁ ଋଗ୍, ଯଜୁ; ସାମ ଓ ଅଥର୍ବାଦି ଚତୁର୍ବେଦ ତାହାର ଇତିହାସ ବା ଚତୁର୍ବେଦ ଓ ଇତିହାସର ସମ୍ମିଳିତ ସ୍ୱରୂପ ହିଁ ପୁରାଣ । ପୁରାଣର ଉପର୍ଯ୍ୟୁକ୍ତ ଆଭିମୁଖ୍ୟ; ଉପଜୀବ୍ୟ ବିଷୟ ତଥା ବ୍ୟାଖ୍ୟାମାନ ସାମୂହିକ ଭାବରେ ନିମ୍ନୋଦ୍ଧୃତି ମଧ୍ୟରେ ପ୍ରତିପାଦିତ ହୋଇଥିବା ଦେଖାଯାଏ-‘‘ଋଗ୍‌ବେଦୋ ଯଜୁର୍ବେଦଃ ସାମବେଦୋଽଥର୍ବାଙ୍ଗି ରସ ଇତିହାସଃ ପୁରାଣଂ, ବିଦ୍ୟା ଉପନିଷଦଃ ଶ୍ଳୋକାଃ, ସୂତ୍ରାଣି ଅନୁବ୍ୟାଖ୍ୟାନାନି ବ୍ୟାଖ୍ୟାନାନି ।’’

 

ପ୍ରଳୟ କାଳରେ ଏକମାତ୍ର ଅବଶେଷ ପରମାତ୍ମାଙ୍କଠାରୁ ଋକ୍, ଯଜୁ, ସାମ, ଅଥର୍ବାଦି ସହିତ ପୁରାଣ ଉତ୍ପନ୍ନ ହୋଇଥିଲା ।

 

ଋଚଃ ସାମାନି ଛନ୍ଦାଂସି ପୁରାଣଂ ଯଜୁଷାଂ ସହ

ଉଛିଷ୍ଟାଜ୍ଜଜ୍ଞିରେ ସର୍ବେ ଦିବି ଦେବା ଦିବିଶ୍ରିତଃ ।।

(ଅଥର୍ବ-୧୧-୭-୧-୨୪)

 

ମନୁସ୍ମୃତିରେ ମହର୍ଷି ମନୁ ଶ୍ରାଦ୍ଧ କାଳରେ ପିତୃପୁରୁଷଙ୍କୁ ପୁରାଣ ଶୁଣାଇବାର ବିଧି ନିର୍ଦ୍ଦେଶ କରିଛନ୍ତି-

 

ସ୍ୱାଧ୍ୟାୟଂ ଶ୍ରାବୟେତ୍ ପିତ୍ର୍ୟେ ଧର୍ମଶାସ୍ତ୍ରାଣି ଚୈବହି ।

ଆଖ୍ୟାନମିତିହାସାଂଶ୍ଚ ପୁରାଣାନ୍ୟଖିଳାନିଚ ।।

 

ଯାଜ୍ଞବଳ୍‌କ୍ୟ ସ୍ମୃତିରେ ମଧ୍ୟ ଉଲ୍ଲିଖିତ ଅଛି-

 

ପୁରାଣଂ ନ୍ୟାୟ ମୀମାଂସା ଧର୍ମ ଶାସ୍ତ୍ରାଙ୍ଗ ମିଶ୍ରିତାଃ ।

ବେଦାଃସ୍ଥାନାନି ବିଦ୍ୟାନାଂ ଧର୍ମସ୍ୟ ଚ ଚତୁର୍ଦ୍ଦଶ ।।

(ଯାଜ୍ଞ ସ୍ମୃତି-ଅ-୧ ଶ୍ଳୋ-୩)

 

ମହାଭାରତର ଉଲ୍ଲେଖ ଅନୁଯାୟୀ ପୁରାଣାଦି ଶାସ୍ତ୍ରକୁ ହେତୁବାଦଦ୍ୱାରା ଖଣ୍ଡନ କରାଯାଇ ନ ପାରେ-

 

ପୁରାଣଂ ମାନବୋଧର୍ମଃ ସାଙ୍ଗୋ ବେଦଶ୍ଚିକିତ୍ସିତମ୍ ।

ଆଜ୍ଞାସିଦ୍ଧାନି ଚତ୍ୱାରି ନ ହନ୍ତବ୍ୟାନି ହେତୁ ଭିଃ ।।

 

ମତ୍ସ୍ୟ ପୁରାଣର ଉଲ୍ଲେଖ ଅନୁସାରେ ନିମ୍ନୋକ୍ତ ଲକ୍ଷଣ ଲକ୍ଷିତ ରଚନା ବିଶେଷ ହିଁ ପୁରାଣ ପଦବାଚ୍ୟ ହୋଇଥାଏ-

 

‘‘ସର୍ଗଶ୍ଚ ପ୍ରତିସର୍ଗଶ୍ଚ ବଂଶୋ ମନ୍ୱନ୍ତରାଣିଚ ।

ବଂଶାନୁଚରିତଂ ଚେତି ପୁରାଣଂ ପଞ୍ଚଲକ୍ଷଣମ୍ ।।

 

ଏତଦ୍‌ବ୍ୟତୀତ ମହାପୁରାଣର ଦଶ ବା ଦଶାଧିକ ଲକ୍ଷଣ ଥିବା ବିଷୟ ନିମ୍ନୋଦ୍ଧୃତିରୁ ପ୍ରମାଣିତ ହୁଏ-

 

‘‘ସୃଷ୍ଟିଶ୍ଚାପି ବିସୃଷ୍ଟିଶ୍ଚ ସ୍ଥିତିତୋଷାଂଚ ପାଳନମ୍ ।

କର୍ମଣାଂ ବାସନା ବାର୍ତ୍ତା ମନୁନାଂଚ କ୍ରମେଣ ଚ ।।

 

ବର୍ଣ୍ଣନଂ ପ୍ରଳୟାନାଂ ଚ ମୋକ୍ଷସ୍ୟଚ ନିରୂପଣମ୍ ।

ଦଶାଧିକଂ ଲକ୍ଷଣଂ ଚ ମହତାଂ ପରିକୀର୍ତ୍ତିତମ୍ ।।’’

 

ଶ୍ରୀମଦ୍ ଭାଗବତରେ ପୁରାଣର ଦଶବିଧ ଲକ୍ଷଣ ନିମ୍ନପ୍ରକାରେ ବର୍ଣ୍ଣିତ ହୋଇଅଛି-

 

୧.

ସର୍ଗ-ସତ୍ତ୍ୱ, ରଜ, ତମ-ଗୁଣତ୍ରୟଯୁକ୍ତ ଇନ୍ଦ୍ରିୟ ପରତନ୍ତ୍ର ପ୍ରାଣୀ ଜଗତର ସୃଷ୍ଟି ବିବରଣ ।

୨.

ବିସର୍ଗ-ବାସନାମୟ ଜଗତର ପରିଚୟ ।

ବୃତ୍ତି-ମାନବ ସହିତ ଚର ଅଚର ସମସ୍ତ ପ୍ରାଣୀ ଜଗତର କାମନା ସୃଷ୍ଟି ଓ ସୃଷ୍ଟି କାରଣ ପରିଚୟ ।

୪.

ରକ୍ଷା-ଦେବତା, ଋଷି ଓ ମାନବଙ୍କର ଶତ୍ରୁ ବିନାଶ ନିମିତ୍ତ ଯୁଗେ ଯୁଗେ ଅଚ୍ୟୁତଙ୍କର ଅବତାର ବିଷୟ ବର୍ଣ୍ଣନ ।

୫.

ମନ୍ୱନ୍ତର-ଚତୁର୍ଦ୍ଦନ ମନୁ, ଦେବତା, ମାନବ, ଇନ୍ଦ୍ର, ଋଷି ଓ ଅଂଶାବତାର ପ୍ରଭୃତି ଭଗବାନଙ୍କର ଷଡ଼୍‌ବିଧ ସ୍ୱରୂପ ବର୍ଣ୍ଣନା ।

୬.

ବଂଶ-ବ୍ରହ୍ମାଙ୍କଠାରୁ ପ୍ରସୂତ ରାଜବଂଶର ତ୍ରିକାଳ ବର୍ଣ୍ଣନା ଅର୍ଥାତ୍ ଭୂତ, ବର୍ତ୍ତମାନ ଓ ଭବିଷ୍ୟତ ରାଜବଂଶର କ୍ରମବିବରଣ ।

୭.

ବଂଶାନୁଚରିତ-ରାଜା ତଥା ସେମାନଙ୍କ ବଂଶଧରମାନଙ୍କ ଐତିହାସିକ ପରିଚୟ ।

୮.

ସଂସ୍ଥା-ନିତ୍ୟ, ନୈମିତ୍ତିକ, ପ୍ରାକୃତିକ ଓ ଆତ୍ୟନ୍ତିକ-ଚତୁର୍ବିଧ ଲୟର ବିଚାର ପରିଚୟ ।

୯.

ହେତୁ-ଜୀବ ଓ ଜୀବର କାର୍ଯ୍ୟା କାର୍ଯ୍ୟ ବିବରଣ ।

୧୦.

ଅପାଶ୍ରୟ-ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତିଭୂତ ମାୟା ବସ୍ଥାରେ ଜୀବବ୍ରହ୍ମର ପରିଚୟ ।

 

ପୁରାଣ ବିବରଣ :-

(କ) ମହାପୁରାଣ ସମଗ୍ର ପୁରାଣ ସାହିତ୍ୟ ମହାପୁରାଣ ଓ ଉପପୁରାଣ ରୂପେ ଦୁଇ ଭାଗରେ ବିଭକ୍ତ ଏବଂ ପ୍ରତ୍ୟେକ ବିଭାଗରେ ଅଠରଟି ପୁରାଣର ନାମୋଲ୍ଲେଖ ଅଛି । ଶ୍ରୀମଦ୍‌ଭାଗବତର ଉଲ୍ଲେଖ ଅନୁସାରେ ଅଷ୍ଟାଦଶ ମହାପୁରାଣର ନାମକ୍ରମ ଦିଆଗଲା-

 

ବ୍ରାହ୍ମଂ ପାଦ୍ମଂ ବୈଷ୍ଣବଂଚ ଶୈବଂ ଲୈଙ୍ଗଂ ସଗାରୁଡ଼ମ ।

ନାରଦୀୟଂ ଭାଗବତମାଗ୍ନେୟଂ ସ୍କାନ୍ଦ ସଂଜ୍ଞିତମ୍ ।।

 

ଭବିଷ୍ୟଂ ବ୍ରହ୍ମବୈବର୍ତ୍ତଂ ମାର୍କଣ୍ଡେୟଂ ସବାମନମ୍ ।

ବାରାହଂ ମାତ୍ସ୍ୟଂ କୌର୍ମଂଚ ବ୍ରହ୍ମାଣ୍ଡାଖ୍ୟାମିତି ତ୍ରିଷଟ୍ ।।

 

ଅନୁରୂପ ବିବରଣ ଦେବୀଭାଗବତ ପ୍ରଥମସ୍କନ୍ଦ ତୃତୀୟ ଅଧ୍ୟାୟ ଏବଂ ମତ୍ସ୍ୟପୁରାଣର ତେପନ ଅଧ୍ୟାୟରେ ମଧ୍ୟ ଉଲ୍ଲିଖିତ ଅଛି ।

 

ମହର୍ଷି ବେଦବ୍ୟାସଙ୍କ ରଚିତ ଅଷ୍ଟାଦଶ ପୁରାଣ ମହାପୁରାଣ ରୂପେ ଅଭିହିତ । ପଦ୍ମପୁରାଣର ଉତ୍ତରଖଣ୍ଡ ତେପନ ଅଧ୍ୟାୟରେ ପୂର୍ବୋକ୍ତ ଅଷ୍ଟାଦଶ ପୁରାଣକୁ ସତ୍ତ୍ୱ, ରଜ, ତମ ଗୁଣତ୍ରୟ ଭେଦରେ ତିନୋଟି ଭାଗରେ ବିଭକ୍ତ କରାଯାଇଅଛି । ବିଷ୍ଣୁ, ନାରଦ, ଭାଗବତ, ଗରୁଡ଼, ପଦ୍ମ ଓ ବରାହ ପୁରାଣ-ଏହି ଛଅଟି ସାତ୍ତ୍ୱିକ ପୁରାଣ । ଏମାନଙ୍କର ଅନୁଶୀଳନଦ୍ୱାରା ସର୍ବଶୁଭ ଓ ସୌଭାଗ୍ୟ ଲାଭ କରିବା ସଙ୍ଗେ ସଙ୍ଗେ ଦେହାନ୍ତେ ମାନବ ମୁକ୍ତିଲାଭ କରିଥାଏ । ବ୍ରହ୍ମଣ୍ଡ, ବ୍ରହ୍ମବୈବର୍ତ୍ତ, ମାର୍କଣ୍ଡେୟ, ଭବିଷ୍ୟ, ବାମନ ଓ ବ୍ରହ୍ମପୁରାଣ-ଏହି ଛଅଟି ରାଜସ ପୁରାଣ । ଏମାନଙ୍କର ଅଧ୍ୟୟନ ଓ ଅଧ୍ୟାପନାଦିଦ୍ୱାରା ମାନବ ଇହଲୋକରେ ସ୍ୱର୍ଗସୁଖ ଅନୁଭବ କରିପାରେ । ମତ୍ସ୍ୟ, କୂର୍ମ, ଲିଙ୍ଗ, ଶିବ, ସ୍କନ୍ଦ ଓ ଅଗ୍ନି ପୁରାଣ-ଏହି ଛଅଟି ତାମସ ପୁରାଣ, ଏମାନଙ୍କର ପରିଶୀଳନ ନର୍କ ବା ଅଧୋଗତିର କାରଣ ଅଟେ ।

 

ଶ୍ରୀମଦ୍‌ଭାଗବତର ଦ୍ୱାଦଶସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ତଥା ନାରଦୀୟ ପୁରାଣ ଅନ୍ତର୍ଗତ ବୃହଦୁପାଖ୍ୟାନ ଚତୁର୍ଥ ପାଦର ଏକାନବେରୁ ଏକଶହ ନଅ ଅଧ୍ୟାୟ ମଧ୍ୟରେ ବର୍ଣ୍ଣିତ ବିବରଣ ଅନୁସାରେ ଉପର୍ଯ୍ୟୁକ୍ତ ଅଷ୍ଟାଦଶ ପୁରାଣର ସଂକ୍ଷିପ୍ତ ପରିଚୟ ନିମ୍ନମତେ ଉଲ୍ଲିଖିତ ହେଲା-

 

ବ୍ରହ୍ମପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୨୪୫ ଓ ଶ୍ଳୋକ ସଂଖ୍ୟା ଦଶ ହଜାର । ଗ୍ରନ୍ଥଟି ପୂର୍ବୋତ୍ତର ଭାଗ ରୂପେ ଦୁଇ ଭାଗରେ ବିଭକ୍ତ । ପୂର୍ବଭାଗରେ ସୃଷ୍ଟି ପ୍ରକରଣ, ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ-ତ୍ରିଲୋକର ବିବରଣ, ରାମ ଓ କୃଷ୍ଣ ଚରିତ, ପାର୍ବତୀଙ୍କ ଜନ୍ମ, ବିବାହ ତଥା ଦକ୍ଷ ପ୍ରଜାପିତଙ୍କ ଆଖ୍ୟାନର ବର୍ଣ୍ଣନା କରାଯାଇଅଛି । ଉତ୍ତର ଭାଗରେ ପୁରୁଷୋତ୍ତମ ବର୍ଣ୍ଣନ, ତୀର୍ଥଯାତ୍ରା ବିବରଣ, କୃଷ୍ଣଚରିତ, ଧର୍ମଶାସ୍ତ୍ର ବିଷୟ, ବର୍ଣ୍ଣାଶ୍ରମଧର୍ମ ତଥା ସାଂଖ୍ୟଯୋଗ ବିଷୟର ଅବତାରଣା କରାଯାଇଅଛି । ଏହା ଆଦି ପୁରାଣ ରୂପେ ଅଭିହିତ ।

 

୨.

ପଦ୍ମପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୮୨ ଓ ଶ୍ଳୋକ ସଂଖ୍ୟା ପଞ୍ଚାବନ ହଜାର । ପୁରାଣ ମଧ୍ୟରେ ଏହା ବୃହତ୍ତର । ଗ୍ରନ୍ଥଟି ସୃଷ୍ଟିଖଣ୍ଡ, ଭୂମିଖଣ୍ଡ, ସ୍ୱର୍ଗଖଣ୍ଡ, ପାତାଳଖଣ୍ଡ ଓ ଉତ୍ତରଖଣ୍ଡ ରୂପେ ପାଞ୍ଚୋଟି ଖଣ୍ଡରେ ବିଭକ୍ତ । ଏଥିରେ ତୀର୍ଥକ୍ଷେତ୍ର ମାହାତ୍ମ୍ୟ, ବିଭିନ୍ନ ବ୍ରତକଥା, ଜଳନ୍ଧର କଥା, ଦେବଶର୍ମୋପାଖ୍ୟାନ, ଗୀତା ମାହାତ୍ମ୍ୟ ଓ ଅବତାର କଥା ବର୍ଣ୍ଣିତ ହୋଇଅଛି ।

 

୩.

ବିଷ୍ଣୁ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୧୨୬ ଓ ଶ୍ଳୋକ ସଂଖ୍ୟା ତେଇଶ ହଜାର । ଗ୍ରନ୍ଥଟି ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ ରୂପେ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗ ଛଅଟି ଅଂଶରେ ବିଭକ୍ତ । ପ୍ରଥମାଂଶରେ ସୃଷ୍ଟିକଥା, ପ୍ରହ୍ଲାଦ ଚରିତ, ଧ୍ରୁବ ଚରିତ ଇତ୍ୟାଦି; ଦ୍ୱିତୀୟାଂଶରେ ଭରତ, ପ୍ରିୟବ୍ରତାଦି ଚରିତ; ତୃତୀୟାଂଶରେ ମନ୍ୱନ୍ତର ବର୍ଣ୍ଣନ; ଚତୁର୍ଥାଶଂରେ ସୂର୍ଯ୍ୟବଂଶ, ସୋମବଂଶ କଥା; ପଞ୍ଚମାଂଶରେ କୃଷ୍ଣାବତାର କଥା ଏବଂ ଷଷ୍ଠାଂଶରେ କଳି ଚରିତାଦି ବର୍ଣ୍ଣିତ ହୋଇଅଛି । ଦ୍ୱିତୀୟ ଭାଗରେ ବ୍ରତ, ନିୟମ, ଯମ, ଧର୍ମ କଥା, ଧର୍ମଶାସ୍ତ୍ର, ଅର୍ଥଶାସ୍ତ୍ର, ବେଦାନ୍ତ, ଜ୍ୟୋତିଷ, ବଂଶାଖ୍ୟାନ ଓ ବିବିଧ ସ୍ତୋତ୍ରର ଉଲ୍ଲେଖ ଅଛି ।

 

୪.

ବାୟୁ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୯୯ ଓ ଶ୍ଳୋକ ସଂଖ୍ୟା ଚବିଶ ହଜାର । ଗ୍ରନ୍ଥଟି ପୂର୍ବୋତ୍ତର ଭାଗରୂପେ ଦୁଇ ଭାଗରେ ବିଭକ୍ତ । କେତେକଙ୍କ ମତରେ ବାୟୁ ପୁରାଣ ପ୍ରକ୍ରିୟା ଅନୁସଙ୍ଗ, ଉପୋଦ୍‌ଘାତ ଓ ଉପସଂହାର ପାଦରୂପେ ଚାରି ପାଦରେ ବିଭକ୍ତ ଏବଂ ଅଧ୍ୟାୟ ସଂଖ୍ୟା ଯଥାକ୍ରମେ ୧-୬, ୭-୬୪, ୬୫-୯୯ ଓ ୧୦୦-୧୧୨ ବୋଲି ଜଣାଯାଏ । ପ୍ରଥମ ଭାଗରେ ସ୍ୱର୍ଗାଦି ଲକ୍ଷଣ, ମନ୍ୱନ୍ତର ରାଜବଂଶ, ଗୟାସୁର ବଧ, ଦାନ, ଧର୍ମ, ରାଜଧର୍ମ ଏବଂ ବ୍ରତାଚରଣାଦି ବର୍ଣ୍ଣିତ ହୋଇଅଛି । ଦ୍ୱିତୀୟ ଭାଗରେ ଶିବ ସଂହିତା ବିଷୟ ଏବଂ ଷାଠିଏ ହଜାର ତୀର୍ଥ ତଥା ନର୍ମ୍ମଦାଦି ଚରିତ ବିଷୟ ଉଲ୍ଲିଖିତ ରହିଅଛି । ଏହାର ଅପର ନାମ ଶିବ ପୁରାଣ । ଅନ୍ୟାନ୍ୟ ବିଷୟ ସହିତ ଏଥିରେ ମୁଖ୍ୟତଃ ଶିବ ଓ ଶୈବ ଗୌରବ ପ୍ରଖ୍ୟାପିତ ହୋଇଅଛି ।

 

୫.

ଭାଗବତ ପୁରାଣ-ଏହାର ଶ୍ଳୋକ ସଂଖ୍ୟା ଅଠର ହଜାର । ଗ୍ରନ୍ଥଟି ବାରଟି ସ୍କନ୍ଧରେ ବିଭକ୍ତ-। ଏହାର ବିଶଦ ପରିଚୟ ଭାଗବତର ବିବରଣରେ ଉପସ୍ଥାପିତ କରାଯାଇଅଛି ।

 

୬.

ନାରଦୀୟ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୨୦୭ ଓ ଶ୍ଳୋକ ସଂଖ୍ୟା ପଚିଶ ହଜାର । ଗ୍ରନ୍ଥଟି ପୂର୍ବୋତ୍ତର ଭାଗରୂପେ ଦୁଇ ଭାଗରେ ବିଭକ୍ତ । ପୂର୍ବ ଭାଗରେ ଚାରୋଟି ପାଦ ଅଛି-। ପ୍ରଥମ ପାଦରେ ସୃଷ୍ଟି ପ୍ରକରଣ, ଦ୍ୱିତୀୟ ପାଦରେ ମୋକ୍ଷୋପାୟ, ବେଦାଙ୍ଗ ପରିଚୟ, ତୃତୀୟ ପାଦରେ ପଞ୍ଚ ଦେବତାଙ୍କ ମନ୍ତ୍ର, କବଚ, ସ୍ତୋତ୍ର ଓ ସହସ୍ର ନାମ ପ୍ରଭୃତି ଏବଂ ଚତୁର୍ଥ ପାଦରେ ପୁରାଣ ଲକ୍ଷଣ ଓ ତିଥି ବ୍ରତାଦି ବିଷୟମାନ ବର୍ଣ୍ଣିତ ହୋଇଅଛି । ଉତ୍ତର ଭାଗରେ ଏକାଦଶୀ ବ୍ରତ, ପୁରୁଷୋତ୍ତମାଦି ବିଭିନ୍ନ ତୀର୍ଥ ଓ ତୀର୍ଥଯାତ୍ରାର ବିବରଣୀ ଅଛି ।

 

ମାର୍କଣ୍ଡେୟ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୧୩୮ ଓ ଶ୍ଳୋକ ସଂଖ୍ୟା ନଅ ହଜାର । ପୁରାଣମାନଙ୍କ ମଧ୍ୟରେ ଏହା କ୍ଷୁଦ୍ରତମ ପୁରାଣ । ଏଥିରେ ମୁଖ୍ୟତଃ ବିଭିନ୍ନ ସୃଷ୍ଟି, ପକ୍ଷୀମାନଙ୍କର ପୂର୍ବଜନ୍ମ ବୃତ୍ତାନ୍ତ, ହରିଶ୍ଚନ୍ଦ୍ର-ପୁରରବା, ନହୁଷ ଚରିତ, କୃଷ୍ଣ ଚରିତ, ଯଦୁବଂଶ ଓ ସୋମବଂଶ ବିବରଣର ଉଲ୍ଲେଖ ରହିଅଛି । ଅବତାର କଥା, ଦ୍ରୌପଦୀଙ୍କ ପଞ୍ଚପତି ଓ ସନ୍ତାନମାନଙ୍କ ବିଷୟ ସହିତ ‘ସପ୍ତଶତୀ’ ବା ଦେବୀ ମାହାତ୍ମ୍ୟର ଉଲ୍ଲେଖ ଅଛି-

 

୮.

ଅଗ୍ନିପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୩୮୨ ଓ ଶ୍ଳୋକ ସଂଖ୍ୟା ପନ୍ଦର ହଜାର ଚାରିଶହ । ବେଦବେଦାଙ୍ଗ ସହିତ ଅଷ୍ଟାଦଶ ବିଦ୍ୟାର ଏହା ଏକ ଅନୁକ୍ରମଣିକା ରୂପେ ପରିଚିତ । ସୃଷ୍ଟି ପ୍ରକରଣଠାରୁ ମାନବିକ ଧର୍ମ, କର୍ମ ଓ ଜ୍ଞାନାଦି ବିଷୟର ବର୍ଣ୍ଣନା କରାଯାଇଛି । ଏଥିରେ ରାମାୟଣ, ମହାଭାରତ, ହରିବଂଶର ବିଷୟ ସହିତ ଆୟୁର୍ବେଦ, ଧନୁର୍ବେଦ, ସଙ୍ଗୀତ, ଅର୍ଥଶାସ୍ତ୍ର, ବ୍ୟାକରଣ, ଅଳଙ୍କାର ତଥା ଦର୍ଶନାଦି ବିଷୟର ବିଚାର ବର୍ଣ୍ଣିତ ହୋଇଅଛି ।

 

୯.

ଭବିଷ୍ୟ ପୁରାଣ-ଏହାର ଶ୍ଳୋକସଂଖ୍ୟା ଚଉଦ ହଜାର ପାଞ୍ଚଶହ । ଗ୍ରନ୍ଥଟି ପାଞ୍ଚୋଟି ପର୍ବରେ ବିଭକ୍ତ । ପର୍ବମାନଙ୍କର ନାମ-ସୃଷ୍ଟି, ସଂସ୍କାର, କଳ୍ପ, ଶୈବ ଓ ସୌର । ଏଥିରେ ବିଭିନ୍ନ ଧର୍ମ ମତବାଦ ସହିତ ବୈଷ୍ଣବମାନଙ୍କର ଚତୁର୍ବର୍ଗ ବିଚାର କରାଯାଇଅଛି ।

 

୧୦.

ବ୍ରହ୍ମ ବୈବର୍ତ୍ତ ପୁରାଣ-ଏହାର ଶ୍ଳୋକ ସଂଖ୍ୟା ଅଠର ହଜାର । ଗ୍ରନ୍ଥଟି ମୁଖ୍ୟତଃ ଚାରୋଟି ଖଣ୍ଡରେ ବିଭକ୍ତ । ପ୍ରଥମ ଖଣ୍ଡର ନାମ ବ୍ରହ୍ମଖଣ୍ଡ । ଏଥିରେ ସୃଷ୍ଟି ପ୍ରକରଣ ବର୍ଣ୍ଣିତ ହୋଇଅଛି । ଦ୍ୱିତୀୟ ଖଣ୍ଡ ପ୍ରକୃତି ଖଣ୍ଡ ନାମରେ ପରିଚିତ । ଏଥିରେ ସାବର୍ଣ୍ଣମନୁ ସମ୍ବାଦ, କୃଷ୍ଣକଥା ଏବଂ ବିବିଧ ମାହାତ୍ମ୍ୟ ଉଲ୍ଲିଖିତ ଅଛି । ତୃତୀୟ ଖଣ୍ଡ ଗଣେଶ ଖଣ୍ଡ ନାମରେ ଅଭିହିତ । ଏଥିରେ ଗଣେଶ, କାର୍ତ୍ତିକେୟ, କାର୍ତ୍ତବୀର୍ଯ୍ୟ ଓ ଜାମଦଗ୍ନ୍ୟ ଚରିତ ବର୍ଣ୍ଣିତ ହୋଇଅଛି । ଚତୁର୍ଥ ଖଣ୍ଡ ଶ୍ରୀକୃଷ୍ଣ ଜନ୍ମଖଣ୍ଡ ରୂପେ ପରିଚିତ । ଏଥିରେ ଶ୍ରୀକୃଷ୍ଣଙ୍କର ବାଳଲୀଳା ବର୍ଣ୍ଣିତ ହୋଇଅଛି ।

 

୧୧.

ଲିଙ୍ଗ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୧୬୨ ଓ ଶ୍ଳୋକ ସଂଖ୍ୟା ଏଗାର ହଜାର । ଗ୍ରନ୍ଥଟି ପୂର୍ବଭାଗ ଓ ଉତ୍ତର ଭାଗ ରୂପେ ଦୁଇ ଭାଗରେ ବିଭକ୍ତ । ପୂର୍ବ ଭାଗରେ ଯୋଗ, କଳ୍ପ, ଲିଙ୍ଗୋଦ୍‌ଭବ, ପ୍ରତିଷ୍ଠା, ପୂଜା, ଅନ୍ଧକାଖ୍ୟାନ, ନୃସିଂହ, ଶିବ, ବିନାୟକ ପ୍ରଭୃତିଙ୍କ ଆଖ୍ୟାନ ଏବଂ ଉପମନ୍ୟୁ କଥା ବର୍ଣ୍ଣିତ ହୋଇଅଛି । ଉତ୍ତର ଭାଗରେ ବିଷ୍ଣୁ ମାହାତ୍ମ୍ୟ, ଅମ୍ବରୀଷ କଥା, ଶିବ ମାହାତ୍ମ୍ୟ, ବ୍ରଜେଶ୍ୱରୀ, ମହାବିଦ୍ୟା ଓ ଗାୟତ୍ରୀ ମହିମା ଆଦି ଉଲ୍ଲିଖିତ ଅଛି । ଏତଦ୍‌ବ୍ୟତୀତ ଶିବଙ୍କ ବିଭିନ୍ନ ଅବତାର ସହିତ ରହସ୍ୟବାଦର ଅବତାରଣା କରାଯାଇଅଛି-

 

୧୨.

ବରାହ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୨୨୮ ଓ ଶ୍ଳୋକ ସଂଖ୍ୟା ଚବିଶ ହଜାର । ଗ୍ରନ୍ଥଟି ପୂର୍ବ ଓ ଉତ୍ତର ଭାଗ ରୂପେ ଦୁଇ ଭାଗରେ ବିଭକ୍ତ । ପୂର୍ବ ଭାଗରେ ବିନାୟକ, ନାଗ, ଗଣ, ଧନଦ, ବୃକ୍ଷାଦି ଆଖ୍ୟାନ ସହିତ ବିଭିନ୍ନ ବ୍ରତ ଓ ତୀର୍ଥ କଥା, ବତିଶ ପ୍ରକାର ଅପରାଧ ତଥା ବିବିଧ ମାହାତ୍ମ୍ୟର ଉଲ୍ଲେଖ ଅଛି । ଉତ୍ତର ଭାଗରେ ପୁଲସ୍ତ୍ୟ କୁରୁ ସମ୍ବାଦ, ତୀର୍ଥ ମାହାତ୍ମ୍ୟ, ବରାହାବତାର ବିଷୟ ଓ ବିଭିନ୍ନ ପ୍ରକାର ଶିବ ଉପାଖ୍ୟାନ ବର୍ଣ୍ଣିତ ହୋଇଅଛି ।

 

୧୩

ସ୍କନ୍ଦ ପୁରାଣ-ଏହାର ଶ୍ଳୋକ ସଂଖ୍ୟା ଏକାଅଶୀ ହଜାର ଏକଶହ । ପୁରାଣମାନଙ୍କ ମଧ୍ୟରେ ଏହା ବୃହତ୍ତମ ପୁରାଣ । ଗ୍ରନ୍ଥଟି ଆଠୋଟି ଖଣ୍ଡରେ ବିଭକ୍ତ । ପ୍ରଥମ ଖଣ୍ଡ ମାହେଶ୍ୱର ଖଣ୍ଡ ନାମରେ ଅଭିହିତ । ଏଥିରେ ଦକ୍ଷଯଜ୍ଞ କଥା, କେଦାରସ୍କନ୍ଦ ମାହାତ୍ମ୍ୟ, ସମୁଦ୍ର ମନ୍ଥନ, ଦେବେନ୍ଦ୍ର ଚରିତ, ପାର୍ବତ୍ୟୁପାଖ୍ୟାନ, କୁମାରୋତ୍ପତ୍ତି, ତାରକ ବଧ, ପଞ୍ଚତୀର୍ଥ କଥା, ଇନ୍ଦ୍ରଦ୍ୟୁମ୍ନ କଥା, ବାସୁଦେବ ମାହାତ୍ମ୍ୟ, ମହାକାଳ କଥା, ପାଣ୍ଡବ କଥା, ମହିଷାସୁର ବଧ ଆଖ୍ୟାନ ପ୍ରଭୃତି ବର୍ଣ୍ଣିତ ହୋଇଅଛି ।

 

ଦ୍ୱିତୀୟ ଖଣ୍ଡ ବୈଷ୍ଣବଖଣ୍ଡ ନାମରେ ଅଭିହିତ । ଏଥିରେ କମଳା, କୁଲାଳ, ସୁବର୍ଣ୍ଣମୁଖରୀ କଥା, ପୁରୁଷୋତ୍ତମ ମାହାତ୍ମ୍ୟ, ରଥଯାତ୍ରା, ଗୁଣ୍ଡିଚାଖ୍ୟାନ, ଦୋଳୋତ୍ସବ, ଦଶାବତାର ଓ ବିଭିନ୍ନ ମାହାତ୍ମ୍ୟର ଉଲ୍ଲେଖ ଅଛି ।

 

ତୃତୀୟ ଖଣ୍ଡ ବ୍ରହ୍ମଖଣ୍ଡ ନାମରେ ପରିଚିତ । ଏହା ଦୁଇଟି ଭାଗରେ ବିଭକ୍ତ । ପୂର୍ବ ଭାଗରେ ଗାଲବ ଚରିତ, ଗାୟତ୍ର୍ୟାଦି କଥା, ଚକ୍ରତୀର୍ଥ ମାହାତ୍ମ୍ୟ, ବର୍ଣ୍ଣାଶ୍ରମଧର୍ମର ଅବତାରଣା କରାଯାଇଅଛି । ଉତ୍ତର ଭାଗରେ ପଞ୍ଚାକ୍ଷର ମହିମା, ଶିବ ମହିମା ତଥା ଭଦ୍ରାୟୁ ମହିମା ପ୍ରଭୃତି ଉଲ୍ଲିଖିତ ଅଛି ।

 

ଚତୁର୍ଥ ଖଣ୍ଡ କାଶୀଖଣ୍ଡ ନାମରେ ଅଭିହିତ । ଏଥିରେ ବିନ୍ଧ୍ୟ ନାରଦ ସମ୍ବାଦ, ପତିବ୍ରତା ଚରିତ, ଅଗ୍ନ୍ୟୁତ୍ପତ୍ତି, ଗନ୍ଧବତୀ ଉତ୍ପତ୍ତି, ବାରାଣସୀ ପ୍ରଶଂସା, ଭୈରବ, ଦୁର୍ଗା, ବିଜୟା, ଓଁକାରେଶ ପ୍ରଭୃତିଙ୍କ ଉତ୍ପତ୍ତି, ପଞ୍ଚନଦୋତ୍ପତ୍ତି ଏବଂ ଗଙ୍ଗାମାହାତ୍ମ୍ୟ ଆଦିର ବର୍ଣ୍ଣନା ଅଛି ।

 

ପଞ୍ଚମ ଖଣ୍ଡରେ ନର୍ମଦା ନଦୀର ଉତ୍ପତ୍ତି ଏବଂ ନଦୀତଟବର୍ତ୍ତୀ ତୀର୍ଥଗୁଡ଼ିକର ବିସ୍ତୃତ ବର୍ଣ୍ଣନା ଦିଆଯାଇଛି । ସତ୍ୟନାରାୟଣ ବ୍ରତର ସୁପ୍ରସିଦ୍ଧ କଥା ଏହି ଖଣ୍ଡରେ ବର୍ଣ୍ଣିତ ହୋଇଛି ।

 

ଷଷ୍ଠ ଖଣ୍ଡ ଅବନ୍ତୀ ଖଣ୍ଡ ରୂପେ ଅଭିହିତ । ଏଥିରେ ମହାକାଳ ଭବନ, ପ୍ରାୟଶ୍ଚିତ୍ତ ବିଧି, ଚତୁଃସିନ୍ଧୁତୀର୍ଥ, ସ୍ୱର୍ଗଦ୍ୱାର, କପାଳମୋଚନ, ମହାକାଳ, ମାର୍କଣ୍ଡେଶ୍ୱର ବର୍ଣ୍ଣନ, ହିରଣ୍ୟାକ୍ଷ ବଧ, ବିଭିନ୍ନ ତୀର୍ଥଯାତ୍ରା, ଗୌରୀ ବ୍ରତ, ଦାରୁତୀର୍ଥ, ଶିବକ୍ଷେତ୍ର ଓ ବିଭିନ୍ନ ମହିମାର ଉଲ୍ଲେଖ ଅଛି ।

 

ସପ୍ତମ ଖଣ୍ଡ ନାଗର ଖଣ୍ଡ ରୂପେ ପରିଚିତ । ଏଥିରେ ବିଶ୍ୱାମିତ୍ର କଥା, ତ୍ରିଶଙ୍କୁ କଥା, ହାଟକେଶ୍ୱର ମାହାତ୍ମ୍ୟ, ବୃତ୍ରାସୁର ବଧ, ଏକାଦଶରୁଦ୍ର ମାହାତ୍ମ୍ୟ, ବିଭିନ୍ନ ତୀର୍ଥ ଓ ବହୁ ଋଷିଙ୍କ ଚରିତ ବର୍ଣ୍ଣିତ ହୋଇଅଛି ।

 

ଅଷ୍ଟମଖଣ୍ଡ ପ୍ରଭାସ ଖଣ୍ଡ ରୂପେ ଅଭିହିତ । ଏଥିରେ ବିଭିନ୍ନ ଶୈବକ୍ଷେତ୍ର, ଦେବ-ଦେବୀ କଥା ଓ ବିଭିନ୍ନ କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଅଛି ।

 

୧୪.

ବାମନ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୯୫ ଓ ଶ୍ଳୋକସଂଖ୍ୟା ଦଶ ହଜାର । ଏହା ପର୍ବ ଓ ଉତ୍ତର ଭାଗ ରୂପେ ଦୁଇ ଭାଗରେ ବିଭକ୍ତ । ପୂର୍ବ ଭାଗରେ ପୁରାଣ ପ୍ରଶ୍ନ, କପାଳ ମୋଚନ କଥା, କାମଦହନ, ବିଭିନ୍ନ ଋଷି ଓ ଭକ୍ତ ଚରିତ ଏବଂ ଉତ୍ତର ଭାଗରେ ମାହେଶ୍ୱରୀ, ଭାଗବତୀ, ସୌରୀ, ଗାଣେଶ୍ୱରୀ ସଂହିତାର ବର୍ଣ୍ଣନା କରାଯାଇଅଛି ।

 

୧୫.

କୂର୍ମପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୯୬ ଓ ଶ୍ଳୋକ ସଂଖ୍ୟା ସତର ହଜାର । ଗ୍ରନ୍ଥଟି ପୂର୍ବ ଓ ଉତ୍ତର ଭାଗ ରୂପେ ଦୁଇ ଭାଗରେ ବିଭକ୍ତ । ପୂର୍ବ ଭାଗରେ ପୁରାଣୋପକ୍ରମ, ବର୍ଣ୍ଣାଶ୍ରମାଚାର କଥା, ଜଗଦୁତ୍ପତ୍ତି, ଦେବତାମାନଙ୍କ ସୃଷ୍ଟି, ଦକ୍ଷଯଜ୍ଞ କଥା, ଯୁଗଧର୍ମ କଥନ, ବେଦଶାଖା ନିରୂପଣ ପ୍ରଭୃତି ଏବଂ ଉତ୍ତର ଭାଗରେ ନାନାବିଧ ଧର୍ମ ଓ ତୀର୍ଥ ମାହାତ୍ମ୍ୟ, ଭାଗବତୀ ସଂହିତା ପରିଚୟ ଏବଂ ଶୈବ ପୁରାଣ ବିଷୟ ବର୍ଣ୍ଣିତ ହୋଇଅଛି ।

 

୧୬

ମତ୍ସ୍ୟପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୨୯୧ ଓ ଶ୍ଳୋକ ସଂଖ୍ୟା ଚଉଦ ହଜାର । ଏଥିରେ ବ୍ରହ୍ମାଣ୍ଡ ବର୍ଣ୍ଣନା, ବ୍ରହ୍ମା, ଦେବ, ଅସୁର, ବାୟୁ, ଉତ୍ପତ୍ତି, ସୋମବଂଶ ବର୍ଣ୍ଣନ, ଯଯାତି ଚରିତ, ଧର୍ମଶାସ୍ତ୍ର ଓ କର୍ମକାଣ୍ଡ ବିଷୟ, ଅବତାର ବର୍ଣ୍ଣନା, ବାସ୍ତୁବିଦ୍ୟା, ବିଭିନ୍ନ ବ୍ରତ, ସାବିତ୍ରୀ ଉପାଖ୍ୟାନ ଏବଂ ତାରକାସୁର ବଧ ପ୍ରଭୃତି ବିଷୟ ଉଲ୍ଲିଖିତ ଅଛି ।

 

୧୭.

ଗରୁଡ଼ ପୁରାଣ-ଏହାର ଅଧ୍ୟାୟ ସଂଖ୍ୟା ୨୮୭ ଓ ଶ୍ଳୋକସଂଖ୍ୟା ଊଣେଇଶ ହଜାର । ଗ୍ରନ୍ଥଟି ପୂର୍ବ ଓ ଉତ୍ତର ଦୁଇଟି ଖଣ୍ଡରେ ବିଭକ୍ତ । ପୂର୍ବଖଣ୍ଡରେ ପଞ୍ଚଦେବତା, ପୂଜା ଓ ପ୍ରତିଷ୍ଠା ବିଧି, ତୀର୍ଥ ମାହାତ୍ମ୍ୟ, ଶ୍ରାଦ୍ଧ, ଅଶୌଚ, ସୂର୍ଯ୍ୟବଂଶ, ସୋମବଂଶ, ରାମାୟଣ, ହରିବଂଶ, ଭାରତାଖ୍ୟାନ, ଆୟୁର୍ବେଦଶାସ୍ତ୍ର, ଯୋଗ, ବେଦାନ୍ତ, ଜ୍ୟୋତିଷ ଓ ଗୀତାସାର ପ୍ରଭୃତି ବର୍ଣ୍ଣିତ ହୋଇଅଛି । ଉତ୍ତର ଖଣ୍ଡରେ ପ୍ରେତକଳ୍ପର ଯମଲୋକ, ଷୋଡ଼ଶଶ୍ରାଦ୍ଧ, ପ୍ରେତମୋକ୍ଷଣ, ପ୍ରେତପୀଡ଼ାଦି ବିଷୟର ଉଲ୍ଲେଖ ଅଛି ।

 

୧୮.

ବ୍ରହ୍ମାଣ୍ଡ ପୁରାଣ-ଏହାର ଶ୍ଳୋକସଂଖ୍ୟା ବାରହଜାର । ଗ୍ରନ୍ଥଟି ତିନୋଟି ଭାଗରେ ବିଭକ୍ତ । ପୂର୍ବଭାଗର ପ୍ରକ୍ରିୟା ପାଦ ଓ ଅନୁଷଙ୍ଗ ପାଦ ନାମରେ ଦୁଇଟି ପାଦ ଅଛି । ପ୍ରକ୍ରିୟା ପାଦରେ ନୈମିଷାଖ୍ୟାନ ଓ ହିରଣ୍ୟଗର୍ଭୋତ୍ପତ୍ତି ଏବଂ ଅନୁଷଙ୍ଗ ପାଦରେ ମନ୍ୱନ୍ତର, ଦୀପ, କାଳ, ଯଜ୍ଞ, ଯୁଗ, ବେଦ, ୠଷିପ୍ରବର ପ୍ରଭୃତିର ବର୍ଣ୍ଣନା ଅଛି ।

 

ମଧ୍ୟମ ଭାଗ ଊପୋଦ୍‌ଘାତ ପାଦ ନାମରେ ପରିଚିତ । ଏଥିରେ ସପ୍ତର୍ଷି, ପ୍ରଜାପତି, କାଶ୍ୟପେୟାଦି ଋଷିବଂଶ, ପିତୃକଳ୍ପ, ଶ୍ରାଦ୍ଧକଳ୍ପ, ଚତୁର୍ଦ୍ଦଶ ମନୁ, ଈକ୍ଷ୍ୱାକୁ-ଅତ୍ରି-ଯଦୁବଂଶ କଥନ, ଦେବାସୁର ଯୁଦ୍ଧ, ବିଷ୍ଣୁ ମାହାତ୍ମ୍ୟ ପ୍ରଭୃତିର ବର୍ଣ୍ଣନା ଅଛି ।

 

ଉତ୍ତରଭାଗ ଉପସଂହାର ପାଦ ନାମରେ ଅଭିହିତ । ଏଥିରେ ଭାବି ମନୁବଂଶ କଥନ, କଳ୍ପ, ପ୍ରଳୟ ନିର୍ଦ୍ଦେଶ, କାଳମାନ, ଚତୁର୍ଦ୍ଦଶ ଲୋକ, ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର କୀର୍ତ୍ତି ବର୍ଣ୍ଣନା ଅଛି ।

 

ଉପର୍ଯ୍ୟୁକ୍ତ ପୁରାଣମାନଙ୍କର ଶ୍ଳୋକସଂଖ୍ୟା ମୋଟ ଚାରିଲକ୍ଷ ବୋଲି ଜଣାଯାଏ । ପୁରାଣର ଶ୍ଳୋକ ସଂଖ୍ୟା ବିଷୟରେ ବିଭିନ୍ନ ପୁରାଣରେ ବିଭିନ୍ନ ମତ ଉଲ୍ଲିଖିତ ଥିବାର ଦେଖାଯାଏ । ଟୀକାକାର ବିଷ୍ଣୁଚିତ୍ତ ବିଷ୍ଣୁ ପୁରାଣର ଶ୍ଳୋକସଂଖ୍ୟା ଆଠ, ନଅ, ଦଶ, ବାଇଶ ଓ ଚବିଶ ହଜାର ଉପଲବ୍‌ଧ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ମାତ୍ର ୬୦୦୦ ଶ୍ଳୋକର ବ୍ୟାଖ୍ୟା କରିଛନ୍ତି । ପୁଣି ଅଗ୍ନିପୁରାଣ ୧୨୦୦୦ ଶ୍ଳୋକ ସମ୍ବଳିତ ବୋଲି ସେଥିରେ ଉଲ୍ଲେଖ ଥିବା ସ୍ଥଳେ ଭାଗବତ, ବ୍ରହ୍ମବୈବର୍ତ୍ତ ଓ ପଦ୍ମପୁରାଣ, ଅଗ୍ନିପୁରାଣରେ ୧୫୪୦୦ ଶ୍ଳୋକ ଏବଂ ସ୍କନ୍ଦ ଓ ମତ୍ସ୍ୟ ପୁରାଣରେ ୧୬୦୦୦ ଶ୍ଳୋକ ଥିବାର ଉଲ୍ଲେଖ କରିଛନ୍ତି । କୂର୍ମପୁରାଣରେ ଭାଗବତ ଅନୁସାରେ ୧୭୦୦୦, ମତ୍ସ୍ୟପୁରାଣ ଅନୁସାରେ ୧୮୦୦୦ ଏବଂ ଅଗ୍ନିପୁରାଣ ଅନୁସାରେ ୮୦୦୦ ଶ୍ଳୋକ ଥିବାର ଜଣାଯାଏ ।

 

ବାମନ ପୁରାଣରେ ୯୫ ଅଧ୍ୟାୟ ଓ ଦଶ ହଜାର ଶ୍ଳୋକ ଅଛି । ଲିଙ୍ଗପୁରାଣ ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ଭାବେ ଦୁଇ ଭାଗରେ ବିଭକ୍ତ ଏବଂ ଏଥିରେ ୧୧୦୦୦ ଶ୍ଳୋକ ଅଛି । ବରାହ ପୁରାଣ ଚାରି ପାଦରେ ବିଭକ୍ତ ଏବଂ ଏଥିରେ ଯଥାକ୍ରମେ ୧-୧୧୨, ୧୧୩-୧୯୨, ୧୯୩-୨୧୨ ଓ ୨୧୩-

 

ଆଖ୍ୟାନ, ଉପାଖ୍ୟାନ, ଗାଥା ଓ କଳ୍ପଶୁଦ୍ଧି-ମୁଖ୍ୟତଃ ଏହି ଚାରୋଟିର ଅବଲମ୍ବନରେ ପୁରାଣ ରଚନା କରା ଯାଇଥାଏ ବୋଲି ନିମ୍ନୋଲ୍ଲେଖରୁ ଜଣାଯାଏ-

 

‘‘ଆଖ୍ୟାନୈଶ୍ଚାପ୍ୟୁପାଖ୍ୟାନୈର୍ଗାଥାଭିଃ କଳ୍ପଶୁଦ୍ଧିଭିଃ ।

ପୁରାଣ ସଂହିତାଂ ଚକ୍ରେ ପୁରାଣାର୍ଥ ବିଶାରଦଃ ।।

 

ସ୍ୱୟଂ ଦୃଷ୍ଟ୍ୱାର୍ଥ କଥନଂ ପ୍ରାହୁରାଖ୍ୟାନକଂ ବୁଧାଃ ।

ଶ୍ରୁତସ୍ୟାର୍ଥସ୍ୟ କଥନମୁପାଖ୍ୟାନଂ ପ୍ରଚକ୍ଷତେ ।।

 

ଗାଥାସ୍ତୁ ପିତୃ ପୃଥ୍ୱୀ ପ୍ରଭୃତି ଗୀତୟଃ ।

କଳ୍ପଶୁଦ୍ଧି ଶ୍ରାଦ୍ଧକଳ୍ପାଦି ନିର୍ଣ୍ଣୟଃ ।।’’

 

ନିଜର ଦେଖିଥିବା ଘଟଣାର ବର୍ଣ୍ଣନାକୁ ଆଖ୍ୟାନ, ଶୁଣିଥିବା ଘଟଣାର ଅବତାରଣାକୁ ଉପାଖ୍ୟାନ କହନ୍ତି । ପିତା, ପୃଥ୍ୱୀ ପ୍ରଭୃତିଙ୍କ ବିବରଣ ଗାନ ଗାଥା ନାମରେ ଓ ଶ୍ରାଦ୍ଧକଳ୍ପାଦି ବିଷୟ କଳ୍ପଶୁଦ୍ଧି ନାମରେ ଅଭିହିତ । ଅତୀତର ଘଟଣାବହୁଳ ଜୀବନଯାତ୍ରାକୁ ଉପର୍ଯ୍ୟୁକ୍ତ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇ ଥାଏ । ପୁରାଣର ପ୍ରଶସ୍ତିରେ କବି ଗାଇଛନ୍ତି-

 

‘‘ଯସ୍ମିନ୍ ଶ୍ରୁତେ ଶ୍ରୁତଂ ସର୍ବଂ ଜ୍ଞାତେ ଜ୍ଞାତଂ କୃତେ କୃତମ୍ ।

ବର୍ଣ୍ଣାଶ୍ରମାଚାରଧର୍ମଂ ସାକ୍ଷାତ୍‌କାରତ୍ୱମେଷ୍ୟତି ।’’

 

(ଖ)-ଉପପୁରାଣ-

ବ୍ରହ୍ମବୈବର୍ତ୍ତ ପୁରାଣରେ ଅଷ୍ଟାଦଶ ଉପପୁରାଣର ନାମସୂଚୀ ନିମ୍ନମତେ ବର୍ଣ୍ଣିତ ହୋଇଅଛି-

 

‘‘ଇତିହାସୋ ଭାରତଂ ବାଲ୍ମୀକଂ କାବ୍ୟମେବଚ ।

ପଞ୍ଚକ ପଞ୍ଚରାତ୍ରାଣାଂ କୃଷ୍ଣ ମାହାତ୍ମ୍ୟ ପୂର୍ବକମ୍ ।।

 

ବାଶିଷ୍ଟଂ ନାରଦୀୟଂ ଚ କାପିଳଂ ଗୌତମୀୟକମ୍ ।

ପରଂ ସନତ୍କୁମାରୀୟଂ ପଞ୍ଚରାତ୍ରଂଚ ପଞ୍ଚକମ୍ ।।

 

ପଞ୍ଚଭ୍ୟଃ ସଂହିତାନାଂ ଚ କୃଷ୍ଣଭକ୍ତି ସମନ୍ୱିତାଃ ।

ବ୍ରହ୍ମଣଶ୍ଚ ଶିବସ୍ୟାପି ପ୍ରହ୍ଲାଦସ୍ୟ ତଥୈବଚ ।

ଗୌତମସ୍ୟ କୁମାରସ୍ୟ ସଂହିତାଃ ପରିକୀର୍ତ୍ତିତାଃ ।।’’

 

ଗରୁଡ଼ ପୁରାଣରେ ଅଷ୍ଟାଦଶ ଉପପୁରାଣର ନାମ ସ୍ପଷ୍ଟରୂପେ ଦିଆ ଯାଇଅଛି । ସେମାନଙ୍କର ନାମ-

 

ସନତ୍କୁମାରୋକ୍ତ ପୁରାଣ

ନୃସିଂହ ପୁରାଣ

ସ୍କନ୍ଦ ପୁରାଣ

ନନ୍ଦୀଶ୍ୱରୋକ୍ତ ପୁରାଣ

ଦୁର୍ବାସୋକ୍ତ ପୁରାଣ

ନାରଦୋକ୍ତ ପୁରାଣ

କପିଳ ପୁରାଣ

ବାମନ ପୁରାଣ

ଉଶନସୋକ୍ତ ପୁରାଣ

୧୦

ବ୍ରହ୍ମାଣ୍ଡ ପୁରାଣ

୧୧

ବାରୁଣ ପୁରାଣ

୧୨

କାଳିକା ପୁରାଣ

୧୩

ମାହେଶ୍ୱର ପୁରାଣ

୧୪

ଶାମ୍ବ ପୁରାଣ

୧୫

ସୌର ପୁରାଣ

୧୬

ପାରାଶର ପୁରାଣ

୧୭

ମାରୀଚ ପୁରାଣ

୧୮

ଭାର୍ଗବ ପୁରାଣ ।

 

କୂର୍ମ ପୁରାଣରେ ମଧ୍ୟ ଅଷ୍ଟାଦଶ ଉପପୁରାଣର ଅନୁରୂପ ନାମୋଲ୍ଲେଖ ଦେଖାଯାଏ । ଉପର୍ଯ୍ୟୁକ୍ତ ଉପପୁରାଣ ଗୁଡ଼ାକ ମହାପୁରାଣର ଅନୁବର୍ତ୍ତନ, ବିଶେଷତଃ ଆର୍ଷ ପୁରାଣରୂପେ ପରିଚିତ । ଭାଗବତ ଟୀକାକାର ଶ୍ରୀଧରଙ୍କ ଅନୁସାରେ-

 

ଅଷ୍ଟାଦଶଭ୍ୟସ୍ତୁ ପରଂ ପୁରାଣଂ ଯତ୍‌ପରଦୃଶ୍ୟତେ ।

ବିଜାନୀଧ୍ୱଂ ଦ୍ୱିଜଶ୍ରେଷ୍ଠାସ୍ତଥା ତେଭ୍ୟୋ ବିନିର୍ଗତମ୍ ।।

 

ପୁରାଣ ସଂପୃକ୍ତ ସଂହିତା ମଧ୍ୟରୁ ଶିବ ପୁରାଣରେ ଏକଲକ୍ଷ ଶ୍ଳୋକ ବିଶିଷ୍ଟ ବାରଟି ସଂହିତା ଥିବାର ସୂଚନା ମିଳେ-(୧) ବିଦ୍ୟେଶ୍ୱର ସଂହିତା (୨) ରୌଦ୍ର (୩) ବିନାୟକ (୪) ଔନ (୫) ମାତ (୬) ରୁଦ୍ରୈକାଦଶ (୭) କୈଳାସ (୮) ଶତରୁଦ୍ର (୯) କୋଟିରୁଦ୍ର (୧୦) ସହସ୍ରକୋଟି ରୁଦ୍ର (୧୧) ବାୟୁପ୍ରୋକ୍ତ ଓ (୧୨) ଧର୍ମ ସଂହିତା । କିନ୍ତୁ ଉପଲବ୍‌ଧ ଶିବ ପୁରାଣରେ ଚବିଶ ହଜାର ଶ୍ଳୋକ ବିଶିଷ୍ଟ ସାତୋଟି ସଂହିତା ଥିବାର ଦେଖାଯାଏ । (୧) ବିଦ୍ୟେଶ୍ୱର ସଂହିତା (୨) ରୁଦ୍ର (୩) ଶତରୁଦ୍ର (୪) କୋଟିରୁଦ୍ର (୫) ଉମା (୬) କୈଳାସ (୭) ବାୟବୀୟ ସଂହିତା । ସେହିପରି ସ୍କନ୍ଦପୁରାଣରେ ଛଅଟି ସଂହିତାର ନାମ ଓ ଶ୍ଳୋକ ସଂଖ୍ୟା-(୧) ସନତ୍କୁମାର ସଂହିତା-୩୬୦୦୦ (୨) ସୂତ ସଂହିତା-୬,୦୦୦ (୩) ଶଙ୍କର ସଂହିତା-୩୦,୦୦୦ (୪) ବୈଷ୍ଣବ ସଂହିତା-୫,୦୦୦ (୫) ବ୍ରାହ୍ମ ସଂହିତା-୩,୦୦୦ (୬) ସୌର ସଂହିତା-୧୦୦୦ ବୋଲି ଜଣାଯାଏ । ଏତଦ୍‌ବ୍ୟତୀତ ସୌର, ସ୍କନ୍ଦ, ଶିବମାହାତ୍ମ୍ୟ, ପଦ୍ମପୁରାଣ, ଦେବୀ ପୁରାଣ, ଏକାମ୍ର ପୁରାଣ ପ୍ରଭୃତିରେ ମଧ୍ୟ ଉପପୁରାଣର ନାମ ବିବରଣ ଥିବାର ଦେଖାଯାଏ । ଉପପୁରାଣଗୁଡ଼ିକ ସୌର, ବୈଷ୍ଣବ, ଶୈବ ଓ ଶାକ୍ତ ଭେଦରେ ବର୍ଗୀକରଣ କରାଯାଇଛି ।

 

ସୌର ପୁରାଣ ଅନ୍ତର୍ଗତ ‘ଶାମ୍ବ ପୁରାଣ’ର ୮୪ ଅଧ୍ୟାୟ ମଧ୍ୟରେ ସୂର୍ଯ୍ୟ ଦେବତାଙ୍କ ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି । ବୈଷ୍ଣବଶ୍ରେଣୀୟ ତିନୋଟି ମୁଖ୍ୟ ଉପପୁରାଣ ମଧ୍ୟରେ ‘ବିଷ୍ଣୁଧର୍ମ’ରେ ୧୦୫ ଅଧ୍ୟାୟ ଓ ପ୍ରାୟ ୪୦୦୦ ଶ୍ଳୋକ ଥିବାର ଜଣାଯାଏ । ‘ବିଷ୍ଣୁଧର୍ମୋତ୍ତର’ ୩ ଖଣ୍ଡରେ ବିଭକ୍ତ । ପ୍ରଥମ ଖଣ୍ଡରେ ୨୬୯ ଅଧ୍ୟାୟ, ଦ୍ୱିତୀୟରେ ୧୮୩ ଓ ତୃତୀୟ ଖଣ୍ଡରେ ୩୫୫ ଅଧ୍ୟାୟ ଅଛି । ଏଥିରେ ମୁଖ୍ୟତଃ ବିଭିନ୍ନ କଳାଶିଳ୍ପର ବିସ୍ତୃତ ପର୍ଯ୍ୟାଲୋଚନା କରାଯାଇଛି । ଗୌଣ ବୈଷ୍ଣବ ଉପପୁରାଣ ମଧ୍ୟରେ କ୍ରିୟାଯୋଗସାର (୨୬ ଅଧ୍ୟାୟ); ଆଦିପୁରାଣ (୨୯ ଅଧ୍ୟାୟ), କଳ୍‌କୀ ପୁରାଣ (୩ ଅଂଶ=୩୫ ଅଧ୍ୟାୟ) ପୁରୁଷୋତ୍ତମ ପୁରାଣ ବୃହନ୍ନାରଦୀୟ ପୁରାଣ (୩୮ ଅଧ୍ୟାୟ)ର ନାମ ଉଲ୍ଲେଖଯୋଗ୍ୟ । ଏତଦ୍‌ବ୍ୟତୀତ ସୌରଧର୍ମ, ସୌର ଧର୍ମୋତ୍ତର, ସୂର୍ଯ୍ୟ ପୁରାଣ, ଆଙ୍ଗିରସ ଉପପୁରାଣ, ବୃହଦ୍ ବାମନ ପୁରାଣ, ବୃହଦ୍ ବିଷ୍ଣୁଧର୍ମ, ବୃହଦ୍ ବିଷ୍ଣୁପୁରାଣ, ବୃହନ୍ନରସିଂହ ପୁରାଣ, ଦୁର୍ବାସସ ଉପପୁରାଣ, କୌଶିକ ପୁରାଣ, ଲଘୁ ଭାଗବତ ପୁରାଣ, ମାଘ ପୁରାଣ, ପ୍ରଭାସ ପୁରାଣ, ବିଷ୍ଣୁଧର୍ମୋତ୍ତରାମୃତ, ବୁଦ୍ଧ ପଦ୍ମପୁରାଣ ପ୍ରଭୃତିର ନାମ ବିଭିନ୍ନ ଗ୍ରନ୍ଥର ଉଦ୍ଧୃତିରୁ ଜଣାଯାଏ ।

 

ଶାକ୍ତପୁରାଣ ଅନ୍ତର୍ଗତ ‘ଦେବୀ ପୁରାଣ’ର ୧୨୮ ଅଧ୍ୟାୟ, ‘କାଳିକା ପୁରାଣ’ର ୯୩ ଅଧ୍ୟାୟ, ‘ମହା ଭାଗବତ ପୁରାଣ’ର । ୧ ଅଧ୍ୟାୟ, ‘ଦେବୀ ଭାଗବତ’ର ୧୨ଶ ସ୍କନ୍ଧ ୩୧୮ ଅଧ୍ୟାୟ ଓ ୧୮୦୦୦ ଶ୍ଳୋକ ମଧ୍ୟରେ ମୁଖ୍ୟ ଦେବୀ ପୂଜା ଓ ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି । କେବଳ ନାମତଃ ସୂଚନା ମିଳୁଥିବା ଉପପୁରାଣଗୁଡ଼ିକ ମଧ୍ୟରେ ଆଦିତ୍ୟ, ଆଖେଟକ, ଔଷନସ, ବାର୍ହସ୍ପତ୍ୟ, ବ୍ରହ୍ମାଣ୍ଡ, ବୁହଦ୍‌ଔଶନସ, ଏକପାଦ, ଗାରୁଡ଼, ଲଘୁ ବ୍ରହ୍ମବୈବର୍ତ୍ତ, ଲୀଳାବତୀ, ମାଧବୀ, ମୃତ୍ୟୁଞ୍ଜୟ, ପୁଷ୍କର, ରୁଦ୍ର, ତ୍ୱଷ୍ଟୃ, ଊର୍ଦ୍ଧ୍ୱ, ଉତ୍ତର, ଯମ ପ୍ରଭୃତି ଉପପୁରାଣର ନାମ ଉଲ୍ଲେଖଯୋଗ୍ୟ । ଉପପୁରାଣରେ ମୁଖ୍ୟତଃ ଚନ୍ଦ୍ରବଂଶ ଓ ସୂର୍ଯ୍ୟବଂଶର ବର୍ଣ୍ଣନା ସହିତ ଧର୍ମକଥା, ଭକ୍ତିଧାରା, ଦାର୍ଶନିକ ଭାବନା, ବ୍ରତ, ଉତ୍ସବ, ଦେବ-ଦେବୀ ମାହାତ୍ମ୍ୟ, ସାହିତ୍ୟ ଓ ବିଜ୍ଞାନ ବିଷୟର ପର୍ଯ୍ୟାଲୋଚନା କରାଯାଇଛି ।

 

ପୁରାଣ ରଚନା କାଳ :-

ଇତିହାସ ନାମରେ ଅଭିହିତ ରାମାୟଣ ଓ ମହାଭାରତ ଉଭୟର ବିଷୟବସ୍ତୁ ଏକ ଶ୍ରେଣୀୟ । ରାମଙ୍କ ଚରିତକୁ ଅବଲମ୍ବନ କରି ରାମାୟଣ ଓ ପାଣ୍ଡବ ପାଞ୍ଚଭାଇ ସହିତ କୃଷ୍ଣ ଚରିତକୁ ମୁଖ୍ୟ ରୂପେ ଗ୍ରହଣ କରି ମହାଭାରତର ସୃଷ୍ଟି ସମ୍ଭବ ହୋଇଛି । ଉକ୍ତ ରାମାୟଣ ଓ ମହାଭାରତର ମୁଖ୍ୟ ବିଷୟ ସହିତ ଉଲ୍ଲିଖିତ ଅନ୍ୟାନ୍ୟ ଗୌଣ କଥାବସ୍ତୁର ପଲ୍ଲବିତ ସ୍ୱରୂପ ହିଁ ପୁରାଣ । ରାମାୟଣ ଓ ମହାଭାରତରେ ଉପସ୍ଥାପିତ ହୋଇଥିବା ମୁଖ୍ୟକଥା ମଧ୍ୟରେ ଶିକ୍ଷା, ସଂସ୍କୃତି ଓ କଳାର ସ୍ୱତଃ ପରିପ୍ରକାଶ ଘଟିଥିବା ସ୍ଥଳେ ପ୍ରାଚୀନ ଶିକ୍ଷା, କଳା ଓ ସଂସ୍କୃତିର ପ୍ରକାଶ ନିମିତ୍ତ ପୁରାଣରେ ମୁଖ୍ୟ ବିଷୟବସ୍ତୁର ଅବତାରଣା କରାଯାଇଅଛି । ବାଲ୍ମୀକି ରାମାୟଣର ରଚୟିତା, କିନ୍ତୁ ବେଦର ସଙ୍କଳୟିତା ଓ ମହାଭାରତର ରଚୟିତା ବେଦବ୍ୟାସ ହିଁ ପୁରାଣର ସ୍ରଷ୍ଟା ରୂପେ ପରିଚିତ । ମହାଭାରତରେ ‘ପୁରାଣ’ ପ୍ରାଚୀନ କିମ୍ବଦନ୍ତୀ ନାମରେ ପ୍ରଚାରିତ । ତେଣୁ ମହାଭାରତ ପୂର୍ବରୁ ପୁରାଣର ଅସ୍ତିତ୍ୱ ଥିବା ଜଣାଯାଏ, ମାତ୍ର ବେଦବ୍ୟାସ ମହାଭାରତ ପରେ ପୁରାଣ ରଚନା କରିଥିବା ଉଲ୍ଲେଖ ଅଛି । ପୁରାଣରେ ପଞ୍ଚମ ଶତାବ୍ଦୀର ପରବର୍ତ୍ତୀ କୌଣସି ରାଜା, ମହାରାଜାଙ୍କ ବିବରଣ ଉଲ୍ଲିଖିତ ଥିବା ଦେଖାଯାଏ ନାହିଁ ଏବଂ ବର୍ଣ୍ଣିତ ରାଜବଂଶ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ପୂର୍ବବର୍ତ୍ତୀ ବୋଲି ଜଣାଯାଏ । ବୌଦ୍ଧ ପୁରାଣ ଗ୍ରନ୍ଥରେ ଏହି ପୁରାଣର ଛାୟା ଦେଖାଯାଏ । ତେଣୁ ବିଷୟବସ୍ତୁର ଆକାର ଓ ପ୍ରକାର, ସଂଯୋଜନା ତଥା ଉପସ୍ଥାପନା ଶୈଳୀରୁ ପୁରାଣ ରାମାୟଣ ଓ ମହାଭାରତର ସମସାମୟିକ ରଚନା ହୋଇପାରେ ବୋଲି କେତେକ ମତବ୍ୟକ୍ତ କରିଛନ୍ତି ।

 

ଆକାର ଦୃଷ୍ଟିରୁ ରାମାୟଣ ମହାଭାରତର ଏକ-ଚତୁର୍ଥାଂଶ ହୋଇପାରେ । ମହାଭାରତର ସାମ୍ପ୍ରତିକ ଆକାର ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକର ପୂର୍ବବର୍ତ୍ତୀ ହେବା ସମ୍ଭବ ନୁହେଁ, କାରଣ ବ୍ୟାକରଣକାର ପାଣିନୀ ଏବଂ ଭାଷ୍ୟକାର ପତଞ୍ଜଳି ନିଶ୍ଚୟ ତାହାର ଉଲ୍ଲେଖ କରିଥାନ୍ତେ । ତେଣୁ ବିଷୟବସ୍ତୁ ଦୃଷ୍ଟିରୁ ମନେହୁଏ ଯେ ମହାଭାରତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକ ପୂର୍ବରୁ କ୍ଷୁଦ୍ର ଆକାରରେ ଥିଲା ଏବଂ ବହୁ କଥା ଓ ଉପକଥାକୁ ନେଇ ଖ୍ରୀଷ୍ଟପୂର୍ବ ବା ଖ୍ରୀଷ୍ଟପର ଦ୍ୱିତୀୟ ଶତାବ୍ଦୀରେ ଆଜିର ବୃହଦାକାର ରୂପ ଗ୍ରହଣ କରିଅଛି । ତାହାର କାରଣ ସ୍ୱରୂପ ଏତିକି କୁହାଯାଇ ପାରେ ଯେ ବୌଦ୍ଧ ଯୁଗରେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ଠାରୁ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ବୈଦିକ ସାହିତ୍ୟର ବିକାଶ ନିଶ୍ଚୟ ପ୍ରତିହତ ହୋଇଥିବ ଏବଂ ଗୁପ୍ତ ସାମ୍ରାଜ୍ୟ ପରେ ପୁଷ୍ୟମିତ୍ରଙ୍କ (ଖ୍ରୀ: ପୂ: ୨୦୦) ରାଜତ୍ୱ କାଳରେ ଯଦି ତାହାର ପୁନରୁତ୍‌ଥାନ ଓ ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିବ, ତେବେ ମହାଭାରତର ସାମ୍ପ୍ରତିକ ଆକାର ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତକ ସୁଦ୍ଧା ପୂର୍ଣ୍ଣାଙ୍ଗ ଲାଭ କରିଥିବ । ଭାରତୀୟ ପରମ୍ପରା ଅନୁସାରେ ମହାଭାରତ ଯୁଦ୍ଧ ଖ୍ରୀଷ୍ଟପୂର୍ବ ତିନିହଜାର ବର୍ଷ ପୂର୍ବେ ଘଟିଥିଲା । ତେଣୁ ମହାଭାରତର ରଚୟିତା ସେ ସମୟର ବେଦବ୍ୟାସ ଖ୍ରୀଷ୍ଟପୂର୍ବ ବା ଖ୍ରୀଷ୍ଟପର ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଜୀବିତ ନ ଥିବେ ଏବଂ ବର୍ତ୍ତମାନର ମହାଭାରତ ତାଙ୍କର ରଚନା ନୁହେଁ-ଏଥିରେ ସନ୍ଦେହ ନାହିଁ । ପୁରାଣମାନଙ୍କ ରଚନା ନିମିତ୍ତ ଅନୁରୂପ ମନ୍ତବ୍ୟର ବିଚାର କରାଯାଇ ପାରେ । ସମଗ୍ର ପୁରାଣ ସୃଷ୍ଟି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକର ବହୁ ପୂର୍ବବର୍ତ୍ତୀ ନୁହେଁ ଏବଂ ଖ୍ରୀଷ୍ଟପର ପଞ୍ଚମ ଶତକର ବହୁ ପରବର୍ତ୍ତୀ ନୁହେଁ ବୋଲି କେତେକ ମତବ୍ୟକ୍ତ କରିଥାନ୍ତି । କିନ୍ତୁ କେତେକ ପୁରାଣ ପଞ୍ଚମ ଶତାବ୍ଦୀର ବହୁ ପରେ ଏପରି କି ‘ଶ୍ରୀମଦ୍‌ ଭାଗବତ’ ଭଳି ପ୍ରସିଦ୍ଧ ମହାପୁରାଣ ଦଶମ ଶତାବ୍ଦୀରେ ପ୍ରଣୀତ ହୋଇଅଛି ବୋଲି ଐତିହାସିକମାନେ ସିଦ୍ଧାନ୍ତ କରିଛନ୍ତି । ତେଣୁ ବିଷୟବସ୍ତୁର ସଂଯୋଜନା ଦୃଷ୍ଟିରୁ ସମସ୍ତ ପୁରାଣ ବା ପୁରାଣର ସମସ୍ତ ବିଷୟ ବେଦବ୍ୟାସଙ୍କ ରଚନା ବୋଲି କୁହାଯାଇ ନ ପାରେ । ବେଦ ସଙ୍କଳନ ପରଠାରୁ ରାମାୟଣ ଓ ମହାଭାରତର ରଚନା କାଳରେ ଏବଂ ପରେ ଅନ୍ତତଃ କାଳି ଦାସଙ୍କ ପର୍ଯ୍ୟନ୍ତ ବହୁ ପ୍ରଖ୍ୟାତ କବି ଏହି ଭାରତ ଭୂମିରେ ନିଶ୍ଚୟ ଜନ୍ମଗ୍ରହଣ କରିଥିବେ ! ସେହି ଅଜ୍ଞାତ କବିଙ୍କ ପୁଷ୍କଳ ରଚନା ପୂର୍ବୋକ୍ତ ଇତିହାସ ଗ୍ରନ୍ଥ ଦ୍ୱୟ ସହିତ ପୁରାଣ ସାହିତ୍ୟକୁ ସୁସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଆଜିର ଉପଲବ୍‌ଧ ସ୍ୱରୂପକୁ ବପୁଷ୍ମନ୍ତ କରିବାରେ ସର୍ବତୋଭାବେ ଆଶାତୀତ ସାହାଯ୍ୟ କରିଥିବ ଏଥିରେ ସନ୍ଦେହ ନାହିଁ ।
 

ପୁରାଣ ରଚନା ଓ ରଚନାକାଳ ବିଷୟରେ ଆଉ କେତୋଟି ବିଷୟର ମଧ୍ୟ ପର୍ଯ୍ୟାଲୋଚନା କରାଯାଇପାରେ । ବେଦବ୍ୟାସ ବେଦ ବିଭାଜନ ପରେ ଚାରୋଟି ବେଦ ପୃଥକ୍ ପୃଥକ୍ ଭାବେ ଚାରିଜଣ ଶିଷ୍ୟଙ୍କୁ ଦେଲେ ଏବଂ ବୈଦିକ ଆଖ୍ୟାନ, କଥା, ଉପାଖ୍ୟାନ, ସଙ୍ଗୀତାଦି ବିଷୟକୁ ନେଇ ଏକ ପୁରାଣ ରଚନା କଲେ । ଏହି ପୁରାଣ ଓ ଇତିହାସ ବିଷୟରେ ତାଙ୍କର ପଞ୍ଚମ ଶିଷ୍ୟ ଲୋମହର୍ଷଣଙ୍କୁ ଶିକ୍ଷା ଦେଲେ । ଏହାପରେ ବ୍ୟାସ ପୁରାଣ ରଚନା କଲେ ବୋଲି ଜଣାଯାଏ-। ଲୋମହର୍ଷଣ ପୁରାଣ ସଂହିତାକୁ ଛଅ ଭାଗରେ ବିଭକ୍ତ ଛଅଜଣ ଶିଷ୍ୟଙ୍କୁ ଶିକ୍ଷା ଦେଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଶିଷ୍ୟ ତିନୋଟି ସ୍ୱତନ୍ତ୍ର ସଂହିତା ରଚନା କରିଥିଲେ । ଗୁରୁ ଓ ଶିଷ୍ୟ ଉଭୟଙ୍କ ନାମରେ ନାମିତ ନଅଟି ସଂହିତା ହିଁ ‘ମୁଳ ପୁରାଣ ସଂହିତା’ ରୂପେ ପରିଚିତ ।

 

ଅଠରଟି ପୁରାଣ ମଧ୍ୟରୁ ମାତ୍ର ସାତୋଟି ପୁରାଣରେ ଅର୍ଥାତ୍ ମତ୍ସ୍ୟ, ବାୟୁ, ବ୍ରହ୍ମାଣ୍ଡ, ବିଷ୍ଣୁ, ଭାଗବତ, ଗରୁଡ଼ ଓ ଭବିଷ୍ୟ ପୁରାଣରେ ବିଭିନ୍ନ ବଂଶ ପରିଚୟର ଉଲ୍ଲେଖ ଅଛି । ଅନ୍ୟାନ୍ୟ ପୁରାଣମାନଙ୍କ ମଧ୍ୟରୁ ଆଦି ପୁରାଣ ରୂପେ ପରିଚିତ ବ୍ରହ୍ମପୁରାଣରେ ବର୍ଣ୍ଣିତ ବହୁ ପରବର୍ତ୍ତୀ କାଳର ବିଷୟବସ୍ତୁର ପର୍ଯ୍ୟାଲୋଚନା କରି ଉଇଲସନ୍ ଏହାର ରଚନାକାଳ ତ୍ରୟୋଦଶ ଶତାବ୍ଦୀ ବୋଲି ନିର୍ଣ୍ଣୟ କରିଛନ୍ତି । ଏହା ନିହାତି ଅଯୌକ୍ତିକ, କାରଣ ବିଷୟବସ୍ତୁର ମୌଳିକ ସ୍ୱରୂପର ବିଚାର କରାଯାଇ କାଳ ନିର୍ଣ୍ଣିତ ହୁଏ ।

 

ପୁରାଣ ଅନ୍ତର୍ଗତ ହୋଇଥିବା ବିଷୟମାନ ବିଭିନ୍ନ କାଳରେ ଭିନ୍ନ ଭିନ୍ନ ଅଧ୍ୟାୟରେ ସଂଯୋଜିତ ହୋଇଥିବାର ଜଣାଯାଏ । ସେ ଦୃଷ୍ଟିରୁ ଆଲୋଚକମାନେ ପୁରାଣଗୁଡ଼ିକର ଅର୍ଥାତ୍ ମାର୍କଣ୍ଡେୟ ପୁରାଣ (୩୦୦-୫୦୦ ଖ୍ରୀ: ଅ), ବାୟୁ (୨୦୦-୧୪୦୦ଖ୍ରୀ:ଅ:), ବ୍ରହ୍ମାଣ୍ଡ (୨୦୦-୫୦୦ଖ୍ରୀ:ଅ:) ବିଷ୍ଣୁ (୧୦୦-୪୦୦ ଖ୍ରୀ: ଅ:), ମତ୍ସ୍ୟ (୪୦୦-୧୨୫୦ ଖ୍ରୀ:ଅ:), ଭାଗବତ (୬୦୦-୧୪୦୦ ଖ୍ରୀ: ଅ:), କୂର୍ମ (୫୫୦-୧୪୦୦ ଖ୍ରୀ: ଅ:), ବାମନ (୬୦୦-୧୦୫୦ ଖ୍ରୀ: ଅ:) ଲିଙ୍ଗ ପୁରାଣ (୬୦୦-୧୦୦୦ ଖ୍ରୀ: ଅ:), ବରାହ (୮୦୦-୧୪୦୦ ଖ୍ରୀ: ଅ:), ପଦ୍ମ (୯୫୦-୧୪୦୦ ଖ୍ରୀ:ଅ:), ବୃହନ୍ନାରଦୀୟ (୮୫୦-୧୦୦୦ ଖ୍ରୀ: ଅ:), ଅଗ୍ନି (୯୦୦-ଖ୍ରୀ:ଅ:), ଗରୁଡ଼ (୧୦୦୦-ଖ୍ରୀ: ଅ:), ବ୍ରହ୍ମ (୯୦୦-୧୫୦୦ ଖ୍ରୀ: ଅ:), ସ୍କନ୍ଦ (୭୦୦-୧୩୦୦ ଖ୍ରୀ: ଅ:), ବ୍ରହ୍ମବୈବର୍ତ୍ତ (୮୦୦-୧୬୦୦ ଖ୍ରୀ: ଅ:), ଭବିଷ୍ୟ ପୁରାଣର (୫୦୦-୧୨୦୦ ଖ୍ରୀ: ଅ:) ସମୟ ନିର୍ଦ୍ଧାରଣ କରିଛନ୍ତି ।

 

ବାଣ (୬୨୦-ଖ୍ରୀଷ୍ଟାବ୍ଦ) ‘ହର୍ଷ ଚରିତ’ରେ ‘ବାୟୁ’ ପୁରାଣର ଉଲ୍ଲେଖ କରିଛନ୍ତି । ଭବିଷ୍ୟ ପୁରାଣର କେତେକ ବିଚାର ଗ୍ରହଣ କରିଥିବା ବିଷୟ ମତ୍ସ୍ୟ, ବାୟୁ ଓ ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣିତ ହୋଇଅଛି । ଆଭ୍ୟନ୍ତରୀଣ ପ୍ରମାଣର ପର୍ଯ୍ୟାଲୋଚନା ପରେ ଜଣାଯାଏ ଯେ ‘ଭବିଷ୍ୟ’ ପୁରାଣ ତୃତୀୟ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିଲା; ମାତ୍ର ଆପସ୍ତମ୍ବ ସୂତ୍ରର (ଖ୍ରୀଷ୍ଟପୂର୍ବ-୩୦୦) ଉଲ୍ଲେଖ ଅନୁସାରେ ‘ଭବିଷ୍ୟ’ ପୁରାଣର ରଚନାକାଳ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ବୋଲି ଗ୍ରହଣ କରାଯାଇପାରେ । ବିଷ୍ଣୁ, ବାୟୁ, ବ୍ରହ୍ମାଣ୍ଡ ଓ ଭଗବତ ପୁରାଣରେ ଗୁପ୍ତବଂଶର ପରିଚୟ ବର୍ଣ୍ଣିତ ହୋଇଅଛି; ତେଣୁ ଏଗୁଡ଼ିକ ଚତୁର୍ଥ ବା ତତ୍ପରବର୍ତ୍ତୀ ଖ୍ରୀଷ୍ଟାବ୍ଦର ରଚନା ବୋଲି କୁହାଯାଇପାରେ । ଅଷ୍ଟମ ଓ ନବନ ଶତାବ୍ଦୀରେ ପ୍ରଚଳିତ ଥିବା ଆନ୍ଧ୍ରର ଯବନ ଶାସନ ବିଷୟ ବିଷ୍ଣୁପୁରାଣରେ ଉଲ୍ଲେଖ କରାଯାଇଛି । ମହାପୁରାଣ ଭଳି ଉପପୁରାଣଗୁଡ଼ିକର କାଳନିର୍ଣ୍ଣୟ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଏ । ତଥାପି ଐତିହାସିକ ଓ ଆଲୋଚକମାନେ ବର୍ଣ୍ଣିତ ବିଷୟବସ୍ତୁର ପର୍ଯ୍ୟାଲୋଚନା କରି ଶାମ୍ବପୁରାଣ (୫୦୦-୮୦୦ ଖ୍ରୀ:ଅ:) ବିଷ୍ଣୁ, ଧର୍ମ (୨୦୦-୩୦୦ ଖ୍ରୀ:ଅ:) ବିଷ୍ଣୁ ଧର୍ମୋତ୍ତର (୪୦୦-୭୫୦ ଖ୍ରୀ:ଅ:) ନରସିଂହ ପୁରାଣ (୪୦୦-୫୦୦ ଖ୍ରୀ: ଅ:), କ୍ରିୟାଯୋଗସାର (୧୧ଶ-ଶତାବ୍ଦୀ), ଆଦିପୁରାଣ (୧୨୦୩-୧୨୨୫ ଖ୍ରୀ: ଅ:) କଳ୍‌କି ପୁରାଣ (୧୮ଶ ଶତାବ୍ଦୀ) ପୁରୁଷୋତ୍ତମ ପୁରାଣ (୧୨ଶ ଶତାବ୍ଦୀ) ଦେବୀ ଭାଗବତ, କାଳିକା ପୁରାଣ ଓ ଦେବୀପୁରାଣ (୧୧ଶ ଶତାବ୍ଦୀ) ସମୟ ମଧ୍ୟରେ ରଚିତ ହୋଇଥିବାର ମତ ପ୍ରଦାନ କରିଛନ୍ତି । ତେଣୁ ମୌଳିକ ଓ ଗୌଣିକ ଭାବେ ସଂଯୁକ୍ତ କରାଯାଇଥିବା ଅଂଶମାନ ବିଚାରକୁ ନେଇ ପୁରାଣ ସାହିତ୍ୟର କାଳନିର୍ଣ୍ଣୟ ବିଷୟରେ ଏକ ନିଶ୍ଚିତ ସିଦ୍ଧାନ୍ତରେ ଊପନୀତ ହେବା ସହଜ ଓ ସମ୍ଭବ ନୁହେଁ ।

 

ସହାୟକ ଗ୍ରନ୍ଥ-

1.

History of Dharmasastra-Vol. I by P. V. Kane.

2.

Studies in the Upapuranas-Vol. I & II by R. C. Hazra.

3.

Ancient Indian Tradition and mythology-Vol. VII by J. L. Shastri.

4.

Historical and Cultural data from the Bhavisya Purana-by R. K. Arora.

5.

Studies in the Puranic Records on Hindurites and Customs-by R. C. Hazra.

6.

Studies in Devi Bhagavata-by P. G. Lalye

7.

History of Dharmasastra-Vol-IV. by P. V. Kane.

 

***

 

Unknown

କୃପାସିନ୍ଧୁ ରଚିତ କୃଷ୍ଣବିଳାସ

ଶ୍ରୀ ନବକିଶୋର ପଣ୍ଡା

 

ଉପକ୍ରମ :- ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ୩୦୦ ବର୍ଷ ଭିତରେ ଉତ୍କଳରେ ଅପରିମେୟ କାବ୍ୟ, ଚଉତିଶା, ଚଉପଦୀ, ଗାହା, ଦୋହା, ବୋଲି, ଢଗଢ଼ମାଳି ରଚିତ ହୋଇଅଛି । କାବ୍ୟଗୁଡ଼ିକ ମୁଖ୍ୟତଃ ପୌରାଣିକ ଓ ତା’ଠାରୁ କମ୍ କାଳ୍ପନିକ । ପୌରାଣିକ କାବ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ କୃଷ୍ଣ ଗାଥାକୁ ଉପଜୀବ୍ୟ କରି ରଚିତ । କେତେ କୃଷ୍ଣକାବ୍ୟ ରଚିତ ହୋଇଛି ତା’ର ଆନୁମାନିକ ହିସାବ ନିକାଶ କରିବା ବି କଷ୍ଟକର । କେବଳ କୃଷ୍ଣଲୀଳା ପଚିଶ-ତିରିଶ ଖଣ୍ଡ ପାଖାପାଖି ଓଡ଼ିଶା ସଂଗ୍ରହାଳୟ, ଭୁବନେଶ୍ୱରରେ ଏଯାବତ୍ ସଂଗୃହୀତ ହୋଇ ରହିଛି । ବହୁତ ପୋଥି ମୂଷା, କୀଟ, ଉଇମାନଙ୍କ କବଳରେ ପଡ଼ି ବା ‘ଗାଦୀ’ ଉପରେ ଚନ୍ଦନଚର୍ଚ୍ଚିତ ଜୀର୍ଣ୍ଣ କଳେବର ହୋଇ ନଷ୍ଟ ହୋଇଗଲାଣି । ନବ୍ୟସଭ୍ୟତା ଓ ଯାନ୍ତ୍ରୀକତାର ପ୍ରଭାବ ଫଳରେ ଆମ୍ଭେମାନେ ସଂପ୍ରତି ଏହି ଦିଗଟି ପ୍ରତି ପରାଙ୍ମୁଖ ହୋଇଅଛୁ । ତେଣୁ ଯାହାକିଛି ପୋଥି ଦେଖିବାକୁ ମିଳିବ ସରକାରୀ ସଂଗ୍ରହାଳୟରେ, ମଫସଲର ବୁନିୟାଦ୍ ପରିବାରମାନଙ୍କରେ (ଗାଦୀ ଉପରେ ବା ସିନ୍ଦକରେ) ଅଥବା ମୁଷ୍ଟିମେୟ ଆଗ୍ରହୀ ସଂଗ୍ରାହକମାନଙ୍କ ଘରେ ।

 

କୃଷ୍ଣବିଳାସ ପୋଥିଟିକୁ ମୁଁ ଦଶପଲ୍ଲାର ଗଣିଆଠାରୁ ଚାରି ମାଇଲ ପଶ୍ଚିମରେ ଥିବା କାଦୁଆ ଗ୍ରାମର ୰ ଅନନ୍ତ ଚରଣ ସ୍ୱାଇଁଙ୍କଠାରୁ ୧୯୬୯ ମସିହା ମଇ ମାସ ୨୭ ତାରିଖରେ ପାଇଥିଲି । ପୋଥିର କେତେକ ପତ୍ର ଭାଙ୍ଗିଯାଇଛି । ପୋଥିର ପତ୍ରଗୁଡ଼ିକ ଇତସ୍ତତଃ ଫିଟିପଡ଼ିଥିଲା-। ଆମୂଳଚୂଳ ସମସ୍ତ ପତ୍ର ମିଳିଲା । ପରେ ତାହାକୁ ଡୋରି ଦେଲି । ଏହି ଦୀର୍ଘକାଳ ଭିତରେ ଆଉ ଅନ୍ତତଃ ଖଣ୍ଡିଏ ପୋଥି ମିଳିବାର ପ୍ରଚେଷ୍ଟା ବିଫଳ ହେବାରୁ ହସ୍ତଗତ ହୋଇଥିବା ଏହି ଖଣ୍ଡିକ ପୋଥିକୁ ଭରସା କଲି ।

 

ଏହି ପୋଥିଟିକୁ ଉତ୍ତାରିଛନ୍ତି ବୈଶ୍ୟ ୰ ଚିନ୍ତାମଣି ସାହୁ । ଗ୍ରାମ ବନମାଳୀପୁର (ଖଣ୍ଡପଡ଼ା) । ଗ୍ରନ୍ଥ ଶେଷରେ ଲେଖାଅଛି ଯେ ସେ ୰ ଚୈତନ୍ୟ ସାହୁଙ୍କ ପୁତ୍ର । ରାଉରକେଲାରୁ କୌତୂହଳବଶତଃ ବନମାଳୀପୁରକୁ ଯାଇ ୰ ଚିନ୍ତାମଣିଙ୍କ ନାତି (ଝିଅଙ୍କ ପୁଅ) ଶ୍ରୀଯୁକ୍ତ ଗଙ୍ଗାଧର ସାହୁଙ୍କୁ ସାକ୍ଷାତ କଲି । ଗଙ୍ଗାଧରଙ୍କ ବୟସ ବର୍ତ୍ତମାନ ୫୨ ବର୍ଷ । ଗଙ୍ଗାଧର କହିଲେ ଯେ ଚିନ୍ତାମଣିଙ୍କ ପିତା ୰ ଚୈତନ୍ୟ ନଅଙ୍କ ଦୁର୍ଭିକ୍ଷ ସମୟରେ ତାଙ୍କର ମୂଳ ବାସସ୍ଥାନ ଖୋରଧା ସବ୍‌ଡିଭିଜନର ଗୋଳାବାଇରୁ ତାଙ୍କର ତିନିପୁତ୍ରଙ୍କୁ ନେଇ ବନମାଳୀପୁରକୁ ପଳାଇ ଆସିଲେ । ଚିନ୍ତାମଣି ଜ୍ୟେଷ୍ଠ, କି ମଧ୍ୟମ କି କନିଷ୍ଠ ସେ କଥା ଗଙ୍ଗାଧର କହିପାରିଲେ ନାହିଁ । ଏତିକି କହିଲେ ଯେ ସେତେବେଳେ ଚିନ୍ତାମଣି ପିଲାଟିଏ ଥିଲେ । ତାଙ୍କର ଜନ୍ମ ଓ ମୃତ୍ୟୁର କାଳ ସମ୍ବନ୍ଧରେ ମଧ୍ୟ ସେ କହିପାରିଲେ ନାହିଁ । ଅନୁମାନ କରାଯାଏ ଏ ପୋଥିଟି ପ୍ରାୟ ୧୮୮୦-୯୦ ଖ୍ରୀ: ଅ: ମଧ୍ୟରେ କେବେ ଉତ୍ତରା ହୋଇଥିବ ।

 

ଗ୍ରନ୍ଥକର୍ତ୍ତା ଓ ରଚନା କାଳ :- ଗୋଟିଏ କୃଷ୍ଣବିଳାସ ଲେଖିଛନ୍ତି ଊନବିଂଶ ଶତାବ୍ଦୀର ପ୍ରଧାନ ରାଜକବି ଗୁଣ୍ଡିଚା ବିଜେ ଚମ୍ପୂର ରଚୟିତା ବକ୍ରବାକ୍ ଚକ୍ରପାଣି ପଟ୍ଟନାୟକ । କିନ୍ତୁ ଆଲୋଚ୍ୟ ପୋଥିର କବି କୃପାସିନ୍ଧୁ ଯାହାଙ୍କ ସାଙ୍ଗିଆ ପୋଥିରେ କୁତ୍ରାପି ନାହିଁ । ଏ ସମ୍ବନ୍ଧରେ ଅନୁସନ୍ଧାନ କରୁ କରୁ ୧୯୭୦ ମସିହାରେ ପହଞ୍ଚିଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତତ୍‌କାଳୀନ ମୁଖ୍ୟ ଓଡ଼ିଆ ଅଧ୍ୟାପକ ଡଃ କୁଞ୍ଜବିହାରି ତ୍ରିପାଠୀଙ୍କ ପାଖରେ । ସେ ଅଧ୍ୟାପକ ୰ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଲିଖିତ ଅପ୍ରକାଶିତ History of Oriya Literatureର ୪୫ ପୃଷ୍ଠାରେ କୃପାସିନ୍ଧୁଙ୍କ ସମ୍ବନ୍ଧରେ ନିମ୍ନମତେ ଲେଖାଥିବାର ଦେଖାଇଲେ :-
 

“Krupasindhu Samanta :- He is the author of Krushna Vilasa, Margasheera Mahatmya and some chautishas and chaupadis. His language is simple and clear. He is a true poet”.

 

ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କଦ୍ୱାରା ସମ୍ପାଦିତ ‘ପ୍ରାଚୀ’ ସମିତି ପ୍ରକାଶିତ ଚଉତିଶା ମଧୁଚକ୍ରରେ କୃପାସିନ୍ଧୁ ସୁମନ୍ତ ବିରଚିତ ‘ସାରଙ୍ଗ ଦୂତ ଚଉତିଶା’ ଯମକରେ ଲିଖିତ ଏବଂ ଉଦ୍ଧବ ଚଉତିଶା ଅତି ସରଳ ମଧୁର ପଦରେ ରଚିତ । ସାରଙ୍ଗ ଦୂତ ଚଉତିଶାରେ ଭଣତି ନାମ କେବଳ କୃପାସିନ୍ଧୁ ଥିବାସ୍ଥଳେ ଉଦ୍ଧବ ଚଉତିଶାର ଭଣତିରେ ସ୍ପଷ୍ଟ ଭାବେ ସାଙ୍ଗିଆ ସହ ନାମ ରହିଛି, “ଛ ଛନ୍ଦରେ କୃପାସିନ୍ଧୁ ସୁମନ୍ତ ଏ ରସେ ଚିନ୍ତେ ଶ୍ୟାମ ରୂପ’’ । ସାରଙ୍ଗଦୂତ ଚଉତିଶାର କବି ପରିଚୟ ଦେଇ ବିଚ୍ଛନ୍ଦବାବୁ ଲେଖିଛନ୍ତି, ‘‘ପ୍ରାଚୀନ କବିବର କୃପାସିନ୍ଧୁ ସାମନ୍ତରାଙ୍କୁ ଆଧୁନିକ ଯୁଗରେ ବେଶି ଲୋକ ଜାଣନ୍ତି ନାହିଁ; କିନ୍ତୁ ସେ ଜଣେ ବଡ଼ ଶକ୍ତିଶାଳୀ କବି । ଆମ୍ଭେମାନେ ତାଙ୍କର କେତେଗୋଟି କବିତାଦି ପ୍ରାପ୍ତ ହୋଇଅଛୁଁ ଓ ଆଶା ଅଛି ତାଙ୍କର ଅନ୍ୟାନ୍ୟ କୃତି ହସ୍ତଗତ ହେବ । ତାହା ନ ହେବାଯାଏ ସାମନ୍ତରାଙ୍କ ପ୍ରତିଭାର ଯଥାଯଥ ବିଚାର ଅସମ୍ଭବ ।’’ ଉଦ୍ଧବ ଚଉତିଶାର କୃପାସିନ୍ଧୁ ଯେ କୃଷ୍ଣବିଳାସର କବି ତାହା ଆଲୋଚ୍ୟ କାବ୍ୟର ଉଦ୍ଧବ ଗୋପୀ ଉକ୍ତି-ପ୍ରତ୍ୟୁକ୍ତି ଓ ଉକ୍ତ ଚଉତିଶାର ପଦମାନଙ୍କରେ ଭାବପ୍ରକାଶ ଭଙ୍ଗୀର ସାଦୃଶ୍ୟରୁ ନିଃସନ୍ଦେହ ଜାଣି ହୁଏ । ସଦୃଶ ପଦମାନଙ୍କରୁ କିଛି ଉଦ୍ଧାର କରି ପାଠକବର୍ଗଙ୍କର କୌତୂହଳ ମୋଚନ କରାଯାଉଅଛି ।

 

କୃଷ୍ଣବିଳାସ ଓ ଉଦ୍ଧବ ଚଉତିଶା :-

(୧)

ଆଉ ବ୍ରଜଯୁବତୀଙ୍କି ଲୋଡ଼ିବେ ସେହୁ କାହିଁକି ହୋଇଛନ୍ତି ମଧୁପୁରେ ରାଜା । (କୃ:ବି:) ଭାବଗ୍ରାହୀ ଏବେ ମଧୁରା କଟକେ ମହାରାଜାପଣ କଲେ (ଉ:ଚ:)

 

(୨)

କହନ୍ତି ରମଣୀବର ତୁମ୍ଭେ ତା ସାଧନ କର ନାହିଁ ଲୋଡ଼ା ଆମ୍ଭମାନଙ୍କର,

ଯେତେ କଲେ ଉପବାସ ସିଂହ ନ ଭକ୍ଷଇ ଗ୍ରାସ କିମ୍ପା କହ

            ତୁମ୍ଭେ କଠିଣ ଉତ୍ତର ହେ, ସାଧୁବର (କୃ:ବି:)

 

ଟେକି ଯେ କହୁଛ ନିରାକାର ବ୍ରହ୍ମ ଭଜ ବୋଲି ହେ ଉଦ୍ଧବ,

ଟାଳିବୁ କି କରି ଇଷ୍ଟବ୍ରତ ଆମ୍ଭେ କରିଛୁଁ ଗୋବିନ୍ଦ ଭାବ ।

ଉଦ୍ଧବ ହେ ! ଟଙ୍କଧର ପତ୍ନୀ ଯାନ

ଟଳି ଉପବାସେ ପଡ଼ିଲେ କେବେହେଁ ନ କରେ ତୃଣ ଭକ୍ଷଣ । (ଉ: ଚ:)

 

(୩)

ଦେଖ ପତିବ୍ରତା ଜନ ଅଛନ୍ତି ଯେଉଁ ଦେଶେଣ ପତି ସେ ତାଙ୍କର ସର୍ବ ଧର୍ମ,

ଯଦ୍ୟପି ଛାଡ଼େ ପତିକି ଭଜେ ମୋହା ବିପତ୍ତିକି * ତେବେ ସେ ଉଚ୍ଚାରେ ସର୍ବନାମ ହେ, ସାଧୁବର,

ଛାଡ଼ି ହଂସ ମାନସରୋବର, ଯେଣେ ଗଲେ କୀଟ ନ କରେ ଆହାର ହେ । (କୃ:ବି:)

 

ନିର୍ମଳ ହୃଦରେ ଘେନିଥାଏ ଯେହୁ ନାରୀ ପତିବ୍ରତା ଧର୍ମ

ନୃପତିମଣିକି ଭଜିଲେ ନିକି ସେ ବହେ ବୃହନ୍ନାରୀ ନାମ

ଉଦ୍ଧବ ହେ ! ନୀରଜଯୋନିବାହନ

ନ କରଇ କେବେ ମାନସରୋବର ତେଜିଲେ କୀଟ ଭୋଜନ । (ଉ:ଚ:)

ଏଠାରେ କୃଷ୍ଣ ବିଳାସର ପଦ ସହିତ ଉଦ୍ଧବ ଚଉତିଶାର ପଦଟି ସମ୍ପୂର୍ଣ୍ଣ ଭାବରେ ଅର୍ଥ ଦୃଷ୍ଟିରୁ ମେଳ ଖାଉଛି । କେବଳ ଏକ ଅର୍ଥ ପ୍ରକାଶ କରୁଥିବା ଶବ୍ଦଗତ ବୈଭିନ୍ନ୍ୟ ମାତ୍ର ରହିଛି ।

 

(୪)

କେତେ ନଦୀସିନ୍ଧୁଜଳ ନାହାନ୍ତି ୟେ ମହୀତଳ ଘନନୀର ଭକ୍ଷଇ ସାରଙ୍ଗ

ତୁମ୍ଭେ ଯେ କହୁଛ ରୂପ ଛାଡ଼ିଣ ଭଜ ଅରୂପ,

କେହ୍ନେ କରିବୁ ହେ ଇଷ୍ଟଭାବ ରଙ୍ଗ ହେ । (କୃ:ବି:)

ଏ ଘେନି ଏରସ କିକରି ଛାଡ଼ିବା ହୃଦରେ ତୁମ୍ଭେ ବିଚାର

ଆକାଶ ଜଳ ବିହୀନେ କି ଚାତକ ପାନକରେ ଗଙ୍ଗାନୀର

ଉଦ୍ଧବ ହେ ! ଏହା ନ ଆଣ ମନକୁ

ଆକାର ନ କହି ନିରାକାର ମାର୍ଗ କହ କେଉଁ କାରଣକୁ । (ଉ.ଚ.)

 

(୫)

ଆପେ ଉଜ କଲେ କୁବୁଜାଙ୍କୁ, ଯୋଗ ପଠିଆଇଛନ୍ତି ଆମ୍ଭଠାକୁ ହେ (କୃ:ବି:)

ଗୋବିନ୍ଦ ଯାଇ ମଧୁପୁରେ କୁବୁଜୀ କୁବୁଜାକୁ ସୁଆଗିଲେ

ଗେପୀଙ୍କି ଯୋଗମାର୍ଗ ଶିକ୍ଷା ଦେବାକୁ ତୁମ୍ଭଙ୍କୁ ଏବେ ପେଷିଲେ । (ଉ: ଚ:)

 

(୬)

ମନ ଘଟେ ତା ରସ ପୂରିଛି, ଆଉ ଯୋଗକୁ ଯେ ଠାବନାହିଁ କିଛି ହେ (କୃ. ବି.)

ଘନଶ୍ୟାମ କୃଷ୍ଣରସ,

ଘୋଟି ମନ ଘଟେ ରହିଛି ଯୋଗକୁ ନାହିଁ ନାହିଁ ଠାବ ଲେଶ (ଉ:ଚ:)

 

* ଏ ଶବ୍ଦଟି ପୋଥିରେ ଉତ୍ତାରିବା ବ୍ୟକ୍ତି ହୁଏତ ‘ଭୂପତିକି’ ପରିବର୍ତ୍ତେ ‘ବିପତ୍ତିକି’ ଲେଖି ଥାଇପାରନ୍ତି ଏ ଧାରଣା ଉଦ୍ଧବ ଚଉତିଶାର ତୁଲ୍ୟପଦପାଠରୁ ଜାଗ୍ରତ ହୁଏ । (ଲେଖକ)

 

ଭାବର କ୍ରମ ବିନ୍ୟାସ, ଭାଷାଗତ ତଥା ଅର୍ଥଗତ ସାମଞ୍ଜସ୍ୟ ସମ୍ପୂର୍ଣ୍ଣ ପଦ ବା ପଦାଂଶମାନଙ୍କରେ ଅନୁଧ୍ୟାନ କଲେ କୌଣସି ଶୈଳୀଗତ, କାବ୍ୟ ଗୁଣଗତ (ଅର୍ଥାତ୍ ଶବ୍ଦ, ଅଳଙ୍କାର, ରୀତି ଓ ରସଗତ) ପାର୍ଥକ୍ୟ ପରିଦୃଷ୍ଟ ହୁଏନାହିଁ । ଦୁଇ ଜଣ କବି ଗୋଟିଏ ଭାବ ବା ଚିନ୍ତାଧାରାକୁ ଏକାପରି ପରିବେଷଣ କଲେ ମଧ୍ୟ ଶୈଳୀଗତ ମୌଳିକ ପାର୍ଥକ୍ୟ ରହେ ।

 

ପୁସ୍ତକର ରଚନାକାଳ ତଥା କବିଙ୍କର ଜୀବନକାଳ ସମ୍ବନ୍ଧରେ ଛାନ୍ଦମାନଙ୍କରେ ବା ପୂର୍ବୋକ୍ତ ଚଉତିଶା ଦ୍ୱୟରେ କୌଣସି ସୂଚନା ନାହିଁ । ଶେଷ ଛାନ୍ଦଟି ଭଣତି ସରିବା ପରେ ସାଧାରଣତଃ ପୋଥି ପରମ୍ପରାର ଅନୁସରଣରେ ଲେଖା ହୋଇଅଛି, ‘‘ଭୀମସ୍ୟାପି ରଣେ ଭଙ୍ଗୋ, ମୁନେରପି ମିତିର୍ଭ୍ରମଂ, ଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ । ଅର୍ଥ : ଭୀମ ପରା କ୍ଷତ୍ରୀ ହୋଇ, ରଣେ ସେ ହାରି ଅଛଇ । ମୁନି ମତିଭ୍ରମ ହୋନ୍ତି, ଯୋଗବାଟ ହୁଡ଼ିଯାନ୍ତି ହେ । ୧ । ଚଞ୍ଚଳ ଚିତ୍ତ ମୋହର, ନାହିଁ କୃଷ୍ଣେ ଭକ୍ତି ମୋର । ମୂର୍ଖପଣେ ମୁଁ ଲେଖିଲି, କୃଷ୍ଣନାମ ବିସ୍ତାରିଲି ମୁଁ । ଶୁଦ୍ଧ କି ବିଶୁଦ୍ଧ ଅବା, ମୋର ଦୋଷ ନ ଘେନିବା । ମାଗୁଛି ୟେତକ ମୁହି, ବିନୟ ହୋଇ ଯେ ।’’ ଏବଂ ଏହା ପରେ ଅଛି, ‘‘ଭାଦ୍ରବେ କୃଷ୍ଣପକ୍ଷେତୁ ତୃତୀୟା ସୋମବାସରେ, କୃଷ୍ଣବିଳାସ ନାମେତି ସମ୍ପୂର୍ଣ୍ଣଂ ପୁସ୍ତକମିଦଂ । ଗୀତ । ଦିବ୍ୟସିଂହ ନୃପତି ଚବିଶ ଅଙ୍କେ ସ୍ଥିତି କକଡ଼ା ସତର ଦିନରେ । କୃଷ୍ଣବିଳାସ ନାମ ସମ୍ପୂର୍ଣ୍ଣ ହେଲା ଗ୍ରନ୍ଥ ପୂର୍ଣ୍ଣ-ରାହାସ କହିବାରେ ହେ । ସୁଜ୍ଞଜନେ ନ ଘେନ ମୋର ଦୋଷ । ତୁମ୍ଭ ଦାସର ମୁହିଁ ଦାସ । ଖଣ୍ଡପଡ଼ା ମଧ୍ୟେଣ ବନମାଳୀପୁରେଣ ଚିନ୍ତାମଣି ନାମେଣ ବଶ୍ୟ ହେ । ସାଧୁଜନେ ମୋର ଦୋଷ ନ ଧର । କୃଷ୍ଣବିଳାସ ଅମୃତ ସାଗର । ବଶ୍ୟ ଚଇତନ ସାହୁର ମୁଁ ନାନ ହେ । ନାମ ଅଟେ ମୋ ଚିନ୍ତାମଣି ପୁଣ ହେ ।’’

 

ଉପର୍ଯ୍ୟୁକ୍ତ ପଦଗୁଡ଼ିକ କାବ୍ୟର ଉଦ୍ଧୃତିକାର ୰ ଚିନ୍ତାମଣି ରଚନା କରିଥିବା ଧାରଣା ହୁଏ-। କିନ୍ତୁ ମୋର ବିଶ୍ୱାସ, ‘‘ଭୀମସ୍ୟାସି...ପୂର୍ଣ୍ଣ ରାହାସ କହିବାରେ’’ ପର୍ଯ୍ୟନ୍ତ ମୂଳ କବିଙ୍କର ପଦ ଏବଂ ତତ୍‌ପରବର୍ତ୍ତୀ ପଦଗୁଡ଼ିକ ସ୍ୱୟଂ ଚିନ୍ତାମଣି (ଉଦ୍ଧୃତିକାର) ଯୋଡ଼ିଦେଇ ଆତ୍ମ ପରିଚୟ ଦେଇଛନ୍ତି । ଏହା ଉପରେ ବର୍ତ୍ତମାନ ବିଶଦ୍ ବିଚାର ଆବଶ୍ୟକ ହେଉଅଛି । କୃଷ୍ଣବିଳାସର ଶେଷଛାନ୍ଦ ପାହାଡ଼ିଆ କେଦାର ରାଗରେ ଲିଖିତ । ଏ ରାଗର ପଦଗୁଡ଼ିକ ଦୀର୍ଘ । ଛାନ୍ଦର ଶେଷ ଆଡ଼କୁ କବି ଆତ୍ମ-ପରିଚୟ ଦେଇ ପାରିଥାନ୍ତେ । କିନ୍ତୁ ଅଧିକାଂଶ ମଧ୍ୟଯୁଗୀୟ କବି ଏହିପରି ଭାବରେ ଆତ୍ମ ପରିଚୟ ଓ କାବ୍ୟକାଳ ନିର୍ଦ୍ଦେଶ ପରିହାର କରିଛନ୍ତି । ଏହି କାରଣରୁ ବହୁତ ବିଶିଷ୍ଟ କବିଙ୍କର ପ୍ରକୃତ ପରିଚୟ ଓ କୃତିକାଳ ନିର୍ଣ୍ଣୟ ସଂଶୟ-ଜବ-ନିକାନ୍ତରାଳରେ ଲୁକ୍‌କାୟିତ ରହିଯାଉଛି । ପୁଣି କେତେକ କବି ବିଷୟବସ୍ତୁ ରଚନାର ପରେ ‘‘ଭୀମସ୍ୟାପି...’’ ଇତ୍ୟାଦି ସହ ଦୁଇ ଏକ ପଦ ଯୋଡ଼ିଦେଇ ନିଜର ଓ ରଚନାକାଳର କିଛି ଆଭାସ ଦେଇଛନ୍ତି । ରସକଲ୍ଲୋଳ ଓ ମଥୁରାମଙ୍ଗଳରେ ସେତିକି ନ ଥିବାରୁ ପୂଜ୍ୟ ଅଧ୍ୟାପକ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପରୋକ୍ଷ ପ୍ରମାଣ ସାହାଯ୍ୟରେ ବହୁ ଆୟାସରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଲୋଚ୍ୟ କୃଷ୍ଣବିଳାସର କବି ସଂଶିତ ଉଦ୍ଧୃତିଗୁଡ଼ିକ ଲେଖିଥିବେ ବୋଲି ନିମ୍ନମତେ ପ୍ରମାଣ ମିଳୁଛି :-

 

(୧)

‘‘ଚଞ୍ଚଳ ଚିତ୍ତ ମୋହର...କୃଷ୍ଣନାମ ବିସ୍ତାରିଲି ମୁଁ’’ ଜଣେ ଉଦ୍ଧୃତିକାର ଲେଖିବା ଏକ ଗୁରୁତର ଆସ୍ପର୍ଦ୍ଧା ଏବଂ ଶିଷ୍ଟାଚାର ବିରୁଦ୍ଧ । ଏହି ପଦରେ କବି ଏକାଧାରରେ ନିଜର ଲୌକିକ ନମ୍ରତା ପ୍ରକାଶ କରିବ ସଙ୍ଗେ ସଙ୍ଗେ ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ, ସେ କୃଷ୍ଣଲୀଳା ପ୍ରଚାରର ମହତ୍‌ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ।

 

(୨)

‘‘ଭାଦ୍ରବେ କୃଷ୍ଣ ପକ୍ଷେତୁ....ପୂର୍ଣ୍ଣ ରାହାସ କହିବାରେ’’ ପୁସ୍ତକ ରଚନାର ଶେଷଦିନକୁ ବୁଝାଇବ, ଉତ୍ତାରିବାର ଶେଷଦିନକୁ ନୁହେ । ଆଉ ଖଣ୍ଡିଏ ପୋଥି ମିଳିଗଲେ ଏ ସମ୍ପର୍କିତ ସଂଶୟ ଦୂରୀଭୂତ ହେବ । କାରଣ ଯଦି ଅନ୍ୟ ଏକ ପୋଥିରେ ଏହି କଥା ଲେଖାଥିବ ତେବେ ଏହା ମୂଳ ରଚୟିତାଙ୍କର ରଚନାକାଳ ସମ୍ବନ୍ଧୀୟ ସ୍ପଷ୍ଟୀକରଣ ବୋଲି ଜଣାପଡ଼ିବ ।

 

(୩)

‘‘ଦିବ୍ୟସିଂହ ନୃପତି... ପୂର୍ଣ୍ଣରାହାସ କହିବାରେ’’ କାମୋଦୀରାଗର ପ୍ରଥମ ଦୁଇଟି ପାଦ : ହୁଏତ ଏହା ପରବର୍ତ୍ତୀ ପାଦଗୁଡ଼ିକ ଉଦ୍ଧୃତିକାର ସାହାଯ୍ୟକାରୀ ପୋଥିରୁ ପାଇ ନ ଥିବେ । ଏଣୁ ନିଜ ପରିଚୟ ଦେଇ ସେହି ସୁଯୋଗରେ ପଦପୂର୍ଣ୍ଣ କରିଥିବେ । କାରଣ ପରବର୍ତ୍ତୀ ‘‘ସୁଜ୍ଞଜନେ ନ ଘେନ.....ଚିନ୍ତାମଣି ପୁଣ ହେ’’ର ପଦ ସଂଯୋଜନା ପରିପାଟୀ ନ୍ୟୂନତର କବିତ୍ୱର ପରିଚାୟକ ଅଟେ ।

 

(୪)

କୃଷ୍ଣବିଳାସର କବି ଏବଂ ଉଦ୍ଧୃତିକାର ଚିନ୍ତାମଣିଙ୍କ ବିଷୟରେ ମୁଁ ବନମାଳୀପୁର ଯାଇଥିଲି ୧୯୬୯ ମସିହା ଜୁନମାସ ଦୁଇ ତାରିଖ ଦିନ । ଚିନ୍ତାମଣିଙ୍କ ନାତି (ଝିଅଙ୍କ ପୁଅ) ଗଙ୍ଗାଧରଙ୍କ ସହିତ କଥୋପକଥନ ପରେ ଉଦ୍ଧୃତିକାରଙ୍କ ସମ୍ବନ୍ଧରେ ଏବଂ ଉଦ୍ଧୃତିକାଳ ସମ୍ବନ୍ଧରେ ମୋର ଅନୁମାନ ମୁଁ ଏହି ପ୍ରବନ୍ଧର ପ୍ରାରମ୍ଭରୁ ବ୍ୟକ୍ତି କରିଅଛି । ଚିନ୍ତାମଣିଙ୍କ ପିତା ଯେଉଁ ଦିବ୍ୟସିଂହଙ୍କର ନଅଙ୍କ ସମୟରେ (୧୮୬୬) ଗୋଳବାଇରୁ ବନମାଳୀପୁରକୁ ଦୁର୍ଭିକ୍ଷ ଦାଉରେ ନିଜର ପୁତ୍ରମାନଙ୍କୁ ଧରି ପଳାଇ ଆସିଥିଲେ ସେ ମହତାବଙ୍କ ଓଡ଼ିଶା ଇତିହାସ ମତେ ୧୮୬୨ରୁ ୧୮୭୬ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତେଣୁ ତାଙ୍କ ରାଜତ୍ୱର ୨୪ ଅଙ୍କ ଗଣନା ସମ୍ଭବ ନୁହେ । ପୁନଶ୍ଚ ଚିନ୍ତାମଣି ଏହିକାଳ ମଧ୍ୟରେ ନାବାଳକ ମାତ୍ର ଥିଲେ ।

 

(୫)

ଧରାଯାଉ ଉତ୍ତାରିବା କାର୍ଯ୍ୟହିଁ ଦିବ୍ୟସିଂହ ଦେବଙ୍କର ଚବିଶ ଅଙ୍କରେ ହୋଇଅଛି । ତେବେ କେବଳ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଭୂପତିପଣ୍ଡିତ ଆଦିଙ୍କ ସମସାମୟିକ ଦିବ୍ୟସିଂହ ଦେବଙ୍କର ଗଣନାସମ୍ଭବ । ସେ ଦୀର୍ଘକାଳ ରାଜତ୍ୱ କରିଥିଲେ । ଯଦି ଏହା ହୁଏ ତେବେ ୰ଚିନ୍ତାମଣିଙ୍କ ନାତିଙ୍କୁ ୧୯୬୯ ମସିହାରେ ୪୪ ବର୍ଷ ହେବା ସମ୍ଭବ କି ? ଦ୍ୱିତୀୟକଥା, କୃଷ୍ଣବିଳାସର ରଚନା ଉପରେ ଭଞ୍ଜୀୟ ରଚନାର ପ୍ରଭାବ ସ୍ପଷ୍ଟ । ଉତ୍ତାରିବା କାର୍ଯ୍ୟ ଏଣୁ ଯଥେଷ୍ଟ ପରେ ହେବା ସମ୍ଭବ । ଆଉ ଚିନ୍ତାମଣିଙ୍କ ପିତା ନଅଙ୍କ ଦୁର୍ଭିକ୍ଷ ବେଳେ ବନମାଳୀପୁର ଆସିଥିବା ସ୍ଥଳେ ଏବଂ ସମସାମୟିକ ୩ୟ ଦିବ୍ୟସିଂହ ମାତ୍ର ୧୪ ବର୍ଷ ରାଜତ୍ୱ କରିଥିବା ହେତୁ, ଚିନ୍ତାମଣି ଏହାର ୧୫୦ ବର୍ଷ ପୂର୍ବେ (୧ମ ଦିବ୍ୟସିଂହଦେବ) କିପରି ସମ୍ଭବ ହେଲେ ? ଅତଏବ ମୂଳ ପୋଥିର ରଚନାହିଁ ୧ମ ଦିବ୍ୟସିଂହ ଦେବଙ୍କ ୨୪ ଅଙ୍କରେ ସମାପ୍ତ ହୋଇଥିବା ସମ୍ଭବ ।

 

ଗଜପତି ମହାରାଜାମାନଙ୍କର ଅଙ୍କ ଗଣନାରେ ୬, ୧୦, ୧୬, ୨୦, ୨୬ ଇତ୍ୟାଦି ସଂଖ୍ୟାକୁ ବାଦ୍ ଦିଆଯାଏ । ଚବିଶ ଅଙ୍କର ଦୁଇବର୍ଷପରେ ୨୭ ଅଙ୍କରେ (୨୬ ଅଙ୍କ ବାଦ୍‌ଦେଇ) ଉପେନ୍ଦ୍ର ଭଞ୍ଜ ‘ରସଲେଖା’ କାବ୍ୟ ଶେଷ କରିଥିଲେ । ‘ରସଲେଖା’ର ଉପସଂହାରରେ ସେ ଲେଖିଛନ୍ତି, ‘‘ଦିବ୍ୟସିଂହ ଗଜପତି ଅଙ୍କ ସପତବିଂଶତି ଶେଷଦିନେ ଶେଷ ଏହୁ ଗୀତ ।’’ ପ୍ରତ୍ୟେକ ଭାଦ୍ରଶୁକ୍ଳ ତ୍ରୟୋଦଶୀର ଗଜପତି ମହାରାଜାଙ୍କର ନୂତନ ଅଙ୍କ ଆରମ୍ଭ ହୁଏ । ଏହାକୁ ଏବେ ମଧ୍ୟ ସୁନିଆଁ ପର୍ବ କହନ୍ତି । ତେଣୁ ରସଲେଖା ଶେଷ ହୋଇଛି ଦିବ୍ୟସିଂହ ଦେବଙ୍କ ୨୭ ଅଙ୍କ ଶେଷ ଦିନ ଅର୍ଥାତ୍ ସେହିବର୍ଷର ଭାଦ୍ରଶୁକ୍ଲ ଦ୍ୱାଦଶୀ ତିଥିରେ । ଦିବ୍ୟସିଂହଦେବ ସିଂହାସନ ଆରୋହଣ କରିଥିଲେ ୧୬୧୧ ଶକାବ୍ଦରେ ଅର୍ଥାତ୍ ୧୬୮୯ ଖ୍ରୀ:ଅ:ରେ । ତାଙ୍କର ୨୭ଅଙ୍କ ପଡ଼ୁଛି ୧୭୧୦ ଖ୍ରୀ:ଅ:ରେ । ଅତଏବ ତାଙ୍କର ୨୪ ଅଙ୍କ ୧୭୦୮ ଖ୍ରୀ:ଅ:ରେ ଅର୍ଥାତ୍ ରସଲେଖା ସମ୍ପୂର୍ଣ୍ଣ ହେବାର ଠିକ୍ ଦୁଇବର୍ଷ ପୂର୍ବରୁ କୃଷ୍ଣବିଳାସର ରଚନା କାର୍ଯ୍ୟ ସମାପ୍ତ ହୋଇଥିଲା । ଏହା ଯଦି ଅନୁସନ୍ଧିତ୍ସୁମାନେ ଗ୍ରହଣୀୟ ବୋଧକରନ୍ତି ତେବେ ଦୀନକୃଷ୍ଣ ଓ ଉପେନ୍ଦ୍ରାଦିଙ୍କର ସମକାଳୀନ ଥିଲେ କବି କୃପାସିନ୍ଧୁ । ତାହାହେଲେ ମଥୁରାମଙ୍ଗଳର କବିଙ୍କ ଜନ୍ମବେଳକୁ କୃପାସିନ୍ଧୁ ଯଦି ବଞ୍ଚିରହିଥାନ୍ତି ତେବେ ତାଙ୍କର ବୟସ ୭୫।୮୦ ବର୍ଷରୁ ଊର୍ଦ୍ଧ୍ୱ ହୋଇ ଯାଇଥିବ । ଅତଏବ କୃଷ୍ଣବିଳାସ ମଥୁରାମଙ୍ଗଳଠାରୁ ପୁରାତନ ହୋଇଥିବାର ଖୁବ୍ ସମ୍ଭବ । ଏକଥା ଏଠାରେ ଅବତାରଣା କରିବାର ଏକ ପ୍ରଧାନ କାରଣ ହେଉଛି କୃଷ୍ଣବିଳାସ ଓ ମଥୁରାମଙ୍ଗଳ ମଧ୍ୟରେ ଶୈଳୀ ସାଦୃଶ୍ୟ ଏତେ ଯେ, କବିମାନଙ୍କ ନାମ ନ ଥିଲେ ଏ ଦୁଇ ରଚନା ଏକ କବିଙ୍କର ବୋଲି ମନେହେବ । ଆଉ ଏକ କଥା ହେଲା, ଯେଉଁ ବନମାଳୀପୁରର ୰ ଚିନ୍ତାମଣି ସାହୁ ଊନବିଂଶ ଶତାବ୍ଦୀର ଶେଷୋତ୍ତର କାଳରେ କୃଷ୍ଣବିଳାସକୁ ଉତ୍ତାରିଛନ୍ତି, ସେହି ବନମାଳୀପୁରକୁ ଲାଗିଥିବା ନିମପାଟଣା ମଠରେ ୰ ଭକ୍ତଚରଣ ଥିଲେ । ତାଙ୍କରି ପ୍ରଚେଷ୍ଟାରେ କୃଷ୍ଣବିଳାସ ସେଠିକୁ ଆସିଥିବ ଏବଂ ସେହି ପୋଥିରୁ ୰ ଚିନ୍ତାମଣି ମୋର ହସ୍ତଗତ ପୋଥିଟିକୁ ଉତ୍ତାରିଥିବା ସମ୍ଭବ ଅଟେ ।

 

ଏ ସମ୍ପର୍କରେ ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର କୋଣାର୍କର ପ୍ରଥମବର୍ଷ ତୃତୀୟ ସଂଖ୍ୟା (ମାର୍ଚ୍ଚ ୧୯୫୯)ରେ ପ୍ରକାଶିତ ୰ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଲିଖିତ ‘‘ଓଡ଼ିଆ ‘ପଦୀ’ ସାହିତ୍ୟ’’ ଶୀର୍ଷକ ପ୍ରବନ୍ଧରେ କୃପାସିନ୍ଧୁ ସୁମନ୍ତଙ୍କୁ କୃଷ୍ଣବିଳାସ କାବ୍ୟର କବି ରୂପେ ସ୍ୱୀକୃତ କରାଯାଇ ତାଙ୍କ କବିତ୍ୱ ଓ ଜୀବନକାଳ ସମ୍ବନ୍ଧରେ ଲେଖା ଯାଇଛି:-

 

‘‘କୃପାସିନ୍ଧୁ ସୁମନ୍ତ ମଧ୍ୟ ଓଡ଼ିଆ ସାହିତ୍ୟରେ ଏପର୍ଯ୍ୟନ୍ତ ଅପରିଚିତ । ତାଙ୍କର କୃଷ୍ଣବିଳାସ ବୋଲି କାବ୍ୟ ଅପ୍ରକାଶିତ ରହିଛି ବୋଲି ପ୍ରସିଦ୍ଧି ରହିଛି । ବହୁ ବର୍ଷତଳେ ମୁଁ ଚଉତିଶା ମଧୁଚକ୍ର ଗ୍ରନ୍ଥର ପଞ୍ଚମ ଭାଗରେ ତାଙ୍କ ରଚିତ ସାରଙ୍ଗଦୂତ ଚଉତିଶା ଓ ଉଦ୍ଧବ ଚଉତିଶା ପ୍ରକାଶ କରିଥିଲି । ସାରଙ୍ଗଦୂତ ଚଉତିଶା ଯମକର ମନୋଜ ସମାବେଶରେ ବିମଣ୍ଡିତ ।

x                  x                  x                  x

ସେ ସପ୍ତଦଶ ଶତାବ୍ଦୀର କବି ବୋଲି ତାଙ୍କ ଭାଷାରୁ ଉପଲବ୍‌ଧି କରିହୁଏ । x x       x      x ଏହି ପ୍ରତିଭାଶାଳୀ କବିଙ୍କ କୃଷ୍ଣବିଳାସ କାବ୍ୟକୁ ଅନୁସନ୍ଧାନଦ୍ୱାରା ଲୋକଲୋଚନକୁ ଆଣିବା ପର୍ଯ୍ୟନ୍ତ ଏହାଙ୍କ କାନ୍ତ ପ୍ରତିଭାର ପୂର୍ଣ୍ଣ ପରିଚୟ ମିଳିପାରିବ ନାହିଁ ।’’

 

ରସକଲ୍ଲୋଳ, କୃଷ୍ଣବିଳାସ ଓ ମଥୁରାମଙ୍ଗଳ:-

ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଆରେ ବହୁ କୃଷ୍ଣ କାବ୍ୟ ରଚନାପାଇଁ ପ୍ରେରଣା ଦେଇଅଛି । ଭାଗବତର ବହୁପଦ ଓ ପ୍ରସଙ୍ଗବର୍ଣ୍ଣନା ସହିତ ଯେପରି ରସକଲ୍ଲୋଳ ଓ ମଥୁରାମଙ୍ଗଳ ସାମଞ୍ଜସ୍ୟ ରକ୍ଷା କରିଛନ୍ତି, କୃଷ୍ଣବିଳାସରେ ମଧ୍ୟ ତାହା ପରିଦୃଷ୍ଟ ହୁଏ । କାଳ ନିର୍ଣ୍ଣୟ କରିବା ଦୃଷ୍ଟିରୁ ଭାଗବତ ଓ କୃଷ୍ଣବିଳାସର ପଦସାଦୃଶ୍ୟ ଦର୍ଶାଇବା ଏଠାରେ ଅନାବଶ୍ୟକ, କାରଣ ଭାଗବତ ରଚନା ବହୁ ପ୍ରାଚୀନ । ତଥାପି ଆଲୋଚନା କ୍ରମେ ଅତ୍ୟାବଶ୍ୟକ ହେଲେ ଭାଗବତର ପଦ ଉଦ୍ଧୃତ ହେବ । ଆଲୋଚ୍ୟ ଗ୍ରନ୍ଥତ୍ରୟମଧ୍ୟରେ ତୁଳନାକଲେ ରସକଲ୍ଲୋଳ ପରେ କୃଷ୍ଣବିଳାସ ଏବଂ କୃଷ୍ଣବିଳାସ ପରେ ମଥୁରାମଙ୍ଗଳ ରଚିତ ହୋଇଥିବା ଜଣାଯାଏ । ସାଧାରଣତଃ ବିଷୟଗତ ଦୃଷ୍ଟିରୁ ଗୋଟିଏ ଗ୍ରନ୍ଥ ଅନ୍ୟଟିଦ୍ୱାରା ପ୍ରଭାବିତ ହୋଇଥିଲେ ଉଭୟରେ ସାମଞ୍ଜସ୍ୟ ରହି ବର୍ଣ୍ଣିତ ବିଷୟବସ୍ତୁ ପ୍ରଭାବିତ ଗ୍ରନ୍ଥରେ ଅଧିକ ବିଶ୍ଳେଷିତ-ବିସ୍ତାରିତ ହୋଇଥାଏ । ପ୍ରଭାବକ ଗ୍ରନ୍ଥର କେଉଁ ଅଂଶ, ବିଭାବ ବା ବର୍ଣ୍ଣନା ପରବର୍ତ୍ତୀ କେଉଁ କବିଙ୍କୁ ପ୍ରଭାବିତ କରିଥିବ ବା ନ କରିଥିବ ତାହା ସେହି ପରବର୍ତ୍ତୀ କବିଙ୍କ ବିଚାରଧାରା ଉପରେ ନିର୍ଭରକରେ । ଭାଗବତ ଗ୍ରନ୍ଥକୁ ରସକଲ୍ଲୋଳ, କୃଷ୍ଣବିଳାସ ଓ ମଥୁରା ମଙ୍ଗଳର କବିମାନେ ସ୍ୱ ସ୍ୱ ରଚନାର ଉଦ୍ଦେଶ୍ୟରେ ପଠନ କରିଥିବେ । ତାହାଛଡ଼ା, ଯଦି କୃପାସିନ୍ଧୁଙ୍କ ରଚନାରମ୍ଭର ପୂର୍ବରୁ ରସକଲ୍ଲୋଳ ରଚିତ ହୋଇଥିବ ଏବଂ ଯଦି ସେପରି ସ୍ଥଳେ ସେ ରସକଲ୍ଲୋଳ ଦେଖିଥିବେ, ତେବେ ଭାଗବତ ଓ ରସକଲ୍ଲୋଳ ଉଭୟରୁ ଯେଉଁ ଯେଉଁ ସ୍ୱାତନ୍ତ୍ର୍ୟ ତାଙ୍କୁ ପ୍ରଭାବିତ କରିଥିବ ତାହା କାବ୍ୟଗୁଡ଼ିକର ତୁଳନାତ୍ମକ ପାଠରୁ ଜାଣିହେବ । ଯଦି ମଥୁରାମଙ୍ଗଳର କବି କୃଷ୍ଣବିଳାସକୁ ଅନୁକରଣ କରିଥିବା ସମ୍ଭବ ତାହା ମଧ୍ୟ ବିଚାର୍ଯ୍ୟ ଅଟେ । ପ୍ରଥମେ, ରସକଲ୍ଲୋଳଦ୍ୱାରା କୃଷ୍ଣବିଳାସ ପ୍ରଭାବିତ କି ନୁହେଁ ତାହାର ଆଲୋଚନା କରାଯାଉଅଛି ।

 

(୧)

ଅକ୍ରୂର ରଥାରୋହଣକରି ଗୋପ ସୀମାରେ ପହଞ୍ଚିଲେ । ଖଣ୍ଡେ ଦୂରରୁ ଦେଖିଲେ, ଏକ ବାଲିକୁଦ ଉପରେ ପାଦଚିହ୍ନ । ଆଗରୁ ତ’ ସେ କୃଷ୍ଣ ଦର୍ଶନପାଇଁ ବ୍ୟଗ୍ର, କୃଷ୍ଣଭାବରେ ହୃଦୟ ତାଙ୍କର ଉଲ୍ଲୋଳ-କଲ୍ଲୋଳିତ । ତେଣୁ କାଳନ୍ତେ ସେ ପାଦଚିହ୍ନ କୃଷ୍ଣଙ୍କର ହୋଇଥିବଭାବି ତାହାକୁ ଭକ୍ତିପୂତ ଦୃଷ୍ଟିରେ ଭଲକରି ଦେଖିଲେ । ଏଠାରେ ଜଗନ୍ନାଥ ଦାସ ଲେଖିଛନ୍ତି-

 

ଅସ୍ତ ହୋଇଲା ଦିନକର

ଗୋକୁଳେ ମିଳିଲା ଅକ୍ରୂର

।।

ବାଟେ ଦେଖିଲା ବାଲିକୁଦ

ପଡ଼ିଛି ଗୋବିନ୍ଦର ପାଦ

।।

ଧ୍ୱଜ ଅଙ୍କୁଶ ପଦଚିହ୍ନ

ଦେଖି ସାନନ୍ଦକଲା ମନ

।।

 

ଏହି ବର୍ଣ୍ଣନା ଦୀନକୃଷ୍ଣଙ୍କ ରସକଲ୍ଲୋଳରେ :-

 

ଲୋକନ ପାଦପଦ୍ମ ଚିହ୍ନ

କମ୍ବୁ ଚକ୍ର-ପଦ୍ମରେ ହୋଇଛି ଶୋଭନ

କୁଳିଶ ଅଷ୍ଟକୋଣ            ଊର୍ଦ୍ଧ୍ଵରେଖା ତ୍ରିକୋଣ

ଧନୁ ଧ୍ୱଜ ସ୍ୱସ୍ତିକ ମୀନ ସେ । ୧୨ ।

 

କଲସ, ଯବ, ବିନ୍ଦୁ            ଅଙ୍କୁଶ, ଅର୍ଦ୍ଧଇନ୍ଦୁ

ଗୋଷ୍ପଦ ଅମ୍ବର ନିରେଖି । ଇତ୍ୟାଦି (୨୫ଶ ଛାନ୍ଦ)

 

ଏହି ଅବସ୍ଥାରେ କୃପାସିନ୍ଧୁ କୃଷ୍ଣବିଳାସରେ ବର୍ଣ୍ଣନା କରିଛନ୍ତି-

 

ଦକ୍ଷିଣ ପାଦେ ସାରସ,            ଚକ୍ର, ରେଖା, ଧ୍ୱଜାଙ୍କୁଶ

ସ୍ୱସ୍ତି, ଅଷ୍ଟକୋଣ, ବଜ୍ର, ଯବ ଶୋଭନ

ଶଙ୍ଖ, ତ୍ରିକୋଣ, ଅମ୍ବର,            ଘଟ, ଧନୁ, ସୁଧାକର,

ମତ୍ସ, ବିନ୍ଦୁ, ଗୋଷପଦ ବାମ ଚରଣ ।

ଚିହ୍ନ ଚିହ୍ନି ପ୍ରଣାମ କଲା । ଇତ୍ୟାଦି । ୨ । (୨ୟ ଛାନ୍ଦ)

 

ପରୀକ୍ଷା କଲେ ଜଣାଯାଏ ଯେ ଭାଗବତରେ ପଦଚିହ୍ନମାନଙ୍କର ଆଂଶିକ ଲକ୍ଷଣ ଏବଂ ରସକଲ୍ଲୋଳରେ ସମ୍ପୂର୍ଣ୍ଣ ଲକ୍ଷଣମାନ ବର୍ଣ୍ଣିତ । କୃପାସିନ୍ଧୁ ରସକଲ୍ଲୋଳର ବର୍ଣ୍ଣନାଦ୍ୱାରା ପ୍ରଭାବିତ ହୋଇ ଅଛନ୍ତି । ପାଦଦ୍ୱୟର ଅଷ୍ଟାଦଶ ଲକ୍ଷଣ ଥିଲେ ମଧ୍ୟ କୃଷ୍ଣବିଳାସରେ ସେହି ଅଷ୍ଟାଦଶ ଲକ୍ଷଣକୁ ଡାହାଣ ପାଦର ନଅ ଏବଂ କାମ ପାଦର ନଅ କ’ଣ କ’ଣ ହେବା କଥା ସ୍ପଷ୍ଟ କରି ଦେଇଛନ୍ତି । କିନ୍ତୁ ମଥୁରାମଙ୍ଗଳର କବି ଭାଗବତାନୁସାରେ ଏହି ଲକ୍ଷଣ ବର୍ଣ୍ଣନାକୁ ଆଂଶିକ ଭାବେ ସୂଚାଇଛନ୍ତି । ଯାହାହେଉ, ଏହି ଉଦାହରଣରୁ ସ୍ପଷ୍ଟ ହେଲା ଯେ କୃଷ୍ଣବିଳାସ ରସକଲ୍ଲୋଳଦ୍ୱାରା ପ୍ରଭାବିତ ।

 

(୨) ଆଉ ଏକ ବିଶିଷ୍ଟ ଉଦାହରଣ, ଗୋପିକାମାନଙ୍କ ଆଗରେ ଉଦ୍ଧବଙ୍କଦ୍ୱାରା ଯୋଗମାହାତ୍ମ୍ୟ ପ୍ରଖ୍ୟାପନ । ପ୍ରେମ-ଭକ୍ତି ବାରିଧିରେ ଅବଗାହନ କରୁଥିବା ଗୋପାଙ୍ଗନାମାନଙ୍କୁ ଉଦ୍ଧବ ଉପଦେଶ ଦେଉଛନ୍ତି ଯେ କୃଷ୍ଣ ସ୍ୱୟଂ ପରଂବ୍ରହ୍ମ ଏବଂ ତାଙ୍କୁ ପାଇବାକୁ ହେଲେ ସେମାନେ ଯୋଗମାର୍ଗକୁ ଅବଲମ୍ବନ କରିବା ବିଧେୟ । ଗୋପାଙ୍ଗନାମାନେ ତାଙ୍କୁ ପ୍ରେମ-ଭକ୍ତି ତୁଳନାରେ ଯୋଗର ନିକୃଷ୍ଟତା କିପରି ବୁଝାଇଛନ୍ତି ତାହା ପର୍ଯ୍ୟାପ୍ତଭାବେ ମଥୁରାମଙ୍ଗଳରେ ବର୍ଣ୍ଣିତ । ରସକଲ୍ଲୋଳ ଓ କୃଷ୍ଣବିଳାସରେ ଏହି ଅଂଶ କିପରି ସଦୃଶ ଭାବେ ଉପସ୍ଥାପିତ ହୋଇଅଛି, ଦେଖନ୍ତୁ :- ରସକଲ୍ଲୋଳରେ ଉଦ୍ଧବ କହୁଛନ୍ତି :-

 

କଳ୍ପେ କଳ୍ପେ ଯୋଗୀ ଯୋଗ ବାଟ ଜଗି ଦେଖନ୍ତି ନାହିଁ ଯାହାକୁ

କଉଁ ଭାଗ୍ୟବଳେ ଏତେ କାଳ କୋଳେ ଘେନି ଖେଳିଲ ତାହାଙ୍କୁ ସେ । ୪ ।

 

ଉତ୍ତରରେ ଗୋପୀମାନେ କହୁଛନ୍ତି :-

 

କହେ କଉଁ ଗୋପୀ ବିରହରେ ତାପୀ ହୋଇ ଉଦ୍ଧବକୁ ଚାହିଁ,

କେବଳ ଆମ୍ଭର ପରାୟେ ତୁମ୍ଭର ଅନୁଭବ ଯହୁଁ ନାହିଁ ସେ । ୬ ।

(୩୩ଶ ଛାନ୍ଦ)

 

କୃଷ୍ଣ ବିଳାସରେ ଅଛି :-

 

ଉଦ୍ଧବ ୟେମନ୍ତ ଶୁଣି            କହଇ କୋମଳ ବାଣୀ

ଶୁଣ ତୁମେ ବ୍ରଜନାରୀଗଣ,

ହରି ତୁମ୍ଭରେ କରୁଣା            କରିଛନ୍ତି ନୋହ ବଣା

ସର୍ବେ ପରଂବ୍ରହ୍ମଙ୍କର ଧ୍ୟାନ ଗୋ, ଗୋପିମାନେ ।

ଯା’କୁ ଭଜୁଛନ୍ତି ଯୋଗେଶ୍ୱର

ସେହି ଯୋଗକୁ ସାଧନ ନିତ୍ୟେ କର ଗୋ । ୮ ।

 

ଗୋପୀଙ୍କ ପ୍ରତ୍ୟୁକ୍ତି-

 

କହଇ ରମଣୀବର                  ତୁମ୍ଭେ ତା ସାଧନ କର

ନାହିଁ ଲୋଡ଼ା ଆମ୍ଭମାନଙ୍କର

ଯେତେ କଲେ ଉପବାସ            ସିଂହ ନ ଭକ୍ଷଇ ଗ୍ରାସ

କିପାଁ କହ ତୁମ୍ଭେ କଠିଣ ଉତ୍ତର ହେ, ସାଧୁବର,

ଯଦ୍ୟପି ପ୍ରସିଦ୍ଧ ଅଟେ ଯୋଗ,

ତୁମ୍ଭେ ନ ପାଇବ ଘେନିଯାଅ ବେଗ ହେ । ୯ । (୧୫ଶ ଛାନ୍ଦ)

 

ରସକଲ୍ଲୋଳ ପଦରୁ ମନେହୁଏ, ଉଦ୍ଧବଙ୍କ ମତରେ ଯୋଗମାର୍ଗ ଶ୍ରେଷ୍ଠ । ଭଗବତ ସାନ୍ନିଧ୍ୟ ଲାଭ ପାଇଁ ଏହା ଠାରୁ ବଳି ଉପାୟ ନାହିଁ । ସେ ଆଶ୍ଚର୍ଯ୍ୟ ଯେ, ଯୋଗାତିରିକ୍ତ କୌଣସି ସୌଭାଗ୍ୟବଳରୁ ହୁଏତ ଗୋପୀମାନେ କୃଷ୍ଣରୂପୀ ପରଂବହ୍ମଙ୍କୁ କୋଳରେ ଧରି ଖେଳିଲେ ଅର୍ଥାତ୍, ଯୋଗୀଙ୍କ ଠାରୁ ବଳିଗଲେ । ଗୋପୀମାନେ ପ୍ରେମଭକ୍ତି କଥାଟି ସ୍ପଷ୍ଟ ଭାବରେ ଉଚ୍ଚାରଣ ନ କରି ନିଜର ପ୍ରେମାନୁଭୂତିକୁ ବର୍ଣ୍ଣନା କରିଛନ୍ତି ବିରହ ବେଦନାର ଅଶ୍ରୁ ବୁହାଇ । ଉଦ୍ଧବଙ୍କୁ ପ୍ରେମଭକ୍ତି ବିଷୟରେ ଏତତ୍‌ ପୂର୍ବରୁ ଯେ କିଛି ଜଣା ନ ଥିଲା ଏହା ମଧ୍ୟ ପରୋକ୍ଷ ଭାବରେ ଆଭାସିତ ହୋଇଅଛି । ତା ନ ହେଲେ, ସେମାନଙ୍କ ପରି ଉଦ୍ଧବଙ୍କର ଅନୁଭବ ନାହିଁ ବୋଲି ଗୋପୀମାନେ କହି ନ ଥାନ୍ତେ ।

 

କୃଷ୍ଣବିଳାସରେ ବିଶ୍ଳେଷଣ ଅଧିକତର ହୋଇଛି । ଉଦ୍ଧବ ଯୋଗମାର୍ଗକୁ ଶ୍ରେଷ୍ଠତମ ଧରିନେଇ ଗୋପୀମାନଙ୍କ ଉତ୍କର୍ଷାନୁଭବରେ ଅକ୍ଷମ ହୋଇଛନ୍ତି । ତେଣୁ ସେମାନେ ବଣା ହୋଇଛନ୍ତି ଏବଂ ତାଙ୍କ ଜ୍ଞାନୋପଲବ୍‌ଧିର ଶ୍ରେଷ୍ଠତମ ଯୋଗମାର୍ଗକୁ ଅବଲମ୍ବନ କରି କୃଷ୍ଣରୂପୀ ପରଂବ୍ରହ୍ମଙ୍କୁ ଧ୍ୟାନ କରିବାକୁ ଉପଦେଶ ଦେଇଛନ୍ତି । ଗୋପିକାମାନଙ୍କର ଉତ୍ତର ଯୋଗକୁ ହେୟ କରିଛି ଅତି ସ୍ପଷ୍ଟ ଭାବରେ । ତାହା ସେମାନଙ୍କ ପାଇଁ ସିଂହ ତୃଣଗ୍ରାସକୁ ପରିହାର କରି ଉପବାସ କଲାଭଳି ପରିହାର୍ଯ୍ୟ । ସେମାନଙ୍କ ଅନୁଭୂତିରେ ସିଦ୍ଧାନ୍ତ ଏହି ଯେ, ଲୋକ ମୁଖରେ ଯୋଗମାର୍ଗର ଶ୍ରେଷ୍ଠତ୍ୱ ଯେତେ ଉଚ୍ଚାରିତ ହେଉନା କାହିଁକି, ତହିଁରେ କୃଷ୍ଣପ୍ରାପ୍ତି ସମ୍ଭବ ନୁହେଁ । ଉଦ୍ଧବ-ଗୋପୀଙ୍କର ଏହି ନିର୍ଦ୍ଦିଷ୍ଟ କଥୋପକଥନ କୃଷ୍ଣବିଳାସର ବର୍ଣ୍ଣନା ମର୍ମରେ ଅଧିକତର ବିସ୍ତାରିତ ହୋଇଛି ମଥୁରା ମଙ୍ଗଳରେ । କୃଷ୍ଣବିଳାସର ୧୫ଶ ଛାନ୍ଦରୁ ୮ମ ଓ ୯ମ ପଦ ଉଦ୍ଧୃତ ହୋଇଛି ରସକଲ୍ଲୋଳର ପ୍ରଭାବ ତୁଳନା କରିବାକୁ । ଏବେ ୧୦ମ ପଦଟି ଉଦ୍ଧୃତ କରିଦେଲେ ଜଣାପଡ଼ିବ ମଥୁରା-ମଙ୍ଗଳର ୨୭ଶ ଛାନ୍ଦସ୍ଥ ପ୍ରଥମ ୧୪ଟି ପଦ ସଂଶିତ ତିନିପଦକୁ ବିଶ୍ଳେଷଣ କରି ରଚିତ । ଉକ୍ତ ୧୪ଟି ପଦରୁ ଉଦ୍ଧବଙ୍କର ଯୋଗ ଓ ବ୍ରହ୍ମଜ୍ଞାନ ବ୍ୟାଖ୍ୟା ପ୍ରଥମ ଚାରିପଦ ଓ ବାକିତକ ଯୋଗକୁ ପ୍ରେମଭକ୍ତିଠାରୁ ନ୍ୟୂନତର କରି ଗୋପୀକାମାନଙ୍କର ପ୍ରତ୍ୟୁତ୍ତର । କୃଷ୍ଣ ବିଳାସର ୧୦ମ ପଦଟି ହେଲା :-

 

ପେଷି କେ ଅଛି ତୁମ୍ଭଙ୍କୁ            ଆସିଛ କିମ୍ପା ଗୋପକୁ

ୟେଥି ମିତ୍ର ଅଛି କେ ତୁମ୍ଭର,

କେ ତୁମ୍ଭ ପରତେ ଜନ            ଅଛି ୟେ ଗୋପରେ ପୁଣ

(କିମ୍ପା) ଆସି ଦେଉଅଛ ଦୁଃଖ ଘୋର ହେ, ସାଧୁବର,

ଗଳାକାଟି ଦେଇଛି ଶ୍ରୀହରି

ତହିଁ ଲବଣ ଖମୁଛ କି ବିଚାରି ହେ । ୧୦ ।

 

ଏହା ପରେ ଗୋପୀମାନେ କୃଷ୍ଣପ୍ରେମର ଅତୀତକୁ ଅତି ମର୍ମଭେଦୀ ଭାଷାରେ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି, “ମନଘଟେ ତା’ରସ ପୂରିଛି । ଆଉ ଯୋଗକୁ ଯେ ଠାବ ନାହିଁ କିଛି ହେ ।’’ (୧୬ଶ ପଦ କୃ: ବି:) । ମଥୁରା ମଙ୍ଗଳରେ ଯୋଗ, ଜ୍ଞାନ, ଭକ୍ତି, ଅରୂପ, ରୂପ, ବ୍ରହ୍ମ ଇତ୍ୟାଦିର ବିଶ୍ଳେଷଣ ଓ ଜ୍ଞାନୋଦଧି ମନ୍ଥନ ହୋଇଥିବା ସ୍ଥଳେ କୃଷ୍ଣ-ବିଳାସରେ କେବଳ ଠିକେ ଠିକେ ଦୁଇ ଚାରିପଦ ଲେଖା ହୋଇଛି । ରସକଲ୍ଲୋଳରେ ଯୋଗୀଙ୍କର ଯୋଗବାଟ ଭକ୍ତିଟି ଥରେ ମାତ୍ର ଉଲ୍ଲେଖ କରାଯାଇଛି । କୃଷ୍ଣବିଳାସରେ ତାହାକୁ ଏକାଧିକ ପଦ ମାଧ୍ୟମରେ ପ୍ରେମ-ଭକ୍ତିଠାରୁ ନିକୃଷ୍ଟତର ବିଚାର କରାଯାଇଅଛି ଏବଂ ମଥୁରାମଙ୍ଗଳ ଏହି ବିଚାର ଧାରାକୁ ଅଧିକତର ବିଶ୍ଳେଷଣ କରିଅଛି ।

 

(୩) କୃଷ୍ଣବିଳାସ ଉପରେ ରସକଲ୍ଲୋଳର ପ୍ରଭାବ ପାଠକମାତ୍ରେ ବହୁ ପଦ ସାଦୃଶ୍ୟରୁ ଜାଣି ପାରିବେ । ଯଥା :-

 

(୧)

କେଶରୀ କଟିତଟେ                  ପୀତ ପତନୀ ଘଟେ

ତଥିମୋହନ ବେଣୁ ଖୋଷି, (ର:କ:)

କଟିତଟେ ଖୋଷିଛନ୍ତି ମୋହନ ବେନୁ । (କୃ:ବି:)

 

(୨)

କୋମଳ ଗୀତ ପଦେ            ପଦେ ଗାଇ ପ୍ରମୋଦେ

ଗାଈଙ୍କି ଡାକନ୍ତି ଆଶ୍ୱାସି । (ର: କ:)

କରନ୍ତି ଧେନୁଦୋହନ            ଧିରେ କରନ୍ତି ଗାୟନ

ଡାକନ୍ତି ବତ୍ସାମାନଙ୍କୁ ଅତି ସୁସ୍ୱରେ । (କୃ: ବି:)

 

(୩)

କଳାଶ୍ରୀ ଅଙ୍ଗେ କ୍ଷୀର-ବିନ୍ଦୁ ପଡ଼ି ସୁନ୍ଦର ଦିଶେ ଗଗନ ତାରା ପ୍ରାୟେ (ର:କ:)

ଶାମସୁନ୍ଦର ଅଙ୍ଗରେ            କ୍ଷୀର-ବିନ୍ଦୁ ପଡ଼ିବାରେ

ଅତ୍ୟନ୍ତ ମହା ଶୋଭାକୁ ଅଛି ସେ ପାଇ

ନୀଳ ମେଘେ କି ଶୋଭନ            ଦିଶନ୍ତି ନକ୍ଷତ୍ରଗଣ

ମର୍କତ ମହୀରେ କି ଏ ମୁକୁତା ଶୋହି । (କୃ:ବି:)

 

(୪)

କଉତୁକେ କହନ୍ତି କୁଶଳ ପଚାରନ୍ତି କି କାର୍ଯ୍ୟେ ଅଇଲ ଏଥିକି । (ର:କ)

ପଚାରନ୍ତି ହେ ଅକ୍ରୂର            କି କାର୍ଯ୍ୟେ ଗମନ ତୋର

କହ ଆମ୍ଭ ଆଗେ ସତ୍ୟ ବିଚାରି ମନେ । (କୃ:ବି:)

 

(୫)

କହୁଁ କହୁଁ ଗୋକୁଳଯାକ ଶୁଭିଲା ଗୋଳ

ମଥୁରା ଯିବେ ବ୍ରଜନାହାସେ

କେ ବୋଲେ କି କରିବା କାଳ କେମନ୍ତେ ନେବା

ଶ୍ରୀକୃଷ୍ଣ ଗଲେ ମଥୁରାକୁ । (ର: କ:)

 

ପଡ଼ିଲା ଗୋପେ ଚହଳ            ରାମକୃଷ୍ଣ ଯିବା ଗୋଳ

ଶୁଣି ଗୋପୀମାନେ ୟେକ ଆରକେ କହି

ସରିଲା ଶିରୀ ଆମ୍ଭର            କୃଷ୍ଣ ଯିବେ ମଧୁପୁର

ଆସିଛି ଅକ୍ରୂର ନେବ ରଥେ ବାସାଇ

ଆମ୍ଭେ କି କରିବା ଗୋ ୟେବେ

ଜୀବନ ବନ୍ଧୁତ ମଧୁପୁରକୁ ଯିବେ । (କୃ: ବି:)

 

 

କୃଷ୍ଣବିଳାସର କେବଳ ଦ୍ୱିତୀୟ ଛାନ୍ଦରୁ ପାଞ୍ଚୋଟି ଉଦାହରଣ ରସକଲ୍ଲୋଳର ପଞ୍ଚବିଂଶ ଛାନ୍ଦର ସଦୃଶପଦ ପଦାଂଶ ସହିତ ଉଦ୍ଧୃତ କରାଯାଇଅଛି । ଏହିପରି ବହୁତ ଉଦାହରଣ ବହୁ ପୃଷ୍ଠାବ୍ୟାପୀ ଦେଇହେବ । ସାଦୃଶ୍ୟ ଗୁଡ଼ିକ ବାଛିବାରେ ପାଠକମାନଙ୍କୁ ଏଠାରେ ଆୟାସ କରିବାକୁ ପଡ଼ିବ ନାହିଁ, କାରଣ ଉଭୟ କାବ୍ୟର ପ୍ରକାଶଭଙ୍ଗୀ ଅତି ନିକଟତମ ଭାବେ ଏକାପରି । ଏଠାରେ ପୁନରୁକ୍ତି କଲେ ଗର୍ହିତ ହେବନାହିଁ ଯେ ରସକଲ୍ଲୋଳରେ ଯାହା ସୂଚନା ଆକାରରେ ବ୍ୟକ୍ତ ହୋଇଅଛି କୃଷ୍ଣବିଳାସରେ ତାହା ଅଧିକ ବିଶ୍ଳେଷିତ-ବିସ୍ତାରିତ ହୋଇ ଲେଖା ହୋଇଥିଲେ ହେଁ କାବ୍ୟର ଉପଭୋଗ୍ୟତା ସୁନ୍ଦର ସୁରକ୍ଷିତ ହୋଇଅଛି ।

 

ଉଦ୍ଧବ ଓ ଗୋପୀକାମାନଙ୍କର କଥୋପକଥନ ବେଳେ ଭ୍ରମର ଉଡ଼ି ଆସି ବୃନ୍ଦାବତୀଙ୍କର ପାଦ ଉପରେ ବସିବା କଥାଟି ରସକଲ୍ଲୋଳରେ ନାହିଁ । ଏକଥାଟି କୃଷ୍ଣବିଳାସ ଓ ମଥୁରା ମଙ୍ଗଳରେ ଅଛି । ଉଦ୍ଧବ ଆଗରେ କୃଷ୍ଣଙ୍କ ପ୍ରତି ବିରହାଭିମାନକୁ ହୃଦ୍ୟ ଭାବରେ ପ୍ରକାଶ କରିବାପାଇଁ ଏ କଥାଟିର ଅବତାରଣା ଖୁବ୍ ସରସ ହୋଇଛି । ମୂଳ ଭାଗବତରେ ଏ ବିଷୟର ଉଲ୍ଲେଖ ହୋଇଅଛି । ଉଦ୍ଧବ-ଗୋପୀ କଥୋପକଥନର ଆରମ୍ଭ ହେଉ ହେଉ ଭ୍ରମର ଉଡ଼ି ଆସି ବୃନ୍ଦାବତୀଙ୍କ ପାଦରେ ବସନ୍ତେ ସେ ତାକୁ ତିରସ୍କାର କରୁଛନ୍ତି-

 

କୀତପବାନ୍ଧନ ଅଟୁ ତୁହି

ତୋର ଗୋପକୁ ଆସିବା ନ ଯୋଗାଇରେ, ମଧୁକର । ୫ ।

ମଧୁପୁର ନାରୀଜନ                  ନାନା ଦ୍ରବ୍ୟ ଗନ୍ଧମାନ

କରିଥିବେ କୁଚରେ ଲେପନ,

ତାହାଙ୍କ ଆଶ୍ଳେଷ କାଳେ            କୃଷ୍ଣଉର ଫୁଲମାଳେ

ଲାଗିଥିଲା କରିଛୁ ଚୁମ୍ବନରେ, ମଧୁକର,

ଏଣୁ କରି ନ ଛୁଅଁ ତୁ ମୋତେ,

ଧୁନିକର ଯାଇ ତାହାଙ୍କ ଅଗ୍ରତେ ରେ । ୬ ।

 

ତାଙ୍କ ଅଙ୍ଗ ଗନ୍ଧେ ତୁହି            ଅଛୁ ଅତିମଗ୍ନ ହୋଇ

ୟେହା ଦେଖି ଦେବେ ସେ ବଧାଇ,

ୟେଥେ ତୁ ଆଉ ନ ରୁହ            ବେଗେ ମଧୁପୁର ଯାଅ

ତୋହୋ କଥା ଶୁଣି ହୃଦ ହୋୟେ ଦହିରେ, ମଧୁକର,

ପ୍ରାଣଗଣ ହୋଉଛି ବିକଳ,

ଦୁଃଖ ପରେ ଦୁଃଖ ନ ଦିଅ ଭ୍ରସଳରେ । ୭ । (କୃ:ବି: ୧୫ଶ ଛାନ୍ଦ)

 

ଠିକ୍‌ ଏହି କଥା ମଥୁରା ମଙ୍ଗଳରେ କୁହା ଯାଇଛି :-

କଇତବ ବାନ୍ଧବ ତୁ ଯେଣୁ,

ଗୋପକୁ ଆସିବୁ ନାହିଁ ତେଣୁରେ, ମଧୁକର । ୫୦ ।

ଦେଖ ଗୋ ସଜନୀମାନେ            ଶିଳୀ ମୁଖର ବଦନେ

କୁସୁମ ପରାଗ ଲାଗିଅଛି ।

 

ମଥୁରାନାରୀଙ୍କ ମେଳେ            କୃଷ୍ଣର ବିଳାସ କାଳେ

ଆଲିଙ୍ଗନ କଲେ ରତି ଇଚ୍ଛିଗୋ, ସଖୀମାନେ,

ଗାଢ଼ପାଇ କୁସୁମ ଛିଡ଼ିଲା,

ତାହା ଚୁମ୍ବି ୟେମନ୍ତ ହୋଇଲା ଗୋ । ୫୧ ।

 

ଭ୍ରମର ପ୍ରସଙ୍ଗରେ କୃଷ୍ଣବିଳାସରେ ମୋଟରେ ମାତ୍ର ତିନିପଦ ଥିବା ସ୍ଥଳେ ମଥୁରାମଙ୍ଗଳରେ ସତେଇଶି ପଦ ରହିଛି । ଏହି ପ୍ରସଙ୍ଗ ମାଧ୍ୟମରେ ଉଦ୍ଧବର ହୃଦୟରେ ଅଧିକ ସମ୍ବେଦନା ଜାତ ହୋଇଥିବା କଳ୍ପନା କରି ଭକ୍ତ ଚରଣ ଏହାର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିବା ମନେହୁଏ । ତେଣୁ ଏହି ବିଷୟଟିକୁ ବିସ୍ତାରିତ କଲେ କାବ୍ୟର ସୌନ୍ଦର୍ଯ୍ୟ ବୃଦ୍ଧିହେବା କଥା ସେ ଚିନ୍ତା କରି କୃଷ୍ଣବିଳାସକୁ ଅବଲମ୍ବନ କରିଥିବା ଅସମ୍ଭବ ଅପେକ୍ଷା ଅଧିକତର ସମ୍ଭବ ମନେହୁଏ । କୃଷ୍ଣବିଳାସ ଓ ମଥୁରାମଙ୍ଗଳର ପ୍ରକାଶଭଙ୍ଗୀରେ ନିଟକତମ ସାଦୃଶ୍ୟ ରେଖାଙ୍କିତ ହୋଇଅଛି ।

 

ମଥୁରାମଙ୍ଗଳ କୃଷ୍ଣବିଳାସଦ୍ୱାରା ପ୍ରଭାବିତ କି’ ନୁହେଁ ତାହା ଜାଣିବାକୁ ଆଉ ଏକ ଉଦାହରଣ ନିଆଯାଉ । କୃଷ୍ଣ ମଥୁରା ଯିବା କାଳରେ ଗୋପ ରମଣୀଗଣ ବିରହାକୁଳତାବଶତଃ ତାଙ୍କୁ ଯେପରି ତିରସ୍କାର ଓ କଟୂ ସମାଲୋଚନା କରିଛନ୍ତି ତାହା ମଥୁରାମଙ୍ଗଳର ୭ମ ଛାନ୍ଦରେ ସବିସ୍ତର ବର୍ଣ୍ଣିତ । କୃଷ୍ଣଚନ୍ଦ୍ରଙ୍କୁ ରାମଚନ୍ଦ୍ରଙ୍କ ସଙ୍ଗେ ତୁଳନା ମଥୁରାମଙ୍ଗଳ ପରି ଭାଗବତ ବା ରସକଲ୍ଲୋଳରେ ନାହିଁ । ଭକ୍ତଚରଣଙ୍କର ମୌଳିକ କଳ୍ପନା ରୂପେ ଏହା ଏପର୍ଯ୍ୟନ୍ତ ପ୍ରସିଦ୍ଧ । ଏହି ତୁଳନାତ୍ମକ ସମାଲୋଚନାଟି ମଥୁରାମଙ୍ଗଳରେ ଆହାରୀ ରାଗରେ ତିନୋଟି ପଦ ଅଧିକାର କରିଅଛି । ପାଠକମାନେ ଏହି ପଦଗୁଡ଼ିକ ସହିତ ମଥୁରାମଙ୍ଗଳର ଲୋକପ୍ରିୟତା ହେତୁ ପରିଚିତ । କିନ୍ତୁ କୃଷ୍ଣ ବିଳାସର ୩ୟ ଛାନ୍ଦରେ କାମୋଦୀ ରାଗର ମାତ୍ର ଗୋଟିଏ ପଦରେ ଏହାର ସୁନ୍ଦର ପରିବେଷଣ ହୋଇଅଛି :-

 

‘‘ହେ ଗୋପୀନାଥ ତୁମ୍ଭେ            ସାକ୍ଷାତେ ରଘୁନାଥ

ୟେଥି ସଂଶୟ କିଛି ନାହିଁ,

ତଥାପି ହିଁ ତାହାଙ୍କୁ            ବଳି ପଡ଼ିଲ ତୁମ୍ଭେ

ବହୁତ ରୂପେ ଭାବଗ୍ରାହୀ ହେ, ମହାପ୍ରଭୁ,

 

ସେ ତେଜ୍ୟା କଲେ ଏକସ୍ତିରୀ            ରାଜ୍ୟେ ରାଜ୍ୟେ ପଡ଼ିଲା ହୁରି,

ତୁମ୍ଭେ ୟେକାବେଳକେ            ୟେତେ ଗୋପସ୍ତିରୀଙ୍କି

ଯାଉଛ ଟିକି ଦୂର କରି ହେ ’’ । ୧୫ ।

 

ଚାଣୂର ଓ ମୁଷ୍ଟିକ ବଧ ବିଷୟ ଉଭୟ କାବ୍ୟରେ ତୁଳନୀୟ । ଭ୍ରମର ପ୍ରସଙ୍ଗ ପରି ଏଥିରେ କାଳ୍ପନିକତାର ସ୍ଥାନ ନାହିଁ । ଏହା ଭାଗବତରେ ଅଛି, ରସ କଲ୍ଲୋଳରେ ଅଛି, କୃଷ୍ଣ ବିଳାସରେ ଓ ମଥୁରାମଙ୍ଗଳରେ ମଧ୍ୟ ଅଛି । ଏହା ମୂଳ କଥାବସ୍ତୁର ଏକ ଅଂଶ । ଏଥିପାଇଁ ମଥୁରାମଙ୍ଗଳର ଦ୍ୱାବିଂଶ ଛାନ୍ଦଟି ରଚିତ । କୃଷ୍ଣ ବିଳାସର ଅଷ୍ଟମ ଛାନ୍ଦସ୍ଥିତ ମାତ୍ର ଚାରୋଟି ପଦରେ ଏହା ସମାହିତ । ମଥୁରାମଙ୍ଗଳର ସଂପୃକ୍ତ ଛାନ୍ଦଟିର ଆରମ୍ଭ ‘‘କୃଷ୍ଣଚାଣୂର ସମର ଗୁରୁତର...’’ ଇତ୍ୟାଦି । ଏହି ଛାନ୍ଦଟି ଖୁବ୍ ଲୋକପ୍ରିୟ । ମାତ୍ର ଚାରୋଟି ପଦରେ ଯାହା କୃଷ୍ଣ ବିଳାସରେ ବର୍ଣ୍ଣିତ, ତାହା ମଥୁରାମଙ୍ଗଳରେ କିପରି ବର୍ଦ୍ଧିତ ଓ ଚର୍ବିତ ହୋଇଛି ଏକ ସମ୍ପୂର୍ଣ୍ଣ ଛାନ୍ଦର କଳେବର ନେଇ । କୃଷ୍ଣବିଳାସର ପଦଚତୁଷ୍ଟୟ ଏଠାରେ ଉଦ୍ଧାର କରିଦେଲେ ପାଠକମାନେ ମଥୁରାମଙ୍ଗଳ ଉପରେ ଏହାର ପ୍ରଭାବକୁ ବୁଝି ପାରିବେ-

 

‘‘ୟେତେ ବୋଲି ବାହାସ୍ପୋଟ ମାରି ଧର ଧର ବୋଲି ଡାକ ଦେଲା,

ମୁଷ୍ଟିକ ମଲ୍ଲ ହଳଧର ସଙ୍ଗତେ ଯୁଝିବାକୁ ଆରମ୍ଭିଲା ସେ,

ନରେ, କଂସ ବସିଛି ମଞ୍ଚା ଉପରେ ହେ,

ମାର ବୋଲିଣ ମାଲଙ୍କୁ ଠାରେ ହେ । ୩୨

 

ବାହାକୁ ବାହା ଛନ୍ଦାଛନ୍ଦି ହୋଇଣ ମହୀରେ ପଡ଼ି ଗଡ଼ନ୍ତି,

ମୁଣ୍ଡକୁ ମୁଣ୍ଡ କୋଡ଼ାକୋଡ଼ି ହୋଇଣ ମୁଥମାନ ପ୍ରହାରନ୍ତି ସୋ,

ତହିଁ, କେହୁ ତଳେ କେ ଉପରେ ରହି ସେ,

ପାଦଘାତେ କମ୍ପୁଅଛି ମହୀ ସେ । ୩୩ ।

 

ୟେହା ଦେଖି ମାତା ପିତା ବିଚାରନ୍ତି ଯାଉ ପ୍ରାଣ ୟେହିକ୍ଷଣି

ୟେକାଳେ ପୁତ୍ରଙ୍କ ମରଣ କେମନ୍ତ ଦେଖିବୁ ନୟନ ଘେନିରେ,

ବିହି, ଆମ୍ଭ ସାଖା ବନ୍ଧୁ ନାହିଁ କେହି ରେ;

ବାରେ ସାହା ହୁଅ ଦୟା ବହି ରେ । ୩୪ ।

 

ୟେହି ସମୟରେ ବୃନ୍ଦାବନ ବୀର ଚାଣୂର ପ୍ରାଣ ଘେନିଲେ,

ଧରି ହଳଧର ମୁଷ୍ଟିକର ଶିର ମୁଥମାରି ଚୂର୍ଣ୍ଣ କଲେ ହେ,

ଜନେ, ପ୍ରାଣ ହରାଇଲେ ମାଲମାନେ ହେ,

ନୃତ୍ୟ କରନ୍ତି ଗୋପାଳମାନେ ହେ । ୩୫ ।

 

ଏହି ବର୍ଣ୍ଣନା ମଥୁରାମଙ୍ଗଳର ଦ୍ୱାବିଂଶ ଛାନ୍ଦରେ ଆହାରୀ ରାଗର ୧୩ଟି ପଦରେ ଦିଆ ଯାଇଅଛି । ମଥୁରାମଙ୍ଗଳର ବର୍ଣ୍ଣନା ଅଧିକ ସରସ ଓ ହୃଦ୍ୟ ହୋଇଛି । କୃଷ୍ଣ ଓ ଚାଣୂର ମଧ୍ୟରେ ବୀରତ୍ୱର ବୈସାଦୃଶ୍ୟକୁ କବି ମତ୍ତନକୁଳ-ମୃତ୍ତିକା ମାର୍ଜାର; ଗରୁଡ଼-ସର୍ପ, ମତ୍ତବ୍ୟାଘ୍ର ଛାଗଳ; ସିଂହ-ଶଶା, ହସ୍ତୀ-ଗର୍ଦ୍ଦଭ, ବକ-ଶାମଳ; ମାର୍ଜାର-ମୂଷିକ, ଇନ୍ଦ୍ର-ଇତର ରାଜା, ଇତ୍ୟାଦି ବୈସାଦୃଶ୍ୟର ଉଦାହରଣ ଦେଇ ଅତି ପ୍ରାଞ୍ଜଳ ଭାବରେ ଚିତ୍ରଣ କରିଛନ୍ତି । କୃଷ୍ଣ କିପରି ଚାଣୂରକୁ କଲବଲ କରି ସଂହାର କଲେ ତାହା ମଥୁରାମଙ୍ଗଳରେ ଏପରି ବର୍ଣ୍ଣିତ; ମନେ ହେବ ସତେ ଯେପରି ଏ ଘଟଣା ପାଠକ ସମ୍ମୁଖରେ ଘଟିଗଲା-

 

ଗୋବିନ୍ଦ ପ୍ରହାର ବାଜି ଝର ଝର ଶ୍ରୋଣି ବହେ ଫାଟି ମୂର୍ଦ୍ଧନି;

ଜ୍ଞାନହାରି ମହୀ ଉପରେ ଶୋଇଲା ଆନନ୍ଦ ହେଉଛି ଅବନୀ

କ୍ଷଣକେ, ପୁଣି ଚେତା ପାଇ ଉଠିଲା ।

ଗୋପୀନାଥ ଶିରେ ବଜ୍ର ସମ କରି ମୁଷ୍ଟିଏ ନେଇ ପ୍ରହାରିଲା । ୧୦ ।

 

ମତ୍ତହସ୍ତୀକି କୁସୁମ ମଣ୍ଡା ପ୍ରହାରିଲେ ସେ ହୁଅଇ ଯେମନ୍ତ

ସେହି ରୂପେ କୃଷ୍ଣ ଅଙ୍ଗକୁ ଲାଗିଲା ଦୁଷ୍ଟ ରାକ୍ଷସ ମୁଥଘାତ,

ସେ ଘାତ, ସହି ଦକ୍ଷ କର ଧଇଲେ,

ଚକ୍ର ଗତି କରି ବୁଲାଇ ନିର୍ଘାତ କରି ଭୂମିରେ କଚାଡ଼ିଲେ । ୧୧ ।

 

ଏହି ବିଷୟ ସଂଶିତ ଦୁଇ ପୁସ୍ତକରେ ପଢ଼ିଲେ ସଦୃଶ ବର୍ଣ୍ଣନାର ପଦଗୁଡ଼ିକ ଦୃଷ୍ଟି ପଥାରୂଢ଼ ହେବା ସଂଗେ ସଂଗେ ଘଟଣାର ବିଭିନ୍ନ ପର୍ଯ୍ୟାୟର ଯଥାବଶ୍ୟକ ବିଶ୍ଳେଷଣ କରି ଘଟଣାଟିକୁ ଚାକ୍ଷୁସବତ୍ କରିବାର ପ୍ରୟାସ ମଥୁରାମଙ୍ଗଳରେ ସ୍ପଷ୍ଟ ।

 

ରାମକୃଷ୍ଣ ଧନୁ ଘରକୁ ମଥୁରା ଦାଣ୍ଡ ଦେଇ ଯିବାଠାରୁ ଉଗ୍ରସେନ ରାଜା ହେବା ପର୍ଯ୍ୟନ୍ତ କଳହଂସ କେଦାର ରାଗର ଗୋଟିଏ ଛାନ୍ଦ ଯଥେଷ୍ଟ ହୋଇଛି ରସକଲ୍ଲୋଳରେ । ମଥୁରାମଙ୍ଗଳର ୧୮ଶ ଛାନ୍ଦ ଠାରୁ ୨୨ଶ ଛାନ୍ଦ ପର୍ଯ୍ୟନ୍ତ କଥାବସ୍ତୁ କୃଷ୍ଣ ବିଳାସର ୮ମ ଛାନ୍ଦଟିରେ ଗର୍ଭିତ ଅଟେ । କୃଷ୍ଣବିଳାସର ବହୁ ପଦ, ବହୁତ ବର୍ଣ୍ଣନା ଭଙ୍ଗୀ ମଥୁରାମଙ୍ଗଳରେ ପରିଦୃଷ୍ଟ ହୁଏ । ସଦୃଶ ପଦ ଏବଂ ସଦୃଶ ବର୍ଣ୍ଣନାର ବିବରଣୀ ଦେବାକୁ ହେଲେ ଏହି ପ୍ରବନ୍ଧର କଳେବର ଦୁଃସହଭାବେ ଭାରାକ୍ରାନ୍ତ ହେବ । ଉଭୟ କାବ୍ୟର ନିର୍ଦ୍ଦିଷ୍ଟ ଛାନ୍ଦରେ ଥିବା ନିର୍ଦ୍ଦିଷ୍ଟ ପଦଗୁଡ଼ିକର ସଂଖ୍ୟା ତାଲିକା ଖାଲି ଦେଲେ ମଧ୍ୟ ତାହା ଅନୁସନ୍ଧିତ୍ସୁ ପାଠକମାନଙ୍କ ମନରେ କୌଣସି ଧାରଣା ସୃଷ୍ଟି କରି ପାରିବ ନାହିଁ । କାରଣ ମଥୁରାମଙ୍ଗଳର ଛାପା ବହି ଥିବା ସ୍ଥଳେ କୃଷ୍ଣବିଳାସ ଏପର୍ଯ୍ୟନ୍ତ ଛାପାଖାନାର ଦ୍ୱାରଦେଶ ମାଡ଼ିବାର ସୁଯୋଗ ଲାଭ କରିନାହିଁ । ଉଭୟତ୍ର ରଚନାର ବଳିଷ୍ଠତା ସରିସମ । ଭକ୍ତଚରଣଙ୍କର ‘କଂସର ଚିଟାଉ’ କୃଷ୍ଣବିଳାସରେ ମାତ୍ର ଦୁଇଟି ପଦରେ ଚୋଖୀ ରାଗରେ ଲେଖା ହୋଇଛି । ସେହିପରି କୃଷ୍ଣ ବିଳାସରେ ଥିବା ଅକ୍ରୂର- ଯଶୋଦାଙ୍କ କଥୋପକଥନ ମଥୁରାମଙ୍ଗଳରେ ନାହିଁ । ଅକ୍ରୂର ରାମକୃଷ୍ଣଙ୍କୁ ଗୋପରୁ ନେଇଯିବା ପରେ ଯମୁନାକୂଳରେ ରଥ ରଖି ଜଳରେ ସ୍ନାନ କରିବାକୁ ଗଲେ । ଜଳରେ କୃଷ୍ଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ କୂଳକୁ ଚାହିଁଲେ । ସେଠି ମଧ୍ୟ କୃଷ୍ଣଙ୍କୁ ଦେଖିଲେ ଏବଂ ଆନନ୍ଦ ଗଦ୍‌ଗଦ୍ ହୃଦୟରେ ସ୍ତୁତି କଲେ । କୃଷ୍ଣବିଳାସରେ ଏଠାରେ ମୂଳ ସଂସ୍କୃତ ଭାଗବତ ପରି ପ୍ରାଣସ୍ପର୍ଶୀ ଭାଷାରେ ଦଶାବତାର ସ୍ତୁତି କରାଯାଇଛି କିନ୍ତୁ ମଥୁରାମଙ୍ଗଳରେ କିପରି ସ୍ତୁତି ଅକ୍ରୂର କରିଛନ୍ତି ଉଲ୍ଲେଖ କରା ନ ଯାଇ କେବଳ ଲେଖା ହୋଇଛି, ‘‘ଆନନ୍ଦ ମନରେ ବହୁମତେ କଲା ସ୍ତୁତି ।’’ ମଥୁରାନଗରୀର ଶୋଭା ଓ ଅଟ୍ଟାଳିକା ବର୍ଣ୍ଣନାରେ ଉଭୟ କାବ୍ୟରେ ଶାଦ୍ଦିକ ପାର୍ଥକ୍ୟ ଥିଲେ ହେଁ ଦୃଷ୍ଟିକୋଣର ସାମ୍ୟ ରହିଛି । କୃଷ୍ଣଙ୍କର ସୁନ୍ଦର ରୂପ ଦେଖି ମଥୁରାନଗରୀର ନାରୀମାନେ ଯେପରି ଅସ୍ଥିର ହେଲେ ତାହା ଉଭୟତ୍ର ବର୍ଣ୍ଣିତ ହୋଇଥିଲେ ହେଁ କୃଷ୍ଣବିଳାସର ବର୍ଣ୍ଣନାଚାତୁରୀ ଅଧିକ ସରସ ମନେହୁଏ । ମଥୁରାମଙ୍ଗଳରେ ଏହି ବର୍ଣ୍ଣନା ରସିକପାଠକମାନେ ପଢ଼ିଥିବେ । କୃଷ୍ଣବିଳାସରୁ ମାତ୍ର ଦୁଇପଦ ଉଦାହରଣ ନ ଦେଇ ଆଗେଇ ଯିବାକୁ ମନ ବଳୁନାହିଁ ।

 

‘‘କେବଣ ନାଗରୀ ଧାଇଁବାରେ କେଶ ଫିଟି ପୃଷ୍ଠଦେଶେ ଲୋଟୁଛି,

ରତିନାୟେକ ରଥନୀଳ ପତାକା ପରାୟେ ଶୋଭା ପ୍ରକାଶିଛି,

କିଅବା, ମୁଖଚନ୍ଦ୍ର ଶୋଭା ଲୋଭରେ,

ଧାଇଁଛି ଲାଞ୍ଜ ହଲାଇ ଗ୍ରାସିବାକୁ ସିଂହୀକାସୂତ ରୋଷଭରେ ।

x             x             x

କେଉଁ ରମଣୀ ଲଲାଟ ବୋଲି କୁଚେ ଚନ୍ଦନର ବିନ୍ଦୁ ଘେନିଛି,

ୟେ ମହା ଉତ୍ପାତ ଚନ୍ଦ୍ରଚୂଡ଼ ଶିରେ ସମ୍ପୂର୍ଣ୍ଣ ଚନ୍ଦ୍ର କି ରହିଛି ।

କାହାର, କର୍ଣ୍ଣେ ତାଟଙ୍କ ପଟେ ଅଛି ।

କିବା ମଦନ ବିରହ ନାଶିବାକୁ ଶାଣ ଦେଇ ଚକ୍ର ଥୋଇଛି ।’’

 

ଏହି ପଦଦୁଇଟି ବିଷୟ ବସ୍ତୁର କୌଣସି ସୂଚନା ନ ଦେଇ ଯେ କୌଣସି ଲୋକ ଆଗରେ ପଢ଼ିଲେ ସେ କହିବେ, ଏହା ଭଞ୍ଜୀୟ ପଦ । ଭାଷାଦୃଷ୍ଟିରୁ ବିଚାର କରିବାକୁ ହେଲେ ଗୋଟିଏ କଥା ଲକ୍ଷଣୀୟ ଯେ ଭଞ୍ଜୀୟ ରଚନାକାଳ ଏହାର ପ୍ରାକ୍ ଓ ଉତ୍ତରକାଳୀନ କାବ୍ୟଭାଷା ଭାଷା ମଧ୍ୟରେ ଏକ ବିରାଟ ସେତୁ ରୂପେ ଦଣ୍ଡାୟମାନ । କେବଳ କାବ୍ୟ ଭାଷା ନୁହେଁ, ଲୋକଙ୍କର ମୁଖଭାଷା ମଧ୍ୟ ଏହି କାଳର କାବ୍ୟ ଭାଷାଦ୍ୱାରା ବହୁତ ପ୍ରଭାବିତ । ଏହି ଦୃଷ୍ଟିରୁ ଦୀନକୃଷ୍ଣଙ୍କ ରସକଲ୍ଲୋଳ ଓ ଯେକୌଣସି ଭଞ୍ଜ-କାବ୍ୟର ସାଧାରଣ ଭାଷା ମଧ୍ୟରେ କେତେ ପାର୍ଥକ୍ୟ ତାହା ପାଠକ ମାତ୍ର ବୁଝି ପାରିବେ । କୃଷ୍ଣବିଳାସର ଭାଷା ରସକଲ୍ଲୋଳର ଯେତିକି ନିକଟବର୍ତ୍ତୀ, ଭଞ୍ଜୀୟ ରଚନାର ସେତିକି ନିକଟବର୍ତ୍ତୀ ନୁହେଁ । କିନ୍ତୁ ଉପମା, ରୂପକ, ଅଦ୍ଭୁତ ଆଦି ଅଳଙ୍କାର ପ୍ରୟୋଗ ଦୃଷ୍ଟିରୁ ଏହା ଉପରେ ଭଞ୍ଜୀୟ ପ୍ରଭାବ ସ୍ପଷ୍ଟ । ସମସାମୟିକ ଗ୍ରାମ୍ୟ ଶବ୍ଦର ଉଦ୍ଭବ ଓ ତତ୍ସମ ଶବ୍ଦ ସହିତ ଯେଉଁ ପ୍ରକାର ସାବଲୀଳ ସମନ୍ୱୟ ଏହି କାବ୍ୟରେ ସମ୍ପାଦିତ ତାହା ମଥୁରାମଙ୍ଗଳରେ କ୍ୱଚିତ୍ ପରିଦୃଷ୍ଟ ହୁଏ । ମଥୁରାମଙ୍ଗଳର ‘ବାରିଜ ଅଇରି ବଇରୀଧ୍ୱଜର ପତି’, ‘ଊଣେଇଶେ ଏକ ମିଶାଇ ଖାଇବୁ’ ପରି ଅର୍ଥାଳଙ୍କାର ସମନ୍ୱିତ ଅପ୍ରାକୃତିକତା ମଧ୍ୟ କୃଷ୍ଣ ବିଳାସରେ ଦେଖାଯାଏ ନାହିଁ-। ତେବେ ସାମଗ୍ରିକ ବିଚାରରେ କୃଷ୍ଣବିଳାସର ପ୍ରକାଶଭଙ୍ଗୀ ପ୍ରାକ୍-ଭଞ୍ଜୀୟ ପରି ମନେ ହୁଏନାହିଁ । ଏହାର ପ୍ରଥମ ଛାନ୍ଦଟି ସିଂହାବଲୋକନରେ ରଚିତ । ଦ୍ୱାଦଶ ଛାନ୍ଦର ବର୍ଷାକାଳ ବର୍ଣ୍ଣନା ଏବଂ ବିରହୀ ପ୍ରାଣରେ ବର୍ଷାର ପ୍ରଭାବ ଚିତ୍ରଣ ଭଞ୍ଜୀୟ ଚାତୁରୀ ଓ ବିଶ୍ଳେଷଣକୁ ବହନ କରିଅଛି । ଉଭୟ କାବ୍ୟକୁ ମୂଳ ଭାଗବତ ସହିତ ତୁଳନା କଲେ କୃଷ୍ଣବିଳାସରେ ଅନୁସରଣର ନିଷ୍ଠା ଅଧିକ ଥିବା ଅନୁଭୂତ ହୁଏ । ଏଠାରେ ଏକ ବିରାଟ ବ୍ୟତିକ୍ରମର କଥା ଲକ୍ଷ୍ୟ କରାଯାଏ ଯେ କୃଷ୍ଣବିଳାସରେ ଉଦ୍ଧବ ଗୋପୀ ସମ୍ବାଦ ପରେ କୃଷ୍ଣ ମଥୁରାରୁ ଗୋପକୁ ପୁନରାଗମନ କରିଛନ୍ତି । ଏହା ଭାଗବତ ବା ହରିବଂଶରେ ନାହିଁ । ଏପରି ଏକ ତଥ୍ୟ କୃପାସିନ୍ଧୁ କେଉଁଠୁ ପାଇଲେ ତାହା ଆଗକୁ ଗବେଷଣା-ସାପେକ୍ଷ । ଏହି ଅଂଶତକ ପଢ଼ିଲେ କବିଙ୍କର ପ୍ରତିଭା ଓ ବ୍ୟୁତ୍ପତ୍ତି କେତେ ଉଚ୍ଚକୋଟୀର ତାହା ଯେ କେହି ଅନୁଭବ କରିବେ । ଧରାଯାଉ, କୃଷ୍ଣବିଳାସ ମଥୁରାମଙ୍ଗଳଦ୍ୱାରା ପ୍ରଭାବିତ ଯେପରି ରସକଲ୍ଲୋଳଦ୍ୱାରା ଉଭୟ କାବ୍ୟ ପ୍ରଭାବିତ । ତେବେ ଏହି ଅଂଶ ପାଇଁ କବିଙ୍କ ଉପରେ କୌଣସି ଓଡ଼ିଆ କୃଷ୍ଣକାବ୍ୟର ପ୍ରଭାବ ପଡ଼ିଥିବା ସମ୍ଭବ ନୁହେଁ । ଅନାବିଳ କିବତ୍ୱର ପରାକାଷ୍ଠା, କାବ୍ୟ ସୌଷ୍ଠବର ଐକତାନିକତା ପୂର୍ବ ଛାନ୍ଦଗୁଡ଼ିକ ପରି ଏଠାରେ ସୁରକ୍ଷିତ । ପ୍ରକୃତି ବର୍ଣ୍ଣନା, ସନ୍ଧ୍ୟା ଓ ରାତ୍ରି ବର୍ଣ୍ଣନା । କୃଷ୍ଣ ଗୋପୀମାନଙ୍କର ମିଳନକାଳୀନ ଭାବ ବର୍ଣ୍ଣନା, ଋତୁବର୍ଣ୍ଣନାଦି ଭଞ୍ଜୀୟ ରୀତିରେ ହୋଇଅଛି ।

 

କୃଷ୍ଣବିଳାସର ମଙ୍ଗଳାଚରଣରେ ସିଂହାବଲୋକନ ପଦରେ ଏବଂ ଉପସଂହାରରେ ଶ୍ଳେଷାର୍ଥକ ପଦରେ ଜଗନ୍ନାଥଙ୍କ ବନ୍ଦନା ହୋଇଛି । ମଥୁରାମଙ୍ଗଳର ମଙ୍ଗଳାଚରଣରେ କୃଷ୍ଣଙ୍କର ବନ୍ଦନା ଏବଂ ଉପସଂହାରରେ ଦେହ, ସାଂସାରିକ ସମ୍ପର୍କ, ଭୋଗବିଳାସ ଆଦିର ଅନିତ୍ୟତା, ଜୀବନ ଉପରେ କାମ କ୍ରୋଧାଦି ଷଡ଼ରିପୁମାନଙ୍କର କୁପ୍ରଭାବ ଇତ୍ୟାଦି ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରି ଯମ ଯନ୍ତ୍ରଣାରୁ ରକ୍ଷା ପାଇବାପାଇଁ ବାସୁଦେବ, ଗୋବିନ୍ଦ, କୃଷ୍ଣଙ୍କର ଭଜନ-ସ୍ମରଣ-କୀର୍ତ୍ତନରେ ମନ ଦେବାକୁ କବି ଉପଦେଶ ଦେଇଛନ୍ତି । କୃଷ୍ଣବିଳାସର ପଞ୍ଚଦଶ ଛାନ୍ଦ ମଧ୍ୟରେ ଉଦ୍ଧବ-ଗୋପୀ ସମ୍ବାଦ ସରିଛି, କିନ୍ତୁ ମଥୁରାମଙ୍ଗଳର ସମସ୍ତ ତିରିଶି ଛାନ୍ଦ ଏହି ସମ୍ବାଦ ପର୍ଯ୍ୟନ୍ତ ବର୍ଣ୍ଣନାପାଇଁ ଲିଖିତ । କୃଷ୍ଣବିଳାସର ମୋଟ ଛାନ୍ଦ ସଂଖ୍ୟା ଚବିଶି ଅର୍ଥାତ୍ ଉଦ୍ଧବ-ଗୋପୀ ସମ୍ବାଦ ପରଠାରୁ ଗୋପବିହାର ଶେଷକରି ମଥୁରାକୁ କୃଷ୍ଣଙ୍କର ପୁନରାଗମନ ପର୍ଯ୍ୟନ୍ତ ନଅ ଛାନ୍ଦ ରଚିତ ହୋଇଅଛି । କୃଷ୍ଣବିଳାସରେ ଯେଉଁ ବର୍ଣ୍ଣନା ଠିକେ ଠିକେ ସଂକ୍ଷିପ୍ତ ମଥୁରାମଙ୍ଗଳରେ ତାହାର ଅବିକଳ ବିଶ୍ଳେଷଣ ଭାଷାସାମ୍ୟ ବହନ କରି କରାଯାଇଅଛି । ଏଥିରୁ ମଧ୍ୟ ଅନୁମାନଯୋଗ୍ୟ ଯେ ମଥୁରାମଙ୍ଗଳ କୃଷ୍ଣବିଳାସଦ୍ୱାରା ପ୍ରଭାବିତ ।

 

ଭାଷାଦୃଷ୍ଟିରୁ କାବ୍ୟର ପ୍ରାଚୀନତା ନିର୍ଣ୍ଣୟ କଲାବେଳେ ଗୋଟିଏ ବିଚାର ଏହାର ପଥରୋଧ କରେ । ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର କଥିତ ଭାଷା ପ୍ରାୟ ଏକସ୍ତରର । ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସଂସ୍କୃତ ଭାଷାକୁ ଗଣମୁଖୀ କରିବାର ସଚେତନ ପ୍ରଚେଷ୍ଟା ହୋଇ ନ ଥିଲା । କାରଣ କାବ୍ୟପଣ୍ଡିତମାନେ ଅତ୍ୟଧିକ ସଂସ୍କୃତାଭିମାନୀ ଥିଲେ । ଦେଶ-ଭାଷା ପ୍ରତି ସେମାନେ କେବଳ ଉଦାସୀନ ନ ଥିଲେ ବରଂ ନାସିକା କୁଞ୍ଚନ କରୁଥିଲେ । ତେଣୁ ଜଗନ୍ନାଥ ଦାସଙ୍କର ଭାଗବତକୁ ସେମାନେ ‘ତେଲୀ ଭାଗବତ’ ଆଖ୍ୟା ଦେଇଥିବା ପ୍ରବାଦ ପ୍ରଚଳିତ ଅଛି । ଓଡ଼ିଶା ଭାଷାରେ କାବ୍ୟଯୁଗର ଅଭ୍ୟୁଦୟ ସହିତ କାବ୍ୟଭାଷା ଓ ଲୋକଭାଷାର ମାନଗତ ତଥା ସ୍ୱରୂପଗତ ପରିବର୍ତ୍ତନ ଓତଃପ୍ରୋତ ଭାବରେ ଜଡ଼ିତ । ସ୍ଥାନ ଓ ପାତ୍ର ବିଶେଷ ନେଇ ଏ ପରିବର୍ତ୍ତନର ସ୍ରୋତ ଆଗପଛ ହୋଇ ବୋହିଯାଇଅଛି ଏହି ଦୁଇଶହ ବର୍ଷ ଭିତରେ । ତେଣୁ ବାସ୍ତବତଃ କୌଣସି ଏକ ସ୍ଥାନରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଲିଖିତ କାବ୍ୟ ସହିତ ଅନ୍ୟ ଏକ ସ୍ଥାନରେ ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ଲିଖିତ ଏକକାବ୍ୟ ଭାଷାଗତ ସାମ୍ୟ ରକ୍ଷା କରିବା ଆଶ୍ଚର୍ଯ୍ୟର କଥା ନୁହେଁ । ଏହି ଦୃଷ୍ଟିରୁ ଦୀର୍ଘ ଦୁଇଶତ ବର୍ଷ ବ୍ୟାପୀ ଐକତାନିକ ଭାବରେ ପ୍ରଭାବଶାଳୀ କାବ୍ୟଯୁଗୀୟ କବିମାନଙ୍କର ତଥା ସେମାନଙ୍କ କୃତିର କାଳ ନିର୍ଣ୍ଣୟପାଇଁ ଭାଷାଗତ ଲକ୍ଷଣକୁ ବିଚାରର ମାପକାଠିରୂପେ ଧରିନେବା ସଙ୍ଗତ ଓ ନିର୍ଭୁଲ ହେବ ନାହିଁ । ଅତଏବ କୃଷ୍ଣବିଳାସର କାଳ ନିର୍ଣ୍ଣୟପାଇଁ ସେହି ଦିଗଟିକୁ ଉପେକ୍ଷା କରାଗଲା ।

 

କଥାବସ୍ତୁ :- ବିଷୟବସ୍ତୁର ଆରମ୍ଭଠାରୁ ଉଦ୍ଧବ କୃଷ୍ଣଙ୍କ ଆଗରେ ଗୋପୀମାନଙ୍କର ଭାବକୁ ବ୍ୟକ୍ତ କରିବା ପର୍ଯ୍ୟନ୍ତ କୃଷ୍ଣବିଳାସ ମଥୁରାମଙ୍ଗଳଠାରୁ ଭିନ୍ନ ନୁହେଁ । ତାହା ପରଠାରୁ କୃଷ୍ଣ ଗୋପକୁ ଫେରି ପୁନଶ୍ଚ ଗୋପବିହାର ସାରି ମଥୁରାକୁ ପ୍ରତ୍ୟାଗମନ କରିବା ପର୍ଯ୍ୟନ୍ତ କଥା କୃଷ୍ଣବିଳାସର ସ୍ୱାତନ୍ତ୍ର୍ୟ । ଏହି କଥାବସ୍ତୁ ଲେଖକର ଜ୍ଞାନ ଗୋଚରତାନୁଯାୟୀ ପୌରାଣିକ ପ୍ରମାଣ ବିରୋଧ ହେଲେ ହେଁ, କାବ୍ୟର ବୈଶିଷ୍ଟ୍ୟ ଦୃଷ୍ଟିରୁ କୃଷ୍ଣବିଳାସର ନୂତନତ୍ୱ ଅଟେ । ମଥୁରାମଙ୍ଗଳ, ରସକଲ୍ଲୋଳ ଓ ଭାଗବତାଦି ଗ୍ରନ୍ଥ ମାଧ୍ୟମରେ ଗତାନୁଗତିକ ବିଷୟକ୍ରମ ପାଠକମାନଙ୍କୁ ପ୍ରାୟ ଜଣାଥିବାରୁ ତାହାର ସାରାଂଶ ଲେଖିବା ଅନାବଶ୍ୟକ ମନେହୁଏ । ଏଣୁ ତଦଧିକ ବର୍ଣ୍ଣନା ଯାହା କୃଷ୍ଣବିଳାସରେ କରାଯାଇଅଛି ତାହାକୁ ଠିକେ ଠିକେ ସୁଧୀ ପାଠକମାନଙ୍କ ଆଗରେ ଉପସ୍ଥାପିତ କରିବା ଉଚିତ ମନେକରେ ।

 

ଗୋପୀମାନଙ୍କ ଠାରୁ ବିଦାୟ ନେଇ ଅକ୍ରୂର ମଥୁରାକୁ ପ୍ରତ୍ୟାଗମନ କଲେ ଓ କୃଷ୍ଣଙ୍କୁ ସାକ୍ଷାତ କଲେ । ଉଦ୍ଧବଙ୍କୁ ପାଖରେ ବସାଇ ନନ୍ଦ, ଯଶୋଦା ଓ ଗୋପୀମାନେ କିପରି ଅଛନ୍ତି ବୋଲି କୃଷ୍ଣ ଉତ୍କଣ୍ଠିତ ହୋଇ ପଚାରିଲେ । ଉଦ୍ଧବ ତ ଗୋପୀମାନଙ୍କର କୃଷ୍ଣବିରହ ଶୋକସାଗର ସନ୍ଦର୍ଶନରେ ତଦ୍‌ଗତ ହୋଇଥିଲେ । ତେଣୁ ସେ ହୃଦୟସ୍ପର୍ଶୀ ଭାଷାରେ କହିବାକୁ ଲାଗିଲେ :

 

‘‘ଆପଣ ମଧୁପୁର ଆସିବା ଦିନ ଠାରୁ ସମସ୍ତେ ଅନାଥ ହୋଇଛନ୍ତି । କାହାରି ମୁଖରେ ହର୍ଷ ନାହିଁ । ଗୋପାଙ୍ଗନାମାନେ ଜୀବନହୀନ ଶରୀର ପ୍ରାୟ ଦେଖା ଯାଉଛନ୍ତି । ସେମାନଙ୍କର ଭକ୍ତି ମାହାତ୍ମ୍ୟ ଅଲୌକିକ । ମୋର ବୁଝାଇବା ଯୋଗମାର୍ଗକୁ ମିଥ୍ୟା ମନେ କରି ତୁମର ଚରଣକୁ ଆଶ୍ରୟ କରିଅଛନ୍ତି, ତୁମର ଗୁଣକୁ ଗୁଣି ହେଉଛନ୍ତି, ତୁମର ପ୍ରେମ, ତୁମର ରୂପ ଧ୍ୟାନ କରି ପାଗଳିନୀ ପ୍ରାୟ ହୋଇଛନ୍ତି । ନନ୍ଦଯଶୋଦାଙ୍କ ରୀତି ଦେଖିଲେ ସମବେଦନାରେ ଛାତି ଫାଟିଯାଏ-। ତୁମର ଶ୍ରୀମୁଖ ଦେଖିବା ପର୍ଯ୍ୟନ୍ତ ଆଖିମୁଦି ପଡ଼ି ରହିଛନ୍ତି । ଗୋପୀକାମାନଙ୍କର ଦୃଢ଼ ଭକ୍ତି ପରି ଭକ୍ତି ଆଗରୁ କେଉଁଠି ଘଟିଥିବାର ଶୁଣି ନ ଥିଲି, ଏବେ ତାହା ସ୍ୱଚକ୍ଷୁରେ ଆପଣଙ୍କ କୃପାରୁ ଦେଖି ନିଜକୁ ଧନ୍ୟ ମନେ କରୁଅଛି ।’’

 

ଏହା ଶୁଣି କୃଷ୍ଣଙ୍କର ଅନ୍ତର ବ୍ୟଥାରେ ଭରିଗଲା । ସେ କହିଲେ, ‘‘ମୁଁ ଗୋପୀମାନଙ୍କଠାରୁ କେବେ ଭିନ୍ନ ହୋଇ ପାରିବିନାହିଁ । ପୃଥ୍ୱୀଭାର ଉଶ୍ୱାସ କରିବାକୁ ମୁଁ ଭିନ୍ନ ଭିନ୍ନ ରୂପ ଧାରଣ କଲେହେଁ ବ୍ରଜଧାମକୁ ମୁଁ ତ୍ୟାଗ କରି ପାରେ ନାହିଁ । ଏହା ମୋର ଗୌରବମୟ ଲୀଳାଭୂମି । ପିତାମାତାଙ୍କର ଦୁଃଖ ବିଷୟ ଚିନ୍ତାକରି ଅଶ୍ରୁସଜଳ ନେତ୍ରରେ କୃଷ୍ଣ କହିଲେ, ସେମାନଙ୍କର ଜୀବନ ଧନ୍ୟ । ମୋ ଲାଗି ଏବେ ସେମାନେ ଦୁଃଖ ପାଇଲେ, ମୁଁ ନମରି ଏଠାରେ ସେମାନଙ୍କୁ ଛାଡ଼ି ରହିଛି ।’’ ଏହି ସମୟରେ ସଉଭ ରାକ୍ଷସ ସସୈନ୍ୟ ରଥ ଚଢ଼ି ମଥୁରାନଗରକୁ ଘେରାଉ କଲା । କୃଷ୍ଣ ଚାର ମୁଖରୁ ଏ ସମ୍ବାଦ ଶୁଣି ବଳରାମଙ୍କୁ ଜଣାଇଲେ ଏବଂ ଦୁଇ ଭାଇ ଯାଦବବଳ ସହ ତାଳଧ୍ଵଜ ଓ ନନ୍ଦିଘୋଷ ରଥରେ ଚଢ଼ି ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ । କବିଙ୍କ ବର୍ଣ୍ଣିତ ଯୁଦ୍ଧ ଯାତ୍ରା ସମସାମୟିକ ଓଡ଼ିଶାରେ ବ୍ୟବହୃତ ଅସ୍ତ୍ର ଶସ୍ତ୍ର, ସୈନ୍ୟମାନଙ୍କର ବେଶ, ଯୁଦ୍ଧବ୍ୟୂହରଚନାଦିର ଧାରଣା ଦିଏ । କୃଷ୍ଣଙ୍କର ଶିରରେ ପଗଡ଼ି, ଲଲାଟରେ ମୁକୁଟ, କର୍ଣ୍ଣରେ ମଣିକୁଣ୍ଡଳ, କଟିଦେଶରେ ଚନ୍ଦ୍ରହାସ (ଖଡ଼୍‌ଗ) ଓ ଯମଦାଢ଼ ଓ ଶଙ୍ଖଚକ୍ର ଦୁଇ ହସ୍ତରେ ଶୋଭା ପାଉଥିଲା । ବଳରାମ ମସ୍ତକରେ ସପ୍ତଶାଖା-ମୁକୁଟ, କଟିରେ ନୀଳପରିଧାନ, ହସ୍ତରେ ହଳମୂଷଳ, ଶ୍ରବଣରେ କୁଣ୍ଡଳ, ବକ୍ଷଦେଶରେ କବଚ ଓ ବିଭିନ୍ନ ରତ୍ନମାଳା ଧାରଣ କରିଥିଲେ । ଯାଦବମାନେ କିଏ ନୀଳପଗଡ଼ି, ନୀଳବସ୍ତ୍ର, ନୀଳବର୍ଣ୍ଣର ଧନୁର୍ବାଣ, ନୀଳବର୍ଣ୍ଣର ଅଶ୍ୱ ଉପରେ ସଜ୍ଜିତ ହୋଇ, କିଏ ଅବା ଦୁଇ ଚନ୍ଦ୍ରହାସ, ବାମକଟୀରେ ଯମଦାଢ଼, ଯାନୁରେ ରତ୍ନଘଣ୍ଟି, ହସ୍ତରେ ବର୍ଚ୍ଛାଧରି ଅଶ୍ୱାରୋହଣ କରି, କିଏ ପୁଣି ମସ୍ତକରେ ମନ୍ଦାର ପୁଷ୍ପ ଖଚିତ ବେଣୀ ଓ ନୀଳମଣି ମୁକୁଟ ଧାରଣ ପୂର୍ବକ ଅଶ୍ୱପୃଷ୍ଠରେ ଚଢ଼ି ସିଂହ ପ୍ରାୟ ରଡ଼ି କରି ଯୁଦ୍ଧକୁ ବାହାରିଛନ୍ତି । କାହାରି ମନରେ ଲେଶ ମାତ୍ର ଭୟ ନାହିଁ । ରାମକୃଷ୍ଣଙ୍କ ବଳରେ ସମସ୍ତେ ବଳୀୟାନ୍-। ଧନୁଶର, ଫରିଖଣ୍ଡା, ମୁଦ୍‌ଗର, ଭାଲି, ଶାବେଳୀ, ଗଦା ଶକ୍ତି ଆଦି ସୈନ୍ୟମାନଙ୍କ ହସ୍ତରେ ବିରାଜିତ । ବାଦ୍ୟ ଶବ୍ଦରେ ପୃଥିବୀ କମ୍ପି ଉଠୁଥିଲା । କୃଷ୍ଣଙ୍କ ନିର୍ଦ୍ଦେଶରେ ଉଦ୍ଧବ ଓ ଅକ୍ରୂର ଅଗ୍ର ଦେଶରେ ପାଦାନ୍ତୀ ସୈନ୍ୟ ସେମାନଙ୍କ ପଛରେ ଅଶ୍ୱାରୋହୀ, ଅଶ୍ୱାରୋହୀଙ୍କ ପଛରେ ଗଜାରୋହୀ, ସେମାନଙ୍କ ପଛରେ ମହାରଥୀଗଣ ଅର୍ଥାତ୍ ରଥାରୋହୀ ରକ୍ଷୀ ଯୁଦ୍ଧଯାତ୍ରା କଲେ । ସର୍ବଶେଷରେ କୃଷ୍ଣବଳରାମ ଯଥାକ୍ରମେ ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ଅଗ୍ରସର ହେଲେ । ଯୁଦ୍ଧରେ ରଥୀଙ୍କ ସହିତ ରଥୀ, ଅଶ୍ୱବଳ ସହିତ ଅଶ୍ୱବଳ, ଗଜବଳସହ ଗଜବଳ ଭେଟାଭେଟି ହେଲେ । ଅଶ୍ୱଙ୍କର ହେଷା ଧ୍ୱନି, ରଥମାନଙ୍କର ଘୋଷନାଦ, ବୀରମାନଙ୍କର କୁହାଟ, ତଥା ବିଭିନ୍ନ ବାଦ୍ୟନାଦରେ ବ୍ରହ୍ମାଣ୍ଡ ପୂରି ଉଠିଲା । ରାକ୍ଷସମାନେ ଯାଦବମାନଙ୍କୁ ଅସାଷ୍ଟମ କରିଦେଲେ । ତଥାପି କେହି କାହାରି ଠାରୁ ଘୁଞ୍ଚିଲେ ନାହିଁ । ଏଣୁ ବଳରାମ କ୍ରୋଧରେ ଅସୁରବଳଙ୍କୁ ନିପାତ କରିବାରେ ଲାଗିଲେ । ଯୁଦ୍ଧ ଭୂମିରେ ରକ୍ତ ନଦୀ ବୋହିଗଲା । ସେହି ନଦୀ ଉପରେ ନିହତ ଶତ୍ରୁ ସୈନ୍ୟମାନଙ୍କର ପଗଡ଼ି ସବୁ ଫେଣ ପରି, ପୃଷ୍ଠପଟ ସବୁ କଚ୍ଛପ ସଦୃଶ, ଶରଗୁଡ଼ିକ ମୀନ ପରି, ମୃତହସ୍ତୀ ପିଣ୍ଡ ସବୁ ମଗର ପ୍ରାୟ ଦେଖାଗଲା । ଗୃଧ୍ରମାନେ ଭୋଜିଲୋଭରେ ଆକାଶରେ ଉଡ଼ିଲେ । ସ୍ୱପକ୍ଷ ସୈନ୍ୟମାନଙ୍କର ଲୁଣ୍ଠିତ କବନ୍ଧମାନଙ୍କୁ ଦେଖି ସଉଭ ରାକ୍ଷସର ହୃଦୟରେ ମହାଭୟ ଜାତ ହେଲା । କୃଷ୍ଣଙ୍କ ସଙ୍ଗେ ସଉଭ ଘୋର ମାୟାଯୁଦ୍ଧ କଲା । କୃଷ୍ଣ ତାକୁ ତଡ଼ିତଡ଼ି ଯମୁନା କୂଳପର୍ଯ୍ୟନ୍ତ ନେଇଗଲେ । ସେଠାରେ ଘୋର ଯୁଦ୍ଧ କ୍ରମେ କୃଷ୍ଣ ତା’ର ମସ୍ତକକୁ ଚକ୍ରରେ ଛେଦନ କଲେ ।

 

ଯମୁନାର କୂଳରେ ଗୋପୀବଲ୍ଲଭ ଦେଖିଲେ ଯେ ସେ ସ୍ୱକୃତ ରାସକ୍ରୀଡ଼ା ସ୍ଥଳୀ ନିକଟରେ ଉପସ୍ଥିତ । ତେଣୁ ଯୁଦ୍ଧ ବେଶକୁ ପରିତ୍ୟାଗ କରି ଗୋପବେଶ ଧାରଣ କଲେ । ଶିରରେ ମୟୂରଚୂଳ, ଗୁଞ୍ଜରାର ମାଳା, କର୍ଣ୍ଣରେ ମକରକୁଣ୍ଡଳ, ନାସାରେ ମୋତି, ଗଳଦେଶରେ ଦିବ୍ୟ ବନମାଳା, ବାହୁରେ ବାହୁଟୀ, କରରେ କଙ୍କଣ, କଟିଦେଶରେ ପୀତବସ୍ତ୍ର, ପାଦରେ ନୂପୁର, ହସ୍ତରେ ମୋହନ ମୂରଲୀ ଧାରଣ କରି ଦାରୁକକୁ ସଙ୍ଗରେ ଧରି ଉଚ୍ଚାଟ-ମନରେ ଗୋପକୁ ଚାଲିଲେ । ଏଣେ ଯଶୋଦା ଦିନେ ସ୍ୱପ୍ନ ଦେଖିଲେ ଯେ ତାଙ୍କର ପ୍ରିୟପୁତ୍ର ଅସୁରମାନଙ୍କୁ ମାରି ସଖା ପରିବେଷ୍ଟିତ ହୋଇ ସୁନ୍ଦର ବେଶରେ ବେଣୁହସ୍ତ ହୋଇ ଗୋପକୁ ଆସିଛନ୍ତି । ମାତାଙ୍କ ସନ୍ନିକଟରେ ଥାଇ ମୃଦୁହାସ କରୁଛନ୍ତି; କିନ୍ତୁ ଡାକିଲେ ମଧ୍ୟ କୋଳକୁ ଆସୁନାହାନ୍ତି । ମାତା ତାଙ୍କ ପାଖକୁ ଯାଇ କୋଳକରି ଆଣି ମୁଖରେ ଚୁମ୍ବନ ଦେଉଛନ୍ତି । ଏହିପରି ସ୍ୱପ୍ନ ଦେଖୁ ଦେଖୁ ହଠାତ୍ ନିଦ୍ରାଭଙ୍ଗ ହୁଅନ୍ତେ ସ୍ୱପ୍ନର କୃଷ୍ଣଙ୍କୁ ଦେଖିବାକୁ ପାଇଲେ ନାହିଁ ଏବଂ ଦୁଃଖରେ ଅଧୀରା ହୋଇ ବହୁତ କାନ୍ଦିବାକୁ ଲାଗିଲେ । ସେ କାନ୍ଦି କାନ୍ଦି ମୂର୍ଚ୍ଛିତା ହେବାରୁ ନନ୍ଦ ତାଙ୍କୁ ଜଳ ସିଞ୍ଚି ସୁସ୍ଥ କଲେ ଓ ବହୁ ପ୍ରବୋଧନା ଦେଲେ । ଉଭୟେ ସ୍ୱାମୀ ସ୍ତ୍ରୀ ଏହିପରି ଶୋକସାଗରରେ କୃଷ୍ଣଙ୍କୁ ଝୁରିଝୁରି ମଗ୍ନ ହେଲାବେଳେ ଦାରୁକ ସହିତ କୃଷ୍ଣ ଆସି ଉପସ୍ଥିତ ହେଲେ । ମାତା ପିତାଙ୍କୁ ପ୍ରଣାମ କରି ବିନୀତ କ୍ଷମାପ୍ରାର୍ଥନା କଲେ ।

 

ରାତ୍ରିର ଅବସାନ ହେଲା । ଶୁକ, ସାରୀ, ପିକ ଧ୍ୱନି କଲେ । କୋକଶୋକ ଦୂର ହେଲା । ତାରାମାନେ ଲୁଚିଗଲେ । ଚନ୍ଦ୍ର ପାଣ୍ଡୁର ବର୍ଣ୍ଣ ଦିଶିଲା । ସତେକି ଦିନକର ପ୍ରହାର ଘାତରେ ଲଜ୍ଜାବୋଧ କରି ନିଶାପତି ଭସ୍ମ ଧାରଣ କରି ତପ କରିବାକୁ ଅସ୍ତାଚଳକୁ ଯାଉଛି । ଦିନକର କର ସ୍ପର୍ଶରେ କୁମୁଦିନୀ ସଙ୍କୁଚିତା ହେଲା । ରସିକମାନେ ରସବତୀମାନଙ୍କଠାରୁ ଅନ୍ତର ହେଲେ । ପ୍ରାଚୀ ଲଲାଟରେ ଅରୁଣିମା ଦୀପ୍ତ ହେଲା । କୁକ୍‌କୁଟମାନେ ଘନ ଘନ ଧ୍ୱନି କଲେ । କାକମାନେ କା’ କା’ କଲେ । ଭ୍ରମରମାନେ କୁମୁଦ ସଙ୍ଗ ପରିତ୍ୟାଗ କରି ସାରସ ରସରେ ରତ ହେଲେ । ଉଲ୍ଲୁକମାନେ ବୃକ୍ଷ କୋଟରରେ ଲୁଚି ରହିଲେ । ଦିବା-ରସବତୀ ସଙ୍ଗେ ଦିନନାଥଙ୍କର ମୁକ୍ତ ବିହାର ଦେଖି ଶଶଧାରୀ ଲଜ୍ଜାରେ ମେରୁ ଉହାଡ଼ରେ ଲୁଚିଲେ । ଜଳରେ ପଦ୍ମମାନେ ବିକଶିତ ହେଲେ, ମୁନିମାନେ ବ୍ରହ୍ମଧ୍ୟାନ କଲେ । ସୂର୍ଯ୍ୟୋଦୟ ଦୃଶ୍ୟ ଦେଖି ମନେହେଲା ସୂର୍ଯ୍ୟରୂପୀ ସିଂହ ଅନ୍ଧକାର ଗଜକୁ ନାଶ କରି ଛିନ୍ନ ଭିନ୍ନ କରିଛନ୍ତି । କବି ଏଠାରେ ଭଞ୍ଜୀୟ-ରୀତିରେ ଅତି ସୁନ୍ଦର ଭାବରେ ଲେଖିଛନ୍ତି :-

 

‘‘ଉଦୟ ଅଚଳ ଦରୀରୁ ବାହାର ହୋଇଣ ତପନ ହରି

ଅନ୍ଧକାର ଗଜ ଦଳକୁ ନାଶିଲା ଖେଦି ଛିନ୍ନ ଭିନ୍ନ କରି ହେ ।’’

 

-ଭଞ୍ଜୀୟ କୋଟିବ୍ରହ୍ମାଣ୍ଡସୁନ୍ଦରୀରେ ଏପରି ଗୋଟିଏ ପଦ :-

‘ମନୋହର ମୃଗଧର ଅସ୍ତବ୍ୟସ୍ତ କ୍ଷଣକେ କରି ସେ,

ଦନ୍ତୀକି ବିଦାରି ବିହରି ସରକ୍ତ ଶରୀରେ ହରି ସେ ।’

 

ସୂର୍ଯ୍ୟୋଦୟର କିଛି ସମୟ ପରେ କୃଷ୍ଣ ଶଯ୍ୟାତ୍ୟାଗ କଲେ । ନିତ୍ୟକର୍ମ ପରେ ମସ୍ତକରେ ପୁଷ୍ପମାଳ, ମୟୂର ଚନ୍ଦ୍ରିକା ଓ ନାଗେଶ୍ୱର ଝରା, ଶରୀରରେ କର୍ପୂର, ଭାଲଦେଶରେ ଚନ୍ଦନଟିପା, ନାସାରେ ମୁକ୍ତା, କର୍ଣ୍ଣରେ ମକର କୁଣ୍ଡଳ, କରରେ ରତ୍ନକଙ୍କଣ, ବକ୍ଷସ୍ଥଳରେ ରତ୍ନହାର ଓ ରତ୍ନପଦକ, ବାହୁରେ ବାହୁଟୀ, ପାଦରେ ନୂପୁର ଭୂଷିତ ହୋଇ ପୀତବସ୍ତ୍ର ପରିଧାନ ପୂର୍ବକ ବେଣୁହସ୍ତରେ ସଖାମାନଙ୍କୁ ଭେଟିବାକୁ ବାହାରିଲେ । ସୁବଳ, ସୁଦାମ, ମଧୁମଙ୍ଗଳ ଆଦି ସଖାମାନଙ୍କୁ ସାକ୍ଷାତ କରିବାରୁ ସେମାନଙ୍କର ବନ୍ଧୁବିଚ୍ଛେଦଜନିତ ଦୁଃଖ ବିମୋଚନ ହେଲା । କୃଷ୍ଣଗୋପୀକାମାନଙ୍କୁ ଭେଟି ଦେଖିଲେ ଯେ ସେମାନେ ବିରହଜନିତ ଶୀର୍ଣ୍ଣକାୟ ହୋଇଛନ୍ତି । ବୃଷଭାନୁ ନନ୍ଦିନୀ କୃଷ୍ଣାଗମନ ସନ୍ଦେଶ ପାଇ ସାଶ୍ରୁନୟନା, ନତମୁଖୀ ହୋଇ ନିର୍ବାକ୍, ନିଷ୍ପନ୍ଦ ବିରହବିହ୍ୱଳ ହୃଦୟରେ ସେମାନଙ୍କ ଗହଣରେ ଉପସ୍ଥିତା ଥିଲେ । ଏହି ସମୟରେ କୃଷ୍ଣ-ଦର୍ଶନରେ ଗୋପୀକାମାନଙ୍କର ଅନ୍ତର୍ବ୍ୟଥା ବିଦୂରିତ ହୋଇ ଆନନ୍ଦ ଉଲ୍ଲାସ ଜାତ ହେଲା । ସମସ୍ତେ ବିରହ ଜନିତ ଦୁଃଖ ବ୍ୟକ୍ତକରି କୃଷ୍ଣଙ୍କୁ କଠୋର ହୃଦୟ କହି ସମାଲୋଚନା କଲେ । କୃଷ୍ଣ ମଧ୍ୟ ପ୍ରକାଶ କଲେ ସେ କିପରି ମଥୁରାରେ ଥାଇ ସେମାନଙ୍କୁ ଝୁରି ହେଉଥିଲେ ଏବଂ କିପରି କଂସ କବଳରୁ ପ୍ରାଣ ପାଇଲେ । ମନନେଇ କଥା କହିବାରେ ତାଙ୍କୁ କିଏ ଅବା ବଳିଯିବ ? କବି ଏଠାରେ ଲେଖିଛନ୍ତି-

 

‘‘ୟେହା ଶୁଣି ସେ ପ୍ରଭୁ ଭାବଗ୍ରାହୀ

 

ବ୍ରଜେଶ୍ୱରୀ ଛାମୁରେ ଉଭା ହୋଇ

। ୬୯ ।

ଧୀରେ କହନ୍ତି ବିନୟ ବଚନ

 

ମୋର କ୍ଷମାକର ଅପ୍ରାଧମାନ

। ୭୦ ।

ତୁମ୍ଭ ବଦନ ଚନ୍ଦ୍ର ମୁଁ ନ ଦେଖି

 

ଚକ୍ଷୁହୀନ ମୁଁ ହୋଇଥିଲି ସଖୀ

। ୭୧ ।

ଦଶଦିଗ ଦିଶୁଥିଲା ଅନ୍ଧାର

 

ଶରେ ନାଶୁଥିଲା ମୋର ଶରୀର

। ୭୨ ।

ତୁମ୍ଭ ନାମ ଅକାଟ ମନ୍ତ୍ର କରି

 

ଦିନ ବଞ୍ଚୁଥିଲି ପ୍ରାଣ ଈଶ୍ୱରୀ

। ୭୩ ।

ମୋତେ ବିକୃତ ଦଶା ପଡ଼ିଥିଲା

 

ବାରେ ଧର୍ମ ମାତ୍ର ସାହା ହୋଇଲା

। ୭୪ ।

ତୁମ୍ଭମାନଙ୍କ ସନ୍ତୋଷରୁ କରି

 

ରକ୍ଷା ହେଲି ୟେବେ ପ୍ରାଣ ଈଶ୍ୱରୀ

। ୭୫ ।

ଏ କଥାରେ ନ ଘେନ କେହି ଦୁଃଖ

 

ସର୍ବେ ହୁଅ ମୋହଠାରେ ସୁମୁଖ

। ୭୬ ।

ତୁମ୍ଭ ବିହୁନେ ମୋର ଥିଲେ ଆନ

 

ୟେହି କଥାକୁ ସାକ୍ଷୀ ନିରଞ୍ଜନ ।’’

 

(୨୦ଶ ଛାନ୍ଦ)

 

ବ୍ରଜାଙ୍ଗନାମାନଙ୍କୁ ସନ୍ତୁଷ୍ଟ କରି କୃଷ୍ଣଚନ୍ଦ୍ର ପୂର୍ବର ରାସକ୍ରୀଡ଼ା ସ୍ଥଳୀ ଯମୁନାର ପୁଳିନକୁ ଦେଖିବାକୁ ଗଲେ । ଯମୂନାକୂଳର ଶୋଭାବର୍ଣ୍ଣନା କବି ଅତି ସୁନ୍ଦର ଭାବରେ କରିଛନ୍ତି । କୂଳରୁ ଜଳ ପର୍ଯ୍ୟନ୍ତ ସ୍ଫଟିକପାବଚ୍ଛ, ପାବଚ୍ଛଗୁଡ଼ିକର ଦୁଇପାର୍ଶ୍ୱରେ ରତ୍ନମଣ୍ଡପ, ରତ୍ନ ମଣ୍ଡପର ଚାରିକୋଣରେ ସୁବର୍ଣ୍ଣର କାରୁକାର୍ଯ୍ୟଖଚିତ ସ୍ତମ୍ଭମାନ, ମଣ୍ଡପର ହେମ ନିର୍ମିତ ଚାଳ, ହୀରାର ପାଲିଙ୍କି, ନୀଳାର ପେଣ୍ଡା, ମାଣିକ୍ୟନିର୍ମିତ ଶ୍ରେଣୀ, ବୈଡ଼ୁର୍ଯ୍ୟର ରୁଅ, ଚନ୍ଦ୍ରକାନ୍ତ ନିର୍ମିତ ଭିତ୍ତି, ତ୍ରୋଣାକାରରେ ଥିବା ମର୍କତର ପୀଢ଼ା, ଦିବ୍ୟ ଚନ୍ଦ୍ରାତପ, ଚନ୍ଦ୍ରାତପରେ ଖଚିତ ନିର୍ମଳ ମୋତି ଝୁମ୍ପା, ମଣ୍ଡପର ଶିଖର ଦେଶରେ ଥିବା ହେମକଳସ ଓ ଚଞ୍ଚଳ ନୀଳ ପତାକା ତାଙ୍କର ମନୋହରଣ କରୁଥିଲା । ଯମୁନାର ଦଳିତାଞ୍ଜନ ଘନକୃଷ୍ଣ ଜଳଧାର ପରିବେଶର ମାଧୁର୍ଯ୍ୟ ବୃଦ୍ଧି କରୁଥିଲା । କୃଷ୍ଣ ଅତ୍ୟନ୍ତ ଆନନ୍ଦରେ ଗୋଟିଏ ମଣ୍ଡପରେ ଉପବେଶନ କରି ଯମୁନାର ଚିତ୍ତମୋହିନୀ ଶୋଭାକୁ ଦେଖିବାକୁ ଲାଗିଲେ । ପୂର୍ବ କେଳିର ବିଭିନ୍ନ ସ୍ମୃତି ତାଙ୍କ ହୃଦୟକୁ ଉନ୍ମାଦନାରେ ଭରିଦେଲା । କବି କଳ୍ପନା କରୁଛନ୍ତି ପୂତତୋୟା, ସାଧୁ-ସଦନା କୃଷ୍ଣବର୍ଣ୍ଣା ଅହିମକର ନନ୍ଦିନୀ ରାସଲୀଳାର କିଛି କାଳପରେ ପୁଣି ଘନଶ୍ୟାମ ପଦରେ ବିମଣ୍ଡିତା ହୋଇ ବିଶ୍ୱପ୍ରେମରେ ଉଲ୍ଲସିତା ହେଲା । କବି ଭଞ୍ଜୀୟ ରୀତିରେ କୃଷ୍ଣଦର୍ଶନୋତ୍କଣ୍ଠିତା ମହୀମହିଳାର ମନୋଭାବକୁ ଯମୁନାର ଶୋଭା ବର୍ଣ୍ଣନା ମାଧ୍ୟମରେ କିପରି ଚିତ୍ରଣ କରିଛନ୍ତି ତାହା ଦେଖନ୍ତୁ :-

 

‘‘ସୁରତ ଉରରୁ ମହୀରମଣୀବରର

ଫିଟି ହୋଇ ପଡ଼ିଛି କି ଦିବ୍ୟକେଶ ଭାର ଯେ

।୨୩।

ମାର ରହୁବର ନୀଳପତାକା କି ଛିଡ଼ି

ବିହିବଶେ ଆସି ମହୀତଳେ ଅଛି ପଡ଼ି ଯେ

।୨୪।

କୃଷ୍ଣଙ୍କୁ ଦେଖିବାକୁ କି ମହୀ ପ୍ରେମଶୀଳା

ଯତ୍ନକରି ରଖିଅଛି ମର୍କତର ମାଳା ଯେ

।୨୫।

ୟେହୁ ରସବତୀ ପ୍ରାୟେ ଦିଶଇ ଶୋଭନ

ଶଇବାଳ କେଶ ଚାରୁ ପଙ୍କଜ ବଦନ ଯେ

।୨୬।

ଚଞ୍ଚଳ ମୀନନୟନ ଫେନହାସେ ଶୋହେ

ଚକ୍ରବାକସ୍ତନୀ ମୁନି ମନ ମାନ ମୋହେ ଯେ

।୨୭।

ରୁଚିର ଆବର୍ତ୍ତନାଭୀ ପୁଳିନଜଘନୀ

ମୃଣାଳୀ ଲତିକା ବାହୁ କୋକନଦ ବେନି ଯେ

।୨୮।

ଭଙ୍ଗତ୍ରିବଳୀ ଶୋଭିତା ପରାଗ ବସନ

ମତ୍ତ ହଂସରାଜଧୁନି ନୂପୁର ରଞ୍ଜନ ଯେ

।୨୯।

ମକରଧ୍ୱଜରେ ହୋଇଅଛି ଆକୁଳିତା

ଅଙ୍ଗ ସ୍ପରଶରେ କାମ ରସକୁ ଦିଅନ୍ତା ଯେ

।୩୦।

ସ୍ୱଚ୍ଛ ଭାବେ ମନୋହର ଗଭୀର ହୃଦୟ

ଦେଖନ୍ତେ ଅତନୁ ରସ କରଇ ଉଦୟ ଯେ

।୩୧।

ଭ୍ରମରଶ୍ରେଣୀ ଅଳକା ପ୍ରାୟେ ଶୋଭବନ

ପଦ୍ମ କୁଟ୍ମଳ ମେଖଳା ନୟନ ରଞ୍ଜନ ଯେ

।୩୨।

ଧରଣୀତଳ ମଣ୍ଡିତ ସରସିଜ ବାସି

ରୂପଶୋଭା ଦେଖିଲେ ସାଧୁହିଁ ରହେ ରସି ଯେ

।୩୩।

 

ସାଗର ନାଗର-ସଙ୍ଗରଙ୍ଗ ଲୋଭିନୀ ଯମୁନାକୁ ଗଙ୍ଗା ସପତଣୀ ଛାଡ଼ି ଅଗ୍ରଗାମିନୀ ହୋଇଛି ବୋଲି ସତେ କ’ଣ ସେ ଉତ୍ସୁକ ପ୍ରାଣରେ ଉଭୟ କୂଳ ଲଙ୍ଘନ କରି ବର୍ଣ୍ଣିତ ଅଭିସାରିକା ବେଶରେ ଚଞ୍ଚଳ ଗତି କରି ଅନନ୍ୟମନା ହୋଇ ଚାଲିଛି ସେହି ସାଗର ଅଭିମୁଖରେ । ତା’ର ଏପରି ଗତି ଦେଖି ଜାତି ଫୁଲମାନେ ପ୍ରସ୍ଫୁଟହାସ କରୁଛନ୍ତି । ସେ କିନ୍ତୁ କାହାରିକୁ ଚାହୁଁ ନାହିଁ । ନାୟକ ପ୍ରୀତିଲାଭ ଉତ୍କଣ୍ଠାରେ ମୌନାବଲମ୍ବନ କରି ଆଶ୍ଳେଷ ସ୍ପର୍ଶ ପାଇଁ ଧାଉଁଛି ।

 

ବୃନ୍ଦାବନର ଶୋଭାବର୍ଣ୍ଣନାରେ କବି ବିଭିନ୍ନ ତରୁ, ଲତା, ଗୁଳ୍ମ, ପଶୁ, ପକ୍ଷୀ, ପୁଷ୍ପ, ଫଳ ଇତ୍ୟାଦିର ତାଲିକା ଦେଇଛନ୍ତି । ସମସ୍ତ ତରୁମାନଙ୍କର ମୂଳରେ ରତ୍ନବେଦୀ ନିର୍ମିତ ହୋଇଛି । ତା ପରେ ବୃନ୍ଦାବନକୁ କବି ସମସ୍ତ ପ୍ରକାରେ ସୁର ତରୁଣୀ ରୂପେ ବର୍ଣ୍ଣନା କରିଛନ୍ତି । କେବଳ ତରୁ, ଲତା, ଗୁଳ୍ମ, ପଶୁ, ପକ୍ଷୀ, ପୁଷ୍ପ, ଫଳ ଆଦିର ତାଲିକା ୩୫ପଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏଥିରେ କବିତ୍ୱର ବୈଶିଷ୍ଟ୍ୟ ନ ଥିଲେ ହେଁ ପ୍ରକୃତି ସହିତ କବିଙ୍କର ନିବିଡ଼ ପରିଚୟ ସ୍ପଷ୍ଟ । ବୃନ୍ଦାବନ ବିଭିନ୍ନ ରତ୍ନଖଚିତ ଗୃହମାନଙ୍କଦ୍ୱାରା ସୁଶୋଭିତ ଦିଶୁଥିଲା । ସ୍ଥାନେ ସ୍ଥାନେ ଅଟ୍ଟାଳିକା ନଭଶ୍ଚୁମ୍ବନ କରୁଥିଲା । ଗୃହ ସମୂହର କାନ୍ଥି ଗୁଡ଼ିକରେ ବିଦ୍ରୁମ ଓ ମୁକୁର ଖଞ୍ଜା ହୋଇଥିଲା । ମଝିରେ ମଝିରେ ରତ୍ନ ଚାନ୍ଦୁଆ ଟଣା ଯାଇଥିଲା । ଚାନ୍ଦୁଆ ଗୁଡ଼ିକରୁ ମୋତିଝୁମ୍ପା ଲମ୍ବିଥିଲା । ପିତ୍ତଳକାମରେ ଦ୍ଵାରବନ୍ଧ ସୁନ୍ଦର ଦିଶୁଥିଲା । ଗୃହମାନଙ୍କର ଶିଖର ଦେଶରେ ପତାକା ଉଡ଼ୁଥିଲା, ଦ୍ୱାର ସମ୍ମୁଖରେ ଚନ୍ଦ୍ରକାନ୍ତମଣିର ପାବଚ୍ଛମାନ ଥିଲା । କେଉଁ ଅଟ୍ଟାଳିକାର କାନ୍ଥ ଚନ୍ଦ୍ରକାନ୍ତମଣିରେ ଏବଂ ଅନ୍ୟ କେଉଁ ଅଟ୍ଟାଳିକା ମର୍କତମଣିରେ ସୁନ୍ଦର ଦିଶୁଥିଲା । ବୃନ୍ଦାବନର ମଣ୍ଡପ ସବୁ ମଣିମାଣିକ୍ୟରେ ଖଚିତ ଥିଲା ଏବଂ ମଧ୍ୟଦେଶରେ ଚାନ୍ଦୁଆ ଟଣା ଯାଇଥିଲା । ବୃନ୍ଦାବନର ଚାରିପାର୍ଶ୍ୱରେ କୁଞ୍ଜଗୃହମାନଙ୍କର ଶୋଭା ଦେଖି କୃଷ୍ଣ ଆନନ୍ଦରେ ମେଢ଼ ମଣ୍ଡପରେ ଉପବେଶନ କଲେ ।

 

ଚାରୁ ମଳୟାଚଳରୁ ନାନା ସୁଗନ୍ଧ ଧରି ବହିବାକୁ ଲାଗିଲା । ବୃନ୍ଦାବନର ତରୁଲତା ସବୁ ନବପଲ୍ଲବ ଧାରଣ କଲେ । ମାଧବୀ, ଛୁରିଅନା, ନାଗେଶ୍ୱର, ନବମାଳିକା, ପୁନ୍ନାଗ, ଅଶୋକ, ଯୂଇ, ଆମ୍ର, ବକୁଳ, କେତକୀ, ଚମ୍ପା, ଶିରୀଷ, ସୁନାରୀ ଇତ୍ୟାଦି ପୁଷ୍ପ ପ୍ରସ୍ଫୁଟିତ ହୋଇ କାମୀ କାମିନୀମାନଙ୍କର ହୃଦୟ ମନ୍ଥନ କରୁଥିଲେ । ଭ୍ରମରଗଣ ପୁଷ୍ପରୁ ପୁଷ୍ପକୁ ଉଡ଼ି ମଧୁପାନରେ ଭୋଳ ଥିଲେ । କୋକିଳମାନେ ଆମ୍ରବନରେ କୂଜନ କରୁଥିଲେ । ବୃନ୍ଦାବନର ତମାଳ ଗହଳରେ କୁରଙ୍ଗକୁରଙ୍ଗୀ ଦଳଦଳ ପଶି ବିହାର କରୁଥିଲେ । ଏହିପରି ଉଦ୍ଦୀପକ ବସନ୍ତକୁ ସଖା ରୂପେ ସଙ୍ଗରେ ଧରି ଯୋଦ୍ଧା ଶିରୋମଣି କାମଦେବ ବିରହୀ ଜନମାନଙ୍କର ଉତ୍ପୀଡ଼ନ ପାଇଁ ନାନା ସମ୍ଭାରର ଆୟୋଜନ କଲା । ତାର କରରେ କୁସୁମର ଧନୁ, ପଙ୍‌କ୍ତି ଶୃଙ୍ଖଳାରେ ପୁଷ୍ପୋପବେଶନକାରୀ ଷଟ୍‌ପଦ ଶ୍ରେଣୀ ଧନୁର ଗୁଣ, ଧନୁରେ ଚୂତବାଣ ଆରୋପିତ, ପିକଧ୍ୱନି କାମଦେବଙ୍କର ଧନୁ ଟଙ୍କାର, ନାଗେଶ୍ୱର ରାଜା କାମଦେବର ଛତ୍ର, ହସ୍ତରେ ତା’ର କେତକୀ କୁନ୍ତ, ଛୁରିଅନା ଛୁରୀ, ନବପଲ୍ଲବ କୃପାଣ ବିକଶିତ ପଦ୍ମଫଳକ, ଭ୍ରମର ଗୁଞ୍ଜନ ଶଙ୍ଖଧ୍ୱନି, କୋକିଳ ରବ ନିଶାଣ ବାଦ୍ୟ । ମତ୍ତଭର କାମଦେବ ସଂଯୋଗୀମାନଙ୍କୁ ଦୟା କରି ବିଯୋଗୀମାନଙ୍କୁ ନାନା ଦଣ୍ଡ ଦେଲା ।

 

ରାସ-ରସିକ ନନ୍ଦନନ୍ଦନ ଗୋପୀବୃନ୍ଦ ହୃଦୟଚନ୍ଦନ ବୃନ୍ଦାବନର ଏବଂବିଧ ବାସନ୍ତୀ ଶୋଭା ଆନନ୍ଦରେ ଦର୍ଶନ କରି ବୁଲିଲେ । କୌଣସି କୁଞ୍ଜଗୃହ ମଧ୍ୟରେ ପଶି କିଛିକ୍ଷଣ ବସୁଥିଲେ, କୌଣସି ପୁଷ୍ପିତବଲ୍ଲରୀରୁ ପୁଷ୍ପ ତୋଳି ମସ୍ତକରେ ଖୋସୁଥିଲେ, ପୁଣି ବା କୌଣସି ଲତା ମୂଳରେ ବସି ଭିନ୍ନ ଭିନ୍ନ ପୁଷ୍ପ ଯତ୍ନ ସହକାରେ ତୋଳୁଥିଲେ । କେତେବେଳେ ଗୋଟିଏ ବୃକ୍ଷମୂଳରେ ଦଣ୍ଡାୟମାନ ହୋଇ କୋକିଳର ମଧୁର ଗାନ ଶ୍ରବଣରେ ନିମଜ୍ଜିତ ହେଉଥିଲେ । ଏହିପରି ଭାବରେ ଦିବସ ଶେଷ ହେଲା । ପଦ୍ମ ସଂକୁଚିତ ହେଲା । ପକ୍ଷୀମାନେ ଉତ୍କଣ୍ଠାରେ ନୀଡ଼ାଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ, ବିଟ ପୁରୁଷମାନେ କାମପ୍ରମତ୍ତ ହେଲେ, ଭ୍ରମର ଦରମୁକୁଳିତ ପୁଷ୍ପ ପ୍ରତି ଆକୃଷ୍ଟ ହୋଇ ତା’ର ଚାରି ପାଖରେ ବୁଲି ଗୁଞ୍ଜନ କଲା । କେତେ ଭ୍ରମର କେତେ ପୁଷ୍ପରୁ ପୁଷ୍ପକୁ ଉଡ଼ି ଗୁଞ୍ଜନ କଲେ । ଚକ୍ରବାକ ଚକ୍ରବାକୀ ରାତ୍ରୀ-ବିଚ୍ଛେଦ କଥା ଭାଳି ଦୁଃଖିତ ହେଲେ । ଚନ୍ଦ୍ରୋଦୟର ଆଭାସ ପାଇ ଚକୋରୀ ପୂର୍ବାଶାକୁ ଦୃଷ୍ଟିପାତ କରୁଥିଲା । ବସନ୍ତକାଳୀନ ଦିବସ ଶେଷ, ରାତ୍ରିର ଆସନ୍ନ ଆଗମନର ସନ୍ଧିକାଳ ସନ୍ଧ୍ୟା ଅତ୍ୟନ୍ତ ମନୋହର । ଏହାକୁ ବର୍ଣ୍ଣନା କରୁ କରୁ କବି ଲେଖୁଛନ୍ତି ଚନ୍ଦ୍ରୋଦୟର ନୂତନ ପ୍ରଭାବ କିପରି ପରିବେଶକୁ ବଦଳାଇ ଦେଇଛି :-

 

‘‘ୟେମନ୍ତେ ଉଦୟାଚଳ କନ୍ଦରାରୁ ବିଜେ କରି ବିଧୁକେଶରୀ,

ନିଜକର ଘେନି ଘୋର ଅନ୍ଧକାର ହରି ସମ୍ମୋହକୁ ବିସ୍ତାରି

ମୋତି ଯେ, ବାହାର କରି ଫିଙ୍ଗିଦେଲେ,

ୟେ ଘେନି ଆକାଶ ମଣ୍ଡଳରେ ଯାଇଁ ତାରାବୃନ୍ଦ ହୋଇ ମୋହିଲେ । ୩୦ ’’

(୨୩ଶ ଛାନ୍ଦ)

 

ଚନ୍ଦ୍ରୋଦୟରେ ରଜନୀ-ନାରୀର ମାନରୂପୀତମ ବିଦୂରିତ ହେଲା, ପଦ୍ମିନୀ ଅଭାଗ୍ୟବଶତଃ ଦୁଃଖ ପାଇଲା, ଜଳରେ କୁମୁଦମାନେ ଆନନ୍ଦ ଲାଭ କଲେ, ଅଭିସାରୀମାନେ ଚନ୍ଦ୍ର କିରଣରେ ଧରାପଡ଼ିଯିବାର ଶଙ୍କା ଲାଭ କଲେ, ବିରହୀ ଚକୋର ଦମ୍ପତି ମିଳନାଶାରେ ଉତ୍କଣ୍ଠିତ ହେଲେ, ପେଚକମାନେ ତମାଳ ବନ ମଧ୍ୟରେ ଆତ୍ମଗୋପନ କଲେ । ଚନ୍ଦ୍ର ତାଙ୍କର କର ସ୍ପର୍ଶରେ ଦିବଙ୍ଗନାମାନଙ୍କୁ ଆନନ୍ଦ ଦାନ କଲେ, କିରଣ ଦୂତମାନେ ବିଭିନ୍ନ ଦେଶରେ ପ୍ରବେଶ କରି ସ୍ଥାନେ ସ୍ଥାନେ କୁଳଟାମାନଙ୍କର ପଥ ନିରୋଧ କଲେ । ସନ୍ଧ୍ୟାର ଅବ୍ୟବହିତ ପରେ ସୂର୍ଯ୍ୟଙ୍କର ଅସ୍ତରାଗ ଓ ନବୋଦିତ ପୂର୍ଣ୍ଣଚନ୍ଦ୍ରର ସମନ୍ୱିତ ପ୍ରତିଭାରେ ଅରୁଣିମା ପ୍ରକାଶ ପାଇଲା । ମାନିନୀମାନଙ୍କର ମାନତମକୁ ବିଦୂରିତ କରିବାକୁ ଚନ୍ଦ୍ର ସତେ ଯେପରି ମହାପ୍ରତାପୀ କାମଦେବଙ୍କର ଲାଲ ଅଟେ । ଏହି ପୂର୍ଣ୍ଣଚନ୍ଦ୍ର ଦର୍ଶନରେ କବି ଉତ୍‌ପ୍ରେକ୍ଷା କରୁଛନ୍ତି ପ୍ରାଚୀଦିଗ-ରମଣୀ ମସ୍ତକ-ସିନ୍ଦୂର ଚନ୍ଦ୍ର ଜଗଜ୍ଜୟୀ ମାନଙ୍କର ହୁଏତ ସ୍ୱର୍ଣ୍ଣ ପୂର୍ଣ୍ଣକୁମ୍ଭ ଅଥବା କୃଷ୍ଣଙ୍କୁ ସଉଭ ବିନାଶ କାରଣରୁ ବନ୍ଦାପନାର୍ଥେ ଦିଗବାଳୀଙ୍କର ଅର୍ଘ୍ୟସ୍ଥାଳୀ ଅଟେ । ଚନ୍ଦ୍ରଙ୍କୁ କବି ଏହିପରି ବହୁ ଉପମା ଓ ରୂପକ ମାଧ୍ୟମରେ ବର୍ଣ୍ଣନା କରି ଲେଖିଛନ୍ତି :-

 

‘‘ଏମନ୍ତ ଚନ୍ଦ୍ର ଦେଖି ବୃନ୍ଦା-ବିପିନେ ଉଦୟେ ବୃନ୍ଦାବନ ଚନ୍ଦ୍ର

ଗତ ରାସ ରସ ଚିତ୍ତୋଇ ଚିତ୍ତରେ ହୋଇଲେ ପରମ ଆନନ୍ଦ,

ମନରେ, ବିଚାରନ୍ତି ଶ୍ୟାମସୁନ୍ଦର

ଗୋପ ରମଣୀମାନଙ୍କୁ ଡାକି ଆଜ କରିବା ୟେଥିରେ ବିହାର । ୪୨ ’’

(୨୩ଶ ଛାନ୍ଦ)

 

ବ୍ରହ୍ମା ହର ସୁରା ଗୋଚର ମହାମହିମ ମୋହନ ବଂଶୀ-ବାଦନବିଶାରଦ ପ୍ରେମପାଗଳିନୀ ଗୋପାଙ୍ଗନାଗଣଙ୍କୁ ଉଚ୍ଚାଟିତ କଲେ । ରାସରସରାଜଙ୍କର ସରଘନ ବଂଶୀସ୍ୱନ ମୋହିତ ପ୍ରସ୍ତର ଦ୍ରବୀଭୂତ ହେଲେ, ଶୁଷ୍କ ପାଦପଗଣ ପଲ୍ଲବିତ ହେଲେ, ଗୋବତ୍ସାଦି ଆହାର ଭୁଲିଗଲେ, ଯମୁନା ଜଳ ସ୍ଥିର ହେଲା, କୋକିଳମାନେ ନିଜ ସ୍ୱନକୁ ତୁଚ୍ଛ ମନେକରି ମୂକ ହେଲେ, କୁଳବତୀମାନଙ୍କର ନୀବିବନ୍ଧନ କୋହଳ ହୋଇଗଲା, ମେଘମାନେ ଚଳିଲେ ନାହିଁ, ଯୋଗେନ୍ଦ୍ରମାନଙ୍କର ଧ୍ୟାନଭଙ୍ଗ ହେଲା ଏବଂ ସୁରାଙ୍ଗନାମାନଙ୍କର ନୃତ୍ୟବିଭଙ୍ଗ ହେଲା । ବେଣୁନାଦ ଶ୍ରବଣୋଚ୍ଚାଟିତା ଗୋପାଙ୍ଗନାମାନେ କାମୋଚ୍ଛନ୍ନା ହୋଇ କର୍ପୂର ଚନ୍ଦନରେ ସର୍ବାଙ୍ଗଲେପନ କଲେ, କୁଟିଳନୀଳ ଚିକ୍‌କଣକେଶ ସଜ୍ଜିତ କଲେ, ଦଳିତାଞ୍ଜନରେ ନେତ୍ର କୁରଙ୍ଗ ସମୂହର ସୁରଙ୍ଗ ସାଧନ କଲେ । କେଉଁ ରତି-ରସମଗ୍ନା ଯୁବତୀ ନୀଳାମ୍ବର ପରିଧାନ କରି, ରୁଚିର ଘନପୟୋଧରରେ ନକ୍ଷେତ୍ର ପ୍ରାୟ ମାଳା ଭୂଷଣ କରି ଗୃହରୁ ବାହାରିଗଲା, କିଏ ବା କାମୋନ୍ମତ୍ତା ହୋଇ ନିର୍ଭୟରେ ଗୃହରୁ ଉଲ୍ଲଙ୍ଗ ପ୍ରସ୍ଥାନ କଲା । କେଉଁ ଉଚ୍ଛନ୍ନ ହୃଦୟା ଗୋପୀକା ଅସମ୍ଭାଳ ହୋଇ ବେଣୁକୁ ନିଷ୍ଠୁର କହି ଭର୍ତ୍ସନା କଲା । ମୂରଲୀ ଧ୍ୱନି ଶୁଣି ରାଧା ସେହି ପୂର୍ଣ୍ଣଚନ୍ଦ୍ର ଧବଳିତ ରାତ୍ରିରେ ଧୈର୍ଯ୍ୟ ହରାଇଲେ । ବେଣୁକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତା’ର ଦୟା ଭିକ୍ଷାକଲେ ଯେ, ନନ୍ଦନନ୍ଦନଙ୍କର ପଦ୍ମବଦନ ଅବଲୋକନ କରିବା ପର୍ଯ୍ୟନ୍ତ ତାଙ୍କୁ ସେ ଏପରି ଅସ୍ତବ୍ୟସ୍ତ ନ କରୁ । ରାଧାସମେତ ସମସ୍ତଗୋପାଙ୍ଗନା କୃଷ୍ଣ ପଦାରବିନ୍ଦ ଦର୍ଶନମାତ୍ରେ କାମରସରେ ନିମଜ୍ଜିତା ହେଲେ ଏବଂ ବହୁବିଧ ଲୀଳାରେ ମାତିଲେ । କେହି ପ୍ରିୟସଖୀକୁ ଭ୍ରମରେ ଚୁମ୍ବନ ଦେଉଛି, କିଏ ବାସାନ୍ତର କରି ପ୍ରିୟତମଙ୍କର ପ୍ରତୀକ୍ଷାରେ କୁଞ୍ଜଗୃହରେ ଶୋଇ ରହିଛି, କେହି କାମାଭିମାନରେ କୃଷ୍ଣଙ୍କ ଆଡ଼କୁ ନ ଚାହିଁ ତଳକୁ ମୁଖ କରିଅଛି, କେହି କାମ ସରାଗରେ କୁଞ୍ଜଗୃହରୁ ଧୂଳିମୁଠାଏ ଧରି ସଖୀ ଉପରକୁ ନିକ୍ଷେପ କରୁଛି । ଏହିପରି ଗୋପୀକାଗଣ ରାସୋତ୍ସୁକା ହୋଇ ଆତ୍ମନିୟନ୍ତ୍ରଣ ହରାଇଲେ । ସେମାନେ ଦଳଦଳ ହୋଇ ବନରୁ ସୁନ୍ଦର ସୁନ୍ଦର ପୁଷ୍ପମାନ ତୋଳି କୃଷ୍ଣଙ୍କୁ ଅର୍ପଣ କଲେ ଏବଂ ସାଧାରଣ ପୁଷ୍ପରେ ନିଜେ ନିଜେ ଭୂଷିତା ହେଲେ । କୃଷ୍ଣ ଓ ଗୋପୀମାନଙ୍କର ରାସକେଳିରେ ରାତ୍ରି ବିତିଗଲା । ଅତି ଆନନ୍ଦରେ ଗୋପରେ ଦୁଇମାସ ରହି, ନନ୍ଦ ଯଶୋଦା ଓ ଗୋପୀମାନଙ୍କୁ ସୁଖଦେଇ କୃଷ୍ଣ ଶେଷରେ ପୂର୍ବର ଯୁଦ୍ଧ ବେଶଭୂଷିତ ହୋଇ ମଥୁରାକୁ ଗଲେ ଏବଂ ପିତାମାତା ଓ ଭ୍ରାତାଙ୍କୁ ଗୋପର ସର୍ବଶୁଭ ଜ୍ଞାପନପୂର୍ବକ ଆନନ୍ଦିତ କଲେ ।

 

ବିଷୟବସ୍ତୁର ଶେଷରେ କବି ଜଗନ୍ନାଥଙ୍କର ବନ୍ଦନା ଶ୍ଳେଷଭାଷାରେ କୃଷ୍ଣ ଓ ରାମାବତାର ବର୍ଣ୍ଣନା ସହ ସୁଦକ୍ଷ ଭାବରେ ସମ୍ପାଦନ କରିଛନ୍ତି ଏବଂ ତାଙ୍କୁ ସମସ୍ତ ଅବତାରର ଅବତାରୀ ରୂପେ ସ୍ୱୀକାର କରିଛନ୍ତି । ପାଣ୍ଡିତ୍ୟପୂର୍ଣ୍ଣ ଭଙ୍ଗୀଭଙ୍ଗ ଶ୍ଳେଷଭାଷାରେ କବି ନିମ୍ନମତେ ରାମ ଓ କୃଷ୍ଣଙ୍କୁ ଏକାବେଳକେ ବନ୍ଦନା କରି କାବ୍ୟର ଉପସଂହାର ନିମ୍ନମତେ କରି ଅଛନ୍ତି:-

 

‘‘ନମସ୍ତେ ପ୍ରଭୁ ରଘୁନାୟକ            ଶ୍ରୀ ବୃନ୍ଦାବନ ରାସରସିକ

ସଉଭ ଦୈତ୍ୟ ଅନ୍ତକ ନିଶାଚର ନାଶନ ଯେ

ଅଖିଳ କୋଟି ବ୍ରହ୍ମାଣ୍ଡନାଥ            ସୁଗ୍ରୀବ ଲକ୍ଷଣରେ ସଂଯୁତ

ଗୋପାଳେ ଅତି ଆନନ୍ଦ ମନ ବନଗମନ ଯେ

ଗୁରୁ ଦୁଃଖ ନାଶନ କଳାପଧର ଯେ ।

 

ଶିବଧନୁ ଖଣ୍ଡନେ ଅତି ତତ୍ପର ଯେ

ଜନକମନ ଦୁଃଖଖଣ୍ଡିତ            ହରି ମଧ୍ୟରେ ଅଟେ ରାଜିତ

ଉତ୍ତମବଂଶୀ କରେ ଶୋଭିତ ଦୁରିତ ହର ଯେ ।

 

ଦକ୍ଷିଣ ଜଳଧି ତୀରତଟେ            ରୁଚିର କଳ୍ପବଟ ନିକଟେ

ନୀଳ ଅଚଳ କୂଟରେ ଦାରୁ ରୂପକୁ ବହି ଯେ

ମହାପତିତ ଜନମାନଙ୍କୁ            ଭବସାଗରୁ ଉଦ୍ଧରିବାକୁ

ଟେକିଣ ବେନି ଶ୍ରୀଭୁଜ ଯେହୁ ଅଛନ୍ତି ରହି ଯେ

ସେହୁ ଜଗନ୍ନାଥଙ୍କ            ପାଦପଦ୍ମପରେ ଯେ,

ମନ ନିବେଶି କୃପାସିନ୍ଧୁ ସଧୀରେ ଯେ

କହେ ୟେ କୃଷ୍ଣବିଳାସ ରସ            ଚବିଶ ଛାନ୍ଦେ ହେଲା ୟେ ଶେଷ

ଅତି ରୁଚିର ମଧୁରତର ପଦାବଳିରେ ଯେ ।’’

 

କାବ୍ୟର ଉପକ୍ରମ ଓ ଉପସଂହାରରୁ ଜଣାଯାଏ, କବି ଜଗନ୍ନାଥଙ୍କର ପରମ ଉପାସକ ଥିଲେ । ଗ୍ରନ୍ଥ-ରଚନା କାଳରେ କବି ପୁରୀରେ ବାସ କରୁଥିବା ଖୁବ୍ ସମ୍ଭବ । କବିଙ୍କର କୌଣସି ଲେଖାରୁ ଅଥବା ଅନ୍ୟାନ୍ୟ ସୂତ୍ରରୁ ତାଙ୍କର ବାସସ୍ଥାନ, ବଂଶଲତା ଏବଂ ଜୀବନକାଳ ବିଷୟରେ ତଥ୍ୟ ସଂଗୃହୀତ ନ ହେବା ପର୍ଯ୍ୟନ୍ତ ଯାହା କିଛି ସେ ସମ୍ପର୍କରେ କୁହାଯାଉଅଛି ତାହା ପ୍ରମାଦପୂର୍ଣ୍ଣ ହେବା ବିଚିତ୍ର ନୁହେ । କିନ୍ତୁ ସେ ଯେ ଉପେନ୍ଦ୍ରଙ୍କ ସମସାମୟିକ ବା ଅଳ୍ପ ବର୍ଷ କନିଷ୍ଠ ବୟସ୍କ କବି ଏବଂ ମଥୁରାମଙ୍ଗଳକାରଙ୍କଠାରୁ ଢେର ବୟୋଜ୍ୟେଷ୍ଠ, ଏହା ନିଃସନ୍ଦେହ ଅଟେ ।

 

କାବ୍ୟ ବିଚାର :-

ଭାଷା, ଅଳଙ୍କାର, ରସ, ରସପରିବେଷଣ, ରୀତି, ବର୍ଣ୍ଣନାଚାତୁରୀ

କୃଷ୍ଣବିଳାସ କାବ୍ୟ ଲୋକଲୋଚନ ଗୋଚର ହେଲେ ମଥୁରାମଙ୍ଗଳ ପରି ଜନପ୍ରିୟ ହେବ-। ଏହାର ଭାଷା ସ୍ୱଚ୍ଛନ୍ଦ, ମଧୁର, ସରଳ, କୋମଳ ଓ ନିରାଡ଼ମ୍ବର । ଏଥିରେ ତଦ୍ଭବ, ତତ୍ସମ ଓ ଦେଶଜ ଶବ୍ଦଗୁଡ଼ିକ ଅବଲୀଳାକ୍ରମେ ସମନ୍ୱିତ ହୋଇଥିବାରୁ ଅସ୍ୱାଭାବିକତା; ଗୁରୁଚଣ୍ଡାଳ ଦୋଷ, ଅସଙ୍ଗତି, ଉଚ୍ଚାରଣଗତ ବୈଷମ୍ୟ ବା ପଦସରଣୀର କ୍ଳିଷ୍ଟ ଗତି ଅନୁଭୂତ ହୁଏ ନାହିଁ । ତଦ୍ଭବ-ତତ୍ସମ ବହୁଳ ପଦଗୁଡ଼ିକର ସ୍ୱତନ୍ତ୍ର ଦୀପ୍ତି ଓ ସ୍ଫୁର୍ତ୍ତି ଅସ୍ୱାଭାବିକତାରୁ ପ୍ରାୟଶଃ ମୁକ୍ତ ଥିବାରୁ ଏବଂ ଅନୁରୂପ ଭାବଦ୍ୟୋତନା ତଥା ରସପୁଷ୍ଟିର ବିବର୍ଦ୍ଧକ ହେତୁ ପାଠକକୁ ଅନୁପ୍ରାଣିତ କରେ । ଭାଷାର ଆଟୋପ ପାଇଁ ଭାବକୁ ବଳି ଦେବାର ପ୍ରଚେଷ୍ଟା ହୋଇନାହିଁ । ବରଂ ଭାବର ଆମନ୍ତ୍ରଣ କ୍ରମେ ବିଭିନ୍ନ ସ୍ତରର ଶବ୍ଦ ମୂଲ୍ୟବାନ୍ ପଦାଳଙ୍କାରରେ ଖଚିତ ହୋଇଛନ୍ତି । ଫଳରେ ମୂଲ୍ୟବାନ୍ ସମ୍ଭ୍ରାନ୍ତ ବା ସାଧୁଶବ୍ଦ ଗୁଡ଼ିକର ମୂଲ୍ୟ ହ୍ରାସ-ପ୍ରାପ୍ତ ନ ହୋଇ ହେୟ, ଗ୍ରାମ୍ୟ ଶବ୍ଦଗୁଡ଼ିକ ନୂତନ ମୂଲ୍ୟ ପାଇ ପାରିଛନ୍ତି । କାବ୍ୟ-ଯୁଗରେ ସମସ୍ତ କ୍ଳିଷ୍ଟତା ମଧ୍ୟରେ ଆବର୍ଜନାରୁ ସଂଗୃହୀତ ଶବ୍ଦଗୁଡ଼ିଏ ପରିଷ୍କୃତ ପରିଚ୍ଛନ୍ନ ରୂପ ପାଇ ଏହିପରି ବ୍ୟବହୃତ ହେବା ବହୁ କାବ୍ୟରେ ଦୃଷ୍ଟିଗୋଚର ହେଲେ ହେଁ ଶବ୍ଦ-ସଂଯୋଜନା ପରିପାଟୀ ବା କବିତ୍ୱକଳାର ତାରତମ୍ୟ ନେଇ ରଚନାର ସଫଳତା ଘଟିଛି । କାବ୍ୟ-ଯୁଗରେ ଗଣଭାଷାର ମାନବୃଦ୍ଧି ଏକ ସ୍ୱତନ୍ତ୍ର ଅଧ୍ୟୟନ ବ୍ୟାପାର ହେଲେ ହେଁ କୃପାସିନ୍ଧୁ ସୁମନ୍ତଙ୍କର କବିତ୍ୱ ବିଚାରରେ ଏହାର ଅବତାରଣା ବାଞ୍ଛନୀୟ; ଯେହେତୁ ତାଙ୍କର କୃଷ୍ଣବିଳାସ କାବ୍ୟରେ ଗଣଭାଷାର କାବ୍ୟିକ ବ୍ୟବହାର ସୁସଂବଦ୍ଧ । ଗ୍ରାମ୍ୟ-ଶବ୍ଦ ଓ ସାଧୁଶବ୍ଦ ଗୁଡ଼ିକର ସମନ୍ୱିତ ରୂପ ଲାବଣ୍ୟ ପ୍ରତି ଦୃଷ୍ଟି ଦେଲେ ମନେହୁଏ ପ୍ରତି ଶବ୍ଦର ଗୁଣଗତ ସ୍ୱାତନ୍ତ୍ର୍ୟ ଲୋପପାଇ ସାମୂହିକ ଗୁଣ ବିକାଶରେ ଉତ୍ସର୍ଗୀକୃତ ହୋଇଅଛି । ସମସ୍ତ କାବ୍ୟରେ ବିଭିନ୍ନ ସ୍ତରର ଶବ୍ଦ ସମାହାରରେ ଯେଉଁ ପଦମାନ ରଚିତ ହୋଇଛି, ଅଳଙ୍କାରର ଯେପରି ସାବଲୀଳ ପ୍ରୟୋଗ ହୋଇଛି, ତାହା ସବୁ ଉଦ୍ଧାର କରିବା ଗୋଟିଏ ପ୍ରବନ୍ଧର ସୀମା ଭିତରେ ସମ୍ଭବ ନୁହେ ବା କୌଣସି ପ୍ରବନ୍ଧର ଧର୍ମ ନୁହେ । ପାଠକମାନେ ଏ ପ୍ରବନ୍ଧରେ ବିଭିନ୍ନ ଅବତାରଣାରେ ଉଦ୍ଧୃତ ହୋଇଥିବା ପଦମାନଙ୍କରୁ ଅନାୟାସରେ ଏ ସମ୍ପର୍କିତ କବିତ୍ୱ-ସିଦ୍ଧି ଅନୁଭବ କରି ପାରିବେ । ତଥାପି କେତୋଟି ଉଦାହରଣ ଦେଲେ ଅପ୍ରାସଙ୍ଗିକ ହେବ ନାହିଁ :-

 

(୧) ଅକ୍ରୂର କଂସ ଆଜ୍ଞାରେ ରାମକୃଷ୍ଣଙ୍କୁ ଗୋପରୁ ନେଇ ଯିବାକୁ ଆସିଲେ । ଯମୁନାର ବାଲି ଉପରେ ପାଦଚିହ୍ନ ଦେଖି ସମସ୍ତ ଲକ୍ଷଣରୁ ଏହା କୃଷ୍ଣଙ୍କର ପାଦଚିହ୍ନ ଭାବି ଭକ୍ତିଭାବ-ଗଦ୍‌ଗଦ ହୋଇ ତାହାରି ଉପରେ ଗଡ଼ିଲେ, ସେହି ବାଲିକୁ ମସ୍ତକରେ ଧାରଣ କଲେ ଏବଂ ତାହାକୁ ପ୍ରଣାମ କରିବା ଅନ୍ତେ କୃଷ୍ଣମହିମା ସ୍ମରଣରେ ବିହ୍ୱଳ ହୋଇ ଅଗ୍ରସର ହେଲେ । ଖଣ୍ଡେ ଦୂରରୁ ଦେଖିଲେ, ଗୋପାଳବାଳକଙ୍କ ଗହଣରେ ରାମକୃଷ୍ଣ ଗାଈ ଦୁହୁଁଛନ୍ତି । ପାଖକୁ ଆସି ଦେଖନ୍ତି, କ୍ଷୀର ବିନ୍ଦୁମାନ ଶ୍ରୀକୃଷ୍ଣଙ୍କର ଶରୀରରେ ଇତସ୍ତତଃ ଛିଟିକି ପଡ଼ୁଛି ଏବଂ ଫଳରେ ତାଙ୍କର ଶରୀରର ଶୋଭା ଅଧିକ ସୁନ୍ଦର ଦିଶୁଛି । ଅକ୍ରୁରଙ୍କୁ ଏ ଦୃଶ୍ୟ କିପରି ଦେଖା ଯାଉଥିବ ତାହା କୃପାସିନ୍ଧୁ ନିମ୍ନ ମତେ ଲେଖିଛନ୍ତି :-

 

‘‘ଶ୍ୟାମସୁନ୍ଦର ଅଙ୍ଗରେ            କ୍ଷୀର ବିନ୍ଦୁ ପଡ଼ିବାରେ

ଅତ୍ୟନ୍ତ ମହାଶୋଭାକୁ ଅଛି ସେ ପାଇ,

ନୀଳ ମେଘେ କି ଶୋଭନ            ଦିଶନ୍ତି ନକ୍ଷତ୍ରଗଣ

ମର୍କତ ମହୀରେ କିବା ମୁକୁତା ଶୋହି,

ତେସନ ଦିଶନ୍ତି ଗୋବିନ୍ଦ

ବେଢ଼ିଛନ୍ତି ପାରୁଶରେ ଗୋପାଳବୃନ୍ଦ ।’’

(୨ୟ ଛାନ୍ଦ, ୧୨ ପଦ)

 

ଏଠାରେ ରୂପକାଳଙ୍କାରର ସହଜ ପ୍ରୟୋଗ, ତଦ୍ଭବ ଓ ତତ୍ସମ ଶବ୍ଦଗୁଡ଼ିକର କାବ୍ୟିକ ପ୍ରୟୋଗ, ଭାବଗର୍ଭକତା ଏବଂ ସରଳ ତରଳ ପଦମଞ୍ଜୁଳତା ଲକ୍ଷଣୀୟ ।

 

(୨) ରାମକୃଷ୍ଣ ମଥୁରା ଯିବାକୁ ସଜହୋଇ ରଥ ଉପରେ ବସିଲେ । ନନ୍ଦ ଦୁଧ, ଦହି, ଛେନା ଆଦି ଧରି ଗୋପାଳମାନଙ୍କ ସହ ବାହାରିଲେ । ଗୋପାଳମାନଙ୍କର ବେଶଭୂଷା ଏବଂ କୃଷ୍ଣାନୁଗମନ ପଞ୍ଚମ ଛାନ୍ଦରେ ମାତ୍ର ଆଠଟି ପଦ (କଉଶିକ ରାଗ) ଅଧିକାର କରିଅଛି । ପଦଗୁଡ଼ିକ ଗ୍ରାମ୍ୟ-ଗଣଭାଷା ବହୁଳ ।

 

‘‘ୟେ ରୂପେ ଆଜ୍ଞା ଦେଇ ବ୍ରଜ ରାଜନ ବାହାର ହୋଇଲେ ସତ୍ୱରେ,

ପାଚଲା ଥୋଡ଼ ପେଟପରେ ପଡ଼ିଛି ଗମନ କରନ୍ତି ସଧୀରେ,

ଭାରମାନ ସେ, ଘେନାଇ ଗୋପପୁର ଜନ,

କୃଷ୍ଣ ସଙ୍ଗେ ମିଶି ଚଳନ୍ତି ରଙ୍ଗରେ ଆନନ୍ଦେ ସର୍ବ ସଖାଗଣ । ୨ ।

 

କେଉଁ ନେତକାଛ କାଛି ପିନ୍ଧିଅଛି ଆଗ ପଛେ ଲାଞ୍ଜି ଲମ୍ବିଛି

ବାଡ଼ି ବୁଲାଇ ସୁସ୍ୱରେ ଗୀତ ଗାଇ ଚିରାମାରି ଆଗେ ଧାଇଁଛି

କାହା କରରେ, କାଇଂସ କଙ୍କଣ ଶୋଭନ,

କାଇଞ୍ଚ ମାଳା ହୃଦରେ ପକାଇଣ ଧୀରେ ଧୀରେ କରେ ଗମନ । ୩ ।

 

କେହୁ ଗରଗଡ଼ କାଇଞ୍ଚଗୁଞ୍ଜରା-ମାଳ ସଜାଡ଼ି ଗୁନ୍ଥି କରି,

ଶିର ଉପରେ ଗୁଡ଼ିଆଇ ଶରୀର ଚିତ୍ର କରିଛି ଗେରୁ ଘୋରି

ପାଟେ ପିନ୍ଧିକେ, କଟୀ ଦେଶରେ ଘଣ୍ଟିବାନ୍ଧି,

ଗଳାରେ ନୀଳୋତ୍ପଳ ମାଳା ପକାଇ, ସିଂଘା ବେତ କରେ ଧରିଛି । ୫ ।

 

ଏଠାରେ ଗ୍ରାମ୍ୟ ଶବ୍ଦଗୁଡ଼ିକ (ରେଖାଙ୍କିତ)ରେ କୌଣସିଭାବେ ଉଚ୍ଚାରଣଗତ ଅସଙ୍ଗତି ଦେଖାଉ ନାହିଁ । ସ୍ୱାଭାବିକଭାବେ ସେଗୁଡ଼ିକ ସଂସ୍କୃତ ଶବ୍ଦସହ ମିଶି ଯାଇଛି । କାବ୍ୟ ଗୌରବ କ୍ଷୁଣ୍ଣ ନ କରି ବିଭିନ୍ନ ସ୍ତରର ଶବ୍ଦ ସମନ୍ୱୟରେ କାବ୍ୟ ଭାଷାର ବ୍ୟାପକତା ସୃଷ୍ଟି କରିଥିବା ହେତୁ କୃପାସିନ୍ଧୁ ଧନ୍ୟବାଦାର୍ହ । ଏହାଦ୍ୱାରା ଅପଣ୍ଡିତମାନେ ଅର୍ଥାତ୍ ସାଧାରଣ ଶିକ୍ଷା ଲାଭ କରିଥିବା ଲୋକମାନେ କାବ୍ୟପାଠ ଦିଗରେ ଆଗ୍ରହୀ ହେବେ ଏବଂ ନିରକ୍ଷରମାନେ ମଧ୍ୟ କାବ୍ୟ ରସ ଆସ୍ୱାଦନ କରିପାରିବେ । କବି ତାଙ୍କର ସାରଙ୍ଗ ଦୂତ ଚଉତିଶାରେ ନିଜର ଶାବ୍ଦିକ ବ୍ୟୁତ୍ପତ୍ତି ଯେପରି ପ୍ରଦର୍ଶନ କରିଛନ୍ତି ତାହାର ଛାୟା ମାତ୍ର କୃଷ୍ଣ-ବିଳାସ କାବ୍ୟରେ ପରିଲକ୍ଷିତ ହୁଏ ନାହିଁ । କେବଳ ମଙ୍ଗଳାଚରଣ ଛାନ୍ଦର ସିଂହାବଲୋକନଯୁକ୍ତ ଚତୁର୍ଦ୍ଦଶାକ୍ଷରୀ ପଦ ଏବଂ କାବ୍ୟୋପସଂହାରରେ ଅର୍ଥ ଶ୍ଳେଷଯୁକ୍ତ ପାହାଡ଼ିଆ କେଦାର ରାଗର ଗୋଟିଏ ପଦ ଦୃଷ୍ଟିକୁ ଆସେ । କାବ୍ୟୋପସଂହାରରେ ଶେଷ ପଦର ପୂର୍ବ ପଦଟି ହେଉଛି :-

 

ନମସ୍ତେ ପ୍ରଭୁ ରଘୁନାୟକ            ଶ୍ରୀ ବୃନ୍ଦାବନ ରାସ-ରସିକ

ସଉଭଦୈତ୍ୟ ଅନ୍ତକନିଶାଚର ନାଶନ ଯେ

ଅଖିଳ କୋଟି ବ୍ରହ୍ମାଣ୍ଡନାଥ            ସୁଗ୍ରୀବ ଲକ୍ଷଣରେ ସଞ୍ଜୁତ

ଗୋପାଳେ ଅତି ଆନନ୍ଦ ମନ ବନଗମନହେ,

ଗୁରୁଦୁଃଖ ନାଶନ କଳାପଧର ହେ,

ଶିବଧନୁ ଖଣ୍ଡନେ ଅତି ତତ୍ପର ହେ,

ଜନକ ମନ ଦୁଃଖ ଖଣ୍ଡିତ            ହରି ମଧ୍ୟରେ ଅଟେ ରାଜିତ

ଉତ୍ତମ ବଂଶୀ କରେ ଶୋଭିତ ଦୁରିତ ହର ହେ ।

 

ଅଳଙ୍କାର ପ୍ରୟୋଗ କ୍ଷେତ୍ରରେ କବିଙ୍କର ପାରଦର୍ଶିତା ବିଷ୍ଣୁ ଦାସ, ଲୋକନାଥ, ଧନଞ୍ଜୟ ଭଞ୍ଜ, ଦୀନକୃଷ୍ଣ ଦାସ ପ୍ରଭୃତିଙ୍କ ସହିତ ତୁଳନୀୟ । କୃଷ୍ଣବିଳାସର ଆଳଙ୍କାରିକ ପଦ ଗୁଡ଼ିକ ପଢ଼ିଲେ ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଓ ବୈଦେହୀଶ ବିଳାସର ପ୍ରଭାବ ଅନୁଭୂତ ହୁଏ । ଏହା ଆଗରୁ ଆଲୋଚିତ ହୋଇଅଛି । କବି ପ୍ରାକ୍‌କାଳୀନ ପ୍ରସିଦ୍ଧ ଓଡ଼ିଆ କାବ୍ୟଗୁଡ଼ିକୁ ପାଠ କରିଥିବାର ନିଦର୍ଶନ କୃଷ୍ଣବିଳାସରେ ମିଳୁଛି । କିନ୍ତୁ ସଂସ୍କୃତ ସାହିତ୍ୟ ଓ ଅଳଙ୍କାର ଶାସ୍ତ୍ରପାଠରେ ତାଙ୍କର ପ୍ରବେଶ କେତେ ଥିଲା ତାହା କହି ହେଉନାହିଁ । ଏତିକି କହିହେବ ଯେ, କେବଳ ଅଳଙ୍କାର ସୃଷ୍ଟି କ୍ଷମତା ପ୍ରଦର୍ଶନ ପାଇଁ ଉପେନ୍ଦ୍ରଭଞ୍ଜଙ୍କ ପରି ସେ ଅଳଙ୍କାର ପରିବେଷଣ କରିନାହାନ୍ତି । ଏ କ୍ଷେତ୍ରରେ ସେ ଦୀନକୃଷ୍ଣଙ୍କ ପରି ସ୍ୱାଭାବିକ ଭାବବିଳାସର ସ୍ରଷ୍ଟା ଥିବାରୁ ତାଙ୍କର କାବ୍ୟଟି ସାମଗ୍ରିକଭାବେ ଲଳିତ ଓ ମଧୁର ହୋଇଛି । କାବ୍ୟକୁ ରସୋତ୍ତୀର୍ଣ୍ଣ କରିବାକୁ, ରସର ସୌଷ୍ଠବକୁ ବୃଦ୍ଧି କରିବାକୁ ସହଜ ରୀତିରେ ଅଳଙ୍କାରର ସମାବେଶ ହୋଇଛି ।

 

କୃଷ୍ଣବିଳାସରେ ଶାନ୍ତ, ବାତ୍ସଲ୍ୟ, ଶୃଙ୍ଗାର (ବିପ୍ରଲମ୍ଭ ଓ ସମ୍ଭାଗ), ବୀର, ରୌଦ୍ର ଭୟାନକ, ହାସ୍ୟ ରସାଦିର ଆବଶ୍ୟକୋପଯୋଗୀ ପରିବେଷଣ ସୁନ୍ଦର ହୋଇଛି । ଶାନ୍ତରସର ପରିବେଷଣରେ କବିଙ୍କର ଭକ୍ତିପୂତ ହୃଦୟ ପରିପ୍ରକାଶ ଲାଭ କରିଛି । ଅକ୍ରୂରର କୃଷ୍ଣ ପାଦଚିହ୍ନ ଦର୍ଶନରେ, ଦଶାବତାର ସ୍ତୁତିରେ ଏବଂ ଉଦ୍ଧବ-ଗୋପୀ ଉକ୍ତି-ପ୍ରତ୍ୟୁକ୍ତି ପରିବେଷଣରେ । ଯଶୋଦାଙ୍କର ବାତ୍ସଲ୍ୟ କୃଷ୍ଣ ମଥୁରା ଯିବାକାଳରେ ଅତି ପ୍ରାଣସ୍ପର୍ଶୀ ଭାଷାରେ କାବ୍ୟରେ ସ୍ଥାନ ପାଇଛି । ଏଠାରେ ଗୋଟିଏ ଦୁଇଟି ପଦ ଦିଆଯାଉଅଛି ଯାହାର ପ୍ରଭାବ ମଥୁରାମଙ୍ଗଳରେ ଗୋଟିଏ ଛାନ୍ଦ ଅଧିକାର କରିଛି :-

 

‘‘ଶୁଣିଣ ଯଶବନ୍ତୀ            ହୋଇ ବିଳକ ଅତି

କହନ୍ତି କୃଷ୍ଣଙ୍କୁ ଅନାଇଁ

କାହାକୁ ଘେନି ବାବୁ            ଦିନ ବଞ୍ଚିବି ତୋତେ

ମଧୁପୁରକୁ ପଠିଆଇରେ

ଶ୍ୟାମଘନ,

ତୁ ଯେତେବେଳେ ଯାଉ ବନ ।

ତୋ ପଥେ ଥାଇ ମୋ ନୟନ,

ଆସିବାଯାଏ ମୋର            ନ ଥାଏ ଦେହେ ଜ୍ଞାନ

ଦେଖିଲେ କରଇ ଭୋଜନରେ । ୩ ।

ବନୁ ଆସିବା ତୋର            ଦଣ୍ଡେ ହେଲେ ଉଛୁର

ପ୍ରାଣ ମୋ ଯାଉ ଥାଇ ଛାଡ଼ି

ଗୋପସୁତମାନଙ୍କୁ            ଜଣେ ଜଣେକେ ଡାକି

ପଚାରୁ ଥାଇ ଘଡ଼ିଘଡ଼ିରେ,

ଶ୍ୟାମଘନ,

କ୍ଷତହରିଣୀ ପ୍ରାଏ ହୋଇ ।

ଅତି ଆକୁଳ ହୋଉଥାଇ

ଲୋଉଟି ଧେନୁ ଘେନି            ଆସିବା ଯାଏ ମୋର

ଦେହରେ ଚେତନା ନ ଥାଇରେ । ୪ ।”

(୩ୟ ଛାନ୍ଦ)

 

ଏଠାରେ ଭାଷା ତଦ୍ଭବତତ୍ସମବହୁଳ ଅଥଚ, ମାତୃମୁଖ-ସୁଲଭ ପ୍ରକାଶ ଭଙ୍ଗୀରେ କୋମଳ ଅଟେ । କାହାକୁ ଘେନିବାବୁ ଦିନ ବଞ୍ଚିବି, ତୁ ଯେତେବେଳେ ଯାଉବନ, ବନୁ...ଛାଡ଼ି, କ୍ଷତ ହରିଣୀ....ଚେତନା ନ ଥାଇ, ପଦାଂଶ ଗୁଡ଼ିକରେ ଗ୍ରାମ୍ୟ ଓ ତଦ୍ଭବ ଶବ୍ଦ ସମାହାର କାଚକାଞ୍ଚନ ସଂଯୋଗ ପରି ଦ୍ୟୁତିମନ୍ତ, ଭାଷା ନିର୍ଝରିଣୀର କଳକଲ୍ଲୋଳ ଏକାଧାରରେ ଆବେଗପୂର୍ଣ୍ଣ ଓ ମଧୁର-। ମାତୃହୃଦୟର ପୁତ୍ର-ବିଚ୍ଛେଦକାଳୀନ ଉଦ୍‌ବେଳନ ଭାଷାଭେଦ ପ୍ରାଚୀରକୁ ଭାବରସରେ ପରିପୃକ୍ତ କରି ବାତ୍ସଲ୍ୟର ପୂର୍ଣ୍ଣସ୍ୱରୂପକୁ ସ୍ୱଚ୍ଛ ପ୍ରକାଶିତ କରିବାରେ ସଫଳ ହୋଇଛି । ଏଠାରେ କୃଷ୍ଣ ଭଗବାନ ନୁହଁନ୍ତି, ଆଲୋକୀ ପ୍ରତିଭାର ଅଧିକାରୀ ନୁହଁନ୍ତି, ଅସାମାନ୍ୟ ସାମର୍ଥ୍ୟ ଓ ବିଚକ୍ଷଣତାର ପରମ ପୁରୁଷ ନୁହନ୍ତି, ଯଦିଓ ଯଶୋଦାଙ୍କ ଜ୍ଞାତସାରରେ ତାଙ୍କର ଏତାଦୃଶ ବ୍ୟକ୍ତିତ୍ୱ ବହୁଧା ପ୍ରକଟିତ; ପ୍ରଦର୍ଶିତ ହୋଇସାରିଛି । ମାଆର ଆକ୍ଷିରେ ଜଗଜ୍ଜୟୀ ପୁତ୍ର କେଡ଼େ ଦୁର୍ବଳ, କେଡ଼େ ନିର୍ମାକ୍ଷୀ, କେଡ଼େ ମର୍ମଦାହୀ ଦୟନୀୟ ପରିସ୍ଥିତିର ଆସନ୍ନ ଶିକାର ! ମାଆର ବାହୁନା କଦାପି ପୁତ୍ରର ସାମର୍ଥ୍ୟ ବିଚାରକୁ ଗ୍ରହଣ କରି ପାରିନାହିଁ । ପୁତ୍ରର ବନରୁ ଫେରିବାରେ ଦଣ୍ଡେ ଉଛୁର ହେଲେ ଯେଉଁମାଆର ପ୍ରାଣ ଛାଡ଼ିଯାଉଥାଏ, ଯେଉଁ ମାତା କ୍ଷତହରିଣୀ ପରି ବ୍ୟଥିତ ହୋଇ ‘ଗୋପସୁତମାନଙ୍କୁ ଜଣେ ଜଣେକେ ଡାକି ଘଡ଼ି ଘଡ଼ି’ ପଚାରୁଥାଏ, ଏବଂ ପୁତ୍ର ‘ଧେନୁଘେନି ଲେଉଟି ଆସିବାଯାଏ’ ଯାହାର ଦେହରେ ଚେତନା ନ ଥାଏ । ସେ କିପରି ମହାବଳ ରାକ୍ଷସ ସମାକୁଳା ମଥୁରା ନଗରୀକୁ କୁମରମଣିକୁ ମୂର୍ଚ୍ଛି ଦେଇ ନିଶ୍ଚିନ୍ତ ରହିବ ?

 

ଶାନ୍ତରସର ହୃଦ୍ୟ ପରିପ୍ରକାଶ ଘଟିଛି ଅକ୍ରୂରଙ୍କର ଦଶାବତାର ସ୍ତୁତିରେ । କୃଷ୍ଣବଳରାମଙ୍କୁ କୂଳରେ ରଥୋପବିଷ୍ଟ କରି ଅକ୍ରୂର ଯମୁନା ଭିତରେ ସ୍ନାନ କଲେ । ଜଳ ଭିତରେ ବୁଡ଼ି ‘‘କୃଷ୍ଣ ସ୍ୱରୂପ, ଚାହିଁଗଲା ଯାହା ରଥରେ, ସେହି ପରକାରେ ଗାନ୍ଧିନୀ ନନ୍ଦନ ଦେଖିଲାକ ଜଳ ଭିତରେ’’ । ସେତେବେଳେ ସେ ଚିତ୍ତରେ ଚକିତ ହୋଇ ଚିନ୍ତାକଲେ, ‘‘ଜଳ ଭିତରେ ବୁଡ଼ି କରି, ଲେଉଟି ଶ୍ରୀକୃଷ୍ଣ ଗୋପକୁ ଗଲେ ବା କଂସନୃପକୁ ଭୟେ କରି/ମହାପ୍ରମାଦ, ୟେତେକାଳେ ମୋତେ ପଡ଼ିଲା/ୟେବେ ୟେଥୁ ଯାଇ କି ବୋଲି କହିବି ନିଶ୍ଚେ ମୋର ନାଶ ହୋଇଲା ।’’ ଭୟ ବ୍ୟାକୁଳ ଚିତ୍ତର ବିକ୍ଷେପରେ ପୁଣି ଅକ୍ରୂର ହତାଶାପୀଡ଼ିତ, ବୁଦ୍ଧିବୈକଲ୍ୟ-କ୍ଳିଷ୍ଟ । ତେଣୁ, ‘‘କି ବୁଦ୍ଧି କରିବି କାହିଁକି ଛାଡ଼ି ମୁଁ ୟେଥି ସ୍ନାହାନ କଲି ଆସି/ସବୁ ଦିଗ ମୋତେ ଅନ୍ଧାର ଦିଶୁଛି ଉଦ୍ଧର ୟେଥ ବ୍ରହ୍ମରାଶି’’ କହି ଜଳରୁ ଉପରକୁ ଉଠିଲେ ଏବଂ ‘କୂଳେ ଶାମଘନ ରୂପ ରଥେ ଦେଖି’ ଭୀତତ୍ରସ୍ତ ହୃଦୟରେ ଭାବିଲେ, ‘ୟେହୁ ତ ଅତିହିଁ ବିଚିତ୍ର/ଜଳେ ଯା ଦେଖିଲି କୂଳେ ତ ସେ ଅଛି ହେଲି ନାହିଁ ନା ମୋହଚିତ୍ତ’ । ପୁଣି ସଂଶୟାବେଗ ତାଡ଼ନାରେ ବେଣୁଧାରୀଙ୍କୁ ହୃଦୟରେ ଚିନ୍ତା କରି ଜଳ ଭିତରେ ବୁଡ଼ିଲେ ଏବଂ ମାଣିକ୍ୟସ୍ତମ୍ଭ, ମର୍କତ ଶ୍ରେଣୀ, ବୈଡ଼ୂର୍ଯ୍ୟଗୁଞ୍ଜା, * ନୀଳାର ବତା, ସୁନାର ସୂତା, ବ୍ରହ୍ମଜାତିହୀରାର କାନ୍ଥି (ଯାହାକି ପୁଷ୍ପରାଗ ବିମଣ୍ଡିତ ପୀତବର୍ଣ୍ଣ), ମୋତି-ଝୁମ୍ପାର ଆଲମ୍ବ, ସ୍ଫୁଟିକପାବଚ୍ଛ ଏବଂ ମଧ୍ୟଦେଶରେ ରତ୍ନସିଂହାସନ ଦେଖିଲେ । ଦିବ୍ୟଗନ୍ଧ ବହନ କରି ମନ୍ଦମଳୟ ପ୍ରବାହିତ ହେଉଛି । ଏପରି ପରିବେଶରେ, ‘‘ତହିଁ ବିଜେ କରିଛନ୍ତି ବଳଭଦ୍ର ସହସ୍ରେ ଫଣା ଶିରେ ଧରି/ଧବଳ ତନୁ ନିନ୍ଦଇ ଶିବଗିରି ଶୋଭାକୁ ନୋହେ କାମସରି/ଅତିସୁରଙ୍ଗ, ଅଧରେ ମନ୍ଦ ମନ୍ଦ ହାସେ/କର୍ଣ୍ଣେ କୁଣ୍ଡଳ କଣ୍ଠରେ ମୋତିମାଳକଟୀତଟରେ ନୀଳବାସେ/କୋଳେ ଭାବଗ୍ରାହୀ ଚତୁର୍ଭୁଜ ହୋଇ ବିଜେ କରିଛନ୍ତି ସୁଖରେ/ଶଙ୍ଖଚକ୍ର ଗଦା ପଦ୍ମ କରେ ଧରି ଅତିମନୋହର ବେଶରେ/ଶିର ଉପରେ, ବିରାଜେ ସେବତୀର ଚୂଳ/ରତ୍ନମୁକୁଟ ଲଲାଟରେ ଶୋଭନ ଶ୍ରବଣେ ମକର କୁଣ୍ଡଳ/ଆଜାନୁ ଲମ୍ବିତ ଭୁଜ ଯୁଗେ ଶୋହେ ରତ୍ନରେ ନିର୍ମିତ କଙ୍କଣ/ବାହେ ବାହୁଟି କଟୀରେ ପୀତ-ଧଟୀ ହୃଦରେ ଶ୍ରୀବତ୍ସର ଚିହ୍ନ/କମ୍ବୁ କଣ୍ଠରେ, ଲମ୍ବିଛି ଚାରୁବନମାଳ/କନ୍ଧେ ଯଜ୍ଞସୂତ୍ର ବକ୍ଷସ୍ଥଳେ ଦିବ୍ୟ କଉସ୍ତୁଭମଣି ଉଜ୍ଜ୍ୱଳ/ମଧ୍ୟରେ ମେଖଳା ରତ୍ନ ଉଡ଼ିଆଣୀ ପୟରେ ରଣିତ ନେପୂର/ଅମୂଲ୍ୟ ଅଧରେ ମନ୍ଦମନ୍ଦ ହାସ ରୂପେ ମୋହିତ ଫୁଲଶର/ଅତି ଆନନ୍ଦେ ବିଜୟେ ପ୍ରଭୁ ଭଗବାନ ।’’ ରସର ଆଲମ୍ବନ କୃଷ୍ଣଭଗବାନଙ୍କୁ ବ୍ରହ୍ମା, ଇନ୍ଦ୍ର, ରୁଦ୍ର ସ୍ତୁତି କରୁଛନ୍ତି, ତାଙ୍କ ଆଗରେ କିନ୍ନରୀମାନେ ବୀଣାମର୍ଦ୍ଦଳାଦି ଯନ୍ତ୍ରବାଦ୍ୟ ସମାହାରରେ ସୁସ୍ୱରଗାନ କରୁଛନ୍ତି, ସନକାଦି ବ୍ରହ୍ମର୍ଷିମାନେ ପଢ଼ିହାରୀ ଅଛନ୍ତି, କମଳାଦି ଅଷ୍ଟମହାଦେବୀ ପାଦରେ ଖଟିଛନ୍ତି, ଗରୁଡ଼ ପ୍ରହରା ଦେଉଛନ୍ତି । ଭାବସଞ୍ଚାରୀ ପରିବେଶ ଅକ୍ରୂରଙ୍କୁ ତନ୍ମୟ କରିଛି । ତାଙ୍କର ନୟନଯୁଗଳରୁ ଆନନ୍ଦାଶ୍ରୁ ପ୍ରବାହିତ, ଶରୀର ଲୋମ ପୁଲକିତ, ଭାବଗଦ୍‌ଗଦକଣ୍ଠ ବଚନ କୁଣ୍ଠିତ, ହୃଦୟ ଭୟଚକିତ କମ୍ପମାନ, ଏବଂ ସ୍ୱତଃ, ‘ଶିର ଉପରେ, କରଯୁଗଳ ଯୋଡ଼ିକରି/ପ୍ରଣାମ କରଇ ଉଠି ପୁଣି ପୁଣି ସୁମରି ଗୋବିନ୍ଦ ମୁରାରି ।’ ଅକ୍ରୁରଙ୍କର ସ୍ତବ ଏତେ ପ୍ରାଣସ୍ପର୍ଶୀ ଯେ ତାହା ସମ୍ପୂର୍ଣ୍ଣ ଉଦ୍ଧାର କରି ଗ୍ରାହକ ପାଠକମାନଙ୍କ ଆଗରେ ପରିବେଷଣ କରିବାର ଉତ୍ସାହକୁ ଅବହେଳା କରି ହେଉ ନାହିଁ :-

 

* କାବ୍ୟରେ ‘ଗୁଞ୍ଜନ’, ଗ୍ରାମ୍ୟଭାଷାରେ ‘ଗୁଞ୍ଜା’ ଅର୍ଥାତ୍‌ ‘ରୁଅ’ ଯାହା ଚାଳ ତିଆରିରେ ବ୍ୟବହୃତ ।

 

‘ନମସ୍ତେ ନମସ୍ତେ ଅନାଦି ପୁରୁଷ ମାୟାର ହେତୁ ନାରାୟଣ,

ଜୟ ନିରାକାର ଜ୍ୟୋତିରାନନ୍ଦ ହେ ଯୋଗୀ ଜନହୃଦରଞ୍ଜନ

ଭୟ ଭଞ୍ଜନ, ଅଞ୍ଜନ ଗଞ୍ଜନ ବରନ,

ନମସ୍ତେ ନୀଳାଦ୍ରିନାଥ ଜଗନ୍ନାଥଦ୍ୱାରାବତୀପୁର ମଣ୍ଡନ । ୨୫ ।

 

ନମସ୍ତେ ରବିବଂଶ ଅବତଂସ ହେ ଦଶଶିର ଛେଦନକାରୀ

ମୀନରୂପେ ଶଙ୍ଖାସୁର ଦୈତ୍ୟ ନାଶି ବେଦକୁ ଆଣିଲ ଉଦ୍ଧରି

ମହା କଠିଣ, କମଠ ରୂପ ଧରି କରି,

ପୃଷ୍ଠ ଦେଶରେ ଧରଣୀକି ବହିଛ ସାଗରେ ପାଶିଣ ବିହରି । ୨୬ ।

 

ବରାହ ରୂପେ ନାଶି ହିରଣାକ୍ଷକୁ ଦନ୍ତେ ଅବନୀ ଉଦ୍ଧାରିଲ

ନରସିଂହ ରୂପେ ପ୍ରଖର ନଖରେ ଦିତୀଜ ହୃଦ ବିଦାରିଲ

ଦାମ ମାଗିଲ, ବଳୀକି ବାମନ ରୂପରେ,

ପର୍ଶୁରାମ ରୂପେ କ୍ଷତ୍ରୀ ଅନ୍ତକଲ ପ୍ରଚଣ୍ଡ ପରଶୁ ଘାତରେ । ୨୭ ।

 

କାମପାଳ ରୂପେ ତପନ ସୁତାକୁ ହଳ ଘେନିଣ ଆକର୍ଷିଲ

ବଉଦ୍ଧ ରୂପ ଧରିଣ ତୁମ୍ଭେ ବେଦ ଯାଗାଦି କର୍ମ ନିନ୍ଦାକଲ

କଳ୍‌କୀ ରୂପରେ, ମେଳଚ୍ଛଗଣ ପ୍ରାଣହାରୀ,

ନମୋ ନମୋ ଦଶଅବତାରକାରୀ ବୃନ୍ଦାବନରାସ ବେହାରୀ । ୨୮ ।’’

(୫ମ ଛାନ୍ଦ)

 

 

ମାତ୍ର ଚାରୋଟି ପଦରେ କୋମଳ କଉଶିକ ରାଗରେ କି ସୁନ୍ଦର ଦଶାବତାର ସ୍ତୁତି ! ସମସ୍ତ ଓଡ଼ିଆ-ସାହିତ୍ୟରେ ଏପରି ସଂକ୍ଷିପ୍ତ ଭାବଗର୍ଭକ, ସୁଲଳିତ ପଦସମ୍ବଳିତ ଦଶାବତାର ସ୍ତୁତି ନିଶ୍ଚୟ ଅନ୍ୱେଷଣ-ସାପେକ୍ଷ । କେବଳ ଏହି ସ୍ତୁତିଟି ପାଠ କରି ଭକ୍ତ ପାଠକର ହୃଦୟ ତନ୍ମୟ ହୋଇଯିବ । ତେବେ ଏହାକୁ ସମସ୍ତ ପୃଷ୍ଠଭୂମି ସହିତ ପାଠ କଲେ ସେ ରସାସ୍ୱାଦନ କିପରି କରିବ ତାହା କେବଳ ଅନୁଭବ ବ୍ୟତୀତ ବତାଇବା କ’ଣ ସମ୍ଭବ ? କବିବର ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟରେ ବହୁଧା ଦଶାବତାର ସ୍ତୋତ୍ରପଠନ ଭିତରେ ଭାଷାଳଙ୍କାର ବୈଚିତ୍ର୍ୟରେ ଆଖି ଲାଖି ରହେ ସତ୍ୟ; କିନ୍ତୁ ଭାବତନ୍ମୟତା ଅନୁଭୂତ ହେଲାପରି ଏ ଲେଖକ ମନକୁ ଆସି ନାହିଁ । କେବଳ ଜୟଦେବକୃତ ଦଶାବତାର ସ୍ତୁତି ଏ ସ୍ଥଳେ ସ୍ମୃତି ସଞ୍ଚାରିତ ହୁଏ ।

 

ଶୃଙ୍ଗାର ହେଉଛି କାବ୍ୟର ଅଙ୍ଗୀରସ । ସମ୍ଭୋଗ ଶୃଙ୍ଗାରରେ କାବ୍ୟର ଉପସଂହାର ହୋଇଥିଲେ ବିପ୍ରଲମ୍ଭ ଶୃଙ୍ଗାର ମୁଖ୍ୟ । ଅନ୍ୟ ରସମାନେ ଅଙ୍ଗ ରସ । ଅଙ୍ଗ ରସଗୁଡ଼ିକ କାବ୍ୟର ଯଥାସ୍ଥାନମାନଙ୍କରେ କିପରି ଅଙ୍ଗୀରସର ମହତ୍ତ୍ୱକୁ ସମୃଦ୍ଧ କରିଛନ୍ତି । କବି ସେହି ରସ-ସଂସ୍ଥାପନ କିପରି ଦକ୍ଷତାର ସହ ଭାଷା, ଅଳଙ୍କାର, ଆଲମ୍ବନ, ଉଦ୍ଦୀପନ, ସଞ୍ଚାରାଦି ବିଭାବ ସହିତ ପ୍ରତି ପଦେ ପଦେ ଭାବସରଣୀକୁ ଅବ୍ୟାହତ-ଅକ୍ଷୁଣ୍ଣ ରଖି କରିଛନ୍ତି ତା’ର ମାତ୍ର ଦୁଇଟି ନିଦର୍ଶନ ବିଶ୍ଳେଷିତ କରାଗଲା । ଅଙ୍ଗରସମାନଙ୍କର ସଫଳ ସହାଚର୍ଯ୍ୟ ଅଙ୍ଗୀରସକୁ କେନ୍ଦ୍ର କରି କାବ୍ୟ ଗୌରବ ବୃଦ୍ଧି କରିଥାନ୍ତି । ତେଣୁ ଅଙ୍ଗୀରସକୁ କବି କିପରି ପଟୁତାର ସହ ପରିବେଷଣ କରିଛନ୍ତି ତାହା ବିଶ୍ଳେଷଣ କରିବା ନିଷ୍‌ପ୍ରୟୋଜନ ମନେକରି ପରିହାର କଲି । ପିନଶ୍ଚ, ଅଙ୍ଗୀରସ ହେଉଛି କାବ୍ୟର ଉପଜୀବ୍ୟ, ଅନ୍ୟ ସମସ୍ତ ଉପଜୀବୀ । ଉପଜୀବ୍ୟର ବିଶ୍ଳେଷଣ ଏକ ସମ୍ପୂର୍ଣ୍ଣ ପ୍ରବନ୍ଧ-ସାପେକ୍ଷ । ସଂଶିତ ପୋଥି ପ୍ରକାଶନ ଓ ବିଜ୍ଞ ସାହିତ୍ୟିକମାନଙ୍କର ଦୃଷ୍ଟି ଆକର୍ଷଣର ସୌଭାଗ୍ୟ ଯେବେ/ଯଦି ଲାଭ କରେ, ଉକ୍ତ ବିଶ୍ଳେଷଣ ଅଧିକ ଦକ୍ଷତା ଓ କ୍ଷମତାର ସହ ସେମାନଙ୍କ କର୍ତ୍ତୃକ ହୋଇପାରିବ । ଲେଖକର ଅନୁଭବ ଏହି ଯେ, କୌଣସି ରସ ପରିବେଷଣର ବାହୁଲ୍ୟ ବା ବର୍ଣ୍ଣନାର ଦୀର୍ଘତା ପାଠକକୁ ଅସ୍ତବ୍ୟସ୍ତ କରିବାର ଅବକାଶ ନାହିଁ । କୋମଳବର୍ଣ୍ଣ ଗଠିତ ପଦ ସଂଯୋଜନା, ସମାସ ନିଷ୍‌ପନ୍ନପଦ ପରିହାର, ଶୃଙ୍ଗାର, ବାତ୍ସଲ୍ୟ ଓ ଶାନ୍ତରସର ପ୍ରଭାବ କାବ୍ୟର ବହିଃରୂପକୁ ବୈଦର୍ଭୀ ରୀତିରେ ସମ୍ପନ୍ନ କରିଛି ଏବଂ ଅନ୍ତଃରୂପକୁ ରସୋଜ୍ଜ୍ୱଳ କରିଛି ।

 

ମନେହୁଏ, କାବ୍ୟଟିକୁ ମିଳନାନ୍ତକ କରିବାକୁ କୃପାସିନ୍ଧୁ କୃଷ୍ଣଙ୍କୁ ମଥୁରାରୁ ଗୋପକୁ ପ୍ରତ୍ୟାବର୍ତ୍ତନ କରାଇ ପୁନଶ୍ଚ ଗୋପଲୀଳା କରାଇଛନ୍ତି । କଂସବଧ ପରେ ଜରାସନ୍ଧ ମଥୁରାକୁ ବାରମ୍ବାର ଆକ୍ରମଣ କରିଛି ଏବଂ ଏ ସମ୍ବନ୍ଧରେ ଜରାସନ୍ଧର ‘ଅଠର ଧାଡ଼ି’ ତଥା ଗୁପ୍ତଭାବରେ କୃଷ୍ଣାଦିଷ୍ଟ ବିଶ୍ୱକର୍ମାଙ୍କଦ୍ୱାରାଦ୍ୱାରାବତୀପୁର ନିର୍ମାଣ ଅନ୍ତେ କୃଷ୍ଣଙ୍କର ଅଷ୍ଟ ପାଟବଂଶୀଙ୍କ ସହିତ ସେଠାରେ ରାଜପଣ-ଭାଗବତ ଓ ହରିବଂଶରେ ବର୍ଣ୍ଣିତ । ଏହି ଦୁଇ ମୁଖ୍ୟ ପୁରାଣ ଅନୁସାରେ କୃଷ୍ଣ ମଥୁରାରୁ ଗୋପକୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି । କିନ୍ତୁ କୃପାସିନ୍ଧୁଙ୍କ ମତରେ କଂସ ବଧ ପରେ ସଉଭନାମା ରାକ୍ଷସରାଜ ଜରାସନ୍ଧର ନିର୍ଦ୍ଦେଶରେ ମଥୁରା କଟକ ଆକ୍ରମଣ କରି ବହୁ ପ୍ରକାର ମାୟା ଯୁଦ୍ଧ କରି ଯାଦବ ବଳ ବିନଷ୍ଟ କରନ୍ତେ କୃଷ୍ଣ ତା ସହିତ ଯୁଦ୍ଧ କଲେ ଏବଂ ତାକୁ ତଡ଼ି ତଡ଼ି ଯମୁନା କୂଳକୁ ନେଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା ଏବଂ ଶେଷରେ କୃଷ୍ଣଙ୍କ ଚକ୍ରଘାତରେ ସଉଭର ପ୍ରାଣଗଲା । ସଉଭ ବିନାଶାନ୍ତେ ଗୋପାଳ ବେଶରେ ହସ୍ତରେ ବଂଶୀଧାରଣ ପୂର୍ବକ କୃଷ୍ଣ ଗୋପରେ ପ୍ରବେଶ କଲେ । ସଉଭ ଉପାଖ୍ୟାନ, ‘ସଉଭ’ ଶୀର୍ଷକ ନାମ ପର୍ଯ୍ୟନ୍ତ କୌଣସିମତେ ଉକ୍ତ ପ୍ରମୁଖ ପୁରାଣଦ୍ୱୟରେ ନାହିଁ ।

 

ଋତୁ ବର୍ଣ୍ଣନା, ସନ୍ଧ୍ୟା, ରାତ୍ରି, ପ୍ରଭାତ ବର୍ଣ୍ଣନା, ପ୍ରକୃତି ଚିତ୍ରଣ, ନୀତିଶିକ୍ଷା, ଯୁଦ୍ଧବର୍ଣ୍ଣନାଦି ରୀତି କାବ୍ୟଗୁଡ଼ିକର ମୌଳିକ ଧର୍ମ । କୃଷ୍ଣବିଳାସର ଦ୍ୱାଦଶ ଛାନ୍ଦ ପ୍ରାରମ୍ଭରେ ମାତ୍ର ସାତ ପଦରେ କନଡ଼ା ରାଗରେ ବର୍ଷାଋତୁ ଚିତ୍ର ଦେଇ କବି କୃଷ୍ଣଙ୍କ ହୃଦୟରେ ଗୋପୀ-ବିରହ ବ୍ୟଥା ଜାଗ୍ରତ କରାଇଛନ୍ତି । ପ୍ରସଙ୍ଗ ପ୍ରଯୁଜ୍ୟ କରିବା ପାଇଁ କବି ବର୍ଷାକାଳକୁ ବିରହୋଦ୍ଦୀପକ କରିଛନ୍ତି । ଆମ୍ଭେମାନେ କାମୋଦୀ ରାଗରେ ଲିଖିତ ଭଞ୍ଜଙ୍କ ଲାବଣ୍ୟବତୀ ଦ୍ୱାବିଂଶ ଛାନ୍ଦରେ ଯେଉଁ ବର୍ଷା ବର୍ଣ୍ଣନା ପଢ଼ିଅଛୁ ତାହାର ଚିତ୍ରାଳଙ୍କାର ଧ୍ୱନି ରସାଭାସକୁ ବ୍ୟାହତ କରିଅଛି । କିନ୍ତୁ କୃପାସିନ୍ଧୁଙ୍କର ବର୍ଷା ବର୍ଣ୍ଣନା କିପରି ରସଧ୍ୱନିର ଚେତନାରେ ପାଠକକୁ ଅନୁପ୍ରାଣିତ କରିବାକୁ ପରିବେଷିତ ତାହା ଦେଖନ୍ତୁ :-

 

‘‘ରବି ଶଶୀଙ୍କର ପ୍ରକାଶ ହୋଇବା ଶୋଭା କିଛି ଜଣା ନ ଗଲା

ରଙ୍ଗ କଦଳୀ ସୁରଙ୍ଗ ଦିଶିଲା

ଭେକ ଡାହୁକ ଶାମୁକ ଧ୍ୱନି ଶୁଣି ବନପ୍ରିୟ ମୂକ ହେଲା ହେ ସୁଜନେ,

ହଂସ ତେଜିଣ ଅବନୀମଣ୍ଡଳ ମାନସରେ ସେ କଲେ ଅନୁକୂଳ

ଗିରିସନ୍ତାପ ତେଜିଣ ମହାସୁଖୀ ହୋଇଲେ ଚାତକକୁଳ ହେ, ସୁଜନେ ।

 

ଇନ୍ଦ୍ର ଗୋପକିନୀଚୟରେ ଧରଣୀ-ତଳ ମଣ୍ଡିତ ହୋଇଅଛି

ଦେଖି ମୋ ମନେ ୟେମନ୍ତ ମଣୁଛି

ବିରହୀକି କାମ ନାଶିବାରେ ରକ୍ତ-ବିନ୍ଦୁମାନ ନ ପଡ଼ିଛି କି, ସୁଜନେ

ଏହି ଋତୁ ପ୍ରବେଶରେ ବିରହୀ ପ୍ରାଣ ଆଶା ଛାଡ଼ିଲେ ଘନ ଚାହିଁ,

କୋଉ ବିଦେଶୀ ନିଜ ପୁରେ ଗମିଲେ ପ୍ରିୟା ମୁଖ ଧ୍ୟାୟି ଧ୍ୟାୟି ହେ, ସୁଜନେ ।

 

କବିଙ୍କ ବର୍ଣ୍ଣନାନୁସାରେ ଏହି ଋତୁରେ କାମଦେବର ରାଜତ୍ୱ କିପରି ?

ପୟୋଧର-ମହାମତ୍ତ କରିବର ଆରୋହଣ କରି ସତ୍ୱରେ

ବିଜେ କଲା ଅତିଶୟ ସମ୍ଭରେ *

ବିରହୀ ଜନେ ପୁରିହୁରି ପଡ଼ିଲା ରାତ୍ର ଦିବା ନିରନ୍ତରେ ହେ, ସୁଜନେ,

ପ୍ରିୟା ସଙ୍ଗତେ ଛନ୍ତି ଯେତେ ପ୍ରିୟ ତାଙ୍କ ସୁଖମାନ ହେଲା ଉଦୟ

ମାନିନୀମାନେ ମାନ ତେଜି କାନ୍ତରେ ହେଲେ ସଦୟ ହୃଦୟେ ହେ, ସୁଜନେ ।

 

* ସମ୍ଭରେ=ସମ୍ଭ୍ରମରେ

 

ଏହି ପରିପାଟୀରେ ୨୩ଶ ଛାନ୍ଦରେ ରାସକ୍ରୀଡ଼ାନୁକୂଳ ବସନ୍ତ ବର୍ଣ୍ଣନା କରାଯାଇଅଛି । ସନ୍ଧ୍ୟା ଓ ରାତ୍ରି ବର୍ଣ୍ଣନା ଚାତୁରୀ ପୂର୍ବରୁ କଥା ପ୍ରସଙ୍ଗ କ୍ରମେ ଉଦ୍ଧୃତ କରା ହୋଇଅଛି । ସେହିପରି ପ୍ରକୃତି ବର୍ଣ୍ଣନା ଓ ସୂର୍ଯ୍ୟୋଦୟାଦି ପ୍ରଭାତ ବର୍ଣ୍ଣନାର ସୌଷ୍ଠବ ବିଷୟରେ ଏ ପ୍ରବନ୍ଧର ପାଠକମାନେ ଅବହିତ ହୋଇଛନ୍ତି । କବି ଲେଖନୀର ପ୍ରକୃତି ଆହ୍ଲାଦମୟୀ, ଭାବବିବର୍ଦ୍ଧିନୀ, ରୂପ, ଗନ୍ଧ, ଗୁଣ ବହନକରି ସୁଶାନ୍ତା, ମନୋମୟୀ, ରସସଞ୍ଚାରିଣୀ, ପ୍ରେମମୟୀ ଓ ଉଦାରା । ପ୍ରକୃତି-ଚିତ୍ରଣର ଭାଷା ଭାବାନୁସାରିଣୀ, ସରଳ ଓ ମନୋଜ୍ଞ ଅଟେ ।

 

କୃଷ୍ଣବିଳାସର ଆଉ ଏକକିତା ପୋଥି ନ ମିଳିବା ପର୍ଯ୍ୟନ୍ତ କବିଙ୍କର ଜୀବନକାଳ ସମ୍ବନ୍ଧରେ, ମୋ ଠାରେ ଥିବା ପୋଥିଭାଷାର ଶୁଦ୍ଧତା ସମ୍ବନ୍ଧରେ ସଂଶୟ ରହିଥିବ । କବିଙ୍କ ଲିଖିତ ଅନ୍ୟ ଏକ ପୋଥି ‘ମାର୍ଗଶୀର ମାହାତ୍ମ୍ୟ’ ଏବଂ ଅନ୍ୟାନ୍ୟ କ୍ଷୁଦ୍ର ବୃହତ୍ କତି ନ ମିଳିବା ପର୍ଯ୍ୟନ୍ତ ତାଙ୍କ ଜୀବନକାଳ ତଥା ବଂଶଲତା, ତାଙ୍କ ଜୀବନୀ ଆଦି ବିଷୟରେ ତଥ୍ୟ ଅପ୍ରକଟ ରହିବ । ତାଙ୍କ କୃତ ଉଦ୍ଧବ ଚଉତିଶା ନ ମିଳିଥିଲେ ତାଙ୍କର ସାଙ୍ଗିଆ ସୁମନ୍ତ ବୋଲି ସିଦ୍ଧାନ୍ତରେ ମୁଁ ଉପନୀତ ହୋଇ ପାରି ନ ଥାନ୍ତି : ଏଥିପାଇଁ ଉଦ୍ଧବ ଚଉତିଶାର ସଂଗ୍ରାହକ ୰ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ତଥା ପ୍ରାଚୀ ସମିତିଙ୍କ ଠାରେ ମୁଁ ଋଣ-ସ୍ୱୀକାର କରୁଅଛି । ୧୯୭୦ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତଦାନୀନ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ: କୁଞ୍ଜବିହାରୀ ତ୍ରିପାଠୀଙ୍କ ଠାରୁ କୃଷ୍ଣବିଳାସ ସମ୍ପର୍କୀତ ଆଭାସ, ଡ: ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଇଂରାଜୀ ପାଣ୍ଡୁଲିପି ଓଡ଼ିଆ ସାହିତ୍ୟ ଇତିହାସରୁ ପାଇଥିବାରୁ ଉଭୟ ଗୁରୁଦେବଙ୍କ ଠାରେ ମୁଁ ଗଭୀର ଭାବେ କୃତଜ୍ଞ । ସଂଶିତ କାବ୍ୟଟି ପ୍ରକାଶ ପାଇଲେ ମଥୁରାମଙ୍ଗଳ ଉପରେ ଆଲୋଚନାର ନୂତନ ଦିଗ ଫିଟିଯିବ, ଏଥିରେ ମୋର ସନ୍ଦେହ ନାହିଁ । ଓଡ଼ିଆ-ସାହିତ୍ୟର ଗବେଷକମାନଙ୍କୁ ଏ ପ୍ରକାର କିଞ୍ଚିତ ସାହାଯ୍ୟ କଲେ ମୋର ଶ୍ରମ ସାର୍ଥକ ହେବ ।

 

***